ଜୀବନ ଜ୍ୱାଳା ଓ ଅନ୍ୟାନ୍ୟ ଗଳ୍ପ

 

 

 

 

 

 

 

 

 

 

 

ଜୀବନ ଜ୍ୱାଳା ଓ ଅନ୍ୟାନ୍ୟ ଗଳ୍ପ

ଶ୍ରୀ ଯଦୁନାଥ ଦାଶ ମହାପାତ୍ର

 

 

 

 

 

 

Where is the life we have lost in living ?

 

Where is the wisdom we have lost in knowledge ?

 

Where is the knowledge we have lost in information ?

 

The cycles of Heaven in twenty centuries.

 

Caring us further from God and nearer to the Dust."

 

T. S. Eliot.

 

ସୂଚୀପତ୍ର

 

୧.

ଶୂନ୍ୟ ପ୍ରାଂତର

୨.

ଅପରାଧୀ

୩.

ଶେଷ ଆଲୋକସ୍ତମ୍ଭ

୪.

ଦୁଇଟି ଚିତ୍ର

୫.

କ୍ଷୁଧା

୬.

ଲାଲଗୀର୍ଜା

୭.

ଜୀବନ ଜ୍ୱାଳା

Image

 

 

 

 

 

 

ଜୀବନରେ ଜ୍ୱାଳା ଅନେକ । ସେହି କଥାହିଁ ଏଥିରେ ସନ୍ନିବେଶିତ ଗଳ୍ପଗୁଡ଼ିକର ବିଷୟବସ୍ତୁ । ବସ୍ତୁବାଦୀ ଦୁନିଆରେ ସେଇଟାହିଁ ବୋଧହୁଏ ସତ୍ୟ । ତଥାପି ଜୀବନ ପ୍ରତି ମଣିଷର ମମତା ଅସୀମ । ଜ୍ୱାଳାର ଦହନ ନ ଥିଲେ ମିଳନର ଆସ୍ଥା ନ ଥାନ୍ତା, ଜୀବନରେ ପଡ଼ିଯାନ୍ତା ପୂର୍ଣ୍ଣଚ୍ଛେଦ । ସେହି ଦୃଷ୍ଟି ଗଳ୍ପଗୁଡ଼ିକର ଆବଶ୍ୟକତା ରହିଛି । ପାଠିକା-ପାଠକବୃନ୍ଦ ଏହା ହୃଦୟଙ୍ଗମ କରିବେ ବିଶ୍ୱାସ ।

Image

 

ଶୂନ୍ୟ ପ୍ରାଂତର

 

ଏକ କୋଳାହଳ ମୁଖରିତ ସଂଧ୍ୟା ।

 

ଓ୍ୟେଲିଂଟନ ରାସ୍ତାର ଗୋଟିଏ ତ୍ରିତଳ ପ୍ରାସାଦରେ ମଜ୍‌ଲିସ୍‌ଟି ବେଶ୍‌ ସରଗରମ ହେଇ ଉଠିଥିଲା । କୋଠରୀଟି ନୀଳଆଲୋକରେ ଉଦ୍‌ଭାସିତ । ତଳେ କାଶ୍ମୀରି ଗାଲିଚା ଉପରେ ବେଶ୍‌ ମସୃଣ କାଠର ଆସବାବ୍‌ ପତ୍ରରଙ୍ଗୀନ ଫୁଲଦାନୀରେ ରଜନୀଗନ୍ଧା ଫୁଲର ସୁନ୍ଦର ଅଥଚ ଆଡ଼ମ୍ବରହୀନ ଉତ୍ସବ । ମହୀଶୂରର ଧୂପବତୀ ଆମୋଦିତ କରୁଥିଲା ସାରା ପ୍ରକୋଷ୍ଠଟିକୁ । ପ୍ରବୀର ସୋଫା ଉପରେ ବସି କାନ୍ଥରେ ଝୁଲୁଥିବା ‘‘ନାଗୀନ୍‌’’ ଛବିର ଏକ ଚିତ୍ରପଟଆଡ଼େ ଚାହିଁ ରହିଥିଲେ—ପାଖରେ ବିଚିତ୍ରା ବେଶ ମନଯୋଗ ଦେଇ ବୀଣା ବଜାଉଥିବା ସୁକାନ୍ତଙ୍କୁ ଲକ୍ଷ୍ୟ କରୁଥିଲେ । କି ସୁନ୍ଦର ଛନ୍ଦ, ନିର୍ଜୀବ ବୀଣା ଯେମିତି ଆଜି ସଂଜୀବିତ ହେଇ ଉଠିଛି—ତାଳର ଲହରୀରେ ଫୁଟି ଉଠୁଚି କେଉଁ ଏକ ଅବ୍ୟକ୍ତ ହୃଦୟର ମର୍ମସ୍ପର୍ଶୀ କବିତା—ଯମୁନା କୂଳର ବିରହୀ ଗୋପାଳ ରାଧାର ଅଭାବରେ ଆଜି ଆତ୍ମହରା, ଯମୁନା ବହି ଚାଲିଚି ତା’ର ଅବିରାମ ଛନ୍ଦ ତୋଳି-ବନ, ପ୍ରାନ୍ତର, ଗ୍ରାମ, ସହର, ସବୁ ଆଜି ପାଗଳ ହେଇ ଉଠିଚି । କି ଛନ୍ଦ, କି ଲହର, କି ଭାଷା ! ସୁକାନ୍ତଙ୍କ ଚକ୍ଷୁ ମୁଦ୍ରିତ, ସେ ନିଜକୁ ଭୁଲି ଯାଇଛନ୍ତି । ତାଙ୍କର ଗତ ପନ୍ଦର ବର୍ଷର ନିରବଚ୍ଛିନ୍ନ ସାଧନା, ସାରା ଭାରତରେ ସେ ଆଜି ଶ୍ରେଷ୍ଠ ବୀଣା ବାଦକଙ୍କ ମଧ୍ୟରୁ ଜଣେ । ପ୍ରବୀର ଏବଂ ସୁକାନ୍ତ ବାଲ୍ୟବନ୍ଧୁ, ମାଟ୍ରିକ୍‌ ସ୍କୁଲଠାରୁ ବି,ଏ, ପାସ କରିବା ପର୍ଯ୍ୟନ୍ତ ଉଭୟ ସହପାଠୀ ଥିଲେ । ୧୯୪୪ ମସିହାରେ ବି,ଏ, ପାଶକରି ପ୍ରବୀର ସରକାରୀ ଚାକିରୀରେ ଭର୍ତ୍ତି ହେଲେ ଆଉ ଶିଳ୍ପୀ ସୁକାନ୍ତ ତାଙ୍କର ମୋଫସଲ ଗାଁକୁ ଯାଇ କଳାର ସାଧନାରେ ମନପ୍ରାଣ ଢାଳି ଦେଲେ, କଳା ତାଙ୍କର ସବୁ । ଭାଇ ବନ୍ଧୁ ହୀନ ବିରାଟ ଦୁନିଆରେ ସୁକାନ୍ତଙ୍କର ଏକମାତ୍ର ସଙ୍ଗୀ ତାଙ୍କର ‘ବୀଣା’ ।

 

କଲିକତା ନିଉ ଏମ୍ପାୟାର ଥିଏଟର ହଲରେ ୧୯୫୦ ମସିହା ଏପ୍ରିଲ୍‌ ମାସରେ ସଙ୍ଗୀତ ସମ୍ମିଳନୀ ହେଉଥାଏ—ପ୍ରବୀର ଖବର କାଗଜରୁ ଦେଖିଲେ ଶିଳ୍ପୀ ସୁକାନ୍ତ ନିମନ୍ତ୍ରିତ ହୋଇ ଏଇ ସମ୍ମିଳନୀରେ ଯୋଗ ଦେଉଛନ୍ତି । ସମ୍ମିଳନୀ ଶେଷରେ ନିଜେ ପ୍ରବୀର ଯାଇ ତାଙ୍କର ବାଲ୍ୟ ବଂଧୁଙ୍କୁ ନିମନ୍ତ୍ରଣ କରିଥିଲେ । ବହୁତ ଦିନ ୟା’ ଭିତରେ ଅତୀତ ହେଇ ଯାଇଥିଲା-ସୁକାନ୍ତଙ୍କ ବୀଣାର ଛନ୍ଦ ପ୍ରବୀର ଶୁଣିବାକୁ ପାଇନଥିଲେ । ଛାତ୍ର ଜୀବନରେ ପ୍ରବୀରହିଁ ଥିଲେ ସୁକାନ୍ତଙ୍କ ଶିଳ୍ପର ଏକ ନିଷ୍ଠାପର ଉପାସକ । ସେ ଚାହୁଁଥିଲେ ସୁକାନ୍ତ ଦିନେ ବଡ଼ ହୁଅନ୍ତୁ । ଭାରତସାରା ଉଜ୍ଜ୍ୱଳ ହେଇ ଉଠୁ ତାଙ୍କର ସୁବିମଳ ଯଶ ରାଶିରେ ।

 

ବୀଣା ବନ୍ଦହେଲା । ପ୍ରବୀର ସୋଫା ଉପରୁ ଉଠିପଡ଼ି ସୁକାନ୍ତଙ୍କୁ ଆଲିଙ୍ଗନ କରି ଗୋଟିଏ ଫୁଲତୋଡ଼ା ଉପହାର ଦେଲେ ଆଉ ବିଚିତ୍ରାଙ୍କୁ ଉଦ୍ଦେଶ୍ୟ କରି କହିଲେ—ଶୁଣିଲ ? ଜୀବନରେ ଏମିତି ବୀଣାଛନ୍ଦ ତୁମେ ଆଉ କେଉଁଠି ଶୁଣିଛ ? ଆଶ୍ଚର୍ଯ୍ୟ !

 

ବିଚିତ୍ରା କେଉଁ ଏକ ସ୍ୱପ୍ନର ମହଲରେ ଘୁରି ବୁଲୁଥିଲେ ସେତେବେଳକୁ, ସ୍ୱାମୀଙ୍କର କଥା ଶୁଣି ସେ ବାସ୍ତବ ଜଗତକୁ ଫେରି ଆସିଲେ । ମନ ଭିତରେ ତଥାପି ତାଙ୍କର ଲାଗି ରହିଥିଲା ବନ୍ଦ ହେଇ ଯାଇଥିବା ବୀଣାର ଝଙ୍କାର । ପ୍ରବୀର କହିଲେ—ତୋତେ ମୋ ପାଖରେ ସପ୍ତାହେ ରହିବାକୁ ହେବ ସୁକାନ୍ତ । ଏତେ ଦିନପରେ ଦେଖା ହେଇଚି ଏତେ ଶୀଘ୍ର ମୁଁ ତୋତେ ଛାଡ଼ିପାରିବି ନାହିଁ । ତୋର ଏଥିରେ କିଛି ଆପତ୍ତି ଅଛି ?

 

ସୁକାନ୍ତ ହସିଲେ–ତୁ ମତେ ସେଇମିତି ପୂର୍ବପରି ଭଲ ପାଉ ? ଏତେ ଦିନର ବ୍ୟବଧାନ ପରେ ବି ତୁ ମତେ ଏମିତି ନିବିଡ଼ଭାବରେ ମନେ ରଖିଚୁ ?

 

-ଛାତ୍ର ଜୀବନରେ କେତେ ସନ୍ଧ୍ୟାରେ ବସି ତୁ ମୋ ପାଖରେ ବୀଣା ବଜେଇଚୁ କହନି । ମୁଁ ସିନା ନିଜେ ସଙ୍ଗୀତର ଧାର ଧାରେନାହିଁ, କିନ୍ତୁ ତୁ ବୀଣା ବଜେଇଲେ ମୁଁ କାହିଁକି ସବୁ କଥା ଭୁଲିଯାଏ । ରହିବୁନି ?

 

—ରହିବି ।

 

ବିଚିତ୍ରା ଘର ଭିତର’କୁ ଉଠିଗଲେ ଦୁଇ ବନ୍ଧୁଙ୍କ ପାଇଁ ଖାଇବା ଯୋଗାଡ଼ କରିବାକୁ । ପ୍ରବୀର ସୁକାନ୍ତଙ୍କୁ ଡାକି ପାଖରେ ବସେଇଲେ ।

 

ବାହା ହେଲୁଣି ସୁକାନ୍ତ ?

 

ହଠାତ୍‌ ସୁକାନ୍ତଙ୍କ ମୁହଁ ଶବ ପରି ଫିକା ହୋଇଗଲା । ବିବାହ ? ଜଗତରେ ସେ କେବଳ ଏଇ ଗୋଟିଏ ଜିନିଷକୁ ଭୟ କରନ୍ତି । ଏଇଟା ହୁଏତ ତାଙ୍କର ପଳାୟନପନ୍ଥୀ ମନୋବୃତ୍ତି ହୋଇପାରେ । କିନ୍ତୁ ସେ ନିଜେ କହନ୍ତି–ବିବାହ କଲେ କଳାକୁ ସେ ଆଉ ଏକନିଷ୍ଟ ଭାବେ ଭଲ ପାଇପାରିବେ ନାହିଁ ଆଉ ଯାହାକୁ ବିବାହ କରିବେ ତାକୁ ମଧ୍ୟ ପୂର୍ଣ୍ଣ ପ୍ରାଣରେ ଭଲପାଇ ପାରିବେ ନାହିଁ, ତେଣୁ ସେ ଠିକ କରିଛନ୍ତି ବିବାହ କରିବେ ନାହିଁ । ସୁକାନ୍ତଙ୍କର ନୀରବତା ଦେଖି ପ୍ରବୀର ପୁଣି କହିଲେ-କହୁନୁ କାହିଁକି ? ବିବାହ କରିଛୁନା ? ପିଲାଛୁଆ କେତୋଟି ହେଲେଣି ? ଥରେ ଶ୍ରୀମତୀଙ୍କୁ ନେଇ ଏଆଡ଼େ ଆ ।

 

ସୁକାନ୍ତ ମୁହଁର ଭାବ ବଦଳେଇ ସ୍ମିତହସି କହିଲେ–ବିବାହିତାଟିଙ୍କି ମୁଁ ତ ସାଙ୍ଗରେ ନେଇ ଆସିଛି ।

 

ମତେ ତ କହିନୁ ? ତାଙ୍କୁ ହୋଟେଲରେ ରଖି......

 

ହୋଟେଲରେ କାହିଁକି ରଖିବି ? ସେ ତ ମୋ ସାଙ୍ଗରେ ଆସିଛନ୍ତି ଦେଖ ।

 

ଟେବୁଲ ଉପରେ ଥୁଆ ହୋଇଥିବା ବୀଣା ବାକ୍‌ସଟି ଆଡ଼େ ଆଙ୍ଗୁଳି ନିର୍ଦ୍ଦେଶକରି ସେ ପୁଣି କହିଲେ—ଏଇ ମୋର ବିବାହିତା । ତା’ପରେ ଦୁଇବନ୍ଧୁ ଖୁବ୍‌ ଜୋର ହସି ଉଠିଲେ । ବିଚିତ୍ରା ପଶିଆସିଲେ ଏତିକିବେଳେ ଖାଇବାକୁ ଡାକିବା ପାଇଁ । ପ୍ରବୀର କହିଲେ—ବିଚିତ୍ରା, ଏ ବୀଣାଟି ଆମ ସହିତ ଖାଇବ । ଏ ପରା ହଉଚି ସୁକାନ୍ତର ବିବାହିତା ସ୍ତ୍ରୀ । ବିଚିତ୍ରା ମଧ୍ୟ ହସିଲେ ।

 

କାନ୍ଥରେ ଝୁଲୁଥିବା ଘଣ୍ଟାରେ ବାଜିଲା ନଅ । ସମସ୍ତେ ଉଠିଗଲେ ଭିତରକୁ ।

 

ଦୁଇ

 

ପ୍ରବୀର ଅଫିସରୁ ଫେରି ଦେଖିଲେ ସୁକାନ୍ତ ଏକାଟିଆ ବସି ଗୁଣୁଗୁଣୁ ହେଇ ଗୀତ ଗାଉଛନ୍ତି । ଭିତରକୁ ଯାଇ ବିଚିତ୍ରାଙ୍କୁ ପଚାରିଲେ-ସୁକାନ୍ତ ପାଖକୁ ତୁମେ ଯାଇଥିଲ ?

 

ବିଚିତ୍ରା ନାହିଁକଲେ ।

 

ପ୍ରବୀର ଗର୍ଜିଉଠିଲେ ସାଙ୍ଗେ ସାଙ୍ଗେ-ସୁକାନ୍ତ ମୋର ବନ୍ଧୁ ନୁହେଁ, ସେ ମୋ’ ଭାଇ । ଦିନଟା ସାରା ସେ ଏକାଟିଆ ବସିଛି, ତମେ ଟିକିଏ ଯାଇ ତା’ ସହିତ ଗଳ୍ପ ବି କରୁନ ? ସେ ମତେ କଥା ଦେଇଛି ଏଠି ସାତଦିନ ରହିବ, କିନ୍ତୁ ସେ କ’ଣ ଜେଲଖାନାରେ ରହିବାପରି ରହିବ ?

 

ପ୍ରବୀର ବଡ଼ ଅସ୍ୱସ୍ତି ବୋଧକଲେ । ଅପରାଧୀ ପରି ସୁକାନ୍ତଙ୍କ ପାଖକୁ ଯାଇ ସାଙ୍ଗେ ସାଙ୍ଗେ କ୍ଷମା ମାଗିଲେ-ଭାଇ, ଏକାଟିଆ ତତେ ବସେଇ ରଖି ବିଚିତ୍ରା ମହା ଅପରାଧ କରିଛି, ତାକୁ କ୍ଷମାଦବୁ ।

 

ସୁକାନ୍ତ କହିଲେ–ଶିଳ୍ପୀର ନିର୍ଜନତାହିଁ ଚିର ସହଚର । ନିର୍ଜନତା ନହେଲେ ସାଧନା ହୁଏନା, ମତେ ଆଦୌ ଖରାପ ଲାଗିନି ।

 

ଦୁଇ ବନ୍ଧୁଙ୍କ ପାଇଁ ଚା ଆଣିବାକୁ ବରାଦ କରି ପ୍ରବୀର କହିଲେ–ସୁକାନ୍ତ, ଆଜି ସିନେମା ଗଲେ କେମିତି ହୁଅନ୍ତା ?

 

ଚାଲ, ମୋର ଆପତ୍ତି ନାହିଁ ।

 

ତାହେଲେ ଯିବା ।

 

ବିଚିତ୍ରା ଚା ନେଇ ଆସିଲେ । ପ୍ରବୀର ତାଙ୍କୁ କହିଲେ—ବାହାରି ପଡ଼ ସିନେମା ଯିବା ।

 

ନିକଟରେ ଥିବା ‘‘ହିନ୍ଦ୍‌’’ ସିନେମାରେ ‘ଏକଥୀ ଲଡକୀ’’ ବହି, ବେଶ ସଗୌରବେ ତୃତୀୟ ସପ୍ତାହ ଚାଲିଥାଏ । ଚାରିଆଡ଼େ ପ୍ରଶଂସା । ତିନିଜଣ ବାହାରିଲେ ‘‘ହିନ୍ଦ୍‌’’ ସିନେମା ଅଭିମୁଖେ ।

 

‘‘ହିନ୍ଦ୍‌’’ ସିନେମା ପ୍ରବୀରଙ୍କ ଘରଠୁ ପାଞ୍ଚଶହ ହାତ ଦୂର । ମଝିରେ ଆଉ ଗୋଟିଏ ବଡ଼ରାସ୍ତା ପାର ହେବାକୁ ହୁଏ, ଗଣେଶଚନ୍ଦ୍ର ଏଭିନିଉ । ଦୁର୍ଭାଗ୍ୟ । ପ୍ରଥମେ ଚାଲିଥାନ୍ତି ପ୍ରବୀର, ତାଙ୍କ ପଛକୁ ସୁକାନ୍ତ ଓ ପଛରେ ବିଚିତ୍ରା । ଧର୍ମତାଲା ଆଡ଼ୁ ଗୋଟିଏ କାର ଖୁବ ଦ୍ରୂତଗତିରେ ଆସି ଗଣେଶ ଚନ୍ଦ୍ର ଏଭିନିଉ ଆଡ଼କୁ ବୁଲି ପଡ଼ିଲା ବେଳକୁ ସାମନାରେ ପଡ଼ିଗଲେ ପ୍ରବୀର । ଡ୍ରାଇଭର ବ୍ରେକ ଦେଲା ଖୁବ୍‌ ଜୋର । କିନ୍ତୁ କାର ଟିକିଏ ଆଗେଇ ଆସି ପ୍ରବୀରଙ୍କ ବାଁ ଗୋଡ଼ ଉପରେ ମାଡ଼ିଗଲା । ‘‘କଣ ହେଲା’’ ‘‘କଣ ହେଲା ? ’’ ପାଟିକରି ବହୁ ଲୋକ ରୁଣ୍ଡହେଲେ । କଂକ୍ରିଟ୍‌ ରାସ୍ତା ଲାଲ ରକ୍ତରେ ଭିଜିଗଲା । ବିଚିତ୍ରା ସ୍ୱାମୀଙ୍କର ଏ ଅବସ୍ଥା ଦେଖି ଜ୍ଞାନଶୂନ୍ୟ ହୋଇ ପଡ଼ିଲେ । ମେଡ଼ିକାଲ କଲେଜ ହସ୍ପିଟାଲକୁ ଫୋନ୍‌ କରାଗଲା ରୋଗୀବାହୀ ଗାଡ଼ିପାଇଁ । ସୁକାନ୍ତ କିଂକର୍ତ୍ତବ୍ୟ ବିମୂଢ଼ ହେଇ ପଡ଼ିଲେ । ପାଣି ସିଞ୍ଚାସିଞ୍ଚି କରି ବିଚିତ୍ରାଙ୍କ ଚୈତନ୍ୟ ଫେରେଇ ଆଣିଲେ । ଖୁବ ଶୀଘ୍ର ରୋଗୀବାହୀ ଗାଡ଼ି ପହଞ୍ଚିଗଲା–ପ୍ରବୀରଙ୍କୁ ଗାଡ଼ିରେ ଉଠାଇ ସୁକାନ୍ତ ଆଉ ବିଚିତ୍ରା ମେଡିକାଲ କଲେଜ ଚାଲିଲେ ।

 

ଇମାରଜେନ୍‌ସି ଓ୍ୟାର୍ଡ଼ । ଡାକ୍ତର ସାନ୍ୟାଲ ରୋଗୀର କ୍ଷତ ଧୁଆଧୋଇ କରି ପଟି ବାନ୍ଧି ଦେଲେ । ତିନିଘଣ୍ଟା ପରେ ପ୍ରବୀରଙ୍କର ଚୈତନ୍ୟ ଫେରିଲା—ପାଖରେ ବିଚିତ୍ରା ଆଉ ସୁକାନ୍ତ । ପ୍ରବୀର ବିଚିତ୍ରାଙ୍କୁ କହିଲେ–ଦେଖ ସୁକାନ୍ତର ଯେମିତି କିଛି ଅସୁବିଧା ନହୁଏ ।

 

ସୁକାନ୍ତ କହିଲେ—ଭାଇ ତୁ ଆଗେ ଭଲ ହୋଇଯା, ମୋ କଥା କାହିଁକି ଭାବୁଛୁ ?

 

ଡାକ୍ତର କଣ କହୁଛନ୍ତି ? ମୁଁ ଭଲ ହେଇଯିବିତ ?

 

ନିଶ୍ଚୟ ଭଲ ହେଇଯିବୁ । ବିଶେଷ କିଛି ହେଇନି ।

 

ପ୍ରବୀର ଆଶ୍ୱସ୍ତ ହେଲେ । ରାତି ନ’ଟାରେ ହସ୍ପିଟାଲ ଛାଡ଼ି ଦୁଇଜଣ ଫେରି ଆସିଲେ ଘରକୁ-ବିଚିତ୍ରା ଆଉ ସୁକାନ୍ତ । ରାସ୍ତାରେ ବିଚିତ୍ରା କହିଲେ—ଦେଖନ୍ତୁତ, ଦୁର୍ଯୋଗ କେମିତି ଆସେ-

 

ସୁକାନ୍ତଙ୍କ ମୁହଁରେ ସମବେଦନାର ଗଭୀର ଛାପ ।

 

ତିନି

 

ପ୍ରବୀର ଭଲ ହେଇ ଆସୁଛନ୍ତି । ସୁକାନ୍ତଙ୍କର ସେଠାରେ ରହିବା ହେଇଗଲାଣି ପନ୍ଦର ଦିନ । ଓ୍ୟେଲିଂଟନ ସ୍କୋୟାର ଘରେ ସୁକାନ୍ତ, ବିଚିତ୍ରା ଏବଂ ଆଉ ଗୋଟିଏ ଚାକରାଣୀ ବ୍ୟତୀତ କେହି ନଥାନ୍ତି । ପ୍ରଭାତର କାକଳି ସହିତ ସୁକାନ୍ତ ତୋଳନ୍ତି ବୀଣାର ଝଙ୍କାର । ପାଖ ଘରୁ ବିଚିତ୍ରାଙ୍କ ନିଦ ଭାଙ୍ଗିଯାଏ । ସେ ଧୀରେ ଧୀରେ ଆସି କବାଟ ପାଖରେ ଛିଡ଼ା ହୋଇ ନୀରବରେ ଶୁଣୁଥାନ୍ତି ବୀଣା । ଶୁଣୁ ଶୁଣୁ ସେ ପିତୁଳା ପାଲଟି ଯାଆନ୍ତି । ସେ ନିଜେ ଏଇମିତି ବଜାଇ ପାରୁଥାନ୍ତେକି ! ସୁକାନ୍ତଙ୍କ ଉଦ୍ଦେଶ୍ୟରେ ସେ ନମସ୍କାର କରନ୍ତି । କି ପ୍ରତିଭା, ଯେ କେହି ଲୋକର ମୁଣ୍ଡ ଏଇ ପ୍ରତିଭା ନିକଟରେ ନଇଁଯିବାର କଥା । ଦିନକର ସକାଳେ । ସୂର୍ଯ୍ୟର ପ୍ରଥମ ରଶ୍ମି ଧରା ପୃଷ୍ଠକୁ ଛୁଇଁନାହିଁ । ସୁକାନ୍ତ ଫୁଲଦାନୀରୁ ଗୋଲାପ ଫୁଲଟିଏ ଆଣି ମୁଣ୍ଡ ପାଖରେ ଟଙ୍ଗା ହୋଇଥିବା ବିଚିତ୍ରାଙ୍କ ଫଟୋ ଉପରେ ରଖିଦେଲେ । ତାପରେ ବୀଣାଟିକି ଧରି ବଜାଇ ଚାଲିଲେ । ବିଚିତ୍ରା ପୂର୍ବପରି ଶଯ୍ୟାତ୍ୟାଗ କରି ବାରଣ୍ଡାକୁ ଉଠି ଆସିଲେ । ବାସ୍ତବିକ ଲୋଭନୀୟ ଏଇ ସଙ୍ଗୀତ, ନା ସେ ଏଥର ସୁକାନ୍ତଙ୍କର ଛାତ୍ରୀ ହେବେ—ଏମିତି ବୀଣା ବଜେଇ ପାରିଲେ ସେ ନିଜକୁ ଅଶେଷ ଧନ୍ୟ ମନେ କରିବେ । ଧୀରେ ଧୀରେ କବାଟ ଖୋଲି ସେ ଘର ଭିତରକୁ ଆସିଲେ.–ସୁକାନ୍ତ ଆଖିବୁଜି ବଜାଇ ଚାଲିଛନ୍ତି—ଠିଆ ହେଲେ ବିଚିତ୍ରା । ଆରେ ଏକଣ ? ତାଙ୍କ ଫଟୋ ଉପରେ ଗୋଲାପ ଫୁଲଟିଏ କିଏ ଦେଲା ? ସୁକାନ୍ତ ? କାହିଁକି ?

 

କାହିଁକି କେଜାଣି ମୁହଁରେ ତାଙ୍କର ଦେଖାଗଲା ପ୍ରଫୁଲ୍ଲତା । ସାହସ ଠୁଳକରି ସେ କହିଲେ—ସୁକାନ୍ତବାବୁ ! ସୁକାନ୍ତଙ୍କର ଖିଆଲ ନାହିଁ—ଏକାଗ୍ରତା । ବିଚିତ୍ରା ଆଉ ଟିକିଏ ଜୋରରେ ଡାକିଲେ–ସୁକାନ୍ତବାବୁ ।

 

ହଠାତ୍‌ ବୀଣା ବନ୍ଦ ହେଇଗଲା । ସୁକାନ୍ତ ଚାହିଁଲେ–କିଏ ?

 

ମୁଁ ।

 

ଏତେ ସକାଳେ ?

 

କିଛି ନୁହେଁ, ମତେ ଟିକିଏ ବୀଣା ବଜେଇବା ଶିଖେଇ ଦେବେ ?

 

ସୁକାନ୍ତ କିଛି ସମୟ ନୀରବ ରହିଲେ । ମୁହଁରେ ତାଙ୍କର ଗମ୍ଭୀରତା । ବିଚିତ୍ରା ଭୟ ପାଇ ଗଲେ ? ସେ କଣ କିଛି ଅନ୍ୟାୟ କଲେ ! କଳାଶିକ୍ଷା କରିବାରେ ଲଜ୍ଜା କାହିଁକି ? ସେ ପୁଣି କହିଲେ-କୁହନ୍ତୁ ।

 

ସୁକାନ୍ତ କହିଲେ–ହଉ, ଶିଖେଇ ଦେବି ।

 

ବିଚିତ୍ରା ଯାଇ ବସିଲେ-ସୁକାନ୍ତ ତାଙ୍କ ହାତରେ ଧରେଇ ଦେଲେ ବୀଣା । ଘଣ୍ଟାଏ ପରେ-। ସୁକାନ୍ତ କହିଲେ-ଆଜି ଏତିକି ଥାଉ । ବନ୍ଦ ହେଲା । ବିଚିତ୍ରାଙ୍କ ମନରେ କି ଉନ୍ମାଦନା-ଜୀବନରେ ଏତେ ଖୁସି ସେ କେବେ ହେଇ ନ ଥିଲେ-ମଧୁଶଯ୍ୟା ରାତିରେ ବି ନୁହେଁ । ବିଚିତ୍ରା ଚାଲି ଆସିଲେ-। ସୁକାନ୍ତଙ୍କ ମନରେ ଭାବାନ୍ତର । ଚିନ୍ତାକୁଳ ନୟନରେ ସେ ଚାହିଁଲେ, ବିଚିତ୍ରାଙ୍କ ଫଟୋଉପରେ ଗୋଲାପ ଫୁଲଟି ଆହୁରି ସତେଜ ହେଇ ଉଠିଛି । ସେ ଲଜ୍ଜିତ ହେଲେ । ବନ୍ଧୁପତ୍ନୀ କଣ ଭାବିଥିବେ । ଗୋଲାପ ଫୁଲଟିକୁ ନେଇଆସି ପୁଣି ଫୁଲଦାନୀ ଉପରେ ରଖିଦେଲେ ।

 

କିଛି ସମୟ ପରେ ଚା ନେଇ ବିଚିତ୍ରା ଆସିଲେ । ଫଟୋ ଉପରେ ଥିବା ଗୋଲାପଫୁଲ ନାହିଁ । ମନେ ମନେ ସେ ହସିଲେ । ଫୁଲଦାନୀ ଉପରୁ ଫୁଲଟିକି ନେଇ ନିଜେ ପୁଣି ଫଟୋ ଉପରେ ରଖିଦେଇ ସେ ଚାଲିଗଲେ ।

 

ସୁକାନ୍ତ ଅନ୍ୟମନସ୍କ ଭାବରେ ଚାହିଁ ରହିଥିଲେ ବାହାରକୁ । ହୁଏତ କିଛି ବୁଝି ପାରିଲେ ନାହିଁ ।

 

ଚାରି

 

ଶୀତଳ ସନ୍ଧ୍ୟାର ଏକ କାତର କରୁଣ ମୁହୂର୍ତ୍ତ । ଡ୍ରଇଂରୁମ୍ ଭିତରେ ବସି ବିଚିତ୍ରା ବୀଣା ବଜାଉଥିଲେ, ପାଖରେ ବସିଥିଲେ ସୁକାନ୍ତ । ବାସ୍ତବିକ ବିଚିତ୍ରାଙ୍କର ଆଜି ଏ କି ରୂପ ସମ୍ଭାର ! କାକକୃଷ୍ଣ ବେଣୀ ତାଳେ ତାଳେ ଦୋହଲି ଦୋହଲି କେଉଁ ଏକ କବିତା ଆବୃତ୍ତି କରୁଥିଲା–କପାଳରେ କୁଙ୍କୁମ, ଆଖିରେ କଜ୍ୱଳ, ସୁକାନ୍ତ ବସି ଏଇ ରୂପସୀଙ୍କର ସୌନ୍ଦର୍ଯ୍ୟ ସହିତ ଉର୍ବଶୀର ସୌନ୍ଦର୍ଯ୍ୟକୁ ତୁଳନା କରୁଥିଲେ । ଆଖିରେ ତାଙ୍କର ଶୋଭାଞ୍ଜନ । ବୀଣାବାଦନ ଶେଷକରି ବିଚିତ୍ରା ପଚାରିଲେ-ଆପଣଙ୍କୁ ଆମ ଘରେ ରହିବାକୁ ଭଲ ଲାଗୁଛି ?

 

ବିଚିତ୍ରା, କେତେଥର ମୁଁ କହିଲିଣି ମତେ ଆଉ ଆପଣ ବୋଲି କହିବ ନାହିଁ । କାହିଁକି କେଜାଣି ଏଇ ‘ଆପଣ’ ଶୁଣିଲେ ଅନ୍ତରରେ ମୁଁ ଗୁରୁବେଦନା ଅନୁଭବ କରେ ।

 

ହଉ, ତମକୁ ଏଠି ରହିବାକୁ ଭଲ ଲାଗୁଛି ?

 

ଲାଗୁଛି ତ ।

 

ଘର କଥା ଆଉ ମନେପଡ଼ୁନି ?

 

ଘରେ ମୋର ଆଉ କିଏ ଅଛି ? ମୋରି ଜୀବନର ସବୁଠୁ ପ୍ରିୟ ବୀଣା ତ ମୋ ସାଥେ ସାଥେ ଅଛି ।

 

ତମକୁ ମୋ ସହିତ କଥା କହିବାକୁ ଭଲ ଲାଗେ ?

 

ଖୁବ୍ ଭଲ ଲାଗେ ।

 

ମତେ ବୀଣା ଶିଖାଉଚ, ପ୍ରତିଦିନ ମୁଁ କଣ ଦେବି ?

 

କିଛିନା, ଏଇ ଶିଖେଇବାରେତ ମୋର ଆନନ୍ଦ ।

 

ଆଚ୍ଛା, ସତ କୁହନି, ମୋ କଥା ତମେ ସବୁବେଳେ ଭାବୁଛ ନା ? ମୋ ଫଟୋକୁ ତମେ ସବୁବେଳେ ଚାହିଁରହୁଛ କାହିଁକି ? ମୋର କଣ ହେଇଛି କେଜାଣି, ମୁଁ ସବୁବେଳେ ତମରି କଥା ଭାବୁଛି । ତୁମେ ଭାରି ଭଲ, ବେଶ୍‌ ସରଳ ଆଉ ଅମାୟିକ । ସତ କୁହ ତମେ ମତେ ଭଲ ପାଉଛ-?

 

ସୁକାନ୍ତ ପ୍ରକୃତିସ୍ଥ ହେଲେ । ସେ ବିଚିତ୍ରାଙ୍କୁ ଭଲ ପାଉଛନ୍ତି ? ମିଛ କଥା, ବିଚିତ୍ରା ବନ୍ଧୁ ପତ୍ନୀ । ବନ୍ଧୁ ପ୍ରବୀର ଡାକ୍ତର ଖାନାରେ ପଡ଼ିରହି ତାଙ୍କରି ଦାୟିତ୍ୱରେ ତାଙ୍କ ପତ୍ନୀଙ୍କୁ ଛାଡ଼ି ଯାଇଛନ୍ତି । ତାଙ୍କର ଅନୁପସ୍ଥିତିରେ ସେ ଏତେବଡ଼ ଦୁଷ୍କର୍ମ କରିବେ କେମିତି ?

 

ବିଚିତ୍ରା ପୁଣି କହିଲେ–ତମେ ଜାଣ ମୁଁ ବିବାହିତା । ମତେ ଭଲ ପାଇ କିଛି ଲାଭ ନାହିଁ ।

 

ତାପରେ ସେ ଚାଲିଗଲେ ଘର ଭିତରୁ ବାହାରକୁ ଝଡ଼ ବେଗରେ । ଶୂନ୍ୟ ମନରେ ବସି ରହିଲେ ସୁକାନ୍ତ । ବିଚିତ୍ରାଙ୍କର ଗୋଟିଏ କଥା ତାଙ୍କ କାନରେ ପ୍ରତିଧ୍ୱନିତ ହେଉଥିଲା—ମତେ ଭଲ ପାଇ କିଛି ଲାଭ ନାହିଁ । ମୁଣ୍ଡରେ ତାଙ୍କର ବହୁପ୍ରକାର ଚିନ୍ତା ବୁଢ଼ୀଆଣୀ ଜାଲପରି ଛନ୍ଦି ହେଇ ଯାଇଛି । ସେ ଉଠି ଠିଆ ହେଲେ । ବାହାରକୁ ଯାଇ ଓ୍ୟେଲିଂଟନ୍‌ସ୍କୋୟାର ଭିତରେ ଏକ ନିଭୃତ ବେଞ୍ଚ ଉପରେ ବସି ରହିଲେ ବହୁତକ୍ଷଣ—ଆକାଶରେ ତାରା ଆଉ ଚନ୍ଦ୍ରର ଉତ୍ସବ ।

 

ତାଙ୍କର ଚେତନା ନାହିଁ ରାତି ବହୁତ ହେଇ ଗଲାଣି । ପାଖରୁ ପରିଚିତ କଣ୍ଠର ଆବାଜ ତାଙ୍କ କାନରେ ବାଜିଲା—

 

ତମେ ଘରୁ ପଳେଇ ଆସି ପାର୍କ ଭିତରେ ବସିଛ; ଏତେ ରାତି ହେଲାଣି ଫେରୁନାହଁ କାହିଁକି ? ଆସ ତମେ ଆଉ ମୋ କଥା ଏତେ ଭାବ ନାହିଁ । ପାଗଳ ହେଇଯିବ ।

 

ବିଚିତ୍ରାଙ୍କ କଣ୍ଠ ବାଷ୍ପାକୁଳ-କଣ କରିବି କୁହ, ସମାଜର ବନ୍ଧନରେ ମୁଁ ତ ବାନ୍ଧି ହେଇ ସାରିଛି । ତମେ ଆଉ ମୋ କଥା ଭାବିବନି ।

 

ସୁକାନ୍ତ ଉଠିଲେ । ପାଖ ପାଖ ହେଇ ଦୁଇଜଣ ପାର୍କ ବାହାରକୁ ଆସିଲେ । ସୁକାନ୍ତ କହିଲେ-ମୁଁ କାଲି ଗାଁକୁ ଯିବି ।

 

ତା’ ହେଇ ପାରେନା । ଦୃଢ଼ କଣ୍ଠରେ କହିଲେ ବିଚିତ୍ରା-ସେ ହସ୍ପିଟାଲରୁ ନ ଆସିବା ପର୍ଯ୍ୟନ୍ତ ତୁମେ ଯାଇ ପାରିବ ନାହିଁ । ସେତ ଏଇ ଦୁଇ ତିନି ଦିନ ଭିତରେ ଆସିବେ ।

 

ତା ପରେ ଦୁଇଜଣ ନୀରବରେ ଆସି ଘରେ ପହଞ୍ଚିଲେ ।

 

ପ୍ରବୀର ଫେରି ଆସିଛନ୍ତି । ବିଚିତ୍ରା ତାଙ୍କୁ ବୀଣା ବଜାଇ ଶୁଣାଉଛନ୍ତି । ପାଖରେ ବସିଛନ୍ତି ସୁକାନ୍ତ । ବୀଣାବାଦନ ଶେଷ ହେଲା । ସୁକାନ୍ତଙ୍କୁ କୁଣ୍ଢେଇ ପକାଇ ପ୍ରବୀର କହିଲେ-ବାଃ ସୁକାନ୍ତ, ଏତେ ଅଳ୍ପଦିନ ଭିତରେ ଚିତ୍ରାକୁ ଏମିତି ସୁନ୍ଦର ବୀଣା ବଜା ଶିଖେଇ ଦେଇଛୁ ? ଭାଇ, ତୋର ଏ’ ଋଣ ଆମେ ଜନ୍ମେ ଜନ୍ମେ ଶୁଝି ପାରିବୁନି ।

 

ସୁକାନ୍ତ ଗମ୍ଭୀର ହେଇ କହିଲେ-ଭାଇ, ଏ ହେଉଚି ତୋର ଅକୃତ୍ରିମ ବନ୍ଧୁତାର ନିଦର୍ଶନ-। ବହୁତ ଦିନ ମୁଁ ଆସି ଏଠି ରହିଗଲିଣି, ଆଜି ମତେ ଯିବାକୁ ହେବ ।

 

ପ୍ରବୀର ମନା କରି ପାରିଲେ ନାହିଁ । ସାତ ଦିନରୁ ଆସି ସାତମାସ ହେଲାଣି । ସେ’ ଖାଲି କହିଲେ-ହଉ ଭାଇ, ଆମକୁ ଭୁଲିବୁନି, ମଝିରେ ମଝିରେ ଆସିବୁ ।

 

ନିଶ୍ଚୟ-କହି ସୁକାନ୍ତ ତତ୍‌କ୍ଷଣାତ୍‌ ଉଠିଲେ । ବିଚିତ୍ରାଙ୍କର ଛଳଛଳ ନୟନ-ପ୍ରବୀର ଆଗେଇ ଗଲେ ତାଙ୍କୁ ବାଟେଇ ଦବାକୁ । ତଳେ ଛାଡ଼ି ଦେଇ ସେ, ପୁଣି ଉପରକୁ ଆସିଲେ । ବିଚିତ୍ରା କହିଲେ—ତାଙ୍କୁ ଅଟକାଇ ପାରିଲ ନାହିଁ ? ତମେ ଏଡ଼େ କୃତଘ୍ନ ! ଯେ ତମର ଜୀବନ ରକ୍ଷା କରିଛନ୍ତି ତାଙ୍କୁ ତୁମେ ଛାଡ଼ି ଦେଇ ପାରିଲ ?

 

କଣ କରାଯିବ ? ସଂସାରର ନିୟମତ ସେଇଆ ।

 

ରଖ ତମର ସଂସାରର ନିୟମ । ଏମିତି ପ୍ରତିଭାକୁ କେହିକେବେ ଦୂରକୁ ଫିଙ୍ଗି ଦିଏନି ।

 

ମୁଁ କଣ ସୁକାନ୍ତକୁ ଦୂରକୁ ଫିଙ୍ଗି ଦେଇଛି ବିଚିତ୍ରା ? ତମେ କଣ କହୁଛ ?

 

ବିଚିତ୍ରା କାନ୍ଦି ଉଠିଲେ । ପ୍ରବୀରଙ୍କ ମନକୁ କେମିତି ଗୋଟାଏ ପାପ ଛୁଇଁଲା ।

 

ସେହିଦିନଠୁ ବିଚିତ୍ରାଙ୍କଠେଇଁ ସବୁବେଳେ ଅନ୍ୟମନସ୍କତା ଦେଖା ଗଲା । ପ୍ରବୀର ଜାଣି ପାରିଲେ ବିଚିତ୍ରାଙ୍କର ମନ ଆଉ ତାଙ୍କର ଆୟତ୍ତରେ ନାହିଁ । ସୁକାନ୍ତ ତାଙ୍କର ସୁନାର ସଂସାରଟିକୁ ଚୂନା କରି ଦେଇ ଯାଇଛନ୍ତି । ବିଚିତ୍ରା ରୁଗ୍‌ଣା ହେଇ ପଡ଼ିଲେ ଦିନକୁ ଦିନ, ପ୍ରଳାପ କଲେ । ପ୍ରବୀର ଡାକ୍ତର ଡାକିଲେ । ମାନସିକ ବିକାର । ଜଳବାୟୁ ପରିବର୍ତ୍ତନ ପାଇଁ ଡାକ୍ତର ପରାମର୍ଶ ଦେଲେ-ପୁରୀରେ ଯାଇ ସେମାନେ ଦୁଇମାସ ରହିଲେ କିନ୍ତୁ କିଛି ହେଲା ନାହିଁ । କଲିକତା ଫେରି ଆସି ଦିନେ ସକାଳେ ପ୍ରବୀର ସୁକାନ୍ତଙ୍କ ପାଖକୁ ଗଲେ । ବହୁ ଅନୁନୟ କରି ତାଙ୍କୁ ଡାକି ଆଣିଲେ । ବିଚିତ୍ରା ସୁକାନ୍ତଙ୍କୁ ଦେଖି କହିଲେ-ଆସିଲ କାହିଁକି ?

 

ଅଭିମାନରେ ଛୋଟ ମୁହଁଟି ନାଲି ପଡ଼ି ଯାଇଥିଲା । ସୁକାନ୍ତଙ୍କ ଉପସ୍ଥିତିରେ ବିଚିତ୍ରା କିନ୍ତୁ ଆରୋଗ୍ୟ ହୋଇ ଆସିଲେ । ଛ’ଦିନ ରହି ସୁକାନ୍ତ ପୁଣି ଫେରିଗଲେ ଗାଁକୁ ।

 

ପ୍ରବୀର ଦିନକୁ ଦିନ ଉତ୍ୟକ୍ତ ହେଇ ଉଠିଲେ । ସ୍ୱାମୀ ହେଇ ସେ’ ସ୍ତ୍ରୀଙ୍କର ଏ’ ଅମାର୍ଜନୀୟ ଅପରାଧ ସହନ୍ତେ କେମିତି ? ବିଚିତ୍ରାଙ୍କ ଉପରେ ନାନା ପ୍ରକାର ଅତ୍ୟାଚାର ଆରମ୍ଭ କଲେ । ଦିନେ ପ୍ରବୀର ଅନୁପସ୍ଥିତ ଥିଲାବେଳେ ବିଚିତ୍ରା ଲୁଚି ସୁକାନ୍ତଙ୍କ ଗାଁକୁ ପଳାଇ ଆସିଲେ । ସୁକାନ୍ତ ବିଚିତ୍ରାଙ୍କୁ ଦେଖି ପ୍ରଥମେ ଡରିଗଲେ । ସାଙ୍ଘାତିକ ବ୍ୟାପାର, ତାପରେ ସୁକାନ୍ତଙ୍କ ଗାଲରେ ପଟାସ୍‌କିନି ଚାପୋଡ଼ାଟାଏ ବସେଇ ଦେଇ ବିଚିତ୍ରା କହିଲେ-ମତେ ଛାଡ଼ିଦେଇ ଚାଲିଆସିଲ କାହିଁକି ?

 

ସୁକାନ୍ତ ଆଶ୍ଚର୍ଯ୍ୟ ହେଲେ—ବିଚିତ୍ରା ଏକବାରେ ପାଗଳ । ପର ମୁହୂର୍ତ୍ତରେ ବିଚିତ୍ରା ପୁଣି କାନ୍ଦି ଉଠିଲେ—ଆହା, ମୁଁ କଣ କଲି ? ତୁମକୁ ମାଇଲି ?

 

ସୁକାନ୍ତଙ୍କର ପାଦ ଉପରେ ଲୋଟିଯାଇ ଚରଣ ଯୋଡ଼ିକୁ ଅଶ୍ରୁରେ ଭିଜାଇ ଦେଲେ ।

 

ଏ ଗୋଟାଏ ବିଚିତ୍ର ଅଭିନୟ, ସୁକାନ୍ତ କହିଲେ—ବିଚିତ୍ରା, ତୁମେ ପରା ବିବାହିତା ।

 

—ହଁ ।

 

—ଏ ସବୁ କଣ କରୁଚ ?

 

ଦେଖ, ଦି’ଦିନ ମତେ ଘରେ ବାନ୍ଧି ରଖା ଯାଇଥିଲା, ଦଉଡ଼ିର ଦାଗ ଏଇ ମୋର ହାତରେ ।

 

ସୁକାନ୍ତ ଦେଖିଲେ, ପ୍ରବୀରଙ୍କ ପ୍ରତି ମନରେ ତାଙ୍କର ଘୃଣା ଆସିଲା ।

 

ବିଚିତ୍ରା କହିଲେ—ମୁଁ ଆଉ ଏଠୁ ଯିବି ନାହିଁ ।

 

ବର୍ତ୍ତମାନ ତମକୁ ମୋ ସହିତ ଯିବାକୁ ହବ ।

 

କେଉଁଠିକି ?

 

ଯୁଆଡ଼େ ଆଖିପାଏ ।

 

ସତରେ ?

 

ହଁ ।

 

କାର୍‌ଟାଏ ଯୋଗାଡ଼ ହେଇ ଆସିଲା । ସୁକାନ୍ତ ଆଉ ବିଚିତ୍ରା ବସିଲେ ଡ୍ରାଇଭର ଗାଡ଼ି ଚଳେଇ ଚାଲିଲା । ଗାଡ଼ି ବନ୍ଦ ହେଲା ଆସି ପ୍ରବୀରଙ୍କ ଘର ଆଗରେ—ସଙ୍ଗେ ସଙ୍ଗେ ସୁକାନ୍ତ ଓହ୍ଲେଇ ଯାଇ ପ୍ରବୀରଙ୍କୁ ଡାକି ଆଣିଲେ । ବିଚିତ୍ରା ଗାଡ଼ି ଭିତରେ ଶୋଇ ଯାଇଥାନ୍ତି । ପ୍ରବୀରଙ୍କ ଆଖିରେ ଅଗ୍ନିର ଝଲକ । ସୁକାନ୍ତ କହିଲେ—ଏକଦମ ପାଗଳ ।

 

ଆସ । ସୁକାନ୍ତ ଡାକିଲେ ।

 

ବିଚିତ୍ରା ସାମନାରେ ପ୍ରବୀରଙ୍କୁ ଦେଖି ଚିତ୍କାର କରି ଉଠିଲେ । ଦୁଇବନ୍ଧୁ ଧରାଧରି କରି ତାଙ୍କୁ ଘର ଭିତରକୁ ନେଇଗଲେ ।

 

ସେଇ ପ୍ରଳାପ ଆଉ ଚିତ୍କାର । ସୁକାନ୍ତ ଚାରିଦିନ ରହିଲେ । ବିଚିତ୍ରା ବେଶ୍‌ ପୂର୍ବ ଅବସ୍ଥାକୁ ଫେରି ଆସିଲେ । ଦିନେ ଦୁଇ ବଂଧୁ ବସି କଥାଭାଷା ହଉ ହଉ ପ୍ରବୀର କହିଲେ—ତୋରି ଯୋଗୁ ଏସବୁ ଘଟିଲା । ତୁ ଏଡ଼େ ଖରାପ ମୁଁ ଜାଣି ନଥିଲି ।

 

ସୁକାନ୍ତ ଆଜି ପ୍ରବୀରଙ୍କ ଆଖିରେ ଅପରାଧୀ, ତେଣୁ ନିରୁତ୍ତର । ଚତୁର୍ଥ ଦିନ ରାତିରେ ସୁକାନ୍ତ ପ୍ରବୀରଙ୍କ ଘରଛାଡ଼ି ପଳାଇ ଆସିଲେ ।

 

+ + +

 

ଛ’ଦିନ ପରର ଏକ ସଂଧ୍ୟା ।

 

ସୁକାନ୍ତ ପଲ୍ଲୀର ସୌନ୍ଦର୍ଯ୍ୟ ମନ୍ଦିର ଭିତରେ ବସି ବୀଣାରେ ଦୁଃଖ ଆଉ ବିରହର ଲହର ତୋଳୁଥିଲେ ।

 

ସୁକାନ୍ତ—ବାହାରୁ ଶୁଭିଲା ।

 

ସୁକାନ୍ତ ଉଠି ଆସିଲେ—ଆରେ ପ୍ରବୀର ଯେ’ କୁଆଡ଼େ ?

 

ଚିତ୍ରା ଭଲ ଅଛି ?

 

ହଁ ତୋତେ ଏଇଖିଣି ମୋ ସାଙ୍ଗରେ ଯିବାକୁ ହେବ । ମୁଁ ମଟର ଆଣିଛି ।

 

କାହିଁକି ?

 

ଜରୁରୀ ଦରକାର । ଏଠି କହିବାକୁ ସମୟ ନାହିଁ, ତୁ ସଙ୍ଗେ ସଙ୍ଗେ ଆ ।

 

ସୁକାନ୍ତ ଭାବିଲେ—ନିଶ୍ଚୟ କିଛି ଅଘଟଣ ଘଟିଛି, ହୁଏତ ବିଚିତ୍ରାଙ୍କ ପ୍ରଳାପ ପୁଣି ବାହାରିଛି । ସେ ସଙ୍ଗେ ସଙ୍ଗେ ବୀଣାଟିକି ଧରି ଉଠି ଆସିଲେ । ମଟର ଚାଲିଲା । ପ୍ରବୀର କହିଲେ–ଭାରି ଅସୁସ୍ଥ, ତୋର ଯିବା ଏକାନ୍ତ ଦରକାର ।

 

ସୁକାନ୍ତଙ୍କ ମୁଖ ମଣ୍ଡଳରେ କାଳିମାର ଘନ କୁହୁଡ଼ି ।

 

ମଟର ଆସି ପ୍ରବୀରଙ୍କ ଘର ସାମନାରେ ଛିଡ଼ା ହେଲା । ଦୁଇ ବନ୍ଧୁ ଓହ୍ଲାଇ ଉପରକୁ ଉଠି ଆସିଲେ । ସୁକାନ୍ତ ଦେଖିଲେ, ବିଚିତ୍ରା ପଲଙ୍କ ଉପରେ ଘୋଡ଼ିଘାଡ଼ି ହୋଇ ଶୋଇଛନ୍ତି । ସେ ତାଙ୍କୁ ନ ଉଠାଇ ପାଖରେ ଥିବା ଚେୟାରରେ ବସି ପଡ଼ିଲେ । ପ୍ରବୀର କହିଲେ-ଡାକ, ଶୋଇ ନଥିବ । ସୁକାନ୍ତ ଧୀରେ ଧୀରେ ଡାକିଲେ-ବିଚିତ୍ରା !

 

ଶୋଇ ଯାଇଛି, ହଲେଇ ଦେ ।

 

ସୁକାନ୍ତ ବିଚିତ୍ରାଙ୍କ ହାତଧରି ହଲାଇ ଦେଲେ । ଏ’ କଣ ? ଦେହ ଯେ ବରଫ ପରି ଥଣ୍ଡା । କଣ ହେଇଚି ?

 

କାତର ଦୃଷ୍ଟିରେ ସେ ଚାହିଁଲେ ପ୍ରବୀରଙ୍କ ଆଡ଼େ । ପ୍ରବୀର ଧୀରେ ବିଚିତ୍ରାଙ୍କ ମୁହଁରୁ ଆବରଣଟା କାଢ଼ିଦେଲେ ।

 

ବିଚିତ୍ରାଙ୍କ କପାଳ ଉପରେ ସିନ୍ଦୁରରେ ତିନୋଟି ଅକ୍ଷର ଲେଖା ଯାଇଚି– ‘‘ସୁ-କା-ନ୍ତ’’-

 

ସୁକାନ୍ତଙ୍କ ଆଖିରେ ଅଶ୍ରୁ । ପ୍ରବୀର କହିଲେ—ମୁଁ ଜାଣେ ଭାଇ, ସେ ତତେ ଭାରି ଭଲ ପାଉଥିଲା । ଆଉ ୟା ବି ମୁଁ—ଜାଣେ ତୁ ତାକୁ ଭଲପାଉ ନଥିଲୁ । ସତ ନା ?

 

ସୁକାନ୍ତ ନିର୍ବାକ୍‌ ନିରୁତ୍ତର ।

 

ଆଜି ସେ ଚାଲି ଯାଇଛି । ସୁକାନ୍ତ ତୁ ତାର ଭାରି ପ୍ରିୟଥିଲୁ । ତାକୁ ଆଶୀର୍ବାଦ କର । ସ୍ୱର୍ଗରେ ସେ ସୁଖୀ ହେଉ ।

 

ପ୍ରବୀର ବିଚିତ୍ରାଙ୍କ ଶେତା ମୁହଁ ଉପରେ ଅଜସ୍ର ଚୁମ୍ବନ ଢାଳିଦେଇ ଠିଆ ହୋଇ ପଡ଼ିଲେ । ସୁକାନ୍ତ ଧଳାଲୁଗାରେ ଘୋଡ଼େଇ ଦେଲେ ଶବର ମୁହଁଟିକୁ । ବୀଣାଟିକୁ ସେଇ ପଲଙ୍କ ଉପରେ ରଖିଦେଇ ସେ ପ୍ରବୀରଙ୍କ ପାଖରେ ଆସି ଠିଆହୋଇ କହିଲେ—ଭାଇ କ୍ଷମା କର । ଆଖିରେ ତାଙ୍କର ଅଶ୍ରୁ ।

 

ପ୍ରବୀରଙ୍କ ଛାତି ଫାଟିଗଲା । ସେ ସୁକାନ୍ତଙ୍କ କାନ୍ଧ ଉପରେ ମୁଣ୍ଡ ରଖି ପିଲାଟି ପରି କାନ୍ଦି ଉଠିଲେ-ତୋର କିଛି ଦୋଷ ନାହିଁ ଭାଇ ।

 

ଦୁଇ ବନ୍ଧୁଙ୍କ ନୟନ ଲୋତକରେ ସାରା ଘରର ଚଟାଣ ଭିଜିଗଲା । ସାମନାରେ ଜୀବନର ବିରାଟ ପ୍ରାନ୍ତର, ଶୂନ୍ୟ, ଛନ୍ଦହୀନ ।

Image

 

ଅପରାଧୀ

 

ଦେବବ୍ରତ କିରାଣୀ-ଏକଶହ ଟଙ୍କା ତାର ମାସିକ ଆୟ । ଘରେ ସ୍ତ୍ରୀ ଏବଂ ତିନୋଟି ସନ୍ତାନ-ମାସକର ଫର୍ଦ୍ଦ ତୁଳନାରେ ଏଇ ଟଙ୍କା କିଛି ନୁହେଁ । ଆୟ ଯାହାକିଛି ହେଉ ପଛେ କିରାଣୀ ସବୁଦିନେ କିରାଣୀ । ତା’ରି କ୍ଷୁଧିତ ଅନ୍ତର ଭିତରେ ଜଳିଉଠେ ଅସନ୍ତୋଷର ଅଗ୍ନି—ସବୁ ଯୁଗରେ ଚିତ୍କାର କରି ଉଠିଚି ତାର ଆତ୍ମା-ସେ ବଞ୍ଚିବାକୁ ଚାହେଁ ମଣିଷ ପରି ।

 

ଶୁଣିଚି କିଏ ? ତାର ଏହି ଜଠର ନିଆଁର ନିର୍ବାପନ ଲାଗି ତାକୁ ସହାନୁଭୂତି ଜଣେଇଛି କିଏ ? ଧନୀ ଆଉ ନିର୍ଦ୍ଧନର ଏହି ବିରାଟ ବ୍ୟବଧାନ ଅତୀତରେ ଥିଲା, ବର୍ତ୍ତମାନ ମଧ୍ୟ ଅଛି ।

 

ପ୍ରକୃତିର ସବୁଜିମା-ପୃଥିବୀର ବିଳାସ କେନ୍ଦ୍ରଠୁ ବହୁ ଦୂରରେ ସେ, ବଞ୍ଚି ମଧ୍ୟ ଯେମିତି ମରି ଯାଇଛି । ଅଭାବର ଅଭିଯୋଗ ନିତି ଶୁଣି ଶୁଣି ସେ କାଠ ପାଲଟି ଯାଇଛି ।

 

ବୈଶାଖର ମଧ୍ୟାହ୍ନ-ସକାଳ କଚେରୀ ସାରି ଦିନ ଦି’ଟାରେ ଫେରି ଏଣୁ ତେଣୁ ଗଣ୍ଡିଏ ଖାଇଦେଇ ଦେବବ୍ରତ ଖବର କାଗଜର ପୃଷ୍ଠା ଓଲଟାଉଚି-ମନ ଘୂରି ବୁଲୁଚି ଏଣେ ତେଣେ । ସ୍ତ୍ରୀ ସୁନନ୍ଦାର ମୁହଁରେ ହସ ନାଇଁ । ବଡ଼ ପୁଅର ପେଣ୍ଟ ଚିରି ଗଲାଣି, ସାନ ପୁଅର ସାର୍ଟ, ଝିଅର ଫ୍ରକ ଦରକାର ।

 

ସୁନନ୍ଦା ଆସି ଠିଆହେଲା ପାଖରେ-କଣ ବୁଝିଲ ?

 

ବିଷର୍ଣ୍ଣ ମୁହଁରେ ଚାହିଁଲା ଦେବବ୍ରତ । ଆଖିତଳୁ ଝରି ପଡ଼ୁଥିଲା ଯେମିତି ଏକ ସକରୁଣ ବେଦନା-ସେ ଅପରାଧୀ ।

 

ସୁନନ୍ଦା ପୁଣି କହିଲା-ବେଳହୁଁ ୟାର ପ୍ରତିକାର ନ କଲେ, ପଛକୁ ବିପଦ । କଥାଟା ଚାରିଆଡ଼େ ଯେତେବେଳେ ପ୍ରଘଟ ହୋଇଯିବ ସେତେବେଳେ ଆଉକିଛି କରିବାକୁ ନଥିବ-ପୋଲିସ ଲୋକଙ୍କ ଧୂର୍ତ୍ତ ଆଖି ସବୁବେଳେ ପଡ଼ିବ ଆମ ଉପରେ । ଡାକ୍ତରଠୁ କିଛି ବୁଝିଲ ?

 

ଦେବବ୍ରତ ମନେ ମନେ ଭାବୁଥିଲା ଆକାଶ-ପାତାଳ । ଆଖି ସଜଳ ଆର୍ତ୍ତ । ସେ କହିଲା-ହଁ ମୁଁ ବୁଝିଥିଲି ସୁନ, କିନ୍ତୁ...

 

-କିନ୍ତୁ କଣ ହେଲା କୁହ । ଉତ୍‌କଣ୍ଠିତ ହୋଇ ପଡ଼ିଲା ସୁନନ୍ଦା ।

 

ଡାକ୍ତରର ଦାବୀ ପାଞ୍ଚଶହ ଟଙ୍କା । ସମ୍ବଳ କାହିଁ ଆମର ?

 

ସୁନନ୍ଦାର ମନ-ମରୁରେ ହଠାତ୍‌ ଦେଖାଗଲା ଜ୍ୟେଷ୍ଠ ମାସର ଧୂଳି ଝଡ଼ । ତା ଦେହରେ ଯେତିକି ଅଳଂକାର ଅଛି, ତାର ମୂଲ୍ୟ ଶହେ ଟଙ୍କାରୁ ବେଶୀ ନୁହେଁ-ଉଦ୍ଧାର ପାଇବାର ଉପାୟ ?

 

ଉପାୟ ଖୋଜୁଥିଲେ ବସି ସ୍ୱାମୀ ଆଉ ସ୍ତ୍ରୀ । ସାନପୁଅ ନନ୍ଦନ ଆସି ଅଳିକଲା ଆଠଅଣା ପଇସା ଦେଲେ ସେ ଯାଇ ଦୋକାନରୁ ବଲ୍‌ଟିଏ କିଣି ଆଣିବ-ପାଖ ଘର ମାଜିଷ୍ଟ୍ରେଟ୍‌ ହେମବାବୁଙ୍କ ପୁଅ ବଲ୍‌ ନେଇ ଖେଳୁଛି-ପିଲାଲୋକ ସେ ବି ଚାହେଁ ଖେଳିବ, ନାଚିବ । ପହିଲା ରହିଲା ଆଉ ଦି’ଦିନ । ଚାଉଳ, ପରିବା କ୍ରେଡ଼ିଟ୍‌ରେ ଆସୁଛି-ଦରମା ପାଇଲେ ସୁଝାଯିବ । ସବୁଯାକ ସୁଟ୍‌କେଶ ଟ୍ରଙ୍କ ଅଣ୍ଡାଳିଲେ ଆଠଅଣା ପଇସା ହୁଏତ ମିଳିପାରେ । ସେତକ ସମ୍ବଳ ବେରାମ ଆରାମ ପାଇଁ-ଆଠପାନ ହୋମିଓପ୍ୟାଥିକ୍‌ ଔଷଧର ଦାମ୍‌ ।

 

ଦେବବ୍ରତ କହିଲା—ହଉ ହଉ ମୁଁ ସଞ୍ଜକୁ ଗଲେ କିଣିଦେବି । ନନ୍ଦନ କିନ୍ତୁ ଛାଡ଼ିବା ପିଲା ନୁହେଁ । ପାଟି ଲଗେଇ ସ୍ୱାଭାବିକ ପିଲାଳିଆ କଣ୍ଠରେ ସେ କହିଲା-ହଁ ତମେ ସିମିତି କହି କିନି ଦିଅନାଇଁ । ମୁଁ କିନିବି । ତା’ପରେ ଝୁଙ୍କ ରୋଦନ, ଶିଶୁର ଅମୋଘ ଅସ୍ତ୍ର ।

 

ଅଗତ୍ୟା ସୁନନ୍ଦା ଯାଇ ଟ୍ରଙ୍କ ଅଣ୍ଡାଳି ଆଠଣା ପଇସା ଆଣି ତା’ ହାତରେ ଧରେଇ ଦେଲା । ସେ ଚାଲିଗଲା ପାଖ ଦୋକାନକୁ ନାଚି ନାଚି ।

 

ଦେବବ୍ରତ କହିଲା—ସୁନ, ଏ କଟକଣା ଭିତରେ ଆମର ବାହାହେବା ଉଚିତ ନ ଥିଲା-

 

ସୁନନ୍ଦାର ଚିନ୍ତାଧାରା ଥିଲା ଭିନ୍ନ । ବିବାହର ନବମ ବର୍ଷରେ ଉଚିତ ଅନୁଚିତର ପ୍ରଶ୍ନ ମୋଟେ ଉଠୁନାହିଁ । ଆଖି ସାମନାରେ ବର୍ତ୍ତମାନ ଏକମାତ୍ର ପ୍ରଶ୍ନ-ଉଦ୍ଧାର ପାଇବାର ଉପାୟ ?

 

ଅନ୍ଧକାରମୟ ଭବିଷ୍ୟତର କଦର୍ଯ୍ୟ ଅବୟବ ବେଶ୍‌ ସ୍ପଷ୍ଟହୋଇ ଉଠୁଥିଲା ସେମାନଙ୍କ ଆଗରେ । ସୂର୍ଯ୍ୟ ନଇଁ ଆସୁଥିଲା-ବାତାୟନ ଦେଇ ଘର ଭିତରକୁ ଝରି ପଡ଼ିଥିଲା ଚେନାଏ ରଶ୍ମି । ଦକ୍ଷିଣା ପବନର ମୃଦୁ ସ୍ପର୍ଶ ବେଳେ ବେଳେ ସିଞ୍ଚିଦେଇ ଯାଉଥିଲା ଅପରୂପ ରସ ।

 

ସୁନନ୍ଦାର ଅବୟବରେ ବେଶ୍‌ ଫୁଟି ଦିଶୁଚି ଆଉ ଏକ ଶିଶୁର ପ୍ରତିଚ୍ଛବି । ସ୍ପଷ୍ଟ ଶୁଭୁଚି ଆଗାମୀ କେଉଁ ଅଶୁଭ ସକାଳରେ ନବାଗତ ଏକ ସନ୍ତାନର ପ୍ରଥମ କଳରବ ।

 

ଜେଲ୍ ଖାନାର ଫାଟକ ପାଖରେ ଯାଇ ଅଟକି ଯାଉଚି ଭାବନା–ଦେବବ୍ରତ ଆଖି ବୁଜିଲା ।

 

X X X

 

ଚତୁର୍ଦ୍ଦିଗ ଅନ୍ଧକାର । ସବୁବେଳେ ସେ ଅନ୍ୟମନସ୍କ । ମୁଣ୍ଡରେ ତାର ବିଛାର ଦଂଶନ । ସୁନନ୍ଦା ଆଜି ଚତୁର୍ଥ ସନ୍ତାନର ଜନନୀ ହେବାକୁ ଯାଉଛି । ଡାକ୍ତର ଚାହୁଁଛି-ପାଞ୍ଚଶ ଟଙ୍କା ପାଇଲେ ତାକୁ ଏ ଗୁରୁ ଅପରାଧରୁ ମୁକ୍ତ କରି ଦିଅନ୍ତା କିନ୍ତୁ ଦେବବ୍ରତ କିଏ ଆଉ ପାଞ୍ଚଶ ଟଙ୍କା କିଏ ? ମୁହଁରେ ତାର ପାଗଳର ହସ । ଇତିହାସରେ ସେ ପଢ଼ିଚି ତା’ରି ପୂର୍ବପୁରୁଷମାନେ ପନ୍ଦର କୋଡ଼ିଏଟି ସନ୍ତାନର ଜନକ ହେଉଥିଲେ । ପୁତ୍ରାର୍ଥେ କ୍ରିୟତେ ଭାର୍ଯ୍ୟାବିବାହର ଲକ୍ଷ୍ୟଥିଲା ପୁତ୍ର ଉତ୍ପାଦନ । ସେତେବେଳେ ଏ ସବୁ କଟକଣା ନଥିଲା । ସେ ଆଜି ଚାରୋଟି ସନ୍ତାନର ପିତା ହେବାକୁ ଯାଉଛି କିନ୍ତୁ ସେ କଣ ଏଥିପାଇଁ ଦାୟୀ ? ତାର ଆଦିମ ପ୍ରବୃତ୍ତି ଉତ୍ତରାଧିକାର ସୂତ୍ରେ ସେ ପାଇଚି । ତାର ଅପରାଧ କଣ ? ଯୌନକାମନା ଯଦି ନ ଥାଆନ୍ତା...

 

ଠକ୍‌-ଠକ୍‌ ଠକ୍‌ ।

 

ଦେବବ୍ରତ ଚାହିଁଲା ବନ୍ଦଥିବା ଦାଣ୍ଡ ଦୁଆରକୁ ।

 

ପୋଲିସ୍‌ । ଆଃ, ପୁଣି ତାର ମୁଣ୍ଡ ଗୋଳମାଳ ହୋଇଗଲା । ଚତୁର ପୋଲିସର ରଙ୍ଗ ଆଖି ତା ଉପରେ ଫୋକସ୍‌ ହେଲାଣି–ରକ୍ଷାନାହିଁ ଆଉ ।

 

କବାଟ ଖୋଲ-ଦୁଆରୁ ଶୁଭିଲା ।

 

ନା, ସେ ଖୋଲିବ ନାହିଁ ।

 

—ସୁନନ୍ଦା, ସୁନନ୍ଦା, ତମେ ଆତ୍ମହତ୍ୟା କର । ସମସ୍ତ ପରିବାରର ମଙ୍ଗଳ ପାଇଁ ତମେ ଫେରାର ହୁଅ ।

 

କବାଟରେ ଧକ୍‌କା-ଖୋଲ, ଖୋଲ ବାବୁ ।

 

ବାବୁ ? ବାବୁ ? ଦେବବ୍ରତ ?

 

ଯା ହଉ, ପୋଲିସର ଏଇ ସହାନୁଭୂତିଶୀଳ ଡାକ ପାଖରେ ଦବିଗଲା ତାର ମନ । ସେ କବାଟ ଖୋଲିଦେଲା । ତିନିଜଣ ପୋଲିସ୍‌ କନ୍‌ଷ୍ଟେବଲ୍‌ ପଶି ଆସିଲେ ସାମନା ଘରକୁ । ଦେହ ଥରୁଚି ଦେବବ୍ରତର-ପାଟି ଶୁଖି ଯାଉଚି । ମୁଣ୍ଡରେ ଝାଳ ।

 

—ଆପଣଙ୍କର ସ୍ତ୍ରୀଙ୍କୁ ବର୍ତ୍ତମାନ ଆମ ସହିତ ଡାକ୍ତରଖାନା ଯିବାକୁ ପଡ଼ିବ । ଦେବବ୍ରତ ନିର୍ବାକ ।

 

—ବର୍ତ୍ତମାନ ଯିବାକୁ ପଡ଼ିବ–ଓ୍ୱାରେଣ୍ଟ୍‌ ଅଛି ଆମ ହାତରେ ।

 

ଓ୍ୱାରେଣ୍ଟ୍‌ ?

 

ସର୍ବନାଶ । ପୋଲିସ୍‌ ବୋଲ୍‌କରା, ସେ’ବା ଛାଡ଼ିବ କେମିତି ? ଦେବବ୍ରତ ଆଉ ସୁନନ୍ଦା ବାଧ୍ୟହେଲେ ଡାକ୍ତରଖାନା ଯିବାକୁ ।

 

ଡାକ୍ତର ରିପୋର୍ଟ ଦେଲେ ସୁନନ୍ଦା ଗର୍ଭବତୀ-ପାଞ୍ଚମାସ । ଗର୍ଭସ୍ଥ ସନ୍ତାନ ଯେମିତି ନଷ୍ଟ ନ ହୁଏ, ଡାକ୍ତର ସେଥିପାଇଁ ତାଗିଦ୍‌ କରିଦେଲେ ।

 

ହସ ମରି ଯାଇଚି ମୁହଁରୁ-ପାଞ୍ଚମାସ ପରେ ସେ ହୁଏତ ହେବ ଅଭିଯୁକ୍ତ ଆସାମୀ ।

 

X X X

 

ଦୁଶ୍ଚିନ୍ତାର ଘୂର୍ଣ୍ଣୀ ଭିତରେ ବିତିଗଲା ପାଞ୍ଚମାସ-ଦେବବ୍ରତ ହେଲା ନୂତନ ଏକ ପୁତ୍ରର ଜନକ-ହସ୍ପିଟାଲର ମୁଖର ଓ୍ୱାର୍ଡରେ ନବଜାତ ଏକ ଶିଶୁ ତାର ପ୍ରଥମ କ୍ରନ୍ଦନ ରୋଳ ଶୁଣାଇ ଦେଲା ଜଗତକୁ ।

 

X X X

 

ଏକମାସ ପରର କଥା ।

 

ଦେବବ୍ରତ ଠିଆ ହୋଇଚି ଡକ୍‌ ଭିତରେ ଆସାମୀ ହୋଇ । ବିଚାର ସରି ଯାଇଛି ତାର-। ଖାଲି ରାୟ ହେବ । ବୃଦ୍ଧ ମାଜିଷ୍ଟ୍ରେଟ୍‌ ସୁନାର ପ୍ରଚକ୍ଷୁ ଟେକି ବାରମ୍ବାର ଚାହୁଁଛନ୍ତି ତାହାରି ଆଡ଼େ-

 

ଶେଷ ପ୍ରଶ୍ନ-ଏଇ ସନ୍ତାନ ଆପଣଙ୍କର ତ ?

 

ଆଉ କାହାର ସନ୍ତାନ ସେ ହୋଇ ପାରନ୍ତା ?

 

ଏଇତ ଠିକ୍‌ ତାହାରି ପରି ନାକ, ତାହାରି ପରି ଆଖି, ମୁହଁ, ନଖ, ସବୁକିଛି ।

 

ଦୃଢ଼ ଭାବରେ ଦେବବ୍ରତ ଜବାବ ଦେଲା-ହଁ ସାର୍‌ ସେ ସନ୍ତାନ ମୋର ।

 

—ଆଇନ ଅନୁଯାୟୀ ଆପଣ ଦୋଷୀ ।

 

ତଳକୁ ମୁହଁ ପୋତିଲା ସେ । ଅଦୂରରେ ଛିଡ଼ା ହୋଇଥିବା ସୁନନ୍ଦାର କୋଳରୁ କାନ୍ଦି ଉଠିଲା ନବୀନ ଜନ୍ମା ଶିଶୁଟି । କୋର୍ଟରୁମ୍‌ ଭରପୁର । ଦେବବ୍ରତ ସରକାରୀ କର୍ମଚାରୀ ହୋଇ ସରକାରଙ୍କ ଆଇନ ଭଙ୍ଗ କରିଚି । ଚାରି ପାଖରେ ପୋଲିସ ପହରା ।

 

ଡକ୍‌ ଭିତରେ ସେ ଭାବୁଥିଲା—ତାର ଏଇ ମୁହୂର୍ତ୍ତରେ ମୃତ୍ୟୁ ହୋଇ ଯାଆନ୍ତା କି ? ବେଶ୍‌ ଖୁସି ହୁଅନ୍ତା ସେ ମୃତ୍ୟୁର ଶୀତଳ ଚିବୁକରେ ଗାଢ଼ ଆଲିଙ୍ଗନ ଦେଇ ଶବ ପାଲଟି ଯିବାକୁ । ଖାଦ୍ୟ ପାନୀୟ ଅଭାବଠୁ ଆତ୍ମ ସଂଜମ ଆହୁରି କଷ୍ଟକର ।

 

ମାଜିଷ୍ଟ୍ରେଟ୍‌ ପୁଣି କହିଲେ-ଯେଉଁମାନେ ଏପରି ଅପକର୍ମରେ ଲିପ୍ତ ହେଉଛନ୍ତି, ସେମାନେ ଦେଶଦ୍ରୋହୀ । ତାଙ୍କ ପ୍ରତି କଠିନ ଦଣ୍ଡର ବ୍ୟବସ୍ଥା ଅଛି ।

 

ଦେବବ୍ରତର ମାନସିକ ଚିନ୍ତାରେ ଆସୁଥିଲା ପରିବର୍ତ୍ତନ-ସେ ହୁଏତ ଏଇ ମୁହୂର୍ତ୍ତରେ ଜେଲ୍‌କୁ ଚାଲି ଯିବାକୁ ଚାହୁଁଚି-ସେଇଠି ମିଳିବ ତାକୁ ଶାନ୍ତି । ବାହାର ଜଗତର ଅଶାନ୍ତ ପରିବେଶ ତାକୁ ଛୁଇଁ ପାରିବ ନାହିଁ । ତାର ଅବନମିତ ଆଖି ଲାଖି ରହିଲା ସୁନନ୍ଦାର ମୁହଁ ଉପରେ । ଯେଉଁ ସନ୍ତାନମାନଙ୍କ ସହିତ ରକ୍ତ ମାଂସର ସମ୍ପର୍କ ତାର ଅଛି, ସେମାନେ ସବୁ ସାମନାରେ-କରୁଣ ନୟନରେ ଚାହିଁ ରହିଛନ୍ତି ତାକୁ । ହତଭାଗ୍ୟ ପିତା ସେ । ବନ୍ଧନ ଛାଡ଼ି ଚାଲି ଯିବାକୁ ହେବ । ଚାଲି ଯିବାକୁ ହେବ ସ୍ତ୍ରୀ ପୁତ୍ର କନ୍ୟାଙ୍କଠାରୁ ଦୂରକୁ । ଜେଲ୍‌ଖାନାର ଅନ୍ଧକାରମୟ ପ୍ରକୋଷ୍ଠ ଭିତରେ କଟିବ ହୁଏତ ଜୀବନର କେତୋଟି ବର୍ଷ । ସେ ଚିତ୍କାର କରି ଉଠିଲା-ଭାବନାର ପ୍ରଖର ଉତ୍ତାପରେ କଚାଡ଼ି ପଡ଼ିଲା ତଳେ ।

 

ମାଜିଷ୍ଟ୍ରେଟ୍‌ ତାଙ୍କ ରାୟ ଶୁଣାଇ ଦେଲେ-ତିନୋଟି ସନ୍ତାନଙ୍କ ଅବସ୍ଥିତିରେ ଚତୁର୍ଥ ସନ୍ତାନର ପିତା ହୋଇ ଥିବାରୁ ଶ୍ରୀ ଦେବବ୍ରତ ଦାସଙ୍କୁ ପାଞ୍ଚବର୍ଷ ସଶ୍ରମ କାରାଦଣ୍ଡ ଦିଆଗଲା ।

 

ପ୍ରତୀକ୍ଷମାଣା ସୁନନ୍ଦାର ନୟନରୁ ଝରିପଡ଼ିଲା ଟୋପାଏ ଅଶ୍ରୁ ।

 

ଏକ କରୁଣ ସ୍ମୃତିରେ କୋର୍ଟରୁମ୍‌ ଶାନ୍ତ-ନିଶ୍ଚଳ ।

 

(ପରିଶିଷ୍ଟ)

 

ଏ ଘଟଣାଟି ହେଉଚି ଆଜିଠାରୁ ଦୁଇଶହ ବର୍ଷ ପରର କଥା । ପୃଥିବୀର ଲୋକସଂଖ୍ୟା ବଢ଼ି ଯାଇଚି ଅସମ୍ଭବ ଭାବରେ । ଉତ୍ପାଦନ ଯାହା ହେଉଚି ତାହା ଏତେ ଲୋକଙ୍କର ଚାହିଦା ମେଣ୍ଟାଇ ପାରୁନାହିଁ-ମାଟି ବି ଅଭାବ ପଡ଼ି ଯାଇଚି । ରାଜନୈତିକ ପର୍ଯ୍ୟବେକ୍ଷକମାନେ ଆଗାମୀ ଏକ ପୃଥିବୀବ୍ୟାପୀ ମହାଯୁଦ୍ଧର କଳ୍ପନା କରି ଭୟଭୀତ ହୋଇ ପଡ଼ୁଛନ୍ତି କିନ୍ତୁ ଲୋକସଂଖ୍ୟା ଯେତିକି ବଢ଼ିଚି, ଯଦି କିଛି ହଠାତ୍‌ କମି ନ ଯାଆନ୍ତି ତେବେ ଅବସ୍ଥା ଅସମ୍ଭାଳ ହୋଇ ପଡ଼ିବ । ଉନ୍ନତ ବୈଜ୍ଞାନିକ ଉପାୟରେ ନାନା ପ୍ରକାର ପଦାର୍ଥ ତିଆରି ଚାଲିଛି-ଖାଦ୍ୟ, ପାନୀୟ, ପରିଧେୟ-। କିନ୍ତୁ ଲୋକସଂଖ୍ୟା ବଢ଼ିବା ସଙ୍ଗେ ବିଜ୍ଞାନ କଣ ଆଉ ଏକ ନୂଆଧରା ସୃଷ୍ଟିକରି ଲୋକଙ୍କୁ ସ୍ଥାନ ଦେଇ ପାରିବ ?

 

ପୃଥିବୀର ସମସ୍ତ ସ୍ୱାଧୀନ ରାଜ୍ୟର ସ୍ୱାର୍ଥ ବଜାୟ ରଖିବା ପାଇଁ ଏବଂ ଶାନ୍ତିପୂର୍ଣ୍ଣ ଉପାୟରେ ସବୁକିଛିର ସମାଧାନ କରିବାପାଇଁ ପୃଥିବୀ ପଞ୍ଚାୟତ ଗଢ଼ା ଯାଇଛି । ଆନ୍ତର୍ଜାତିକ ଆଇନ ଜାରୀ ହେଇଛି ଯେ କୌଣସି ଲୋକର ତିନିଟି ସନ୍ତାନ ଜୀବିତ ଥିଲେ, ଚତୁର୍ଥ ସନ୍ତାନକୁ ସେ ଆଉ ଜନ୍ମ ଦେଇ ପାରିବ ନାହିଁ । ଆଇନ କରି ମଦ ଖିଆକୁ ଯେମିତି ବନ୍ଦକରି ଦିଆ ଯାଇଛି ଠିକ୍‌ ସେମିତି ତୃତୀୟ ସନ୍ତାନର ଜନ୍ମପରେ ସ୍ତ୍ରୀ ସହବାସକୁ ବାରଣ କରି ଦିଆ ଯାଇଛି । ଏଇ ଆଇନ ଜାରୀହେବା ପୂର୍ବରୁ ଜନ୍ମନିରୋଧ ପାଇଁ ବହୁପ୍ରକାର ଔଷଧ ଉଦ୍ଭାବିତ ହୋଇଥିଲା । କିନ୍ତୁ ସେ ସବୁ ସନ୍ତୋଷଜନକ ଭାବରେ କାମ ଦେଇନାହିଁ । ତେଣୁ ପୃଥିବୀ ପଞ୍ଚାୟତ ଆଇନ କରି ସ୍ତ୍ରୀ ସହବାସକୁ ବାସନ୍ଦ କରିଛନ୍ତି-ତା ନ ହେଲେ ପୃଥିବୀରେ ପୁଣି ଗଢ଼ି ଉଠିବ ପଶୁରାଜ-ଜୀବନ ସଂଗ୍ରାମ ପାଇଁ ରକ୍ତର ବୁଭୂକ୍ଷା, ଅଭାବ, ଅନାଟନ, ଯୁଦ୍ଧ । ଯେତିକି ଲୋକ ଜନ୍ମିଛନ୍ତି ସେତିକି ଆଗେ ଶାନ୍ତିରେ ରହନ୍ତୁ । ଯେଉଁମାନେ ଜନ୍ମ ହେବାର କଥା ସେମାନଙ୍କର ଏଇ ସମସ୍ୟା ବହୁଳ ପୃଥିବୀରେ ପ୍ରବେଶ ନିଷେଧ ।

Image

 

ଜୀବନ ଜ୍ୱାଳା ଓ ଅନ୍ୟାନ୍ୟ ଗଳ୍ପ

ଶେଷ ଆଲୋକ ସ୍ତମ୍ଭ

 

ଶାରଦ ସଂଧ୍ୟାର ଏକ ଜ୍ୟୋତ୍ସ୍ନାୟିତ ମୁହୂର୍ତ୍ତ ।

 

ଭୟାର୍ତ୍ତ ସିଦ୍ଧାର୍ଥ ଶ୍ମଶାନର ଦ୍ୱାରଦେଶରେ ପହଞ୍ଚି ଚତୁର୍ଦ୍ଦିଗକୁ ଦୃଷ୍ଟି ନିକ୍ଷେପ କଲା । ଶୂନ୍ୟ-ଜନହୀନ । ସଂଧ୍ୟାର ଅବ୍ୟବହିତ ପୂର୍ବରୁ ଯେଉଁ ଗୃହାଭିମୁଖୀ ପକ୍ଷୀମାନେ ସେମାନଙ୍କର ସ୍ୱତଃସ୍ଫୁର୍ତ୍ତ କାକଳିରେ ଭୂମାତା ବକ୍ଷରେ କୋଳାହଳ ସୃଷ୍ଟି କରୁଥିଲେ, ସେମାନେ ସବୁ ନୀରବ । ଦକ୍ଷିଣର ସୁରଭିସ୍ନିଗ୍‌ଧ ମଳୟରେ ବୃକ୍ଷଲତା ଦେହରେ ଜାଗିଛି ଅପୂର୍ବ ଶିହରଣ । ଭାରାକ୍ରାନ୍ତ ମନରେ ସେ ଆହୁରି ଆଗେଇ ଗଲା ।

 

ବଳଙ୍ଗନଦୀ ବହି ଯାଉଛି–କେଉଁ ଅନନ୍ତ ଅନାଦି କାଳରୁ, ତା କେହି କହି ପାରିବେ ନାହିଁ-। କିନ୍ତୁ ସେ ବହି ଯାଉଛି ବହୁ ଶତାବ୍ଦୀର ସ୍ମୃତି ବହନ କରି । ଅବିରାମ ତାର ଗତି-ବନ୍ଧନ ବାଧାହୀନ-

 

ସିଦ୍ଧାର୍ଥ ଭାବୁଥିଲା-ଆଃ, ଜୀବନର ଗତି ଯଦି ଏଇ ନଦୀର ସ୍ୱଚ୍ଛନ୍ଦ ଗତିଭଳି ସାବଲୀଳ ହୋଇଥାନ୍ତା...

 

କିନ୍ତୁ....

 

ଜୀବନର ଗତି ରବୀନ୍ଦ୍ରନାଥଙ୍କ ମରୁନଦୀ ଭଳି-ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ କେତେବେଳେ ଯେ ନିଶ୍ଚିହ୍ନ ହୋଇଯାଏ ତା କେହି ଜାଣି ପାରନ୍ତି ନାହିଁ । ପଦ୍ମପତ୍ର ଜଳପରି ତାହା ଅତ୍ୟନ୍ତ କ୍ଷଣସ୍ଥାୟୀ । ପୁଣି....ନଦୀର କଳକଳ ସଙ୍ଗୀତ ଆଜିକାଲି ଜୀବନରେ କାହିଁ ? ଜୀବ ତ ଆଜି ପ୍ରସ୍ଫୁଟିତ ହୁଏନା—ହୋଇପାରେ ନା । ପୃଥିବୀରେ ଆଜି ଅଗଣନ ଜଞ୍ଜାଳ, ସ୍ୱାସ୍ଥ୍ୟହୀନା କନ୍ୟାର କ୍ରନ୍ଦନ, ଖାଦ୍ୟହୀନା ଜନନୀର ଚିତ୍‌କାର; କେଉଁଠିବା ଜୀବନ ପ୍ରିୟାର ଆଖି ଲୋତକରେ ମାଟିର ଛାତି ଆର୍ଦ୍ର ହେଉଛି । ସ୍ୱାସ୍ଥ୍ୟ ଆଜି ରୋଗାକ୍ରାନ୍ତ–ଉପଦଂଶ ମେହ, କ୍ୟାନସର ରାକ୍ଷସ ସେମାନଙ୍କ ମୁଖ ବ୍ୟାଦାନକରି ଆଗେଇ ଆସୁଛନ୍ତି-ତ୍ରାହି କାହିଁ ? ରକ୍ଷା କାହିଁ ?

 

ସୁନ୍ଦର ସୃଷ୍ଟିକି ଶେଷ କରିଦେବା ପାଇଁ ସେମାନେ ଯେମିତି ବଦ୍ଧ ପରିକର ।

 

ଫଡ଼ ଫଡ଼ କରି ଅଜ୍ଞାତ କେଉଁ ଏକ ପକ୍ଷୀ ଅଦୃଶ୍ୟ ବୃକ୍ଷ ଶାଖାରେ ତାର ଉପସ୍ଥିତି ଜଣାଇ ଦେଲା । ସିଦ୍ଧାର୍ଥର ଦୃଷ୍ଟି ଉର୍ଦ୍ଧ୍ୱମୁଖୀ ହେଲା । କିଛି ଦିଶୁନାହିଁ । ବୃକ୍ଷ ଗହଳିରେ ଚନ୍ଦ୍ର କିରଣ ଅସ୍ପଷ୍ଟ ।

 

ଶ୍ମଶାନର ବକ୍ଷ ଯେମିତି ଅସଂଖ୍ୟ ବ୍ୟଥାରେ ଭରି ଯାଇଛି । ପ୍ରତ୍ୟେକଟି ସମାଧି କେଉଁ ଏକ ଅବ୍ୟକ୍ତ ବେଦନାରେ ଚିତ୍କାର କରିଉଠୁଚି । ଏଇତ ! ପ୍ରଥମ ସମାଧି । ଏଇଠି ପ୍ରଣବ ମହାନ୍ତିଙ୍କର ଶେଷକୃତ୍ୟ ସମାପନ ହୋଇଥିଲା । ପ୍ରଣବ ମହାନ୍ତିଙ୍କର ତିନୋଟି ପୁତ୍ର ସିଦ୍ଧାର୍ଥ ନିଜେ ଜାଣେ–ସେ ସତୁରି ବର୍ଷରେ ମରିଥିଲେ । ତାଙ୍କର ମୃତ୍ୟୁ ପରେ ପୁତ୍ର ମାନଙ୍କ ମଧ୍ୟରେ ଜମିବାଡ଼ି, ଅଳଙ୍କାର ପତ୍ରଲାଗି ଗଣ୍ଡଗୋଳ ଆରମ୍ଭ ହୋଇଯାଇଥିଲା । ବୃଦ୍ଧଙ୍କର ଶବଦାହ କରିବାକୁ କୌଣସି ପୁତ୍ର ଆଗଭର ହୋଇନଥିଲେ । କିନ୍ତୁ ବୃଦ୍ଧ ତାହାଙ୍କର ଜୀବନକାଳ ମଧ୍ୟରେ ପୈତୃକ ସମ୍ପତ୍ତି ପାଞ୍ଚମାଣରୁ ପଚାଶମାଣ ପର୍ଯ୍ୟନ୍ତ ବଢ଼ାଇ ପାରିଥିଲେ । ମରହଟ୍ଟା ଅମଳର ମାଟି ଘରକୁ ଭାଙ୍ଗି ତା ଉପରେ ପକ୍‌କାଘର ଛିଡ଼ା କରାଇ ଥିଲେ । ଆଉ ମୃତ୍ୟୁ ବେଳକୁ ପୁତ୍ର ମାନଙ୍କ ପାଇଁ ନଗଦ ବାରହଜାର ରଖିଯାଇ ଥିଲେ ।

 

ଶେଷରେ ବୃଦ୍ଧଙ୍କର ମୃତ୍ୟୁର ଦୀର୍ଘ ସତର ଘଣ୍ଟାପରେ ଗ୍ରାମବାସୀ ମାନେ ଆସି ତାଙ୍କର ଶବଦାହ କଲେ । କୌଣସି ପୁତ୍ର ପିତା ମୁଖରେ ମୁଖାଗ୍ନି ଦେବାକୁ ମଧ୍ୟ ଶ୍ମଶାନରେ ଉପସ୍ଥିତ ନଥିଲେ ।

 

ତତ୍‌ପରଦିନ ପୁତ୍ରମାନେ ପିତୃତ୍ୟକ୍ତ ସମସ୍ତ ସମ୍ପତ୍ତି ନିଜ ନିଜ ମଧ୍ୟରେ ବାଣ୍ଟି ନେଲେ । ବୃଦ୍ଧ ପ୍ରଣବ ମହାନ୍ତିଙ୍କର ମୂକସମାଧି—ଆଜି ଯେମିତି ମୁଖର ହୋଇ ଉଠୁଛି । ସିଦ୍ଧାର୍ଥ ଯେମିତି ଶୁଣି ପାରିଲା-ସମାଧିର କଣ୍ଠ ତଟରେ ଏଇ ଅବିଶ୍ୱାସୀ ଦୁନିଆ ପାଇଁ ଅବିରତ ବୃଷ୍ଟି ହେଉଛି ଅଭିଶାପ । ମଣିଷକୁ ବିଶ୍ୱାସ କର ନାହିଁ– । ହାୟ, ହାୟ ! ଶଙ୍କର ଠିକ୍‌ କହିଥିଲେ—କାଃ ତବ କାନ୍ତା କସ୍ତେପୁତ୍ରଃ, ସଂସାର ମାୟା, ଅତୀବ ବିଚିତ୍ରଃ ।

 

ସିଦ୍ଧାର୍ଥ ଆଉରି ଆଗେଇ ଗଲା । ତା’ ପରର ସମାଧି-ବିଖ୍ୟାତ ଚୌଧୁରୀ ବଂଶର ଏକ ବୃଦ୍ଧାଙ୍କର । କାଳଚକ୍ରର ଆବର୍ତ୍ତନରେ ଚୌଧୁରୀ ବଂଶର ଆଭିଜାତ୍ୟ ଆଜି ଧ୍ୱଂସ ମୁଖରେ । ବିରାଟ ପ୍ରାସାଦ ଆଜି ଭଗ୍ନ ସ୍ତୂପରେ ପରିଣତ ହେବାକୁ ବସିଛି । ରାଜତନ୍ତ୍ର ଲୋପ ପାଇ ପ୍ରଜାତନ୍ତ୍ର ଶାସନ ଦେଶରେ ପ୍ରତିଷ୍ଠିତ ହୋଇଛି । ନିଷ୍ଠୁର ଇତିହାସର ପ୍ରତ୍ୟେକ ପୃଷ୍ଠାରେ ଆଜି ନୂତନ ଏକ ଯୁଗର ସ୍ୱାକ୍ଷର । ଚୌଧୁରୀ ବଂଶର ଶେଷ ଜମିଦାର ଜୀବନାନନ୍ଦଙ୍କ ଜନନୀଙ୍କ ସମାଧି ନିକଟରେ ଠିଆହୋଇ ସିଦ୍ଧାର୍ଥ ଭାବୁଥିଲା ଏଇ ଜମିଦାର ଗୋଷ୍ଠୀଙ୍କ କଥା-କି ଦୁର୍ଦ୍ଦଶା ସେମାନଙ୍କର ଆଜି । ଯେଉଁମାନେ ଭୋଗବିଳାସର ଶୀର୍ଷସ୍ଥାନରେ ପହଞ୍ଚିଥିଲେ ସେମାନେ ଆଜି ହୋଇଛନ୍ତି ଏକାନ୍ତ ନିଃସ୍ୱ, ଦୀନ । ସାମନ୍ତବାଦର ଶେଷ ଆଲୋକ ଜଳିଉଠି ଚିରଦିନ ପାଇଁ ନିର୍ବାପିତ ହୋଇଯାଇଛି । ଜୀବନାନନ୍ଦଙ୍କ ଏଇ ବୃଦ୍ଧା ଜନନୀଙ୍କର ଶେଷ କର୍ମ ଋଣ କରାହୋଇ ସମାପ୍ତ ହୋଇଥିଲା-ଏଇ ସମାଧିର ଲୋତକାପ୍ଳୁତ ନୟନରେ ବେଶ୍‌ ଏକ ଅସୀମ ଯନ୍ତ୍ରଣାର ସଂକେତ ।

 

ସିଦ୍ଧାର୍ଥ ମଣିଷର ଜୀବନ ଆଉ କାଳର ପରିବର୍ତ୍ତନ କଥା ଭାବୁଥିଲା । ଗୋଟିଏ ପରେ ଗୋଟିଏ ସମାଧି ରହି ଯାଉଥିଲା ପଛରେ । ପ୍ରତ୍ୟେକଟି ଦେହରେ କିଛିନା କିଛି ବ୍ୟଥାଜଡ଼ିତ ଇତିହାସ । ସାମନାରେ ଶ୍ମଶାନର ଶେଷ ସମାଧି-ସଦ୍ୟ ନିର୍ମିତ ଏଇ ସମାଧି ଦେହର ଉଷ୍ଣତା ସେ ମର୍ମେ ମର୍ମେ ଅନୁଭବ କଲା । ୟାରି ତଳେ ଯେଉଁ ଗହମ ରଙ୍ଗର ଦେହଟି ନିଆଁ ସଙ୍ଗେ ଖେଳି ପାଉଁଶ ହୋଇଯାଇଛି, କେଡ଼େ ପ୍ରିୟ ନଥିଲା ସେ ତାର ! ତାହାରି ପାଇଁ କେତେ ବିନିଦ୍ର ରଜନୀ, ଉତ୍କଣ୍ଠିତ ସଂଧ୍ୟା, ଧୂସର ମଧ୍ୟାହ୍ନରେ ସେ ଜୀବନ-ବୀଣାରେ ସ୍ୱର ତୋଳିଛି ତାର ଇୟତ୍ତା ନାହିଁ ।

 

ମହାମାୟା ଦାସ । ସିଦ୍ଧାର୍ଥର ତରୁଣ ଜୀବନର ସର୍ବଶ୍ରେଷ୍ଠ ସ୍ମୃତି ସେ ବହନ କରି ମୃତ୍ୟୁର ଶାନ୍ତ କ୍ରୋଡ଼ରେ ଆଶ୍ରୟ ଲଭିଛି । ମୃତ୍ୟୁହିଁ ଯେମିତି ଅଶାନ୍ତ ଜୀବନର ସମାଧାନ । ସିଦ୍ଧାର୍ଥର ନୟନ ଯୁଗଳ ଲୋତକରେ ପରିପୂର୍ଣ୍ଣ ହେଲା । ହାତରେ ତାର ଚମ୍ପାଫୁଲର ମାଳା-ଏଇ ସମାଧି ଉପରେ ସ୍ଥାପନ କରି ଭଗ୍ନ ହୃଦୟରେ ସେ ଫେରିଯିବ । ତାର ସମସ୍ତ ସୁଖ ସ୍ୱପ୍ନ ସବୁକିଛି ଆକାଂକ୍ଷା ଧରି ରଖିଛି ଏଇ ଶ୍ୱେତ କଠିଣ ସମାଧି । ପ୍ରାଣରେ ତାର ଘନ ଘନ ସ୍ପନ୍ଦନ-ଦେହରେ ଏକ ନଗ୍ନ ଶୀତ ସନ୍ଧ୍ୟାର କମ୍ପନ । ସମାଧିର ଶ୍ୱେତ ଚୂଡ଼ା ଉପରେ ଝରିପଡ଼ିଲା ତା’ରି ନୟନ ଅଶ୍ରୁ-ଚମ୍ପା ଫୁଲର ମାଳାଟିକୁ ପିନ୍ଧାଇ ଦେବାପାଇଁ ସେ ହାତ ବଢ଼ାଇଲା । କିନ୍ତୁ ବିଚିତ୍ର ଅନୁଭୂତି ! ତା’ରି ହାତ ସ୍ପର୍ଶରେ ସମଗ୍ର ସମାଧି ଥରି ଉଠିଲା....ପୃଥିବୀ ବକ୍ଷରେ ଭୂମିକମ୍ପ ହେଲାଭଳି । ଶ୍ମଶାନର ଚତୁର୍ଦ୍ଦିଗ ଯେମିତି ଅହିରାଜର ନିଃଶ୍ୱାସରେ ଏକ ଭୟଙ୍କର ରୂପ ଧାରଣକଲା । ସମାଧି ଫଟାଇ କାହାର ଆର୍ତ୍ତନାଦ ଶୁଭିଲା ।

 

ଶଂକିତ ସିଦ୍ଧାର୍ଥ ପଛେଇ ଆସିଲା । ସର୍ବାଙ୍ଗରୁ ସ୍ରବି ଆସିଲା ଘର୍ମ । ଚକିତ ଧରିତ୍ରୀ ଉପରେ ଚନ୍ଦ୍ର ମେଲି ଦେଇଛି ତାର ଉଜ୍ଜ୍ୱଳ ଉତ୍ତରୀୟ । ଆକାଶର ସୀମାହୀନ ବକ୍ଷରେ ଅସ୍ପଷ୍ଟ ଚିତ୍କାର କରି ଉଡ଼ିଗଲେ ପକ୍ଷୀ ମିଥୁନ-ପ୍ରାନ୍ତରରେ ଶୃଗାଳର ରବ ।

 

ନା, ଏସବୁ ମନର ଭୟ । ସିଦ୍ଧାର୍ଥ ପୁଣି ଆଗେଇ ଗଲା । ମହାମାୟାର ସମାଧି ଚନ୍ଦ୍ରକିରଣରେ ଉଦ୍ଭାସିତ । ସବୁ ପୁଣି ଯେମିତି ଶାନ୍ତ-ନୀରବ ହୋଇଗଲା । ଏଇ ସମାଧିର କଣ୍ଠରେ ବ୍ୟର୍ଥ ବରଣମାଳା ଲମ୍ୱାଇ ଦେଇ ସେ ପୁଣି ଢାଳିଦେବ ଦୁଇବିନ୍ଦୁ ଲୁହ, ଏଇଥିରେ ଯଦି ଶାନ୍ତିମିଳେ ସେ ରକ୍ଷା ପାଇବ । ସେ ମୁହୂର୍ତ୍ତେ ଠିଆ ହୋଇଗଲା ସମାଧିର ପ୍ରାନ୍ତଦେଶରେ । ଅତୀତର ପ୍ରତି ସ୍ନିଗ୍‌ଧ ସ୍ମୃତି ପ୍ରାଣରେ ତାର ବିଦ୍ଧକଲା ଅସଂଖ୍ୟ ତୀର । ହଠାତ୍‌ ପୁଣି ସମାଧିର କଣ୍ଠତଟରୁ ଶୁଭିଲା ଏକ ପରିଚିତ କଣ୍ଠର ବାଣୀ—

 

ଫେରିଯାଅ ସିଦ୍ଧାର୍ଥ, ଯେ ଅସ୍ପୃଶ୍ୟା ତାକୁ ଆଉ ଆରାଧନା କରିବାର ଏ ନିଷ୍ଫଳ ପ୍ରୟାସ କାହିଁକି ? ଜୀବନକାଳ ମଧ୍ୟରେ ଯାହା କଣ୍ଠରେ ବରଣମାଲ୍ୟ ଦେବାପାଇଁ ତମେ ପଶ୍ଚାତ୍‌ପଦ ହେଲ, ମୃତ୍ୟୁ ପରେ ଆଉ ତା ଗଳାରେ ସେ ମାଳା ଲମ୍ୱାଇଦେଇ କି ଲାଭ ପାଇବ ତୁମେ ? ତୁମେ ଉଚ୍ଚ ବଂଶଜ, ସମାଜରେ ପୂଜ୍ୟ, ଧନୀମାନୀ ବ୍ୟକ୍ତି ହେଇ ପାର, କିନ୍ତୁ ଏଇ ନିଷ୍ପ୍ରାଣ-ନିର୍ଜୀବ ସମାଧି ଆଜି ତୁମର ଦାନ ଗ୍ରହଣ କରିବାକୁ ଅକ୍ଷମ । ତୁମେ ଫେରିଯାଅ–ଫେରିଯାଅ–ଫେରିଯାଅ.....

 

ଏକ ଅଶାନ୍ତ ବ୍ୟଥାରେ ସାରା ଶ୍ମଶାନ କ୍ଷଣକପାଇଁ ଆନ୍ଦୋଳିତ ହେଲା । ଧରିଥିବା ଚମ୍ପାଫୁଲର ମାଳଟି ଖସି ପଡ଼ିଲା ତଳେ । ମହାମାୟାର କଣ୍ଠ-ଶୁଣି ସିଦ୍ଧାର୍ଥ ବିସ୍ମିତ ହେଲା–ମେଘ ମେଦୁର ଆକାଶର ଛାତଭଳି ସବୁ ଯେମିତି ରହସ୍ୟମୟ । ଶ୍ମଶାନ ବୁକୁରେ ସବୁଜ ଘାସର ଗାଲିଚା-ସେ ଅବସନ୍ନ ହୋଇ ସେଇଠି ବସି ପଡ଼ିଲା । ଆଖି ଆଗରେ ତାର ଭାସିଗଲା କେତୋଟି ଦିନର ସ୍ମୃତି-ଅତ୍ୟନ୍ତ ସଜୀବ ଓ ସଜଳ ।

 

ମହାମାୟା ଦାସ....କ୍ଷୁଦ୍ର ସହରର କ୍ଷୁଦ୍ର ଏକ ଗଳିରେ ତାର ଜନ୍ମ । ମା ତା’ର ବିଖ୍ୟାତ ଗଣିକା ଚମ୍ପାବତୀ । ତାର ଲଳିତ କଣ୍ଠର ଛନ୍ଦ ଆଉ ବଳିଷ୍ଠ ଗନ୍ଧରେ ସମଗ୍ର ସହର ରୋମାଞ୍ଚିତ ହେଉଥିଲା । ଏଇ ଗଣିକାର ମିଳନ ମନ୍ଦିରରେ ନିତି ସଂଧ୍ୟାରେ ହେଉଥିଲା ଅସମ୍ଭବ ଭିଡ଼ । ତା’ର ଭ୍ରୂବିଳାସ, ମନମୁଗ୍‌ଧକର ବକ୍ଷୋଜ, ଆନିତମ୍ୱଲମ୍ୱୀ ବେଣୀଛଟା; ନୃତ୍ୟମାନ ଜଘନ, ପଳାଶ ନିନ୍ଦୀ ଓଷ୍ଠାଧାରର ସ୍ପର୍ଶ ପାଇବା ପାଇଁ ଏଇ ସହରର ଯୁବକ ଦଳ ବ୍ୟସ୍ତ ହୋଇ ପଡ଼ୁଥିଲେ...ଅଗ୍ନି ଦେଖି ପତଙ୍ଗ କେବେ ସ୍ଥିର ହୋଇ ରହି ପାରେନା ।

 

ତାପରେ.... । ରାତ୍ରିର କୌଣସି ଏକ ନିର୍ଜନ ଲଗ୍ନରେ ଚମ୍ପାବତୀ ହେଲା ଗର୍ଭବତୀ । କନ୍ୟା ପ୍ରାପ୍ତି ଆଶାରେ ଦେବଦେବୀଙ୍କ ଚରଣ ତଳେ ସେ ବହୁ ନିବେଦନ ଜଣାଇଲା । ଗଣିକା ଚମ୍ପାବତୀ ପୁତ୍ର ଚାହେଁନା—ସେ ଚାହେଁ ଏକ ଭୂବନ ମୋହିନୀ କନ୍ୟା, ସେ ଚାହେଁ ଧରାପୃଷ୍ଠରେ ଏକ ଅଦ୍ୱିତୀୟା ଉର୍ବଶୀ । ଯଥା ସମୟରେ ପ୍ରଥମ କ୍ରନ୍ଦନରେ ଧରଣୀକୁ ଧ୍ୱନିତକରି ଚମ୍ପାବତୀର ଗର୍ଭ ଚିରି ଜନ୍ମନେଲା ଏକ ଅପରୂପା କନ୍ୟା । ଚମ୍ପାବତୀର ଜ୍ଞାନ ଫେରି ଆସିଲା ଉତ୍ତାରୁ ସେ ଏଇ କନ୍ୟାଟି ମୁହଁରେ କାହିଁ କେତେ ଚୁମ୍ୱନ ଆଙ୍କି ଦେଲା ।

 

ଗଣିକା ଚମ୍ପାବତୀ ଆଜି ଜନନୀ । ଏଇ ଶିଶୁ ସନ୍ତାନକୁ ବକ୍ଷରେ ଚାପିଧରି ସେ ଯେମିତି ଭୁଲିଗଲା କାଳପାତ୍ର ଜ୍ଞାନ । ଶିଶୁଟି ଯେତେବେଳେ ଚିତ୍କାର କରିଉଠିଲା ସେ ତା ମୁହଁରେ ଭରିଦେଲା ତାର ସ୍ତନ । ଇସ୍‌ ଏ ଏକ ନୂତନ ଅନୁଭୂତି । ଶିଶୁଟି ତାର ନରମ ପାଟିରେ ଅମୃତ ଶୋଷିବାକୁ ଚେଷ୍ଟା କରୁଛି । ଚମ୍ପାବତୀର ଦେହରେ ଜାଗୁଛି ଶିହରଣ, ନୂତନ ଏକ ପରିତୃପ୍ତିରେ ପରିପୂର୍ଣ୍ଣ ହେଉଛି ତାର ଅନ୍ତର ।

 

ଦିନପରେ ଦିନ ଗଡ଼ି ଯାଉଛି-ରାତିରେ ଶିଶୁଟିକୁ ପାଖରେ ଶୁଆଇ ତା’ର ନୟନ ଯୁଗଳ ଆର୍ଦ୍ର ହେଉଛି । କିଏ ଏଇ ଶିଶୁଟିର ଜନକ-ତାର ପରିଚୟ ଯଦି ସେ ପାଇଥାନ୍ତା, ହୁଏତ ରାତ୍ରିର ତାମସ ତିଥିରେ ସମସ୍ତଙ୍କ ଅଲକ୍ଷରେ ତା’ରି ପାଖକୁ ଯାଇ ସେ କହନ୍ତା-ଆହେ, ତୁମେ ହେଉଛ ଏଇ ଝିଅର ବାପ । ନିଅ, କୋଳରେ ଟିକିଏ ଧର । ପିଲାକୁ କୋଳରେ ଧରିବା ଖୁବ୍‌ ଆରାମ ଦାୟକ ।

 

କିନ୍ତୁ ଗଣିକା ଚମ୍ପାବତୀ ଏଇ ଶିଶୁ କନ୍ୟାର ପିତାର ପରିଚୟ ପାଇନାହିଁ । ଚିରଦିନ ପାଇଁ ତାହା ଅଜ୍ଞାତ ରହିଗଲା । ବାସ୍ତବିକ ତା ପ୍ରାଣତନ୍ତ୍ରୀରେ ଆଘାତ ଲାଗେ ।

 

ଶିଶୁଟି ବଢ଼ି ଉଠୁଛି-ଚାହୁଁ ଚାହୁଁ ଛ’ମାସ ହୋଇଗଲା । ଶିଶୁର ଦୁଷ୍ଟାମି ବଢ଼ୁଛି-ଶକ୍ତି ମଧ୍ୟ ବଢ଼ିଛି । ମାତାର ସ୍ତନକୁ ମୁହଁରେ ପୂରାଇ ଦୁଇହାତରେ ସେ ତାକୁ ମନ୍ଥନ କରୁଛି । ଆଃ, ଏ ଅନୁଭୂତି ଯେମିତି ଅବିସ୍ମରଣୀୟ । କାମୁକା ରାତ୍ରିର ବିଳାସିନୀ କକ୍ଷରେ କେତେ ଲମ୍ପଟ ତରୁଣଙ୍କୁ ଅର୍ଥବିନିମୟରେ ସେ ସମର୍ପଣ କରିଚି ତାର ଦେହ-ସେମାନେ ସମସ୍ତେ ନିଷ୍ଠୁର ଭାବରେ ତା’ଉପରେ ଅତ୍ୟାଚାର କରିଯାଇଛନ୍ତି-ତା ଦେହର କାମଳତା ପ୍ରତି କେହି ଭ୍ରୂକ୍ଷେପ କରି ନାହାନ୍ତି । ତା’ମୁଖ ନିଃସୃତ ଯନ୍ତ୍ରଣା-ସୂଚକ ‘ଆଃ’ ଶବ୍ଦ ରାତ୍ରିର ବ୍ୟର୍ଥ ବକ୍ଷରେ ନିଶ୍ଚିହ୍ନ ହୋଇ ଯାଇଛି । କେତେ ଶକ୍ତ ହାତର କଠିଣ ମୁଠା ଭିତରେ ଚାପିହୋଇ ଯାଇଛି ତା’ର ତନୁର କୋମଳାଂଶ-ଅଣନିଶ୍ୱାସୀ ହୋଇ ପଡ଼ିଚି ସେ । କାମନାର ସେଇ ଅନୁଭୂତି ଶାନ୍ତି ବଦଳରେ ତାକୁ ଦେଇଯାଇଛି ଅଜସ୍ର ଅର୍ଥ ଆଉ ଅତ୍ୟାଚାର । କିନ୍ତୁ ଆଜି ଏଇ ଶିଶୁ କନ୍ୟାର ଅତ୍ୟାଚାର-ବକ୍ଷୋଜ ଉପରେ ଉତ୍ପୀଡ଼ନ ତାକୁ ଦେଇଛି ପରମ ଶାନ୍ତି ।

 

ଗଣିକା ଚମ୍ପାବତୀ ଏଇ ନୂତନ ଅନୁଭୂତିର ସ୍ୱାକ୍ଷର ନେଇ ଜୀବନ ପଥରେ ଅଗ୍ରସର ହେଲା । ସେ ଆଉ ବେଶ୍ୟାବୃତ୍ତି କଲାନାହିଁ, ଭୁଲିଗଲା ତାର ବ୍ୟବସାୟ । କାମୁକ ତରୁଣଙ୍କ ଉତ୍ତପ୍ତ ନିଶ୍ୱାସ ତା’ର ରୁଦ୍ଧ ଦ୍ୱାରରେ ବାଜି ଫେରିଗଲା ପୁଣି-ସମସ୍ତଙ୍କୁ ସେ ନିରାଶ କରି ଆଶାଦୀପ୍ତ ନୟନରେ ଚାହିଁଲା ଆଗକୁ । ତା’ରି ପଡ଼ୋଶୀ ବୃନ୍ଦାବନ ବାବୁଙ୍କ ସ୍ତ୍ରୀ ଅହଲ୍ୟା ତାଙ୍କ କନ୍ୟା ପଦ୍ମିନୀକୁ ବି, ଏ, ପାଶ କରାଇ ବିଭା ଦେଇଛନ୍ତି । ପଦ୍ମିନୀ ଆଉ ତାର ସ୍ୱାମୀ ଜଳଧର ବେଳେ ବେଳେ ଆସନ୍ତି ଅହଲ୍ୟାଙ୍କ ଘରକୁ । ଚମ୍ପାବତୀ ନିଜେ ଦେଖିଛି ଅହଲ୍ୟା ଝିଅ ଜୋଇଁଙ୍କୁ ଦେଖି କେଡ଼େ ଖୁସି ନ ହୁଅନ୍ତି । ଜଳଧରଙ୍କ ସାଙ୍ଗରେ ଥିବାବେଳେ ସୁନ୍ଦରୀ ପଦ୍ମିନୀର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୁଏ । ମୁଖରୁ ଝରିପଡ଼େ ଅନିନ୍ଦ୍ୟ ହସର ଝରଣା ।

 

ଚମ୍ପାବତୀ ସବୁ ଦେଖେ । ମାତୃହୃଦୟ ତାର ଆଶାଦୀପ୍ତ ହୁଏ । ତା’ରି କନ୍ୟା ମହାମାୟାକୁ ପାଠ ପଢ଼ାଇ ସେ ବିଭାଦବ ।

 

ଦିନ ପରେ ଦିନ, ମାସ ପରେ ମାସ, ବର୍ଷ ପରେ ବର୍ଷ ଗଡ଼ିଗଲା ଏମିତି । ମହାମାୟା ଚନ୍ଦ୍ରକଳା ପରି ବଢ଼ିବାକୁ ଲାଗିଲା । ସେ ପାଖ ସ୍କୁଲରେ ତା ନାଁ ଲେଖାଇ ଦେଲା । ମହାମାୟା ସ୍କୁଲରେ ସବୁ ପିଲାଙ୍କ ମଧ୍ୟରେ ପ୍ରଥମ ହେଉଛି । ଶିକ୍ଷୟତ୍ରୀ ପ୍ରଶଂସା ପତ୍ର ପଠାଇଛନ୍ତି । ସେ ଦିନ କି ଆନନ୍ଦ ଚମ୍ପାବତୀର । ଅହଲ୍ୟାଦେବୀଙ୍କ ଘରକୁ ଯାଇ ସେ ଏହି ପ୍ରଶଂସା ପତ୍ରକୁ ଦେଖାଇଲା । ପାନ ଦୋକାନୀ ଶରତ-ସପନ କବିରାଜ-କଲେକ୍‌ଟରିଏଟ୍‌ କିରାଣୀ ମନ୍ଦରଧର କେହି ବାକୀ ରହିଲେ ନାହିଁ । ତା ଝିଅ ପ୍ରଶଂସା ପତ୍ର ପାଇଛି । ସମସ୍ତେ ବାଃ ବାଃ କଲେ ।

 

ମହାମାୟା ପୁଣି ଶେଷ ପରୀକ୍ଷାରେ ବୃତ୍ତି ପାଇଲା । ମାଇନର କ୍ଳାସରେ ଭର୍ତ୍ତି ହେଲା । ଝିଅ ପାଇଁ ଚମ୍ପାବତୀକୁ ନିଦ ନାହିଁ । ସେ ତାର ନାଁ ରଖିବ । ସତକୁ ସତ ତାର ସ୍ୱପ୍ନ ସଫଳ ହେଲା-। ମହାମାୟା ମାଇନର ପରୀକ୍ଷାରେ ବୃତ୍ତି ପାଇ ମେଟ୍ରିକ୍‌ କ୍ଲାସରେ ନା ଲେଖାଇଲା ।

 

ହିରଣମୟୀ ବାଳିକା ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀ ମହାମାୟା ଦାସ । –ଦେହ ମନରେ ତାର ଜାଗିଛି ଜୀବନ ଯୌବନର ଅପୂର୍ବ ବସନ୍ତ, ଅବୟବ ତାର ପୂର୍ଣ୍ଣତା ଲଭିଛି । ବନର ହରିଣୀ ପରି ଚଞ୍ଚଳ ହୋଇଛି ତାର ନୟନ, ବକ୍ଷୋଜ ଭାରରେ ମନ୍ଥର ହୋଇଚି ଚରଣର ଗତି । ଜନନୀ ଚମ୍ପାବତୀ ନିଜେ ତା କନ୍ୟାର ସୌନ୍ଦର୍ଯ୍ୟରେ ମୁଗ୍‌ଧ ହୁଏ ।

 

ପଥଚାରୀ ପାନ୍ଥ ଏଇ ଅନିନ୍ଦ୍ୟ ସୁନ୍ଦରୀ ଝିଅଟିକୁ ଘଡ଼ିଏ ଚାହିଁ ପୁଣି ଚାଲିଯାଏ ତାର ଗନ୍ତବ୍ୟ ପଥରେ । କେତେ ତରୁଣଙ୍କ ଅନ୍ତର ପଟରେ ପ୍ରତିଭାତ ହୁଏ ଏଇ ସୁନ୍ଦରୀ ବାଳିକାର ପ୍ରତିଚ୍ଛବି । ସେ ଦିନର କଥା । ମହାମାୟା ସ୍କୁଲ ଫେରନ୍ତା ଯାଉଁ ଯାଉଁ ସାଇକେଲ ଚଢ଼ାଳୀ ସିଦ୍ଧାର୍ଥ ତା ଦେହରେ ସାଇକେଲ ଲଗାଇ ଦେଇଥିଲା । ସିଦ୍ଧାର୍ଥ ସେତେବେଳେ କଲେଜର ପ୍ରଥମବାର୍ଷିକ କଳାଛାତ୍ର । ନୂତନ ସାଇକେଲ ଚଢ଼ାଳୀ । ସାଇକେଲର ଆଗଚକ ଲାଗିଗଲା ମହାମାୟା ଦେହରେ-। ସେ ‘ମାଲୋ’ ଚିତ୍କାର କରି ଡେଇଁ ପଡ଼ିଲା ଆଗକୁ । ସିଦ୍ଧାର୍ଥ ରାସ୍ତା କଡ଼ରେ ପଡ଼ିଯାଇ ଧୂଳି ଧୂସରିତ ଦେହରେ ଉଠି ନମ୍ର କଣ୍ଠରେ କହିଲା-କ୍ଷମା କରିବେ, ନୂଆ ସାଇକେଲ ଚଢ଼ି ଶିଖିଚି-। ମହାମାୟା ଦେହରେ ବିଶେଷ କିଛି ଆଘାତ ଲାଗିନାହିଁ । ସେ ଅଳ୍ପ ହସି କହିଲା—ନା, ମୋର କିଛି ହୋଇନି ।

 

ସିଦ୍ଧାର୍ଥ ପୁଣି ତା ପଥରେ ଚାଲିଗଲା । କିନ୍ତୁ ତାର ତାରୁଣ୍ୟ ଯେମିତି ସଂଜୀବିତ ହୋଇ ଉଠିଲା କ୍ଷଣକ ପାଇଁ । ମହାମାୟାର ଅଙ୍ଗରେ ପୃଥିବୀର ସମସ୍ତ ସୌନ୍ଦର୍ଯ୍ୟ ଯେମିତି ଠୁଳ ହୋଇଛି-

 

ଦ୍ୱିତୀୟଥର ପୁଣିଦେଖା ନୂଆ ସିନେମା ହାଉସରେ । ମହାମାୟା ହାତତୋଳି ନମସ୍କାର କଲା-ଭଲ ଅଛନ୍ତି ? ମୁହଁରେ ତାର ଆତ୍ମୀୟତା ସୂଚକ ପ୍ରଶ୍ନ । ସିଦ୍ଧାର୍ଥ ସୌଖୀନ ଫୁଲକୁ ପାଖରେ ପାଇ ଆତ୍ମବିସ୍ମୃତ ହେଲା ।

 

ସିନେମା ଭାଙ୍ଗିବା ପରେ ଦୁହେଁଯାକ ଚାଲି ଚାଲି ଆସିଲେ । କଥୋପକଥନ ଭିତରେ ଉଭୟେ ଉଭୟଙ୍କ ପରିଚୟ ପାଇସାରିଥିଲେ ।

 

ମହାମାୟା ସୁନ୍ଦରୀ, ସ୍ୱାସ୍ଥ୍ୟବତୀ, ଶିକ୍ଷିତା । ସିଦ୍ଧାର୍ଥ ସୁନ୍ଦର, ସ୍ୱାସ୍ଥ୍ୟବାନ ଶିକ୍ଷିତ । ଏହାପରେ ବହୁତ ଥର ଉଭୟଙ୍କର ସାକ୍ଷାତ ହୋଇଛି । ଚାରିଟି ଚକ୍ଷୁର ଆକୁଳ ଚାହାଣୀରେ ରୋମାଞ୍ଚିତ ହୋଇଛି ତନୁମନ । ଉଭୟ ଉଭୟଙ୍କୁ ସ୍ୱପ୍ନ ଦେଖିଛନ୍ତି—ପାଇବା ପାଇଁ ବ୍ୟାକୁଳ ହୋଇ ଉଠିଛନ୍ତି ।

 

ଆଉ ଦିନକର ଘଟଣା । ଆଷାଢ଼ ମାସରେ ବଳଙ୍ଗ ଛାତିରେ ଜାଗିଛି ବନ୍ୟା ତାଣ୍ଡବ । ସ୍ଫୀତ ବକ୍ଷା ନଦୀ ଭୟଙ୍କର ରୂପରେ ଦୁଇକୁଳକୁ ଧ୍ୱଂସ ମୁଖରେ ପକାଇ ଧାଇଁ ଚାଲିଛି ସମୁଦ୍ର ସହିତ ମିଶାଇ ଦେବାପାଇଁ ତାର ଅସମ୍ଭାଳ ଦେହ । ମଣିଷ, ଗୋରୁଗାଈର ଶବ ଭାସି ଚାଲିଛି ନଦୀ ସ୍ରୋତରେ ସହର ଲୋକେ ନଦୀର ଏଇ ଭୀମ ରୂପ ଦେଖିବା ପାଇଁ ଚାଲିଛନ୍ତି । ସିଦ୍ଧାର୍ଥ କଲେଜରୁ ଫେରି ଏଇ ନଦୀର ପ୍ରଳୟ ଲୀଳା ଦେଖିବା ପାଇଁ ଯାଇଥିଲା । ନଦୀକୂଳରେ ସେ ଦେଖିଲା-ମହାମାୟା ଏକାକିନୀ ଏକ ଲକ୍ଷ୍ୟରେ ଚାହିଁ ଠିଆ ହୋଇଛି ।

 

ମହାମାୟା—

 

ସିଦ୍ଧାର୍ଥର ଡାକରେ ଚମକି ପଡ଼ିଲା ମହାମାୟା-ଆରେ, ସିଦ୍ଧାର୍ଥ ବାବୁ ଯେ....

 

ଆସ ଆଗକୁ ଯିବା ।

 

ଦୁହେଁଯାକ ଆଗେଇ ଗଲେ । ଜନ ଗହଳିର ଦୂରରେ କେତୋଟି ମୁହୂର୍ତ୍ତ ରହି ପାରିଲେ ହୁଏତ ଉଭୟଙ୍କୁ ଶାନ୍ତି ମିଳିବ ।

 

ପ୍ରମତ୍ତା ନଦୀର କୂଳ ପ୍ରଦେଶରେ ଠିଆ ହୋଇ ସିଦ୍ଧାର୍ଥ ସେଦିନ ପ୍ରଥମ କରି କହିଥିଲା-ମହାମାୟା, ମୁଁ ତୁମକୁ ଭଲ ପାଏଁ ।

 

ମହାମାୟାର ମୁଖମଣ୍ଡଳ ଲଜ୍ଜାରେ ରକ୍ତିମ ହୋଇଥିଲା; ସାକ୍ଷୀ ଥିଲା ଚଞ୍ଚଳଗାମିନୀ ନଦୀ, ମେଘାବୃତ ମେଦୁର ଆକାଶ ।

 

ତା’ପରେ ମହାମାୟା ପ୍ରଥମ ଶ୍ରେଣୀରେ ମେଟ୍ରିକ୍‌ ପାଶ୍‌ କରି କଲେଜରେ ନାମ ଲେଖାଇଲା । ସିଦ୍ଧାର୍ଥ ଚତୁର୍ଥ ବାର୍ଷିକ ଶ୍ରେଣୀର ଛାତ୍ର । ସେଥର କଲେଜ ଡ୍ରାମାରେ ସୁନ୍ଦର ସିଦ୍ଧାର୍ଥ ନାୟକ ଭୂମିକାରେ ଏବଂ ସୁନ୍ଦରୀ ମହାମାୟା ନାୟିକା ଭୂମିକାରେ ଅବତରଣ କରି ସମଗ୍ର ଦର୍ଶକ ମଣ୍ଡଳୀକୁ ମୁଗ୍‌ଧ କରିଥିଲେ ସେଇ ରାତ୍ରିରେ ମହାମାୟାର ଚିବୁକ ଧରି ସିଦ୍ଧାର୍ଥ କହିଥିଲା-ମୁଁ ତମକୁ ବିବାହ କରିବି, ତା’ ନ ହେଲେ ମୁଁ ମରିଯିବି ମାୟା, ତୁମେଇଁ ମୋର ତିନିକାଳର ପ୍ରଣୟିନୀ ।

 

ମହାମାୟା ଆଉ ସିଦ୍ଧାର୍ଥ-ସେ ଦିନ ସଂକଳ୍ପ କରିଥିଲେ ସିଦ୍ଧାର୍ଥର ବି,ଏ, ପରୀକ୍ଷା ପରେ ଦୁହେଁ ବିବାହ କରିବେ । ଆକାଶର ଚନ୍ଦ୍ର ମେଘ କୋଳରେ ଲୁଚି ହସୁଥିଲା । ହସୁଥିଲା ଧରା ରାଣୀର ବକ୍ଷୋପରି ସମସ୍ତ ପଦାର୍ଥ ।

 

ବି,ଏ, ପରୀକ୍ଷାରେ ସିଦ୍ଧାର୍ଥ କୃତିତ୍ୱରସହ ଉତ୍ତୀର୍ଣ୍ଣ ହେଲା । ତାର ଏଇ କୃତକାର୍ଯ୍ୟତାରେ ତାକୁ ପ୍ରଥମ ଅଭିନନ୍ଦନ ଜଣାଇଥିଲା ମହାମାୟା । ବଳଙ୍ଗ କୂଳର ଏକ ଘନାଚ୍ଛାଦିତ ନିର୍ଜନ ବକ୍ଷ ଉଭୟଙ୍କ ମିଳନ ସଙ୍ଗୀତରେ ମୁଖର ହୋଇ ଉଠିଥିଲା । ଉଭୟଙ୍କ ଅନ୍ତରର ବହୁଦିନର କାମନା ନିର୍ବାପିତ ହୋଇଥିଲା ସେଦିନ । ରାତ୍ରିର ସୁରଭିତ କକ୍ଷରେ ଶୀଘ୍ର ବିବାହର ଆୟୋଜନ କରିବାକୁ ପ୍ରତିଶ୍ରୁତି ଦେଇ ଫେରି ଯାଇଥିଲା ସିଦ୍ଧାର୍ଥ ।

 

ସେଇଦିନ ରାତ୍ରରେ ସେ ତା ମନକଥା ମା’ଙ୍କ ପାଖରେ ବ୍ୟକ୍ତ କରିଥିଲା । ମା ତତ୍‌କ୍ଷଣାତ୍‌ ତା ପିତା ଅଶୋକ ବାବୁଙ୍କୁ ଜଣାଇ ଦେଇଥିଲେ । କିନ୍ତୁ ବୃଦ୍ଧ ଅଶୋକବାବୁ ଆଭିଜାତ୍ୟର ପକ୍ଷ ଉପରେ ବସି ଗର୍ଜନ କରି ଉଠିଲେ-କଣ ? ତୁମେ ସବୁ କଣ ପାଗଳ ? ସିଦ୍ଧାର୍ଥ ବିବାହ କରିବ ଚମ୍ପା ବେଶ୍ୟାର ଝିଅକୁ । ଏ ସମାଜରେ ମୁଁ ଆଉ ରହି ପାରିବିତ ? ଅପଦାର୍ଥ, ତା ମୁଣ୍ଡରେ ଏସବୁ ପଶିଲା କେମିତି ? ନିଲ୍ଲଜପରି ସେ ବା ଏ ପ୍ରସ୍ତାବ, ମୋ ଆଗରେ ବାଢ଼ୁଚି କେମିତି ?

 

ଅଶୋକ ବାବୁଙ୍କ ଗର୍ଜନରେ ଅପର ଗୃହରେ ଅପେକ୍ଷା କରିଥିବା ସିଦ୍ଧାର୍ଥ ପ୍ରାଣରେ ଭୟର ସଞ୍ଚାର ହେଲା । ହୃତ୍‌କମ୍ପ ହେଲା ତାର ।

 

ଅଶୋକବାବୁ ପୁଣି କହିଲେ-ଯଦି ସେ ଏ ସବୁ ଚିନ୍ତା ନ ଛାଡ଼େ, ତେବେ ମୁଁ ତାକୁ ଘରୁ ବାହାର କରି ଦେବି । ଧରିନେବି ମୁଁ ନିଃସନ୍ତାନ । ବେଶ୍ୟାର ଝିଅକୁ ବୋହୂ କରିଆଣିବା ଆଗରୁ ମୁଁ ମରିଯିବାକୁ ଚାହେଁ । ମୁଁ ମଲାପରେ ଗୋଟାଏ କାହିଁକି ଶହେଟା ବେଶ୍ୟା ଆଣି ସେ ଏ ଘରେ ନଚାଉ, ମୁଁ ଆଉ ନଥିବି ଆପତ୍ତି କରିବାକୁ....ନରମ ହୋଇ ଆସିଲା ତାଙ୍କ କଣ୍ଠ—ତା ଉପରେ ମୁଁ କେତେ ଆଶା କରିଛି-ସେ ମୋ ବଂଶର ମୁଖ ଉଜ୍ଜ୍ୱଳ କରିବ । ଗୋଟିଏ ପୁଅ ମୋର-ତାକୁ ମୁଁ କୋଟିଏ ପୁଅର ସ୍ନେହ ଦେଇଛି, କିନ୍ତୁ ଏଇ ବଂଶରେ କାଳି ଲେପିବା ପାଇଁ ସେ ଯଦି ପଶ୍ଚାତ୍‌ପଦ ନହୁଏ, ମୁଁ ତାହା ଦେଖିବା ଆଗରୁ ସେ ମୋତେ ତା ନିଜ ହାତରେ ମାରିଦେଉ । ସିଦ୍ଧାର୍ଥ କିଂକର୍ତ୍ତବ୍ୟ ବିମୂଢ଼ । କଣ କରିବ ସେ ? ଏତେଦିନର ସ୍ମୃତି କଣ ସବୁ ମିଥ୍ୟା ହୋଇଯିବ ? ସେ ଅସହାୟ, ସେ ଭୀରୁ, କାପୁରୁଷ ।

 

ପିତାଙ୍କର ଦୃଢ଼ତା ଆଗରେ ସମସ୍ତ ସାହସ ତାର ଭାଙ୍ଗି ପଡ଼ିଲା । ହାୟ, ମହାମାୟାର ଅବସ୍ଥା କ’ଣ ହେବ ? ମହାମାୟା-ସେତେବେଳକୁ ସିଦ୍ଧାର୍ଥର ସନ୍ତାନକୁ ଗର୍ଭରେ ବହନ କରି ଆଗାମୀ କାଳର ଅଶୁଭ ସ୍ୱପ୍ନ ଦେଖୁଥିଲା । ଅନୂଢ଼ା ତରୁଣୀ ମହାଭୟର ଆବର୍ତ୍ତ ଭିତରେ କ୍ରନ୍ଦନ କରୁଥିଲା ଅହରହ । ଚମ୍ପାବତୀ ଦିନେ ସେ କଥା ଜାଣିଲା, ଆଉ ଜାଣିଲା ସିଦ୍ଧାର୍ଥ ତା କନ୍ୟାକୁ ବିବାହ କରିବାପାଇଁ ପ୍ରତିଶ୍ରୁତି ଦେଇଛି ।

 

ମନରେ ଅସୀମ ସାହସ ଧରି ସେଦିନ ସେ ସିଦ୍ଧାର୍ଥର ଘରକୁ ଆସି ଅଶୋକବାବୁଙ୍କୁ ସବୁକଥା ଜଣାଇଲା । ମାତ୍ର ଅଶୋକବାବୁ କ୍ରୁଧିତ ସିଂହ ଭଳି ଗର୍ଜନକରି ତାକୁ ଗୃହରୁ ବହିଷ୍କାର କରିଦେଲେ । ସେ ଆଖିରୁ ଲୋତକ ଝରାଇ ଫେରି ଆସିଲା । ଛାତିରେ ତାର ଛୁରୀପରି ବାଜୁଥିଲା ତାଙ୍କର ଶେଷ କେଇପଦ କଥା-ବେଶ୍ୟାର ପୁଣି ସତୀତ୍ୱ-ବେଶ୍ୟା ଗର୍ଭ ହେବା ଯେମିତି ନୂଆ କଥା-ମିଥ୍ୟାରେ ମୋ ବଂଶରେ କାଳି ଲଗେଇବାକୁ କେଉଁ ସାହସରେ ଧାଇଁ ଆସିଲୁ ? ଦୂର ହ’ ଏଠୁ....

 

ମହାମାୟା ସବୁ ଶୁଣିଲା । ଆହତ ପକ୍ଷିଣୀର ଡେଣା ଭାଙ୍ଗି ପଡ଼ିଲା । ସେ ବେଶ୍ୟାର କନ୍ୟା-କିନ୍ତୁ ସେ ନିଜେତ ବେଶ୍ୟା ନୁହେଁ । ସେ କାହିଁକି ଅସ୍ପୃଶ୍ୟା ହେବ ? ଦୁଇଟି ଜୀବନର ଗୋପନ ରୋମାଞ୍ଚ କଣ ମିଥ୍ୟା ? ସିଦ୍ଧାର୍ଥ ପ୍ରତାରକ, ସିଦ୍ଧାର୍ଥ ପ୍ରବଞ୍ଚକ, ଦୁର୍ବଳ, ଭୀରୁ, ସ୍ୱାର୍ଥପର । ଗୋଟିଏ ତରୁଣୀ କନ୍ୟାକୁ ସମୁଦ୍ର ମଧ୍ୟକୁ ଠେଲିଦେଇ ସେ ଚାହେଁ ରକ୍ଷା କରିବାକୁ ତା ବଂଶର ଗୌରବ । ହେଉ, ସେ ସେଥିରେ ପ୍ରତିବନ୍ଧକ-ହେବନାହିଁ, ତା’ ଜୀବନ-ବନସ୍ତ ପୋଡ଼ି ଛାରଖାର ହୋଇ ଯାଇଛି-ସବୁ ମିଥ୍ୟା-ଏକ ଦୁଃସ୍ୱପ୍ନ ।

 

ସୁନ୍ଦରୀ ମହାମାୟା ସେଦିନ ରାତ୍ରିରେ ଆତ୍ମହତ୍ୟା କଲା । ଏଇ ଦୁଃଖର ଗୁରୁଭାର ବହନ କରିବାକୁ ସେ ଅକ୍ଷମ । ଗଣିକା ଚମ୍ପାବତୀର ଶେଷ ଭରସା ଧରାପୃଷ୍ଠରୁ ନିଶ୍ଚିହ୍ନ ହୋଇଗଲା-

 

ମହାମାୟାର ସମାଧି ନିକଟରେ ସିଦ୍ଧାର୍ଥର ଚେତନା ଲୋପ ପାଇଯାଇଛି । ରାତ୍ରି ଆସି ତୃତୀୟ ପ୍ରହରରେ ପାଦ ଦେଲାଣି । ପବନ ବହୁଛି ବେଶ୍‌ ଶୀତଳ । ତାର ଜ୍ଞାନ ଆସିଲା ମାତ୍ରେ ସେ ଦେଖିଲା—ମହାମାୟା ତା ସମ୍ମୁଖରେ ଠିଆହୋଇ କହୁଚି-ସିଦ୍ଧାର୍ଥ; ତଥାପି ତମପାଇଁ ମୋ ହୃଦୟରେ ଦୁର୍ବଳତା ଅଛି । ରାତି ବହୁତ ହେଲାଣି, ତୁମେ ଫେରିଯାଅ । ନୋହିଲେ ତୁମକୁ ଏକାଟିଆ ପାଇ ମୋର ସଙ୍ଗୀ ପ୍ରେତାତ୍ମାମାନେ ହତ୍ୟାକରି ପାରନ୍ତି । ତୁମ ଉପରେ ବହୁତ ଦାୟିତ୍ୱ-ତୁମେ ତୁମ ବଂଶର ଆଲୋକମୟ ସନ୍ତାନ-ବଂଶର ମୁଖ ଉଜ୍ଜ୍ୱଳ କରିବ । କର୍ତ୍ତବ୍ୟ ତୁମର ଶେଷ ହୋଇନାହିଁ । ତୁମେ ଫେରିଯାଅ ।

 

ସିଦ୍ଧାର୍ଥ ପାଟିକରି ଉଠିଲା-ନା ନା, ମୁଁ ମଧ୍ୟ ମରିବାକୁ ଚାହେଁ, ମୁଁ ଆଉ ଫେରିବି ନାହିଁ, ମୁଁ ମରିବି—ମରିବି ।

 

ଗମ୍ଭୀର ପୃଥିବୀ ଆଉରି ଗମ୍ଭୀର ହୋଇ ଉଠିଲା ।

 

ତତ୍‌ପରଦିନ ସକାଳେ ଦେଖାଗଲା-ମହାମାୟାର ସମାଧି ଉପରେ ସଜ୍ଜିତ ହୋଇ ରହିଛି ଚମ୍ପାଫୁଲର ମାଳା ଆଉ ନିକଟସ୍ଥ ଏକ ବଟବୃକ୍ଷରେ ଝୁଲୁଛି ସିଦ୍ଧାର୍ଥର ମୃତ ଦେହ ।

Image

 

ଦୁଇଟି ଚିତ୍ର

 

ନିର୍ନିମେଷ ନୟନରେ ଚାହିଁ ରହିଥିଲା ସୁଜାତା । ତାର ଚକ୍ଷୁ ଅନ୍ତରାଳରେ ମିଶି ଯାଉଥିଲା ଗହଳ ଗଛଲତା ଭିତରେ ଗୋଟିଏ ଛବି-ଦୂରେଇ ଯାଉଥିଲା ସାଇକେଲ୍‌ ଘଣ୍ଟିର ଆବାଜ୍‌ ।

ଆଗରେ ଆକାଶ ମିଶିଯାଇଛି ପୃଥିବୀ ସହିତ-ବିସ୍ତୀର୍ଣ୍ଣ ଧାନକ୍ଷେତ ଦିଗନ୍ତ ବିସ୍ତାରୀ । ସୁଜାତାର ଘରଟି ଯେମିତି ପୃଥିବୀର ଜନ ବସତିର ଶେଷ ସୀମାରେ-ତାପରେ ଆଉକିଛି ନାହିଁ, ଖାଲି ପ୍ରାନ୍ତର ଆଉ ପ୍ରାନ୍ତର ।

ସୁଜାତାର ଆଖି ଆଢ଼ୁଆଳରେ ନିଶ୍ଚିହ୍ନ ହେଇଗଲା ସାଇକେଲ୍‌ ଖଣ୍ଡକ । ସେ ମୁହଁ ଫେରାଇଲା ।

ପଲ୍ଲୀ ଗ୍ରାମର ଶେଷ ଭାଗରେ ଛୋଟ ଗୋଟିଏ ଭଡ଼ାଘର । ଘରର ମାଲିକ ଅବଶ୍ୟ ଏ ଘରକୁ ଭଡ଼ା ଦେବା ଉଦ୍ଦେଶ୍ୟରେ କରି ନ ଥିଲେ । ତେଣୁ ଭଡ଼ାଘର ଯେଉଁ ଢଂଗରେ ହୁଏ, ଏ ଘରଟି ସେ ଢଂଗରେ ତିଆରି ହୋଇ ନ ଥିଲା । ଭିତରେ ମାତ୍ର ଦୁଇଟି କୋଠରୀ-ଛୋଟ ଅଗଣା ଆଉ ପିଣ୍ଡା । ସାମନାରେ ବୈଠକ ଘର ନାହିଁ । ମାଟି କାନ୍ଥ, ଉପରେ ଚାଲ । ପଛ ପଟରେ ଛୋଟ ବାଡ଼ିଟିଏ ଅଛି, ଆଉ ତା ଭିତରେ ଅଛି ଛୋଟ ଗଡ଼ିଆଟିଏ । ଗ୍ରାମସେବିକା ସୁଜାତା ବାଙ୍କିପୁର ଗାଁକୁ ଆସିବା ଦିନଠାରୁ ମାସିକ ଛ’ ଟଙ୍କାରେ ଏଇ ଘରଟିକୁ ଭଡ଼ାନେଇ ରହିଛି । ଏକା ଲୋକ, ହାତେ ହାତେ ରୋଷେଇ କରିନିଏ । ଅବସର ସମୟରେ ବାଡ଼ିରେ ଲଗେଇଥିବା ଫୁଲ ଗଛର ସେବା କରେ । ଅନ୍ୟ ସମୟତକ ଗାଁରେ କଟେ ।

 

ଗାଁରେ ବହୁମୁଖୀ ଯୋଜନା କାର୍ଯ୍ୟକାରୀ ହେଉଛି । ସବୁଗୁଡ଼ିକ କାର୍ଯ୍ୟକାରୀ କରିବାରେ ଦାୟିତ୍ୱ ଏଇ ସୁଜାତାଭଳି ଗ୍ରାମସେବିକା ଅବା ଗ୍ରାମସେବକଙ୍କ ଉପରେ । ଲୋକେ କିନ୍ତୁ ବୁଝୁନାହାନ୍ତି । ଦ୍ୱିତୀୟ ପଞ୍ଚବାର୍ଷିକ ଯୋଜନା ଶେଷ ହେବାକୁ ବସିଲା, ମାତ୍ର ଯୋଜନାସବୁ ଯୋଜନାରେହିଁ ରହିଗଲା । ମଣିଷର ହୃତ୍‌ପିଣ୍ଡଠାରୁ ଲକ୍ଷ ଯୋଜନ ଦୂରରେ ରହିଗଲା ପ୍ରଗତିର ପୋତ-ମହାସିନ୍ଧୁର ଅତଳ ଗର୍ଭରେ ହଜିଗଲା ସ୍ୱପ୍ନ ଆଉ କାମନା ।

 

ସୁଜାତା କର୍ତ୍ତବ୍ୟନିଷ୍ଠା ଦେଖାଇ ଗାଁ ଗାଁ ଘର ଘର ବୁଲିଛି, ସାକ୍ଷରତା ପାଇଁ ବହୁ ଯୁକ୍ତି ବାଢ଼ିଛି, ଜାପାନୀ ଚାଷ ସପକ୍ଷରେ ଭାଷଣ ଦେଇଛି । ଲୋକ ସଂପର୍କ ବିଭାଗଦ୍ୱାରା ବହୁ ଛାୟାଛବି ଗାଁରେ ଗାଁରେ ଦେଖାଇଛି, ଫଳ ବିଶେଷକିଛି ହୋଇନାହିଁ ।

 

ସେ ଯେତେବେଳେ ପ୍ରଥମେ ଏଇ ବାଙ୍କିପୁର ଗାଁକୁ ଆସିଲା, କେତେ କିଏ ନାକ ଟେକିଲେ, କେତେ କିଏ ଖଣ୍ଡି କାଶ ମାଇଲେ, ଗାଁର ଅବିବାହିତ ଟୋକାଏ ଆଖି ଠରାଠରି ହେଲେ-। ସୁଜାତା ସବୁ ଦେଖିଲା । ତା ବିଷୟରେ ଯିଏ ଯେତେ ମନ୍ତବ୍ୟ କଲେ ସବୁ ସେ ନୀରବରେ ଶୁଣିଲା । ନିରାଶ ସେ ହୋଇନି କେବେ । ତାର ବିଶ୍ୱାସ ଦିନ ଆସିବ, ଲୋକେ ନିଶ୍ଚୟ ବୁଝିବେ-

 

ସେ ଏଇ ଗାଁରେ ରହିବାର ଦୁଇବର୍ଷ ହୋଇ ଗଲାଣି । ବର୍ତ୍ତମାନ ତାର ଆଉ ଅସୁବିଧା ହେଉନି । ଏହାରି ଭିତରେ ସେ ଗୋଟିଏ ସିଲାଇ କେନ୍ଦ୍ର କରି ବସିଛି । ଗାଁର ଯୁବକ, ବୋହୂ-ଝିଅ ମାନେ ସଂଧ୍ୟା ବେଳେ ଗୋଟିଏ ଯାଗାରେ ରୁଣ୍ଡହୋଇ ସିଲାଇ ଶିଖୁଛନ୍ତି ।

 

ସୁଜାତାର ଏଇ ଉଦ୍ୟମ ସଫଳ ହେବା ପରେ ସେ ଭାରି ଲାଗିଛି ଗାଁରେ ଗୋଟିଏ ନୈଶ ବିଦ୍ୟାଳୟ ସ୍ଥାପନ କରିବା ପାଇଁ । ନିରକ୍ଷର ଲୋକେ ଅକ୍ଷର ଶିଖିବେ; ପୃଥିବୀ ଦରବାରରେ ଭାରତର ସମ୍ମାନ ବଢ଼ିବ । ସେଥିପାଇଁ କାଲି ସନ୍ଧ୍ୟାରେ କେନ୍ଦ୍ର ଅଫିସରୁ ଅର୍ଗାନାଇଜର ନଳିନୀକାନ୍ତ ଆସିଥିଲେ । ଛୋଟଧରଣର ସଭାଟିଏ ହୋଇଥିଲା । ଲୋକଙ୍କର ଆଗ୍ରହ ବଢ଼ିଛି—ଅନୁଗ୍ରହ ପ୍ରାର୍ଥୀ ସମସ୍ତେ । ସବୁ ହବ ବାବୁ, ହେଲେ ଆମ ପେଟ ଚାଖଣ୍ଡକ ପୂରାଅ ।

 

ସଭା ଭାଙ୍ଗୁ ଭାଙ୍ଗୁ ରାତି ଗୋଟାଏ ହୋଇଗଲା । ତରୁଣ ଅର୍ଗାନାଇଜର ନଳିନୀକାନ୍ତ ଅଗତ୍ୟା ସୁଜାତାର ଆତିଥ୍ୟ ଗ୍ରହଣ କରିଥିଲେ । ଦୁଇଜଣଯାକ ସରକାରୀ କର୍ମଚାରୀ, ଜଣେ ପୁରୁଷ, ଜଣେ ସ୍ତ୍ରୀ । ସେମାନଙ୍କର ଏକାଠି ରହିବାରେ ବାଧା କିଛିନାହିଁ ।

 

ଆଜି ସକାଳୁ ଉଠି ଅର୍ଗାନାଇଜର ବିଦାୟ ନେଇଛନ୍ତି । ତାଙ୍କରି ଯିବାବାଟକୁ ଚାହିଁ ରହିଥିଲା ତରୁଣୀ ସୁଜାତା ।

 

ଦୀର୍ଘ ଚାରିବର୍ଷ ତଳର ଏକ ସ୍ମୃତି-ବହୁଳ ଇତିହାସ ତା ମନକୁ

 

 

ଆଲୋଡ଼ିତ କରୁଛି । ପୁଣି ମନରେ ପ୍ରଶ୍ନ ଉଠୁଛି କାହିଁକି ସେ ଚାକିରୀ କଲା ? କାହିଁକି-? କାହିଁକି ?

 

ସୁଜାତା ଏକ ଧନୀ ପିତାର ସନ୍ତାନ । ଛଅବର୍ଷ ତଳେ ଜଣେ ଉଚ୍ଚ ଶିକ୍ଷିତ ଉଚ୍ଚ ବଂଶଜ ଉଚ୍ଚ ସରକାରୀ କର୍ମଚାରୀଙ୍କୁ ସେ ବିବାହ କରିଥିଲା । ଦିନ ତାର ବେଶ୍‌ ମାଳତୀ ଫୁଲର ଶୁଭ୍ରତା ନେଇ ବିତି ଯାଉଥିଲା । ସ୍ୱାମୀ ତାରାକାନ୍ତଙ୍କର ଆଦର ସୋହାଗ-ନିର୍ଜ୍ଜନ ରାତ୍ରିର କାମାକୁଳ ଦେହର ବେପଥୁ-ମଧୁକ୍ଷରା ସଫେଦ ଶେଯ ଆଜି ସ୍ମୃତିପଟରେ ବାରବାର ଦଂଶନ କରୁଛି । ସୁଜାତା ଥିଲା ଭାଗ୍ୟବତୀ-ବହୁ ସମବୟସୀଙ୍କର ଈର୍ଷ୍ୟାର ପାତ୍ରୀ । ମାତ୍ର ଦୁର୍ଭାଗ୍ୟକ୍ରମେ ବିବାହର ଦୁଇଟି ବର୍ଷ ନ ପୁରୁଣୁ ସ୍ୱାମୀ ତାର ସଂସାର ଲୀଳା ସାଙ୍ଗ କଲେ । ଆଖି ଲୁହର ସମୁଦ୍ର ଭିତରେ ଚେତା ତାର ବୁଡ଼ିଗଲା । ଶ୍ୱଶୁର ଘରେ ଶାଶୁଙ୍କର କଟୁକ୍ତି, ଦେଉରଙ୍କ ଅତ୍ୟାଚାରରେ କ୍ରମେ ସେ ଅତିଷ୍ଠ ହୋଇ ଉଠିଲା । ବିବାହ କର୍ମ ଶେଷକରି ଧନୀ ପିତା ଦାୟିତ୍ୱରୁ ମୁକ୍ତ ହୋଇ ଥିଲେ, ତେଣୁ ସେ ମଧ୍ୟ କୌଣସି ସାହାଯ୍ୟ କଲେ ନାହିଁ । ଦୁର୍ବିସହ ଜୀବନ ନେଇ ଆଉ ଅଧିକ କାଳ ଶ୍ୱଶୁର ଘରେ ରହିବା ସମ୍ଭବ ହେଲା ନାହିଁ । ତେଣୁ ସେ ବାଛିନେଲା ଏଇ ଜୀବନ-ହୁଏତ ଏଇଠି ମିଳିବ ତାକୁ ଶାନ୍ତି, ସେବିକାର ପରମବ୍ରତରେ ସେ ହେବ ଧନ୍ୟା ।

 

ମାତ୍ର ! ଦୁଇ ଆଖିରୁ ତାର ଲୋତକ ଧାରା ଝରୁଥିଲା ।

 

କାଲି ରାତିର ଦୁର୍ଘଟଣା ସାରା ମୁଣ୍ଡକୁ ତାର ବିଛାଭଳି ଦଂଶନ କରୁଥିଲା । ନିର୍ଜ୍ଜନତାର ସୁଯୋଗ ନେଇ ତରୁଣ ନଳିନୀକାନ୍ତ ତା’ ନିକଟରେ କରିଥିଲେ କାମନା ଚରିତାର୍ଥର ନିବେଦନ । ତାଙ୍କର ଏଇ କୁତ୍ସିତ ପ୍ରସ୍ତାବରେ ସୁଜାତାର ସର୍ବାଙ୍ଗ ଥରି ଉଠିଥିଲା । ଯାହା ଜୀବନ ପଥରେ ମୁହୂର୍ତ୍ତକ ପାଇଁ ଜଳି ଉଠି ସବୁଦିନ ପାଇଁ ନିର୍ବାପିତ ହୋଇ ଯାଇଛି, ତାର ପୁନରୁତ୍‌ଥାନ ତା ପକ୍ଷରେ ଦୁଃସହ । ସୁଜାତା ଏ ପ୍ରସ୍ତାବକୁ ପ୍ରତ୍ୟାକ୍ଷାନ କରିଥିଲା । ନଳିନୀକାନ୍ତ ତାଙ୍କ ସପକ୍ଷରେ ବହୁ ଯୁକ୍ତି ବାଢ଼ିଥିଲେ । ଦେହର ଏଇ ଆବଶ୍ୟକତା ପାଇଁ କାହିଁକି ଲୋଡ଼ା ହେବ ସମାଜର ମଞ୍ଜୁରି ମାତ୍ର ତାଙ୍କର ସବୁ ଅନୁନୟ ସୁଜାତାର କଠିଣ ବକ୍ଷରେ ବାଜି ଚୂର୍‌ମାର ହେଇ ଯାଇଥିଲା । ଶେଷରେ ସେ କରିଥିଲେ ପୁଣିଥରେ ବିବାହର ପ୍ରସ୍ତାବ । କ୍ଷତି କଣ ? ନଳିନୀକାନ୍ତ ଅବିବାହିତ-ସେ ଯଦି ସବୁଦିନ ପାଇଁ ତରୁଣୀ ସୁଜାତାକୁ ଜୀବନ-ସଙ୍ଗିନୀ କରିନିଅନ୍ତି, ଦୋଷ ରହିବ ଆଉ କେଉଁଠି ? ପଲଙ୍କରୁ ଓହ୍ଲାଇ ଆସି ସୁଜାତାର ଦୁଇହାତକୁ ଧରି ତାର କଅଁଳ ପିଠିରେ ହାତ ବୁଲାଇ ସେ ପଚାରିଥିଲେ-କୁହ ସୁଜାତା, ତମର ଏଥିରେ ଅମତ ହେବାର କାରଣ କଣ ଅଛି ?

 

ସୁଜାତା ପିଲାଙ୍କ ଭଳି କାନ୍ଦି ଉଠିଲା-ଭାବିବାକୁ ମୋତେ ସମୟ ଦିଅନ୍ତୁ । କାମାତୁର ରଜନୀରେ ନଳିନୀକାନ୍ତଙ୍କର ଧୈର୍ଯ୍ୟ ତୁଟି ଯାଇଥିଲା । କାମନା ଅନଳରେ ପ୍ରଜ୍ୱଳିତ ହେଉଥିଲା ପ୍ରତିଟି ଅବୟବ ।

 

—ସୁଜାତା, କଥା ଦଉଛି ମୁଁ, ମୁଁ ତମକୁ ବିବାହ କରିବି ।

 

ତାଙ୍କର କଠିଣ ବାହୁ ପାଶରେ ବନ୍ଦିନୀ ହୋଇଥିଲା ତ୍ରସ୍ତା ସୁଜାତା । ପୁରୁଷର ଆଲିଙ୍ଗନ-କି ତୀବ୍ର ସେ ସତେ । ମଣିଷଖିଆ ବାଘଭଳି ଯେଉଁ ମଣିଷ ଥରେ ମିଳନର ମାଧୁରୀ ଚାଖିଚି, ସେ ଆଉ ନିଜକୁ ସଂଯତ କରି ରଖିପାରେ ନାହିଁ । ସୁଜାତାର ମନେ ପଡ଼ୁଛି ବିଗତ ଦିନର ମିଳନାନ୍ତକ ରଜନୀର ନିବିଡ଼ ଅନୁଭୂତି । ତରୁଣ ନଳିନୀକାନ୍ତଙ୍କର ନିଃଶ୍ୱାସ ବାଜି ଛାତି ତାର ରୋମାଞ୍ଚିତ ହେଉଛି । ମନ ଭିତରେ କ୍ଷୀଣ ଦ୍ୱନ୍ଦ । ପ୍ରତିବାଦ ଆଉ ସେ କରିପାରୁନି-ରାତିର ଘନାନ୍ଧକାର ଭିତରେ ତାର ଭାଷା ଯେମିତି ଲୁଚି ଯାଉଛି ।

 

ନଳିନୀକାନ୍ତ ସୁଜାତାର ଦେହଛୁଇଁ ଶପଥ କଲେ ସେ ତାକୁ ବିବାହ କରିବେ ।

 

ସକାଳୁ ଉଠି ସେ ଚାଲିଯାଇଛନ୍ତି । ସୁଜାତାର ମନ-କାନନ କେଉଁ ବାତ୍ୟାରେ ଯେମିତି ଅସ୍ଥିର ହେଉଛି । ସେ ବାଡ଼ି ଭିତରକୁ ଯାଇ ସଦ୍ୟ ଫୁଟିଥିବା ଗୋଲାପଟିଏ ଛିଡ଼ାଇ ଆଣି ନିଜ ଖୋସାରେ ଖୋସିଦେଲା । ରାତିରେ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ପଲଙ୍କକୁ ପୁଣି ଥରେ ସଜାଡ଼ି ଦେଲା । ମନରେ ତାର ଅସରନ୍ତି ଭାବନା-ସେ ଭାବନାର ଶେଷ ନାହିଁ ଯେମିତି XXX ।

 

ୟା ଭିତରେ ଦୁଇମାସ ବିତିଯାଇଛି । ନଳିନୀକାନ୍ତ ବହୁଥର ସୁଜାତାର ନିଭୃତ କକ୍ଷରେ ତା ମାନସ-ମନ୍ଦିରର ଅତିଥି ବେଶ ଧରି ସମୟ କାଟିଛନ୍ତି । ଉଭୟ ଉଭୟଙ୍କୁ ବହୁ ପ୍ରେମପତ୍ର ଲେଖିଛନ୍ତି । ସଦ୍ୟ ମିଳୁଥିବା ଆନନ୍ଦ ଭିତରେ ଭବିଷ୍ୟତର ବିବାହ ଚିନ୍ତା ମନ ଭିତରୁ ଅପସରି ଯାଇ ନ ଥିଲେହେଁ କ୍ଷୀଣ ହୋଇ ଆସିଛି ।

 

XXX ଚାରିମାସ ପରର ଗୋଟିଏ ସନ୍ଧ୍ୟା । ନଳିନୀକାନ୍ତ ସୁଦୂର କେଉଁ ଏକ ଗାଁରୁ ଫେରି ସୁଜାତା ଘରେ ପହଞ୍ଚିଛନ୍ତି । ମନ ତାଙ୍କର ପଦ୍ମଫୁଲ ପରି ସତେଜ । ସୁଜାତା କିନ୍ତୁ ବିମର୍ଷ-ମୁଁହରେ ତାର ଭୟ ଆଉ ଆଶଙ୍କା । ନଳିନୀକାନ୍ତ ପ୍ରେୟସୀର ମନର ଅବସ୍ଥା ବୁଝିପାରି ତା’ ମନ ଦୁଃଖର କାରଣ ପଚାରି ବସିଲେ । ଦୁଇଟିଯାକ ଜୀବନ ବର୍ତ୍ତମାନ ଏପରି ଭାବରେ ଜଡ଼ିତ ଯେ ଜଣକ ମନର ଭାବନାର ଛାପ ଅନ୍ୟଜଣକ ମନରେ ପ୍ରତିଫଳିତ ହୁଏ ।

 

ସୁଜାତା ମୁଁହରେ ସ୍ୱାଭାବିକ ଗାମ୍ଭୀର୍ଯ୍ୟ ରଖି ନଳିନୀକାନ୍ତଙ୍କ କାନରେ କହିଲାସେ ଜନନୀ ହେବାକୁ ଯାଉଛି ।

 

ଚମକି ପଡ଼ିଲେ ନଳିନୀକାନ୍ତ–କିଛିକ୍ଷଣ ନୀରବ ରହି ସେ କହିଲେ-ସୁଜାତା, ବର୍ତ୍ତମାନର ଜନ୍ମ ନିୟନ୍ତ୍ରଣ ଯୁଗରେ ଆମର ସନ୍ତାନର ଆବଶ୍ୟକତା ନାହିଁ ।

 

—କିନ୍ତୁ ଆମର ଆବଶ୍ୟକତା, ଅନାବଶ୍ୟକତାକୁ ଅପେକ୍ଷା ନକରି ଯେ ଆସିଛି, ତାର ଭାର ତ ଆମକୁ ନେବାକୁ ପଡ଼ିବ–କହିଲା ସୁଜାତା ।

 

—ଯଦି ଭ୍ରୂଣର ଜୀବନ ସଂଚାର ଆଗରୁ ତାକୁ ମୁକ୍ତି ଦିଆଯାଏ ?

 

—ନା, ତା କରିବାକୁ ମୁଁ ଦେବି ନାହିଁ ।

 

—କିନ୍ତୁ ପାଶ୍ଚାତ୍ୟ ଦେଶରେ ଏହାକୁ ତ ଆଇନ ସଙ୍ଗତ କରିଦିଆ ଯାଇଛି, ତମେ ଅବୁଝା ହୁଅନି ସୁଜାତା, ମୋ କଥା ମାନ ।

 

ଯେଉଁ ନାରୀ ସନ୍ତାନର ମୁଖ ଦେଖି ନଥିଲା, ସେ ଆଜି ଜନନୀ ହେବାର ଗୌରବକୁ ନିଜ ହାତରେ ଦୂରକୁ ଫିଙ୍ଗି ଦେଇ ପାରିବ ନାହିଁ । ସୁଜାତା ଏଭଳି ପ୍ରସ୍ତାବରେ ସମ୍ମତ ହୋଇ ପାରିଲା ନାହିଁ । ତାର ସ୍ଵାଧୀନ ଇଚ୍ଛା ଉପରେ ହସ୍ତକ୍ଷେପ କରିବାର ସାହସ ନଳିନୀକାନ୍ତଙ୍କର ନଥିଲା ।

 

ଭାରାକ୍ରାନ୍ତ ମନରେ ସେଦିନ ସେ ଫେରି ଯାଇଥିଲେ–ବହୁ ପ୍ରକାର ଆଶ୍ୱାସନା ଦେଇ ଯାଇଥିଲେ ତାକୁ । ପ୍ରତିଶ୍ରୁତିର ଅନାଗତ ସଫଳ ମୁହୂର୍ତ୍ତକୁ ଚାହିଁ ବସି ରହିଲା ସୁଜାତା ।

 

କ୍ରମେ ସେ ଦୁର୍ବଳ ହୋଇ ପଡ଼ୁଛି-କୌଣସି କାମରେ ମନ ଲାଗୁନାହିଁ । ଅସ୍ଥିରତା, ଭୟ, ଆଶଂକା ସବୁମିଳି ତାକୁ କ୍ଷୀଣକରି ପକାଉଛନ୍ତି । ପ୍ରତିଶ୍ରୁତି ମୁତାବକ ନଳିନୀକାନ୍ତ ଆଉ ଆସି ନାହାନ୍ତି ।

 

ଦିନପରେ ଦିନ କି ଚଞ୍ଚଳ ଗତିରେ ଗଡ଼ି ଯାଉଛି । ଗର୍ଭସ୍ଥ ସନ୍ତାନର ମମତା ସୁଜାତା ନିକଟରେ ଯେତିକି ନିବିଡ଼ ହେଉଛି, ବାହାରର ଆଶକାଂରେ ମନ ତାଠାରୁ ଦ୍ୱିଗୁଣ ବେଗରେ ଆନ୍ଦୋଳିତ ହେଉଛି ।

 

କାହାନ୍ତି ନଳିନୀକାନ୍ତ ? ସୁଜାତା ସେଦିନ ପତ୍ର ଲେଖି ଗାଁର ଜଣେ ଲୋକକୁ ନଳିନୀକାନ୍ତଙ୍କ ପାଖକୁ ପଠାଇଥିଲା । ମାତ୍ର ସେ ଲୋକ ଫେରି ଆସି ସମ୍ବାଦ ଦେଲା ଯେ,—ସେ ମାସେ ହେଲା ଗଞ୍ଜାମ ଜିଲ୍ଲାକୁ ବଦଳି ଗଲେଣି । ଏ ଖବର ପାଇ ସୁଜାତା ମୂର୍ଚ୍ଛା ଗଲା ଯେମିତି । ପ୍ରବଞ୍ଚନାର ସୀମା ଅଛି । ମାତ୍ର ଏ ପ୍ରକାର ପ୍ରବଞ୍ଚନା ସେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲା ।

 

ସେ ଚାକିରୀରୁ ଦୁଇମାସ ପାଇଁ ଛୁଟୀ ନେଲା । ନଳିନୀକାନ୍ତଙ୍କର ଠିକଣା ଯୋଗାଡ଼ କରି ପତ୍ର ଲେଖିଲା । ବିବାହର ପ୍ରତିଶ୍ରୁତି ପୁଣି ଥରେ ମନେ ପକାଇ ଦେବାକୁ ଚେଷ୍ଟା କଲା । ନିଜର ଶକ୍ତି ଥିଲେ ସେ ହୁଏତ ଗଞ୍ଜାମ ଚାଲିଯାଇ ଥାନ୍ତା ମାତ୍ର ନିଜର ଏପରି ଅବସ୍ଥାରେ ଏତେଦୂର ଯିବା ସମ୍ଭବ ହେଲାନାହିଁ । ପତ୍ର ଦେବାର ଛ’ଦିନ ପରେ ଉତ୍ତର ଆସିଲା । ନଳିନୀକାନ୍ତ ଲେଖିଥିଲେ—

 

ସୁଜାତା,

 

ମୋ କଥା ମାନିଲ ନାହିଁ । ନିଜ ଇଚ୍ଛାରେ ତୁମେ ଏ ବିପଦକୁ ବରଣ କଲ । ମତେ କ୍ଷମା କରିବ । ତମରତ ଜୀବନ ଜଳିପୋଡ଼ି ଛାରଖାର ହୋଇଯାଇଛି, ମୋର ଏଇ ଜୀବନକୁ ଆଉ ନଷ୍ଟ କରିବ କାହିଁକି ? ବାପା ମା’ଙ୍କର ଜିଦ୍‌ରେ ମୋର ବିବାହ ସ୍ଥିର ହୋଇ ଯାଇଛି । ମୁଁ ବର୍ତ୍ତମାନ ନାଚାର । ତୁମେତ ଥରେ ଘରସଂସାର କରିଥିଲ । ତୁମ ସ୍ୱାମୀଙ୍କର ଅକାଳ ବିୟୋଗ ପରେ କଠିଣ ବୈଧବ୍ୟ ବ୍ରତ ପାଳନ କରି ନପାରି ଘରର ଆବେଷ୍ଟନୀ ଛାଡ଼ି ବାହାରି ଆସିଲ ବାହାରର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ । ମୋ ମତରେ ଆମ ସମାଜରେ ପୂର୍ବରୁ ଯେଉଁ ନିୟମ ଥିଲା-ତା’ ଭଲଥିଲା । ବିଧବାର ଦ୍ୱିତୀୟବାର ବିବାହ ଆଇନ ସଙ୍ଗତ ନ ହୋଇ ଆଇନ ଦ୍ୱାରା ନିଷିଦ୍ଧ ହେବା ଉଚିତ । ତା’ହେଲେ ଦେଶର ସମୂହ ଉନ୍ନତି ହେବ । ଲୋକ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲୁଚି ବୋଲି ନେତାମାନେ ଚିତ୍‌କାର କରୁଛନ୍ତି ଏଣେ ବିଧବା-ବିବାହ ପ୍ରଚଳନ କରୁଛନ୍ତି, ଦୁଇଟିଯାକ ପରସ୍ପର ବିରୋଧୀ । ବିଧବାମାନଙ୍କୁ ବିବାହ କରିବାର ସୁଯୋଗ ଦିଆଯିବା ଉଚିତ ନୁହେଁ ।

 

ତୁମ ଜୀବନ ଆକାଶରେ ଗୋଟାଏ ଧୂମକେତୁ ଭଳି ମୋର ଆବିର୍ଭାବ ମୁଁ ଗୋଟାଏ ଦୁଃସ୍ୱପ୍ନ । ତୁମେ ବୁଦ୍ଧିମତୀ, ତମକୁ ଆଉ କି ଉପଦେଶ ମୁଁ ଦେବି ? ଏ ପରିସ୍ଥିତିରେ ନିଜର କର୍ତ୍ତବ୍ୟ ନିଜେ ସ୍ଥିର କରି ନେବ ।

 

ଇତି

ତମର

ନ............

 

ଚିଠି ପଢ଼ିସାରି ସୁଜାତା ମୂର୍ଚ୍ଛା ହୋଇ ପଡ଼ିଲା ଶୋଇଥିବା ସ୍ଥାନରେ । ତାର ଚେତା ଫେରିବା ବେଳକୁ ସେ ଦେଖିଲା, ହସ୍ପିଟାଲ୍‌ର ଏକ ମୁଖର କୋଣରେ ଆଶ୍ରୟ ପାଇଛି । ପେଟରେ ଯନ୍ତ୍ରଣା—ଜରାୟୁ ଚିରି ଏଇ ଜନ୍ମ ନେବ ଏକ ନିର୍ମଳ ଶିଶୁ, ଯାହାଦେହରେ ବାହାରର ମଳିଧୂଳି ଲାଗିନାହିଁ । ତାର ଚିତ୍କାରରେ ବାୟୁମଣ୍ଡଳ ପ୍ରତିଧ୍ୱନିତ ହେଉଥିଲା–ଚତୁର୍ଦ୍ଦିଗ ଲାଗୁଥିଲା ଶୂନ୍ୟ । ସେଇ ଶୂନ୍ୟତା ଭିତରେ ସେ ଖୋଜୁଥିଲା ବଞ୍ଚିବାର ରାହା ।

Image

 

କ୍ଷୁଧା

 

ଅଖିଳ ଝୁଣ୍ଟି ପଡ଼ିଲା । ବବୁରି ବାଳ ଗୁଡ଼ାକରେ ଚାରିଦିନ ହେଲା ତେଲ ଲାଗି ନଥିବାରୁ ପବନରେ ସେ ଗୁଡ଼ାକ ଫୁର୍‌ ଫୁର୍‌ ହୋଇ ଉଡ଼ୁଚି । ହାଓ୍ୟାଇନ ଶାର୍ଟର ସବୁଗୁଡ଼ାକ ବୋତାମ ଖୋଲିଦେଇ ସେ ଆଗେଇ ଚାଲିଛି–ଆସନସୋଲ୍‌ ଟାଇମ ହୋଇଗଲାଣି । ଗାଡ଼ିରେ ବହୁତ ବଦାନ୍ୟ ବ୍ୟକ୍ତି ନିଶ୍ଚୟ ଯାତ୍ରା କରୁଥିବେ । ଅଖିଳ ତାଂକରି ଆଗରେ ହାତ ପାତି କିଛି ଭିକ୍ଷା କରିବ-ୟା’ ଛଡ଼ା ତାର ଆଉ କିଛି ଉପାୟ ନାହିଁ । ଚିର ପରିଚିତ କଟକ ସହରର ରାସ୍ତାଉପରେ ସେ ଭିକ୍ଷା ମାଗି ପାରିବ ନାହିଁ । ତେଣୁ ସେ ଛୁଟିଛି ଷ୍ଟେସନ ।

 

-ଆରେ ଆଖି ଥାଉ ଥାଉ ଅଂଧ, ରାସ୍ତାଚାଲି ଜାଣୁନୁ ?

 

ଅଖିଳ ପଡ଼ି ଯାଉ ଯାଉ ରହିଗଲା । ରିକ୍‌ସା ବାଲାଟା ଆଉ ଟିକିଏ କ୍ରୂର ଦୃଷ୍ଟି ହାଣି ଚାଲିଗଲା ତା’ର ଗନ୍ତବ୍ୟ ପଥରେ । କଲେଜ ଛକ ଯେମିତି ଏକ ଅଟ୍ଟହାସ୍ୟ ତୋଳି ହସିଉଠିଲା-ଉପହାସ କଲା ତାର ଆଜିକାର ଏଇ ଦୁର୍ଭାଗ୍ୟକୁ ।

 

ଅଖିଳ ମହାନ୍ତି । ଛ’ ବର୍ଷତଳେ ଏଇ ବଡ଼ କଲେଜରେ ସେ ପାଠ ପଢ଼ୁଥିଲା । ଏଇ କଲେଜ ଛକରେ ସେ ବି ଏମିତି କେତେ କାହାକୁ ଉପହାସ କରିଛି ।

 

ପ୍ରଭାମୟୀ ପଟ୍ଟନାୟକ-ସେତେବେଳେ ସେ ଥିଲା ଅଖିଳର ସହପାଠିନୀ—ସୁନ୍ଦରୀ ସୁଶ୍ରୀ । ଏଇ ତନ୍ୱୀ ଯୁବତୀକି ନିଜର କରିବାପାଇଁ ତାର କି ଅପ୍ରାଣ ଚେଷ୍ଟା । ପ୍ରଭାମୟୀ ରିକ୍‌ସା ପଛରେ ସାଇକେଲ୍ ଛୁଟେଇ ସେ କେତେଥର କଟକଚଣ୍ଡୀ ପର୍ଯ୍ୟନ୍ତ ଯାଇଛି । କେତେ କଟାକ୍ଷ—କେତେ ଦୀର୍ଘଶ୍ୱାସ । ପ୍ରଭାମୟୀ ନାରୀ, ତେଣୁ ଦିନେ ସେ ଅଖିଳର ଏକନିଷ୍ଠତା ଆଗରେ ନଇଁ ଯାଇଥିଲା । ତା’ପରେ ଆରମ୍ଭ ହୋଇଥିଲା ଦୁଇଟି ଜୀବନର ହାସ ରାସର ଉତ୍ସବ ।

 

ଅଖିଳ ଆଜି ନିରୋଳା ମୁହୂର୍ତ୍ତରେ ଭାବେ—କାହିଁଗଲା ସେଦିନର ଚନ୍ଦ୍ର ଚକିତ ରଜନୀର ହର୍ଷୋତ୍‌ଫୁଲ୍ଲତା, ଜୋବ୍ରା ବନ୍ଧର କଳ କଲ୍ଲୋଳ ସଂଗୀତ । ଏଇ ବ୍ୟବଧାନ ପରେ ସେ ଖବର ପାଇଛି ପ୍ରଭାମୟୀ ଆଜି ବିଭା ହୋଇ ଘରଦ୍ୱାର କରିଛି—କୋଳରେ ପାଇଛି ସଂତାନ । ସ୍ୱାମୀ ତାର ଜଣେ କଂଟ୍ରାକ୍‌ଟର-ଲକ୍ଷ ଲକ୍ଷ ଟଙ୍କାର ମାଲିକ ।

 

ଆଉ ସେ ? ମୁହଁରୁ ତାର ଫୁଟି ଉଠୁଚି ଦୈନ୍ୟର ସଂଗୀତ—ଛାତି ଭିତରେ ଅନୁଭବ କରୁଛି କ୍ୟାନ୍‌ସରର ଯଂନ୍ତ୍ରଣା । ସେ ବେକାର, ସେ ବୁଭୂକ୍ଷୁ, ବିଜ୍ଞାପନର ଯୁଗରେ ତାର ଦାମ ନାହିଁ–ଶିକ୍ଷା ତାର ମୂଲ୍ୟହୀନ ।

 

ବି.ଏ. ପାଶ୍‌ କରିସାରି ଚାକିରୀ ଖଣ୍ଡିଏ ପାଇଁ ସେ ଦୁଆର ଦୁଆର ବୁଲୁଛି—ଏମ୍ପ୍ଲୟମେଣ୍ଟ ଏକ୍‌ସଚେଞ୍ଜରେ ନାମ ରେଜିଷ୍ଟ୍ରି କରି ବର୍ଷ ବର୍ଷ ଅପେକ୍ଷା କରିଛି–ମାତ୍ର ସବୁଆଡ଼ୁ ନିରାଶ ହୋଇଛି । ହତଭାଗ୍ୟ ସେ—କିରାଣୀ ଚାକିରୀ ଖଣ୍ଡିଏ ପାଇଁ ଯୋଗ୍ୟ ବିବେଚିତ ହୋଇପାରିନି ।

 

ତିନିଦିନ ହେଲା ତାର ଉପବାସ । ପେଟ ଭିତରଟା କ୍ଷୁଧାରେ ଘାଣ୍ଟି ଚକଟି ହେଉଛି । ରାସ୍ତା କଡ଼ ଦୋକାନ ଗୁଡ଼ିକରେ ସଜା ହୋଇ ରହିଥିବା ଖାଦ୍ୟ ଦେଖି ତା’ମନରେ ଜାତ ହେଉଛି କେତେ ପ୍ରକାର ଦୁର୍ଭାବନା । ଜବରଦସ୍ତ ଏଇ ଖାଦ୍ୟଗୁଡ଼ାକୁ ଲୁଟ କରିନେଲେ କ୍ଷତି କଣ ? ଭିତରକୁ ପଶିଯାଇ ବେଶ୍‌ ପେଟେ ଖାଇ ପଇସା ନ ଦେଇ ଦଉଡ଼ି ପଳାଇ ଗଲେ କେମିତି ହୁଅନ୍ତା-?

 

ଚିନ୍ତା ଆଉ ଚିନ୍ତା । ସାମନାରୁ ବେଶ୍‌ ଚକଚକିଆ ମୋଟରଟିଏ ଆସୁଛି । ତା’ରି ପାଖରେ ଆସି ବନ୍ଦ ହୋଇଗଲା ।

 

ଏ, ଏ, ଶୁଣ । ମୋଟର ଭିତରେ ବସିଥିବା ବାବୁ ଜଣକ ଡାକିଲେ । ସେ ପାଖେଇ ଗଲା । ମୋଟର ଭିତରେ ବସିଛି ପ୍ରଭାମୟୀ—ତା’ର ବହୁ ଦିନର ପରିଚିତା ପ୍ରଭା । ମୁହଁରେ ତାର ହସ ଉକୁଟି ଉଠୁଥିଲା । ମାତ୍ର ପ୍ରଭା ଥରଟିଏ ଚାହିଁ ଆଖି ଫେରାଇନେଲା–ଚାଲ ମିଟିଂ କିଲା ପଡ଼ିଆରେ ହେଉଥିବ ।

 

ଅଖିଳ ଦୀର୍ଘନିଃଶ୍ୱାସ ପକେଇଲା । ବାବୁ ଜଣକ ପଚାରିଲେ–ଏ, ଏଠି ଅଗଷ୍ଟ ପନ୍ଦର ମିଟିଂ କେଉଁଠି ହେଉଛି ? ସେଠିକି ମନ୍ତ୍ରୀ ଆସିଛନ୍ତି–ତାଂକ ପାଖରେ ଜରୁରୀ କାମ । କହି ପାରିବୁ-?

 

ଅଖିଳ ମୁଣ୍ଡ ହଲାଇ ନାହିଁ କଲା । ସେ’ତ ବେକାର, ବୁଭୂକ୍ଷୁ । ତା’ର ଏ ସବୁ ମିଂଟି ସହିତ ସଂପର୍କ ବା କଣ ?

 

ମୋଟର ଚାଲିଗଲା । ପ୍ରଭାମୟୀ ଚାହିଁଲା ନାହିଁ । ସଂସାରରେ ବଂଧୁତାର ମୂଲ୍ୟ କଣ-? ଅଖିଳ ଏକା-ପିତାମାତା ଭାଇବଂଧୁର ବଂଧନ ତାର ନାହିଁ । ବରଂ ଭଲ ହୋଇଛି । ବଂଧୁତାର ମୂଲ୍ୟ ଯଦି ଗୋଟିଏ ନୂଆ ପଇସାଠାରୁ ବି କମ, ସଂସାରରେ ଏକା ରହିବା ବରଂ ଭଲ-

 

ହାୟ ପ୍ରଭାମୟୀ ! ଚିତ୍କାର କରି ଉଠିଲା ଅଖିଳ । ତୋର ଏଇ ଆଭିଜାତ୍ୟକୁ ମୁଁ ଯଦି ଭାଙ୍ଗି ପାରନ୍ତି ! ତୋ’ ମୁହଁରୁ ରୂପାର ଚାମୁଚଟା ମୁଁ ଯଦି ଛଡ଼ାଇ ଆଣି ପାରନ୍ତି ! ହାୟ ହାୟ, ନିଷ୍ଫଳ ଭାବନା । ଲକ୍ଷପତି କଣ୍ଟ୍ରାକ୍‌ଟର ଆଉ ସର୍ବହରା ଅଖିଳ—ଆକାଶ ପାତାଳ ପ୍ରଭେଦ ।

 

ସେ ପଛକୁ ଚାହିଁଲା—ବହୁତ ଲୋକ ରାଣୀହାଟ ପୋଲ ପାଖକୁ ଧାଇଁଛନ୍ତି—ମୋଟର ଏକ୍‌ସିଡେଣ୍ଟ । ସେ ବି ଧାଇଁଲା । ଆରେ, ଏଇ ଯାଇଥିବା ଚକଚକିଆ ମଟରଟାତ ରାଣୀହାଟ ପୋଲରେ ଧକ୍‌କା ଲାଗିଯାଇଛି—ତା’ରି ଭିତରେ ଥିଲା ପ୍ରଭାମୟୀ । ଲୋକ ଭିଡ଼କୁ ଅତିକ୍ରମ କରି ସେ ଧାଇଁଗଲା । କଣ୍ଟ୍ରାକ୍‌ଟରବାବୁ ସଂଜ୍ଞାହୀନ ହେଇ ପଡ଼ିଛନ୍ତି—ମଟରର ସାମନା କାଚ ଭାଙ୍ଗି ଚୂରମାର ହେଇ ଯାଇଛି—ସେଇ କାଚ କେଇଖଣ୍ଡଲାଗି ପ୍ରଭାମୟୀର କପାଳରୁ ରକ୍ତ ବହୁଛି । ଅଖିଳ ଭିଡ଼ ଠେଲି ମଟର ପାଖକୁ ଆଗେଇଗଲା ।

 

—ଏମିତି ଦୁର୍ଯୋଗ ।

 

ଅଖିଳ କଂଠରୁ ଏତକଶୁଣି ପ୍ରଭାମୟୀ ଚାହିଁଲା । ‘ପୋଲିସ୍‌ ‘ହଟୋ ହଟୋ’ କହି ଲୋକଙ୍କୁ ଦୂରକୁ ଘଉଡ଼ାଉଛି । ପ୍ରଭାମୟୀ ଚାହୁଁଛି ସାହାଯ୍ୟ—ହସ୍ପିଟାଲ ଯିବାର ପଥ ଖୋଜୁଛି ସେ । ସହର ଆଡ଼ୁ ଆଉ ଗୋଟିଏ ମୋଟର ଆସି ଠିଆ ହେଇଗଲା ସେଇଠି । ସୁନା ଚଷମାଦିଆ ବାବୁ ଜଣେ ତା’ ଭିତରୁ ଓହ୍ଲେଇପଡ଼ି ପଚାରିଲେ—କଣ ହେଇଛି ?

 

ଅଖିଳ ଚିହ୍ନି ପାରିଲା ଏଇବାବୁଙ୍କୁ । ସୁରେନ୍ଦ୍ର—ସେ ମଧ୍ୟ ତା’ରି ସହପାଠୀ, ବର୍ତ୍ତମାନ ଡେପୁଟୀ ମାଜିଷ୍ଟ୍ରେଟ । ପ୍ରଭାମୟୀ ପାଖକୁ ଆସି ସେ କହିଲେ—ହଲୋ ପ୍ରଭା...

 

—ଆରେ ସୁରେନ୍ଦ୍ରବାବୁ ଯେ, ଏଇମିତିକା ଦୁର୍ଯୋଗରେ ଆମେ ପଡ଼ିଛୁ । ଆପଣଙ୍କର କାରରେ ଆମକୁ ଟିକିଏ ହସ୍ପିଟାଲ୍‌ ନେଇ ଚାଲନ୍ତୁ ।

 

ପୋଲିସ ଲାଠି ଉଞ୍ଚେଇ ଲୋକଙ୍କୁ ଦୂରକୁ ତଡ଼ୁଛି । ଅଖିଳ ନିର୍ନିମେଷ ନୟନରେ ଚାହିଁ ରହିଛି ପ୍ରଭାମୟୀର ମୂର୍ଚ୍ଛାହତ ସ୍ୱାମୀଙ୍କ ଆଡ଼େ ପୋଲିସର ଲାଠି ବସିଗଲା ତା’ କାନ୍ଧର—ହଟୋ । ସିଂହ ପରି ଗର୍ଜୁଛି ପୋଲିସର କଂଠ ।

 

ଡେପୁଟୀ ମାଜିଷ୍ଟ୍ରେଟ୍‌ ସୁରେନ୍ଦ୍ର ଆହତ ବ୍ୟକ୍ତିଙ୍କୁ ନେଇ ହସ୍ପିଟାଲ ଆଡ଼େ ଚାଲିଗଲେ । ଭାଙ୍ଗି ଯାଇଥିବା କାର୍‌ ଖଣ୍ଡକ ପୋଲିସ ଦାୟିତ୍ୱରେ ରହିଲା ।

 

ଅଖିଳ ପେଟର କ୍ଷୁଧା ଦ୍ୱିଗୁଣିତ ହେଇଗଲା । ଖାଦ୍ୟ ନ ପାଇଲେ ଏଇ ମୁହୂର୍ତ୍ତରେ ସେ ହୁଏତ ମରିଯିବ । ଆସନ୍‌ସୋଲ୍‌ ଟ୍ରେନ୍ ଚାଲିଯାଇ ସାରି ନଥିବ । ଟ୍ରେନରେ ମାଗି ମାଗି ଖୋର୍ଦ୍ଧା ପର୍ଯ୍ୟନ୍ତ ଗଲେ ଏ ଓଳିର ଖାଦ୍ୟଟା ଯଦି ଯୋଗାଡ଼ ହୋଇଯାଏ....ଲଜ୍ଜା କଣ ? ଏଇ ଲଜ୍ଜାକୁ ଜଗି ବସିଲେ ମରଣ ଯେ’ ଅବଶ୍ୟମ୍ଭାବୀ । ଇଂରେଜୀ ପଢ଼ୁଆ ବାବୁମାନଙ୍କୁ ଇଂରାଜୀରେ ନିଜର ଦୁର୍ଦ୍ଦଶା ଜଣେଇଲେ ସେମାନେ ହୁଏତ ଦୟା ବହିବେ । ସେ ପୁଣି ଷ୍ଟେସନ ଆଡ଼େ ପାଦ ବଢ଼େଇଲା । ଶକ୍ତି ନାହିଁ ଆଉ । ଏ ଯେଉଁ ଖରା ଆଉ ଝାଞ୍ଜି—ସେଥିରେ ସେ ଉପବାସୀ, ଦେହ ଥରୁଛି ।

 

ଷ୍ଟେସନ ମୋଡ଼ ଉପରେ ସେ ଆସି ପହଞ୍ଚିଲାଣି । ଅଂଧଟିଏ ଖଂଜଣି ବଜେଇ ଗୀତ ଗାଉଛି । ଯାଉଥିବା ଲୋକେ ପଇସେ ଦି ପଇସା କରି ତା’ ହାତରେ ଦେଇ ଯାଉଛନ୍ତି । ଏଇ ଅଂଧଟିକୁ ସେ ଆଠବର୍ଷ ହେଲା ଏମିତି ଭାବରେ ଦେଖି ଆସୁଛି । ସକାଳଠୁ ସଂଧ୍ୟା ପର୍ଯ୍ୟନ୍ତ ଏଇଠି ଖଞ୍ଜଣି ବଜେଇ ସେ ତା’ର ଜୀବିକା ନିର୍ବାହ କରି ପାରୁଛି । ଭିକ୍ଷା ବେଶ୍‌ ଲାଭଜନକ ବ୍ୟବସାୟ ।

 

—ବାବୁ, ଭୋକ ଲାଗୁଛି, କିଛି ପଇସା ଦିଅ, ଗଣ୍ଡେ ଖାଇବି ।

 

ଅଖିଳ ଚାହିଁଲା । ତା’ରି ପାଖରେ ହାତ ପାତି ଠିଆ ହୋଇଛି ଦଶ ଏଗାର ବର୍ଷର ପିଲାଟିଏ । ଦେହରେ ବୋଝେ ମଳି—ଆଖି ପତା ଦି’ଇଞ୍ଚ ଗଭୀରକୁ ପଶି ଯାଇଛି ।

 

—ଦିଅ ବାବୁ, ଦି ଦିନ ହେଲା କିଛି ଖାଇନି ।

 

ଅଖିଳର ଆତ୍ମା କାନ୍ଦି ଉଠିଲା । କି ଉତ୍ତର ସେ ଦେବ ଏଇ ଭିକ୍ଷୁ ପିଲାଟିକି ? ଯାହାକିଛି ଉତ୍ତର ଦେଲେ ମଧ୍ୟ ସେ କଣ ବିଶ୍ୱାସ କରିବ ? ପିଲାଟି ତା’ ପେଟରେ ଚାପୋଡ଼ା ମାରି ପେଟ ଦେଖଉଛି ।

 

ଅଖିଳ ଠିଆ ହେଇଗଲା—ଭିକ ମାଗୁଛୁ କାହିଁକି ?

 

—କଣ କରିବି ବାବୁ, ଘରେ କେହି ନାହାନ୍ତି । ଖାଇବି କଣ ?

 

—ତୋର ଘର ଅଛି ?

 

—କୁଡ଼ିଆଟିଏ ଅଛି ବାବୁ ।

 

ଅଖିଳ ଭାବୁଥିଲା—ତେବେ ତା’ ଅବସ୍ଥା ସହିତ ଏଇ ଭିକ୍ଷୁ ପିଲାଟିର ଅବସ୍ଥା ସମାନ । ସେ କହିଲା—ଗାଡ଼ିରେ ଭିକ ମାଗୁନୁ ?

 

—ବାବୁ, ଗାଡ଼ିରେ ଭିକ ନ ଦେବା ପାଇଁ ରେଲ କମ୍ପାନୀ ଲେଖି ଦେଇଛି । କେହି ଆଉ ଗାଡ଼ିରେ ଭିକ ଦଉନାହାନ୍ତି । ମୁଁ ଗୀତ ଗାଇ ଜାଣେନା ବାବୁ, ଜାଣିଥିଲେ ଗାଡ଼ିରେ ଗୀତ ଗାଆନ୍ତି । ଗୀତ ଗାଇବା ଲୋକକୁ ଭିକ ମିଳୁଛି ।

 

ସର୍ବନାଶ ! ଅଖିଳ କଣ କହି ଭିକ ମାଗିବ ?

 

ଦିଅ ବାବୁ ! ଭିକାରୀ ପିଲାର ଅଝଟ ।

 

—ନା, ମୋ ପାଖରେ ପଇସା ନାହିଁ, ତୁ ଯା, ଅନ୍ୟ କେଉଁଠି ମାଗିବୁ ।

 

—ମିଛ କହୁଛ ବାବୁ !

 

—ଖାଇବାକୁ ଯଦି ନ ପାଉଛୁ, ରେଳ ଲାଇନରେ ଶୋଇଯା ।

 

—ତମେ ଅଦିଆ ।

 

ଭିକ୍ଷୁ ପିଲାଟି ଫେରି ଯାଇ ଅନ୍ୟ ଜଣକ ପାଖରେ ହାତ ପତେଇଲା । ଅଖିଳ ପାଦର ଗତି ଆହୁରି ବଢ଼େଇ ଦେଲା । ଯେମିତି ହେଉ ତାକୁ ଖାଦ୍ୟ ଯୋଗାଡ଼ କରିବାକୁ ପଡ଼ିବ ।

 

ତାକୁ ବାନ୍ତି ଲାଗୁଛି...ପେଟ ଅସମ୍ଭବ ମୋଡ଼ୁଛି । ରାସ୍ତା କଡ଼କୁ ଯାଇ ବାନ୍ତି କରି କରି ସେ ବେହାଲ୍‌ ହେଇ ପଡ଼ିଲା । ଦେହରେ ଆଉ ଉଠିବାକୁ ବଳ ନାହିଁ । ତଥାପି ତାକୁ ଉଠିବାକୁ ହେବ । ଆସନସୋଲ୍ ଗାଡ଼ିହିଁ ତା’ର ଏକମାତ୍ର ଆଶା ଭରସା ।

 

ସେ ଉଠିଲା । ନା, କ୍ଷୁଧାର ତୀବ୍ର ଦାଉ ଆଉ ସେ ସମ୍ଭାଳି ପାରିବ ନାହିଁ । ଦୁର୍ବଳ ପାଦ ଯୋଡ଼ିକୁ ଘୋଷାରି ଘୋଷାରି ସେ ଆଗେଇଗଲା । ପ୍ଲାଟଫର୍ମରେ ସଂଧ୍ୟା ବେଳର ଇଲେକ୍‌ଟ୍ରିକ୍‌ ବତୀ ଜଳୁଛି । ତା’ରି ପାଖ ଦେଇ ଯୁବକ ଆଉ ଯୁବତୀଟିଏ ମନଖୁସିରେ ଚାଲିଗଲେ । ଭବିଷ୍ୟତର ରଙ୍ଗୀନ ସ୍ୱପ୍ନ ସେମାନେ ଦେଖୁଛନ୍ତି । ସେ ଯାଇ ଗୋଟାଏ ବେଞ୍ଚ ଉପରେ ବସି ପଡ଼ିଲା । ଆସନସୋଲ୍‌ ଗାଡ଼ିପାଇଁ ତା’ର ଅପେକ୍ଷା ।

 

ଘଣ୍ଟାଏ ବିତି ଯିବାକୁ ବସିଲା । ଗାଡ଼ି କାହିଁ ? ପାଖରେ ବସିଥିବା ଆଉ ଜଣେ ଲୋକକୁ ସେ ପଚାରିଲା । ଲୋକଟି ଜବାବ ଦେଲା-ନିର୍ଗୁଣ୍ଡି ଷ୍ଟେସନରେ ଗୋଟିଏ ମାଲଗାଡ଼ି ଦୁର୍ଘଟଣା ହେଇଛି—ସେଥିପାଇଁ ଆସନସୋଲ୍‌ ଛ’ଘଣ୍ଟା ଡେରିରେ ଆସିବ ।

 

ଦୁର୍ଭାଗ୍ୟ । ଅଖିଳ କଣ ଏଇ ଛ’ଘଣ୍ଟା ରହିପାରିବ ? ଅସମ୍ଭବ । ଆଖି କୋଣରେ ତା’ର ଲୁହ । ଅତ୍ୟନ୍ତ ନିରାଶାରେ ସେ ଭାଙ୍ଗି ପଡ଼ିଲା—ବେଞ୍ଚ ଉପରୁ ଢଳି ପଡ଼ିଲା ତଳକୁ । ତା’ର ଶିକ୍ଷା ମାଲଗାଡ଼ିର ନିର୍ମମ ଚକ ତଳେ ଯେମିତି ପେଷି ହେଇ ଯାଉଥିଲା । ଆଲୋକିତ ପ୍ଳାଟଫର୍ମ ତାକୁ ଦିଶୁଥିଲା ଅଂଧକାରମୟ ।

 

—ମୁଁ ମରିବାକୁ ଚାହେଁ—ମୁଁ ମରିବି ।

 

ବେଞ୍ଚରେ ବସିଥିବା ଲୋକ ଜଣକ ଅଖିଳକୁ ପାଗଳ ବୋଲି ଭାବି ବେଞ୍ଚ ଉପରୁ ଉଠି ଅନ୍ୟତ୍ର ଚାଲିଗଲେ । କଟକ ଷ୍ଟେସନର ମୁଖରିତ ପ୍ଲାଟଫର୍ମର ଗୋଟିଏ ଅପେକ୍ଷାକୃତ ନିର୍ଜନ କୋଣରେ ପଡ଼ିରହିଲା ଅଖିଳ—ତା’ ଜୀବନରେ ଆଉ ଆସନସୋଲ୍‌ ଟ୍ରେନ୍ ଆସିବ କି ନାହିଁ ତା’ କିଏ ଜାଣେ ?

Image

 

ଲାଲ୍‌ ଗୀର୍ଜ୍ଜା

 

ସେତେବେଳେ ସହର ବୋଲି ଥିଲା ସର୍ବମୋଟ ପଚିଶଟା ଦୋକାନ । ତେଜରାତି, ଜଳଖିଆ, ମନୋହରି ଦୋକନ ସାଙ୍ଗକୁ ଦୁଇଟା ହୋଟେଲ୍ ବି ଥିଲା । ମଫସଲରୁ ଯେଉଁ ଲୋକମାନେ କଚେରି କାମରେ ଆସୁଥିଲେ ସେମାନେହିଁ ହେଉଥିଲେ ଏ ହୋଟେଲ୍‌ର ଗ୍ରାହକ । ଦୁଇଟାଯାକ ହୋଟେଲ ପାଖାପାଖି—ଦୁହିଁଙ୍କ ଭିତରେ କମ୍ପିଟିସନ । ଦୁଇଟି ଯାକ ହୋଟେଲ୍‌ ସାମନାରେ ଦୁଇଜଣ ଚିତାଚଇତନ କଟା ଲୋକ ଠିଆହୋଇ ଗରାଖମାନଙ୍କୁ ଡାକନ୍ତି ।

 

ଭିତର ବ୍ୟବସ୍ଥା ଅତି କଦର୍ଯ୍ୟ ଥିଲା । ତାଳପତ୍ର ବୁଣା ଚଟେଇ ଆସନ ଉପରେ ଅଧଇଞ୍ଚେ ବହଳର କଳା ଜମି ରହିଥାଏ—ସିଲ୍‌ଭର ଗ୍ଲାସ୍‌ଗୁଡ଼ିକ ଅଷ୍ଟବକ୍ର ମୁନିଭଳି ବଙ୍କାତେଢ଼ା–ବଙ୍କା ଜାଗାଉପରେ ଜମିରହିଚି ମଳି । ଯେଉଁ ଲୋକେ ମକଦ୍ଦମା କାମରେ ଆସୁଥିଲେ, କଚେରି କାମସାରି ଏଇ ଦୁଇ ହୋଟେଲ ମଧ୍ୟରୁ ଗୋଟିକୁ ବାଛୁଥିଲେ । ଇଲିସିମାଛ ଅବା ବଡ଼ ବଡ଼ ଚିଙ୍ଗୁଡ଼ିମାଛର ଝୋଳ ଥିଲା ମଫସଲ ଆଗତ ଲୋକମାନଙ୍କ ପାଖରେ ଖୁବ୍‌ ବଡ଼ ଆକର୍ଷଣ-। ଛ’ଣା ପଇସା ପକେଇଦେଇ ପେଟପୂରା ଖାଇଦେଇ ତୃପ୍ତିର ହାକୁଟି ସେମାନେ ମାରୁଥିଲେ-

 

ଦୁଇଟି ଯାକ ହୋଟେଲ୍‌ ଚଳେ କାରଣ ବାଦୀ ବିବାଦୀ କିମ୍ବା ମୁଦାଲା ମୁଦେଇ ଦୁଇପକ୍ଷ ଯାକ ଏକା ହୋଟେଲ୍‌କୁ ଯାଆନ୍ତି ନାହିଁ । ଗୋଟିଏ ପକ୍ଷ ଗୋଟିଏ ହୋଟେଲକୁ ଗଲେ ଅନ୍ୟପକ୍ଷ ଆର ହୋଟେଲକୁ ଯାଏ ।

 

ଦୁଇଟିଯାକ ହୋଟେଲ୍‌ର ଦୁଇଟି ନାମ ଥିଲା । ହୋଟେଲ୍‌ ସାମନାରେ କିରାସିନିକାଠ ପଟା ଦେହରେ କଳାପାତିରେ ଲେଖା ନାମ । ଗୋଟିକର ନାମ ଝାଡ଼େଶ୍ୱର ହୋଟେଲ୍‌ ଏବଂ ଅନ୍ୟଟିର ନାମ କାଳୀମାତା ହୋଟେଲ୍‌ ।

 

ଆମ ଗାଁର ସଦେଇ ମିଶ୍ର ଏହାରି ଭିତରୁ କାଳୀମାତା ହୋଟେଲ୍‌ର ମାଲିକ । ତାଙ୍କରି ପୁଅ ଧୂର୍ଜ୍ଜଟୀ ମିଶ୍ର ମାଟ୍ରିକୁଲେସନ୍ ପାସ୍‌ କରି କିରାଣୀ ହେଇଛି । ଆମ ଗାଁରେ ଲୋକେ କହନ୍ତି ସଦେଇ ମିଶ୍ର ତାଙ୍କ ଅମଳ ଭିତରେ ଖୁବ୍‌ କରିଛନ୍ତି । ପୈତୃକ ଜମି ତାଙ୍କର ଥିଲା ମୋଟ ଦୁଇପା’ । ଭାତବିକି ଦୁଇ ପା’ ଜମି ହେଲା ଦୁଇବାଟୀ ।

 

ମୁଁ ସେତେବେଳେ ସଦ୍ୟ ଏଇ ସହରକୁ ଆସିଥାଏ । ମିସନାରୀମାନେ ଗୋଟିଏ ହାଇସ୍କୁଲ ଆରମ୍ଭ କରିଥାନ୍ତି । ମୁଁ ସେଇ ସ୍କୁଲରେ ମାଷ୍ଟରି କରୁଥାଏ । ବଜାର ପାଖରେ ଏକବଖରିଆ ଘରଟେ ନେଇ ମତେ ରହିବାକୁ ପଡ଼ୁଥାଏ । ଦରମା ମାସିକ ତିରିଶ ଟଙ୍କା । ସେଥିରେ ଆଉ ବଡ଼ ଘରେ ରହିବା ମୋ ପକ୍ଷରେ ସମ୍ଭବ ନୁହେଁ । ମୁଁ ପ୍ରଥମେ ଅଗଷ୍ଟ ମାସରେ ମୋ କାମରେ ଯୋଗ ଦେଲି । ନିଜ ପାଇଁ ଦୁଇବେଳା ଦି’ମୁଠା ଫୁଟେଇ ନିଏ ହାତେହାତେ । ପ୍ରଚଣ୍ଡ ଖରାରେ ଯେତେବେଳେ ସାରା ପୃଥିବୀ ତାତି ଉଠିଲା, ସ୍କୁଲ ସକାଳୁଆ ହେଲା, ସେତେବେଳେ ଆଉ ଫୁଟେଇ ଖାଇବା ମୋ ପକ୍ଷରେ ସମ୍ଭବ ହେଲାନି ।

 

ଦିନେ କାଳୀମାତା ହୋଟେଲ୍‌ର ମାଲିକ ସଦେଇ ମିଶ୍ରଙ୍କୁ ଡକେଇ ପଠେଇ ତାଙ୍କରି ହୋଟେଲ୍‌ରେ ମୋ ଖାଇବାର ବନ୍ଦୋବସ୍ତ କରିଦେଲି । ଏଇ ଯେ ହୋଟେଲ୍‌ରେ ଖାଇବା ମୁଁ ଆରମ୍ଭ କଲି, ତା’ପରେ ମତେ ଆଉ ତ୍ରାହି ମିଳିଲା ନାହିଁ—ହୋଟେଲ୍ ମାଲିକଙ୍କ ବାକୀ ଖାତା ଲେଖିବା ଓ ହିସାବ ବୁଝିବା ପାଇଁ ଦୈନିକ ଗୋଟିଏ ଘଣ୍ଟା ମୋର ଯାଏ ।

 

ଏହି ସମୟରେ ଏଇ ଛୋଟିଆ ସହରରେ ଗୋଟିଏ ରୋମାଂଚକର ଘଟଣା ଘଟିଲା—ସେହି ଘଟଣା ପାଇଁ ସାରା ସହରରେ ହୈଚୈ କାଣ୍ଡ । ଦିନେ ସକାଳେ ମୁଁ ଉଠି ଦେଖିଲି କାଳୀମାତା ହୋଟେଲ୍‌ ପାଖରେ ଲୋକ ଭିଡ଼—ପୋଲିସ ଲୋକ ଜମା ହୋଇଛନ୍ତି । ସଦେଇ ମିଶ୍ର ଧଇଁସଇଁ ହେଇ ମୋ ପାଖକୁ ଦଉଡ଼ିଲେ । କଥା କଣ ?

 

ମିଶ୍ରଙ୍କ ମୁହଁ କଳା ପଡ଼ି ଯାଇଥାଏ—ଦେହରୁ ବହୁଥାଏ ଗମଗମ ଝାଳ । ସେ ଅତି ବ୍ୟସ୍ତ ହେଇପଡ଼ି କହିଲେ—ବାବୁ, ପଚାଶଟା ଟଙ୍କା ଦିଅନ୍ତୁ । କାଲିକି ପୁଣି ମୁଁ ଦେଇଦେବି ।

 

ହଠାତ୍‌ ଟଙ୍କାର କଣ ଆବଶ୍ୟକତା ବୋଲି ପଚାରିବାରୁ ମିଶ୍ରେ କହିଲେ—ଟଙ୍କାଟା ଆଗେ ଦିଅନ୍ତୁ, ମୁଁ ପୋଲିସ୍‌ବାଲାଙ୍କୁ ବିଦା କରିଦେଇ ଆସେ; ସବୁକଥା କହିବି । ଅଗତ୍ୟା ବାକ୍‌ସ ଖୋଲି ମୁଁ ତାଙ୍କ ହାତକୁ ପଚାଶଟା ଟଙ୍କା ବଢ଼େଇ ଦେଲି । ସେ ତରବରରେ ଯାଇ ଜଣେ ଜଣେ ପୋଲିସ୍‌ ହାତକୁ ଟଙ୍କାଟା ବଢ଼େଇ ଦେଲେ—ଟଙ୍କା ପାଇ ସେମାନେ ଚାଲିଗଲେ—ହୋଟେଲ୍‌ ପାଖରେ ଭିଡ଼ ବି କମିଗଲା ।

 

ବେଳ ସେତେବେଳକୁ ଆଠଟା ହେବ । ସଦେଇ ମିଶ୍ରେ ଆସି ମୋ ପାଖରେ ବସି ଆରମ୍ଭ କଲେ—ବୁଝିଲେ ଅମୀୟବାବୁ, ବଡ଼୍‌-ଡ଼ ବିପଦରେ ପଡ଼ିଲି । ଧୂର୍ଜ୍ଜଟୀକି ଦେଖନ୍ତୁ । ପାଠଶାଠ ପଢ଼େଇ ତାକୁ ଚାକିରୀ କରେଇ ଦେଲି—ଶେଷକୁ ଗୋଟେ କିରସ୍ତାନ ଟୋକୀକି ନେଇ କାଲି ରାତିଠୁ କୁଆଡ଼େ ପଳେଇଛି । କ’ଣ କରିବି କୁହନ୍ତୁ ?

 

ମିଶ୍ରଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହେଲି । ଧୂର୍ଜ୍ଜଟୀ ଶେଷରେ ଏଇୟା କରି ବସିଲା । ଧୂର୍ଜ୍ଜଟୀର ବୟସ ଚବିଶ ହେବ—ମୋ’ଠୁ ଚାରି ପାଞ୍ଚ ବର୍ଷ ସାନ । ସେ ଅନେକ ସମୟରେ ମୋ ପାଖକୁ ଆସି ବସି ଗଳ୍ପ କରେ—ଖୁବ୍‌ ଶାନ୍ତ ଆଉ ଶିଷ୍ଟ । ବିଶେଷତଃ ମୁଁ ତାଙ୍କ ହୋଟେଲ୍‌ରେ ଖାଇବା ଆରମ୍ଭ କଲାଠୁ ସେ ଅବସର ସମୟତକ ଆସି ମୋ’ରି ପାଖରେ କଟାଏ । ଅବିବାହିତ ଯୁବକ—କଥା କହୁ କହୁ ଅନେକ କଥା କହେ । କିଛିଦିନ ପୂର୍ବେ ସେ ମତେ କହୁଥିଲା ତାର ପ୍ରଣୟ କାହାଣୀ—କିନ୍ତୁ ସେ ଯେ ଅବିବେକୀ ଭଳି ଏମିତି ଗୋଟାଏ କାଣ୍ଡ କରି ବସିବ ତା’ ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲି ।

 

ଧୂର୍ଜ୍ଜଟୀ ଯେଉଁ ଝିଅଟିକି ନେଇ ପଳେଇଯାଇଛି ସେ ଝିଅଟିର ନାମ ଶାନ୍ତା ବେହେରା । ସହର ମଝିରେ ପ୍ରୋଟେଷ୍ଟାଣ୍ଟ ମାନଙ୍କର ଯେଉଁ ବଡ଼ ଗୀର୍ଜ୍ଜାଟା ରହିଛି, ଯାହାର ଡାକନାମ ହେଉଛି ଲାଲଗୀର୍ଜ୍ଜା ଶାନ୍ତାର ଘର ଠିକ୍‌ ସେଇ ଗୀର୍ଜ୍ଜାକୁ ଲାଗି । ତା’ ବାପା ସାଇମନ ବେହେରା ଏଇ ଲାଲଗୀର୍ଜ୍ଜାର ତତ୍ତ୍ୱାବଧାରକ । ଶାନ୍ତା ଆଉ ଧୂର୍ଜ୍ଜଟୀ ସମବୟସୀ—ପୁଣି ଏକା ସାଙ୍ଗରେ ପାଠ ପଢ଼ୁଥିଲେ । ଫାଦର ଏଣ୍ଟୋନି ଧୂର୍ଜ୍ଜଟୀକୁ କହନ୍ତି—ମିଶ୍ର, ତୁମେ ଖ୍ରୀଷ୍ଟିୟାନ୍ ହବା ପାଇଁ ଉପଯୁକ୍ତ । ଭଗବାନ ତୁମକୁ ଖ୍ରୀଷ୍ଟିୟାନ୍‌ର ସବୁ ସଦ୍‌ଗୁଣ ଦେଇଛନ୍ତି ।

 

ଶାନ୍ତା କହେ—ଧୂର୍ଜ୍ଜଟୀ, ତୁମେ ଖ୍ରୀଷ୍ଟିୟାନ୍ ହୋଇଯାଅ । ଫାଦର ତମକୁ ଖୁବ୍‌ ଭଲ ପାଆନ୍ତି । ଖ୍ରୀଷ୍ଟିୟାନ୍‌ ହେଲେ ବହୁତ ସୁବିଧା ତୁମେ ପାଇବ ।

 

ମାତ୍ର ଧୂର୍ଜ୍ଜଟୀ ଖ୍ରୀଷ୍ଟିୟାନ୍‌ ହୋଇ ନାହିଁ । ତରୁଣ ଛାତ୍ର ଜୀବନରେ ତାର ଏକମାତ୍ର ଆଶ୍ରୟସ୍ଥଳ ବାପକୁ ଛାଡ଼ି ଖ୍ରୀଷ୍ଟିୟାନ୍‌ ହୋଇ ଯିବାକୁ ତାର ସହାସ ହୋଇ ନାହିଁ । ମିସନାରୀମାନେ ସେତେବେଳେ ଖୁବ୍‌ ତତ୍ପର—ଖ୍ରୀଷ୍ଟଧର୍ମର ପ୍ରସାର ପାଇଁ ଲୋକମାନଙ୍କୁ ଚାକିରୀ ପ୍ରଭୃତିର ପ୍ରଲୋଭନ ଦେଖାଇ ବହୁଲୋକଙ୍କୁ ସେମାନେ ନିଜ ଧର୍ମରେ ଦୀକ୍ଷିତ କରାଇ ନେଉଛନ୍ତି । ଲାଲଗୀର୍ଜ୍ଜା ଉଛୁଳି ଉଠୁଛି । ଫାଦର ଏଣ୍ଟୋନି ହସି ହସି ସମସ୍ତଙ୍କୁ ଆଶୀର୍ବାଦ କରୁଛନ୍ତି—ଭଗବାନ ତୁମର ମଙ୍ଗଳ କରିବେ ।

 

ଶାନ୍ତା ଆଉ ଧୂର୍ଜ୍ଜଟୀ—ଛାତ୍ର ଜୀବନରେ ପରସ୍ପରପ୍ରତି ଆକୃଷ୍ଟ ହୋଇଥିଲେ । ଛାତ୍ର ଜୀବନର ସମାପ୍ତି ପରେ ଶାନ୍ତା ରହିଥିଲା ଘରେ ଆଊ ଧୂର୍ଜ୍ଜଟୀ ଏଇ ଫାଦରଙ୍କର ଦୟାରୁ କିରାଣୀ ଚାକିରୀ ଖଣ୍ଡିଏ ପାଇଥିଲା । ପ୍ରତ୍ୟହ ସେ ଲାଲଗୀର୍ଜ୍ଜାକୁ ଯାଏ—ଏଇ ଶିକ୍ଷିତ ତରୁଣକୁ ଖ୍ରୀଷ୍ଟଧର୍ମ ପ୍ରତି ଆକୃଷ୍ଟ କରାଇବା ପାଇଁ ତାକୁ ସବୁପ୍ରକାର ସୁବିଧା ଦିଆଯାଏ । ଲାଲଗୀର୍ଜ୍ଜାର ଦ୍ୱାର ତା’ ପାଇଁ ଉନ୍ମୁକ୍ତ । ତତ୍ୱାବଧାରକଙ୍କ କନ୍ୟା ହିସାବରେ ଶାନ୍ତାର ମଧ୍ୟ ଗୀର୍ଜ୍ଜା ଭିତରକୁ ଅବାଧ ପ୍ରବେଶ କରିବାର ଅଧିକାର ଥିଲା । କଚେରି ଛୁଟୀପରେ ଧୂର୍ଜ୍ଜଟୀ ପ୍ରାୟ ପ୍ରତ୍ୟହ ଏଇ ଗୀର୍ଜ୍ଜାକୁ ଆସେ । ଗୀର୍ଜ୍ଜା ଚାରିପାଖରେ ପ୍ରଶସ୍ତ ବଗିଚା—ନାନା ଜାତିର ଫଳ ଫୁଲରେ ଭରା । ସନ୍ଧ୍ୟା ପରେ ଏହା ପ୍ରାୟ ନିର୍ଜନ ହୋଇଯାଏ । ଗୀର୍ଜ୍ଜାରେ ଧୂର୍ଜ୍ଜଟୀର ଶାନ୍ତା ସହିତ ଦେଖା ହୁଏ ।

 

ଏ ଏକପ୍ରକାର ଆକର୍ଷଣ । ଶାନ୍ତା ଧୂର୍ଜ୍ଜଟୀକୁ ଭଲପାଏ ମାତ୍ର ତାର ନାରୀତ୍ୱକୁ ସେ କେବେହେଲେ ଅତ୍ୟାଚାରିତ ହେବାକୁ ଦେଇନାହିଁ । ସେ ସବୁବେଳେ କହେ—ଅପେକ୍ଷା କର । ସେଇ ମଙ୍ଗଳମୟ ମୁହୂର୍ତ୍ତ ନିଶ୍ଚୟ ଆସିବ ।

 

ଅପେକ୍ଷା ଆଉ ଅପେକ୍ଷା । ତରୁଣ ଧୂର୍ଜ୍ଜଟୀ ଅପେକ୍ଷା କରି କରି ଅତିଷ୍ଠ ହୋଇ ଉଠିଥିଲା । ଆଉ କୌଣସି ଝିଅ ହୋଇଥିଲେ ସେ ହୁଏତ ତା’କୁ ପରିତ୍ୟାଗ କରିଥାନ୍ତା । ମାତ୍ର ଶାନ୍ତା ଭଳି ଝିଅ, କେଉଁ ଗୁଣ ତାର ନାହିଁ—ସୁନ୍ଦରୀ, ସୁଶ୍ରୀ, ନମ୍ର, ମିଷ୍ଟଭାଷିଣୀ—ସବୁ ଗୁଣରେ ସେ ଉଦ୍‌ଭାସିତା । ଫାଦର୍‌ କହନ୍ତି—ଶାନ୍ତା ଏକ ଅଭିଶପ୍ତା ଏଞ୍ଜେଲ୍ । ନୋହିଲେ ଏମିତିକା ଝିଅ ସହଜରେ ଜନ୍ମ ନିଏନା । ଶାନ୍ତା ପାଇଁ ଅପେକ୍ଷା କରିବା ବ୍ୟତୀତ ଧୂର୍ଜ୍ଜଟୀର ଆଉ ଅନ୍ୟ ପନ୍ଥା ନ ଥିଲା ।

 

ଶାନ୍ତା ବସି ବସି କହେ—ସେଇ ଆଲୋକମୟ ମୁହୂର୍ତ୍ତ ଆସିବ ଧୂର୍ଜ୍ଜଟୀ; ତୁମେ ନିରାଶ ହୁଅନି ।

 

କିନ୍ତୁ ଧୈର୍ଯ୍ୟର ଗୋଟାଏ ସୀମା ଅଛି । ଶାନ୍ତା ଧୂର୍ଜ୍ଜଟୀକୁ ବିବାହ କରିବ ଗୋଟାଏ ସର୍ତ୍ତରେ—ସେ ଯଦି ଖ୍ରୀଷ୍ଟିୟାନ୍‌ ହୁଏ । ମାତ୍ର ଧୂର୍ଜ୍ଜଟୀର ସେ ସାହସ ନ ଥିଲା । କୁଳୀନ ବ୍ରାହ୍ମଣ ଘରର ପିଲା—ବାପ ମା ବନ୍ଧୁ କୁଟୁମ୍ବ ସମାଜ ସବୁକୁ ଛାଡ଼ି ଦେଇ ସେ ଖ୍ରୀଷ୍ଟିୟାନ୍‌ ହେବ, ସେଥିପାଇଁ ଯେତେ ଦମ୍ଭ ଦରକାର, ସେତକ ଦମ୍ଭ ତାର ନ ଥିଲା । ବିବାହ ନ ହେଲେ ଶାନ୍ତା ଦୁଷ୍ପ୍ରାପ୍ୟ ।

 

ଦିନକର ସନ୍ଧ୍ୟା । ସେଇ ପ୍ରାର୍ଥନା କକ୍ଷର ପାଉଛ ଉପରେ ପାଖ ପାଖ ହୋଇ ବସିଥିଲେ ଧୂର୍ଜ୍ଜଟୀ ଆଉ ଶାନ୍ତା । ଶାନ୍ତାର କୁଂଚିତ କେଶର ମହକ ତରୁଣ ଧୂର୍ଜ୍ଜଟୀ ପ୍ରାଣରେ ତୋଳୁଥିଲା ଆଲୋଡ଼ନ । ସେ ତାର ସପୁଷ୍ପ ଗଭାକୁ ତା’ ଛାତି ଉପରକୁ ଆଉଜାଇ ଆଣି କହିଲା–ଶାନ୍ତା, ଏଞ୍ଜେଲ୍‌, ତୁମ ସ୍ୱର୍ଗୀୟ ଦେହ ଗନ୍ଧରେ ମୁଁ ମତୁଆଲ୍‌ ହେଇ ଉଠିଲିଣି—ଆଉ ଅପେକ୍ଷା କରିବା ସମ୍ଭବ ନୁହେଁ ।

 

ଶାନ୍ତା ତାର ଭ୍ରୁଯୁଗଳ ନଚାଇ ଅନୁପମ ଭଙ୍ଗୀରେ କହିଲା—ଧୂର୍ଜ୍ଜଟୀ, ତୁମେ ମହତ୍‌, ତୁମେ ଉଦାର । ଏଇ ଯେଉଁ ଛବି ସାମନାରେ ଦେଖୁଛ, ସେଇ ମହାପୁରୁଷ ବିଶ୍ୱସଂସାରର ପ୍ରେମ ପାଇଁ କ୍ରୁଶ୍‌ରେ ନିଜର ଜୀବନ ବଳି ଦେଇଥିଲେ । ସେ ଯେଉଁ ଅସୀମ ତ୍ୟାଗର ପଥ ଦେଖାଇ ଯାଇଛନ୍ତି, ତା’ ମଣିଷକୁ ଯୁଗଯୁଗ ପାଇଁ ପଥ ଦେଖାଇ ଯାଇଛି । ସେଇଭଳି ନିଷ୍ଠା, ସେଇଭଳି ତ୍ୟାଗ ତୁମେ କଣ ମୋ ପାଇଁ କରି ପାରିବ ନାହିଁ ?

 

ଧୂର୍ଜ୍ଜଟୀ ଭାବପ୍ରବଣ ହେଇ ଉଠିଚି—ସେ ଚିତ୍କାର କଲା—ନିଶ୍ଚୟ ପାରିବି ।

 

ତା’ପରେ ଶାନ୍ତା ପୁଣି କହିଲା—ତେବେ ଚାଲ, ଏଇ ସହରଠାରୁ ଦୂରକୁ ଚାଲିଯିବା—ଯେଉଁଠି ହେଲେ ଚାକିରୀ କରି ଚଳିଯିବା । କେହି କାହାରି ଧର୍ମ ନ ବଦଳାଇ ବିବାହ କରିବା । ତୁମେ ରହିବ ହିନ୍ଦୁ ଆଉ ମୁଁ ଖ୍ରୀଷ୍ଟିୟାନ୍ । କ୍ଷତି କଣ ?

 

ଏ ପ୍ରସ୍ତାବ ଧୂର୍ଜ୍ଜଟୀ ମନକୁ ମାନିଛି । ମାଂସ ଲୋଭରେ ବାଘ ଗୁଳି ମୁହଁକୁ ଆସିବା ଭଳି ସେ ଭୁଲିଗଲା ଅଭାବିତ ବିପଦର ପଦଧ୍ୱନିକୁ ।

 

ସେଦିନର କମନୀୟ ରାତ୍ରିରେ ଉଭୟ ଏଇ ସହରକୁ ଛାଡ଼ି ଚାଲିଗଲେ । ପରଦିନ ସଦେଇ ମିଶ୍ର ଆସି ମତେ କହିଲେ ଯେ—ଝାଡ଼େଶ୍ୱର ହୋଟେଲର ମାଲିକ ଜୀବନ ତିଆଡ଼ି ପୋଲିସ୍‌କି ହାତକରି ସଦେଇ ମିଶ୍ରଙ୍କୁ ଗିରଫ କରିବା ପାଇଁ ମତାଉଛନ୍ତି । ସଦେଇ ମିଶ୍ର ଗିରଫ ହେଲେ କାଳୀମାତା ହୋଟେଲ ବନ୍ଦ ହେଇଯିବ । ମୁଁ ବସିବସି ଭାବୁଥିଲି ସଦେଇ ମିଶ୍ର ବିନା ଦୋଷରେ ଦଣ୍ଡିତ ହେବେ କାହିଁକି ? ପୁଅର ଅପକର୍ମ ପାଇଁ ବାପ କିପରି ଦାୟୀ ହେବ ? ସଦେଇ ମିଶ୍ର ତାଙ୍କ ଉଦ୍ଧାର ପାଇବାର ବାଟ ମତେ ପଚାରୁଥିଲେ ।

 

ଭାବି ଭାବି ଗୋଟାଏ ବାଟ ମୁଁ ଠିକ୍‌ କଲି । ସଦେଇ ମିଶ୍ରଙ୍କୁ ସଙ୍ଗରେ ନେଇ ଫାଦର ଏଣ୍ଟୋନିଙ୍କ ପାଖରେ ଯାଇ ପହଞ୍ଚିଲି । ଫାଦର ସେତେବେଳକୁ ପ୍ରାର୍ଥନା କରୁଥିଲେ । ଆମକୁ ବାହାରେ ଅପେକ୍ଷା କରିବାକୁ ପଡ଼ିଲା । ପ୍ରାୟ ଘଣ୍ଟାଏ ପରେ ସେ ହାତରେ ଗୋଟାଏ ଲାଲ୍ ଆଲୁଅ ଧରି ବାହାରକୁ ଆସିଲେ । ଆମେ ନମସ୍କାର କଲୁ । ସେ ଆମକୁ ଭିତରକୁ ଡାକିନେଲେ । ସୁସଜ୍ଜିତ ଗୀର୍ଜ୍ଜାଭିତରକୁ ଯାଇ ମୋର ମଧ୍ୟ ମନେହେଉଥିଲା ମୁଁ ଯେମିତି ଜଣେ ଖ୍ରୀଷ୍ଟିୟାନ୍ । ଫାଦର ଆମ୍ଭମାନଙ୍କ କୁଶଳ ସମାଚାର ପଚାରି ଆସିବାର କାରଣ ପଚାରିଲେ । ମୁଁ ତାଙ୍କୁ ସବୁକଥା କହିଲି ଆଉ ପଚାରିଲି ଉଦ୍ଧାର ପାଇବାର ଉପାୟ । ସେ ତାଙ୍କର ଧଳାଦାଢ଼ୀରେ ଲାଲ୍‌ହାତ ବୁଲାଉ ବୁଲାଉ କହିଲେ—ଈଶ୍ୱରଙ୍କୁ ପ୍ରେମ କଲେ ସେ ଉଦ୍ଧାର କରିବେ । ପ୍ରେମହିଁ ଏ ଜଗତର ମୂଳ । ଧୂର୍ଜ୍ଜଟୀ ଯଦିଚ ବିଧିବଦ୍ଧ ଭାବରେ ଖ୍ରୀଷ୍ଟିୟାନ୍ ହୋଇନାହିଁ, ତଥାପି ମୋ ଆଖିରେ ସେ ଖ୍ରୀଷ୍ଟିୟାନ୍ । ସେ ଜଗତର ଆଲୋକ ଦେଖିଛି । ପ୍ରଭୁ ଯୀଶୁ ତାକୁ ଆଶୀର୍ବାଦ କରିବେ । ଶାନ୍ତା ତାର ଉପଯୁକ୍ତ ସହଧର୍ମିଣୀ ହୋଇ ପାରିବ । ଆପଣମାନେ ଆଉ ଆପତ୍ତି କରନ୍ତୁ ନାହିଁ । ଶାନ୍ତା ଆଉ ଧୂର୍ଜ୍ଜଟୀର ବିବାହ ଏଇ ଲାଲ୍‌ଗୀର୍ଜ୍ଜାରେ ମୁଁ ସଂପନ୍ନ କରିଦିଏ ।

 

ଫାଦର ନୀରବ ରହିଲେ । ସଦେଇ ମିଶ୍ର ମୋ ମୁହଁକୁ ଚାହିଁ ରହିଥିଲେ । ସମ୍ଭବତଃ ତାଙ୍କ ଆଖିକି ଲୁହ ଆସୁଥିଲା ।

 

ଫାଦର ପୁଣି କହିଲେ—ଧୂର୍ଜ୍ଜଟୀ ବିରୁଦ୍ଧରେ ଯେଉଁ କେସ୍‌ ହେବାକୁ ଯାଉଛି, ତାହା ଏକ ଶକ୍ତ କେସ୍‌ । ସେହି କେସ୍‌ରୁ ଉଦ୍ଧାର ପାଇବାର ଏକମାତ୍ର ଉପାୟ ଉଭୟଙ୍କର ବିବାହ ।

 

ମିଶ୍ରେ କହିଲେ—ତା’ ହେଲେ କଣ ଧୂର୍ଜ୍ଜଟୀକି ଖ୍ରୀଷ୍ଟିୟାନ୍ ହବାକୁ ହେବ ?

 

-ତା’ ଛଡ଼ା ଆଉ ଉପାୟ କଣ ମିଶ୍ରେ ? ତୁମେ ମୁଲ ବୁଝୁଛ । ତା’ଭଳି ମହତ୍‌ ଲୋକର ଖ୍ରୀଷ୍ଟିୟାନ୍ ହବା ଦରକାର । ପୋଲିସ କେସ୍‌ ରୁଜୁ କରିବା ପାଇଁ ମତେ ଥାନାକୁ ଡକାଇଛି । ଏତକ କହି ଫାଦର ତାଙ୍କ ପକେଟରୁ ସମନ କାଢ଼ି ଆମକୁ ଦେଖାଇଲେ ଆଉ କହିଲେ—ଚାଲ ସମସ୍ତେ ଥାନାକୁ ଯିବା । ମିଶ୍ର, ତୁମେ ସେଇଠି ଲେଖିଦେଇ ଆସିବ ଧୂର୍ଜ୍ଜଟୀ ଖ୍ରୀଷ୍ଟିୟାନ୍ ହେଲେ ତୁମର କିଛି ଆପତ୍ତି ନାହିଁ । ତା’ପରେ ସେ ଦୁଇଜଣଙ୍କୁ ଖୋଜି ବାହାର କରିବାର ଭାର ଆମ ଉପରେ । କେଉଁଠି ସେ ଲୁଚିବେ—ସେମାନେ ଲୁଚି ରହି ପାରିବେ ନାହିଁ । ସୂର୍ଯ୍ୟର ଆଲୋକରେ ସେମାନେ ଦିନେ ନିଶ୍ଚୟ ପ୍ରକାଶିତ ହେବେ ।

 

ମାତ୍ର ଧୂର୍ଜ୍ଜଟୀ ଖ୍ରୀଷ୍ଟିୟାନ୍ ହବା ପରିବର୍ତ୍ତେ ଶାନ୍ତାକୁ ଯଦି ହିନ୍ଦୁ କରି ନିଆଯାଏ—ମାତ୍ର ଆମ ଧର୍ମରେ ତା’ ସମ୍ଭବ ନୁହେଁ । ତେଣୁ କହିବାର ଆଉ କିଛି ନ ଥିଲା । ତିନିହେଁ ଯାକ ଫାଦରଙ୍କର ଘୋଡ଼ାଗାଡ଼ିରେ ଚଢ଼ି ଥାନାକୁ ଗଲୁଁ । ଥାନାରେ ଯାଇ ଦେଖିଲୁ ଧୂର୍ଜ୍ଜଟୀ ଆଉ ଶାନ୍ତା ଉଭୟଙ୍କୁ ପୋଲିସ କଲିକତାଠାରୁ ଉଦ୍ଧାର କରି ଆଣିସାରିଛି ସେତେବେଳକୁ ଆଉ ଧୂର୍ଜ୍ଜଟୀ ଲେଖି ଦେଇଛି ସେ ଶାନ୍ତାକୁ ବିବାହ କରି ଖ୍ରୀଷ୍ଟିୟାନ୍ ହବ ।

 

ଫାଦରଙ୍କର ନିର୍ଦ୍ଦେଶରେ ସଦେଇ ମିଶ୍ର ଧୂର୍ଜ୍ଜଟୀ ଲେଖିଥିବା କାଗଜ ଉପରେ ସାକ୍ଷୀ ପଡ଼ିଲେ ଆଉ ମୁଁ ମଧ୍ୟ ।

 

ପରଦିନ ଆମ ଦୁହିଁଙ୍କୁ ପୁଣି ଗୀର୍ଜ୍ଜାକୁ ଯିବାକୁ କହି ଫାଦର ଧୂର୍ଜ୍ଜଟୀ ଆଉ ଶାନ୍ତାଙ୍କୁ ସଙ୍ଗରେ ନେଇ ଲାଲ୍‌ଗୀର୍ଜାକୁ ଚାଲିଗଲେ । ତା’ପର ଦିନ ଚାରିଟା ବେଳେ ଲାଲ୍‌ଗୀର୍ଜ୍ଜାରୁ ଘନଘନ ଘଣ୍ଟାଆବାଜ ଭାସିଆସୁଥାଏ । ଆମେ ଦୁହେଁ ଯାଇ ଦେଖିଲୁ ଧୂର୍ଜ୍ଜଟୀ ଆଉ ଶାନ୍ତାର ବିବାହା ଉତ୍ସବ ସରିଯାଇଛି । ଉପସ୍ଥିତ ଶ୍ରୋତୃ ମଣ୍ଡଳୀକୁ ଫାଦର ଏଣ୍ଟୋନୀ ଗମ୍ଭୀର ସ୍ୱରରେ ବାଇବେଲ ପଢ଼ି ବୁଝାଉଛନ୍ତି—ପ୍ରତ୍ୟେକ ମଣିଷ ସମାନ । ପ୍ରେମହିଁ ଜଗତର ମୂଳ ମନ୍ତ୍ର । ପ୍ରେମ ବଳରେହିଁ ତୁମେ ଜ୍ଞାନର ଆଲୋକ ଦେଖି ପାରିବ.... ।

 

ସଦେଇ ମିଶ୍ର କାନ୍ଦି ଉଠିଲେ । ଧୁର୍ଜ୍ଜଟୀ ଆଉ ଶାନ୍ତା ଆସି ତାଙ୍କୁ ପ୍ରଣାମ କଲେ । ଫାଦର ଏଣ୍ଟୋନୀ କହିଲେ—ଆଲୋକହିଁ ଆମର ଲକ୍ଷ୍ୟ.... । ମାତ୍ର ସଦେଇ ମିଶ୍ର ଭାବୁଥିଲେ ତାଙ୍କର ଏକମାତ୍ର ପୁତ୍ରର ଧର୍ମ ପରିବର୍ତ୍ତନରେ ତାଙ୍କ ବଂଶର ଆଲୋକ ଯେମିତି ନିଭି ଯାଇଛି । ଗୀତାରେ ଅଛି—ସ୍ୱଧର୍ମେ ନିଧନ ଶ୍ରେୟଃ ପରଧର୍ମଃ ଭୟାବହ ।

 

ସେହିଦିନ ରାତିଠାରୁ କାଳୀମାତା ହୋଟେଲ୍‌ ବନ୍ଦ ହେଇ ଯାଇଛି । ସଦେଇ ମିଶ୍ର ଗାଁକୁ ଚାଲି ଯାଇଛନ୍ତି ।

 

ଏକମାସ ପରେ । ଦିନେ ହଠାତ୍‌ ସଂଧ୍ୟା ସମୟରେ ଫାଦର ଏଣ୍ଟୋନୀଙ୍କର କଚେରି ପାଖରେ ଦେଖା ହେଲା । ଦେହକୁ ସାଦା ପୋଷାକରେ ଆବୃତ୍ତ କରି ସେ ସାଂଧ୍ୟ ଭ୍ରମଣରେ ଯାଉଥିଲେ । ମୁଁ ତାଙ୍କୁ ନମସ୍କାର କଲି । ସେ କହିଲେ—କି ବାବା, ଭଲ ଅଛ ? ମୁଁ ଶୁଣିଲି ତୁମେ ଆମ ସ୍କୁଲରେ ଚାକିରୀ କରୁଛ । ଆମ ସ୍କୁଲରେ ଚାକିରୀ କଲେ ଖ୍ରୀଷ୍ଟିୟାନ୍ ହବା ଦରକାର । ମୁହଁରେ ତାଙ୍କର ପ୍ରଶାନ୍ତିର ହସ । ମାତ୍ର ମତେ ତାଙ୍କର ଏ କଥାଟା ଭଲ ଲାଗିଲା ନାହିଁ । ମୁଁ କହିଲି–ପ୍ରଭାବ ପକେଇ ଏମିତି ଭାବରେ ଧର୍ମ ବଦଳେଇବା କଣ ଆପଣଙ୍କର ବାଇବେଲ୍‌ରେ ଲେଖା ଅଛି ?

 

ସେ ହସିଲେ–କହିଲେ—ଏଇ ହଉଚି ଏ ଲାଲ୍‌ଗୀର୍ଜ୍ଜାର ଇତିହାସ—ସେଇଥିପାଇଁ ମୋର ଏଠାରେ ଅବସ୍ଥିତି । ମୁଁ ଏଇ ପନ୍ଦରବର୍ଷ ଭିତରେ ପାଞ୍ଚ ହଜାର ପରିବାରକୁ ଖ୍ରୀଷ୍ଟିୟାନ୍ ଧର୍ମରେ ଦୀକ୍ଷିତ କରାଇଛି । ସେଇଥିପାଇଁ ମୋର ପ୍ରମୋସନ୍ ହେଇଛି । ମୁଁ ବଦଳି ଯାଉଛି କଲିକତା ।

 

ବାସ୍ତବିକ୍‌ ଦୁଃଖ ଲାଗିଲା—ଯେତେବେଳେ ମୁଁ ଏଇ ଖ୍ରୀଷ୍ଟିୟାନ୍‌ମାନଙ୍କ ସହିତ ଆମଧର୍ମର ଲୋକମାନଙ୍କୁ ତୁଳନା କରୁଥିଲି । ସେମାନଙ୍କର କି ନିଷ୍ଠା କି ଆଗ୍ରହ । ଆଉ ଆମର ଶହଶହ ମନ୍ଦିର ଭାଙ୍ଗିରୁଜି ଧୂଳିସାତ୍ ହେଉଛି—ଭାଗବତ ଟୁଙ୍ଗୀ ନିଶ୍ଚିହ୍ନ—ମନ୍ଦିରରେ ସନ୍ଧ୍ୟାବେଳେ ଘଣ୍ଟା ବଜେଇବା ପାଇଁ ଲୋକ ମିଳୁ ନାହାନ୍ତି—ଆମ ଧର୍ମର ଦ୍ୱାର ଅନ୍ୟପାଇଁ ରୁଦ୍ଧ । ମାତ୍ର ଏଇ ଲାଲ୍‌ଗୀର୍ଜ୍ଜା ! ପ୍ରତି ସନ୍ଧ୍ୟାରେ ସେଠି ବାଜୁଛି ପ୍ରାର୍ଥନା ଘଣ୍ଟା ଆଉ ଫାଦର ବୁଝାଉଛନ୍ତି ବାଇବେଲ୍‌ର ମନ୍ତ୍ର..... ।

Image

 

ଜୀବନ-ଜ୍ୱାଳା

 

ସଂଧ୍ୟା ଅତିକ୍ରମି ଯାଇଛି ।

 

ଗୋଟାଏ ଦିଗକୁ ଚାହିଁଲେ ଦିଶୁଚି ଶାନ୍ତ ଶୀତଳ କବର ଅନ୍ୟ ଏକ ଦିଗରେ ଜୀବନ ସଂଗ୍ରାମର ମୁଖର ରାଜପଥ । ବିନୟ ହତାଶ ହୋଇ ପଡ଼ୁଛନ୍ତି । କିଏ ଜାଣେ, କାଲି ହୁଏତ ସମସ୍ତଙ୍କ ଅଜ୍ଞାତରେ ନିଷ୍ଠୁର ମୃତ୍ୟୁ ଦେବତାର ନିମନ୍ତ୍ରଣ ତାଙ୍କୁ ଗ୍ରହଣ କରିବାକୁ ପଡ଼ିପାରେ । ଯଦିବା ଆଉ କିଛିଦିନ ପାଇଁ ଏହି ନିଷ୍ଠୁର ନିମନ୍ତ୍ରଣ ନ ଆସେ, ତେବେ ଜଂଜାଳର ଘୂର୍ଣ୍ଣିଚକ ତଳେ ନିଷ୍ପେସିତ ଆତ୍ମା ତାଙ୍କର ଚିତ୍କାର କରି ଉଠିବ ବାର ବାର । ଗତ ପଚିଶ ବର୍ଷର ଇତିହାସ ଅତ୍ୟନ୍ତ କରୁଣ—ଅତ୍ୟନ୍ତ ମର୍ମସ୍ପର୍ଶୀ । ରୋଗଜୀର୍ଣ୍ଣ ଶରୀର ଉପରେ ବହି ଯାଇଚି କେତେ ଅତ୍ୟାଚାରର ଝଡ଼—ଦୁଃଖର ବାତ୍ୟା । ନୈରାଶ୍ୟର ପୁଞ୍ଜୀଭୂତ ଅଂଧକାର ଆହୁରି ନିବିଡ଼ ହେଇଛି । ଶାନ୍ତି ହରାଇ ସେ ସବୁକିଛି ହରାଇଛନ୍ତି ।

 

ବିନୟ ଆଜି ବୃଦ୍ଧ । ମୁଣ୍ଡର କେଶ ଧଳା ହେଇ ଆସିଚି । ଶିଥିଳ ଚର୍ମ—ଶିରାଳ ମାଂସପେଶୀ । ଚକ୍ଷୁର ଜ୍ୟୋତି ନିଷ୍ପ୍ରଭ ହୋଇ ଯାଇଛି । ଛାତି ଭିତରେ ଅସମ୍ଭବ ବେଦନା—ମରଣର କରାଳ ସ୍ପର୍ଶ । ମରିଯିବାକୁ ଚାହୁଁଛନ୍ତି ସେ—ଆଉ ବଂଚି ରହି ଲାଭ କଣ ? କେତେ ଦିନ ବା ଆଉ ବଂଚି ପାରିବେ ?

 

ଡାକ୍ତର ଦୃପ୍ତ କଂଠରେ ଘୋଷଣା କରିଛନ୍ତି ଏ ରୋଗ ଦୁଃସାଧ୍ୟ । ହାୟରେ ! ମଣିଷ ବଂଚି ଥାଉ ଥାଉ ଏ ଯେଉଁ କରାଳ ପରଓ୍ୟାନା—ବିନୟ ବଡ଼ ମ୍ରିୟମାଣ ହୋଇ ପଡ଼ୁଥିଲେ ।

 

ଅସମ୍ଭବ କାଶ । କାଶ ସଙ୍ଗରେ ମେଞ୍ଚା ମେଞ୍ଚା ରକ୍ତ । କାଶି କାଶି ଦମ ଅଟକି ଯାଉଛି-। ଯକ୍ଷ୍ମା ।

 

ଏଇ ଯକ୍ଷ୍ମା ନାଁର କଳ୍ପନାରେ ଆଜି ପ୍ରାଣତନ୍ତ୍ରୀ ତାଙ୍କର ଶିହରି ଉଠୁଚି—ହୃତ୍‌କମ୍ପ ହେଉଛି । ହେ ଭଗବାନ, ମଣିଷ ସୃଷ୍ଟି କରି ଏମିତି ସବୁ ଭୟାବହ ରୋଗ ଦାନକର କାହିଁକି ? ମଣିଷ ବରଂ ସୃଷ୍ଟି ନ ହୋଇଥିଲେ ଭଲ ହୋଇଥାନ୍ତା । ସୃଷ୍ଟି ଭିତରେ ପୁଣି ଧ୍ୱଂସର କଳ୍ପନା ସହି ହୁଏନା ।

 

ଜୀବନର ସ୍ଥିତିକୁ ଆଉ ସହି ପାରୁ ନଥିଲେ ସେ । ସଂଧ୍ୟାଠୁ ଅବିରାମ ଭାବରେ ବର୍ଷା ଢାଳୁଛି । ଚନ୍ଦ୍ର ପକ୍ଷର ମଧୁର ରଜନୀର ସମସ୍ତ ମାଧୁରୀ ଲୋପ ପାଇ ଯାଇଛି । ଅସହାୟ ଶିଶୁଟିଭଳି ଧୀର ଭାବରେ ଭୀତତ୍ରସ୍ତ ହୋଇ ସେ ବସିଛନ୍ତି । ସ୍ତ୍ରୀ କମଳିନୀ ଘର ଭିତରେ କାର୍ଯ୍ୟ ବ୍ୟସ୍ତ । ଅନ୍ୟ କିଛି କାର୍ଯ୍ୟ ନୁହେଁ ବିନୟଙ୍କ ଖାଦ୍ୟ ତିଆରିରେ ସେ ଲାଗିଛନ୍ତି ।

 

ଝରକା ସବୁ ଉନ୍ମୁକ୍ତ, ବର୍ଷା ଛିଟା ଘର ଭିତରକୁ ପଡ଼ୁଛି । ବେଶ ଥଣ୍ଡା ଲାଗୁଛି ଦେହକୁ । ଝରକାକୁ ଲମ୍ବି ଆସିଥିବା କ୍ରୋଟନ ଗଛର ଡାଳସବୁ ଦୋହଲୁଛି ପବନରେ । ସେ ଏକ ଦୃଷ୍ଟିରେ ଚାହିଁ ରହିଛନ୍ତି କାନ୍ଥରେ ଝୁଲୁଥିବା ଗୋଟାଏ ଛବି ଆଡ଼େ—କମନୀୟ ଭଙ୍ଗୀ—ଏଇ ଛବିଟିର ମୂଲ୍ୟ କଳନା କରି ହୁଏନା । ତାଙ୍କ ଜୀବନର ଏକ ରସାଳ ସ୍ମୃତିର ପ୍ରତୀକ ଏଇ ଛବି । ତାହାରି ଭିତରେ ବହୁତ କିଛି ପାଇ ବହୁତ କିଛି ସେ ପୁଣି ହରେଇ ଦେଇଛନ୍ତି ।

 

ଅନ୍ତନାଡ଼ି ଚିରି ଝଲକାଏ କାଶ ଆସିଲା । କି ସର୍ବନାଶୀ କାଶ । କାଶ ଉଠିଲେ ଭୟଙ୍କର ମୃତ୍ୟୁ ଦେବତାର ଛବି ଆଖି ଆଗରେ ଭାସିଯାଏ । କାଶି କାଶି ବେଦମ ହେଇ ପଡ଼ିଲେ ସେ । କି ଯନ୍ତ୍ରଣା—କି ଜ୍ୱାଳା । ଘରର ଚାରିକାନ୍ଥ ପ୍ରତିଧ୍ୱନି ତୋଳୁଛି । ସୁଯୋଗ ପାଇଲେ ସମସ୍ତେ ପରିହାସ କରନ୍ତି । ଦୁର୍ବଳତାର ସୁଯୋଗ ନେଇ ଜଡ଼ ପଦାର୍ଥ ମଧ୍ୟ ଦୁର୍ବ୍ୟବହାର କରେ ।

 

ବିନୟ କାଶୁଥିଲେ । ମୁଣ୍ଡା ମୁଣ୍ଡା ନାଲି ରକ୍ତରେ ସିମେଣ୍ଟ ଚଟାଣର କିୟଦଂଶ ଭିଜି ଗଲାଣି । ତଥାପି ବନ୍ଦ ହେଉନି ।

 

କେମିତିକା ଗୋଟାଏ ଅସ୍ପଷ୍ଟ ଚିତ୍କାର କରି ଉଠିଲେ ସେ ।

 

କମଳିନୀ ଧାଇଁ ଆସିଲେ । ପ୍ରତି ମୁହୂର୍ତ୍ତରେ ମନ ଭିତରେ ବିପଦର ଆଶଂକା । ପାଖରେ ବସି ବିନୟଙ୍କର ପିଠି ଛାତି ଆଉଁସି ଦେଲେ । ଦେହରେ ଆଉ ମାଂସ ନାହିଁ । ଖାଲି ହାଡ଼, ସେ ହାଡ଼ ପୁଣି ଶୀର୍ଣ୍ଣ ।

 

କାଶି କାଶି ବିନୟ କମଳିନୀଙ୍କ ହାତ ଉପରେ ଢଳି ପଡ଼ିଲେ । ଏଇ ମୁହୂର୍ତ୍ତରେ ପାଣି ଟିକିଏ ଆବଶ୍ୟକ ହୁଏ । କମଳିନୀ ଡାକିଲେ ରତନା-ରତନା ।

 

ଇସ୍‌, ଭୟରେ ଯେମିତି କଣ୍ଠ ତାଙ୍କର ଫିଟିବାକୁ ଚାହେଁନା । ପୁରାତନ ଚାକର ରତନା ଘର ଭିତରେ ଥାଇ ବୁଝିପାରିଲା କଣ ପାଇଁ ଏ ଡାକରା । ଗ୍ଲାସ୍‌ରେ ପାଣି ଟିକିଏ ଧରି ସେ ପହଞ୍ଚିଲା । ଆଖି ଓ ମୁହଁରେ ପାଣି ଟିକିଏ ମାରି ପାଟିରେ ଟିକିଏ ପାଣି ସେ ଦେଲେ । ଦୁଇଜଣଯାକ ଧରାଧରି କରି ବିନୟଙ୍କୁ ଖଟ ଉପରକୁ ନେଇ ଶୁଆଇ ଦେଲେ । ନିଷ୍ପ୍ରଭ ମୁଖ ମଣ୍ଡଳକୁ ଦେଖି ଯେ କେହି ଲୋକର କରୁଣାର ଉଦ୍ରେକ ହେବ । ସେ କେଉଁ ଏକ ମଙ୍ଗଳଦିନର ମଙ୍ଗଳ ମୁହୂର୍ତ୍ତରେ ଜନ୍ମ ନେଇଥିଲା ଯେଉଁ ଶିଶୁ, ଯାହାର ଆଗମନରେ ମଣିଷ ସହିତ ପ୍ରକୃତି ମଧ୍ୟ ଆନନ୍ଦର ଗୀତ ଗାଇ ଉଠିଥିଲା, ତାର ଆଜି ଏ’କି ଦୂରନ୍ତ ପରିଣତି ?

 

କମଳିନୀ ଧୀର କଣ୍ଠରେ ପୁଣି ଥରେ ଡାକିଲେ–ରତନା ।

 

ଆଖି ଓ ଭାଷା କରୁଣ । ଏଇ ଡାକ ଭିତରେ ଯେମିତି ଲକ୍ଷଯୁଗର ଅସ୍ଫୁଟ ବେଦନା ପୂରି ରହିଛି । ଦିନକୁ ଦିନ ସେ ବେଶୀ ନିରାଶ ହେଉଛନ୍ତି । ଆଉ କେତେ ଦିନ ? ଆଉ କେତେ ରାତ୍ରି ? ରତନା ବିରଷ ମୁହଁରେ ଚାହିଁ ରହିଲା । କମଳିନୀ ଆଉ କିଛି କହିବାକୁ ଚାହୁଁ ନଥିଲେ ମଧ୍ୟ ତାଙ୍କର ଏଇ ପଦକ ଡାକ, ନିରସ ଚାହାଁଣୀ, ଦୀର୍ଘଶ୍ୱାସ ତାଙ୍କର ଚିନ୍ତାକୁ ଧରା ପକେଇ ଦେଇଥିଲା ।

 

ବିନୟ ଚାହିଁଲେ-ଅର୍ଧନିମିଳିତ ତାଙ୍କର ଚକ୍ଷୁ । କମଳିନୀଙ୍କ ନୟନର ଅଶ୍ରୁ । ଏଇ ଅଧନିମିତ ଚକ୍ଷୁ ଯୋଡ଼ିକ ସହିତ ଅଶ୍ରୁ ଭରା ଚକ୍ଷୁ ଯୋଡ଼ିକର ବିନିମୟରେ ଉଭୟ ଯେମିତି ଉଭୟଙ୍କର ଭାଷା ବୁଝି ପାରିଲେ ।

 

ରତନା ବାହାରକୁ ଅପସରି ଗଲା । ବିନୟ ଧୀର ଅଥଚ ମୃଦୁ ଗଳାରେ କହିଲେ ଲକ୍ଷ୍ମୀଟି, ମୋ ପାଇଁ କେତେ କଷ୍ଟ....

 

ଆଉ କହି ପାରିଲେ ନାହିଁ । ପୁଣି ଛୁଟିଲା କାଶର ଲହରୀ । ସେ ଲହରୀ ଯେମିତି ଭାଙ୍ଗିବାକୁ ଚାହେଁନା ।

 

କମଳିନୀ ତାଙ୍କ ଛାତି ଆଉଁସି ଦେଉ ଦେଉ ଛାତିରେ ଶୁଭ୍ର ହେଇ ଆସୁଥିବା କେଶକୁ ଦେଖି ନିଜ ମନକୁ ସାନ୍ତ୍ୱନା ଦେଉଥିଲେ । ଧୂଳି ମାଟିର ଏଇ ଦେହ ନିଶ୍ଚୟ ତ ଦିନେ ମାଟିରେ ମିଶିବାର କଥା–ଶୁକ୍ଳ କେଶ ଯେମିତି ନିଶ୍ଚିତ ମୃତ୍ୟୁ-ଦେବତାର ବାର୍ତ୍ତାବହ । ବିନୟ ଆଉ କେତେଦିନ ବଂଚିଥାନ୍ତେ ? ନୋହିଲେ ଏଇ ଯକ୍ଷ୍ମା । ତାଙ୍କ ମୃତ୍ୟୁକୁ ଆଉ ଟିକିଏ ଆଗକୁ ଘୁଞ୍ଚେଇ ଆଣିବ । କିନ୍ତୁ ଖାଲି କ’ଣ ସେତିକି ?

 

କମଳିନୀଙ୍କୁ ଡାକ୍ତର କହି ଯଇଥିଲା—ବିନୟଙ୍କଠୁ ଅଲଗା ରହିବାକୁ । ଯକ୍ଷ୍ମା ଏକ ସଂକ୍ରାମକ ରୋଗ । ସେ ପ୍ରକାର ରୋଗଠୁ ନିଜକୁ ଅଲଗା କରି ନ ରଖିଲେ ଆକ୍ରାନ୍ତ ହେବାର ନିଶ୍ଚତ ସମ୍ଭାବନା । କମଳିନୀଙ୍କର ମାଂସପେଶୀ ମଧ୍ୟ ଦୁର୍ବଳ ହେଇ ପଡ଼ିଲାଣି । ଯକ୍ଷ୍ମାର ବଳିଷ୍ଠ ଜୀବାଣୁ ତାଙ୍କ ଦେହରେ ସହଜରେ ପ୍ରବେଶ କରି ପାରିବ । ତେଣୁ ଡାକ୍ତର ବାରବାର କରି ତାଙ୍କୁ ଚେତେଇ ଦେଇ ଯାଇଥିଲା—ଖୁବ୍‌ ସାବଧାନରେ ଚଳିବାକୁ, ରୋଗୀ ସହିତ ଯେତେଦୂର ସମ୍ଭବ କମ ସଂପର୍କ ରଖିବାକୁ...ରୋଗୀକୁ ଗୋଟିଏ ଏକପାଖିଆ ଘରେ ଅଲଗା କରି ରଖିବାକୁ—ଅଲଗା ବାସନରେ ରୋଗୀର ଖାଦ୍ୟ ପରିଷବାକୁ—ଏହାବାଦେ ଆହୁରି କେତେ କଣ ? ସ୍ୱାସ୍ଥ୍ୟରକ୍ଷା ବହିର ସବୁକିଛି ନିୟମ କାନୁନ ମାନି ଚଳିବାକୁ କମଳିନୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

 

କିନ୍ତୁ ସେ କିଛି ରକ୍ଷାକରି ପାରି ନାହାନ୍ତି । ପାରନ୍ତେ ବା କିପରି ? ସ୍ୱାମୀର ମର୍ମଭେଦୀ ଯନ୍ତ୍ରଣାର କେଉଁ ସ୍ତ୍ରୀ ନିଜ ଛାତିକୁ ପଥର କରି ରଖି ପାରିବ ? ସ୍ୱାମୀ ଦେବତା ସଦୃଶ ବୋଲି ନୀତିକାରମାନେ କହି ଯାଇଛନ୍ତି । ଆମର ସାମାଜିକ ସଂସ୍ଥା ଯାହା ସେଥିରେ ସ୍ତ୍ରୀର ଭଲମନ୍ଦ ସ୍ୱାମୀର ଭଲମନ୍ଦ ଉପରେ ପୁରାପୁରି ନିର୍ଭର କରେ । ନ ବର୍ତ୍ତନ୍ତେ ବିନାଶ୍ରୟେ କବିତା ବନିତା ଲତା-। ସେହି ଆଶ୍ରୟ ଟିକକ ହଜିଗଲେ ସ୍ତ୍ରୀ ହୁଏ ପଥହରା, ନିରାଶ୍ରୟା, ବେଓ୍ୟାରିସ୍‌ ।

 

କମଳିନୀ ସବୁ ବୁଝିଛନ୍ତି । ସ୍ୱାମୀ ଦେବତାର ସେବା କରିବା ତାଙ୍କ ଜୀବନର ବ୍ରତ ବୋଲି ସେ ଧରି ନେଇଛନ୍ତି । ଇହ ଜନ୍ମରେ ଏଇ ସେବାର ମୂଲ୍ୟ ହୁଏତ ଆଉ କିଛି ନାହିଁ, କିନ୍ତୁ ଏଇ ଜୀବନର ପରେ ଆଉ ଯଦି ଜୀବନ ଆସେ ସେତେବେଳେ ହୁଏତ ଏଇ ସେବାରେ ଫଳ ମିଳିପାରେ ।

 

କାଶ ଥମିଚି । କମଳିନୀ ବିନୟଙ୍କ ଦୁର୍ବଳ ଛାତି ଉପରେ ମଥା ରଖି ତାଙ୍କର ହୃଦୟର ସ୍ପନ୍ଦନକୁ ବେଶ୍‌ ବୁଝି ପାରୁଛନ୍ତି । କି ଦ୍ରୂତ ତାର ଗତି । ଖେଳଓ୍ୟାଡ଼ ରେସ୍‌ ସାରି ଧଇଁ ସଇଁ ହେଇ ପଡ଼ିଲେ ତା’ ଛାତିର ସ୍ପନ୍ଦନ ଯେମିତି ଦ୍ରୂତ ହୁଏ, ବିନୟଙ୍କ ଛାତିର ସ୍ପନ୍ଦନ ଠିକ୍‌ ସେମିତି ।

 

ଡାକ୍ତର କହୁଥିଲା ଏମିତି ହେଉଁ ହେଉଁ କେତେବେଳେ ସବୁଦିନ ପାଇଁ ଏଇ ଛାତିର ସ୍ପନ୍ଦନ ବନ୍ଦ ହେଇଯିବ ।

 

କମଳିନୀଙ୍କୁ ଜଣା ଯାଉଥିଲା ସ୍ପନ୍ଦନର ଶବ୍ଦ ଯେମିତି ବେଳେ ବେଳେ ବନ୍ଦ ହେଇଯାଉଛି । ସେ ଆହୁରି ଗହିରେଇ ଶୁଣୁଥିଲେ । ଅମୂଳକ ତାଙ୍କର ଧାରଣା । ଖାଲି ମନର ଭ୍ରାନ୍ତି ।

 

—କଷ୍ଟ ହେଉଚି ଆଉ ?

 

ପଚାରିଲେ ସେ ।

 

ବିନୟ ଖୁବ୍‌ କ୍ଷୀଣ ଗଳାରେ କହିଲେ—କଷ୍ଟ ଦିହସୁହା ହେଇ ଗଲାଣି । କଷ୍ଟକୁ ଆଉ ମୋର ଭୟ ନାହିଁ ।

 

କମଳିନୀ ମୁଣ୍ଡ ତୋଳି ବିନୟଙ୍କ ମୁହଁରେ ହାତ ବୁଲାଇଥିଲେ ।

 

ଦୀର୍ଘ ବହୁବର୍ଷ ପରେ । ତାଙ୍କର ଯେମିତି ମନେ ହେଉଥିଲା ଅଲିଅଳ କୁମାରୀ ଝିଅଟି ପରି ତାଂକ ଛାତି ଉପରେ ଘନ ଘନ ଲୋଟି ପଡ଼ନ୍ତେ । ପ୍ରେମରେ କଂଠଲଗ୍ନା ହୋଇ କହନ୍ତେ-ନା ଗୋ, ନା; ମୁଁ ତମକୁ ଛାଡ଼ିବି ନାହିଁ, ଛାଡ଼ି ପାରିବି ନାହିଁ । ମତେ ତମେ ବଂଚେଇଥିଲ, ମୁଁ ଆଜି ତମକୁ ଛାଡ଼ିବି କିପରି ?

 

କି ମମତା । କି ଅନୁରକ୍ତି । ବାର୍ଦ୍ଧକ୍ୟର ନିର୍ଯାତନାରେ ବିନୟଙ୍କ ରୋଗ କ୍ଷୀଣ ମୁହଁ ତାର ସମସ୍ତ ସୌନ୍ଦର୍ଯ୍ୟ, ସବୁକିଛି ଲାଳିତ୍ୟ ହରାଇ ବସିଛି । ତଥାପି ଏଇ ମୁହଁ ଖଣ୍ଡକ ପାଇଁ ତାଙ୍କର କି ଅନୁରାଗ ।

 

ସେ ସେଇ ମୁହଁକୁ ଚାହିଁ ଚାହିଁ ଏକ ତରୁଣ ମୁହଁର ସ୍ୱପ୍ନ ଦେଖୁଥିଲେ । ବହୁଦିନ ତଳେ ଏଇ ଅଧରର ମଧୁ ଚାଖିବା ପାଇଁ ତରୁଣୀ ମନ ପାଗଳ ହେଇ ଉଠିଥିଲା । ଶାନ୍ତ ଶୀତଳ ଚଇତାଳି ପବନର କାନ୍ତ ପରଶରେ ବାହାରର ପ୍ରକୃତି ହୋଇ ଉଠିଥିଲା ଆହୁରି କମନୀୟ । ସଲଜ୍ଜ ଲତା ବଧୂର ଅନ୍ତରାଳରେ ଛପି ରହି କୋକିଳ ଗାଉଥିଲା ବସନ୍ତର ବନ୍ଦନା । ଆଜି ଏଇ ଅନୁଭୂତିହୀନ ରାତ୍ରିରେ ସବୁ ମନେପଡ଼େ । ମନେପଡ଼େ ଶୈଶବର ବାଲିଖେଳଚିତ୍ର, ତାରୁଣ୍ୟର ସ୍ନିଗ୍‌ଧ ଚଳଚିତ୍ର ।

 

ବିନୟ ପଚାରିଲେ-କମଳା, ରାତ୍ରି ଏତେ ଭୀଷଣ କାହିଁକି ? ମେଘ ବନ୍ଦ ହେଲାଣି ?

 

ପୂରା ବନ୍ଦ ନ ହୋଇଥିଲେ ମଧ୍ୟ ମେଘର ଗତି କମି ଆସିଛି । ଆକାଶ କୋଳରେ ମେଘ ଖଣ୍ଡ ଅନ୍ତରାଳରୁ ଫୁଟି ଦିଶୁଚି ଇତସ୍ତତଃ ତାରକା ପୁଞ୍ଜି—ଚନ୍ଦ୍ରର ଉପସ୍ଥିତି ବାହାରର ଝାପ୍‌ସା ଆଲୋକରୁ ବେଶ୍‌ ଜଣା ପଡ଼ୁଛି ।

 

ତଥାପି ଏଇ ରାତ୍ରି ଭୀଷଣ । ବିନୟଙ୍କୁ ଲାଗୁଥିଲା ସେ ଯେମିତି ଏମିତିକା ରାତ୍ରିରେ ଅଣନିଃଶ୍ୱାସୀ ହେଇ ପଡ଼ୁଛନ୍ତି ।

 

କମଳିନୀ କହିଲେ ମେଘ ବନ୍ଦ ହେଇଯିବ ଏଇନା । ତମପାଇଁ ଟିକିଏ ଗରମ ଦୁଧ ଆଣିଦିଏଁ । ଥଣ୍ଡାରେ ବସି ଦେହସବୁ ହେମାଳ ହେଇ ଗଲାଣି ।

 

ପ୍ରତ୍ୟୁତ୍ତର କଲେ ବିନୟ—କାହିଁକି କେଜାଣି ସବୁ ଋତୁକୁ ମୁକ୍ତ ଭାବରେ ଉପଭୋଗ କରିବାପାଇଁ ଭାରି ଇଚ୍ଛା ହେଉଛି । ବର୍ଷା ଋତୁ ଚାଲିଗଲେ ପୁଣି ଥରେ ତାକୁ ଉପଭୋଗ କରି ପାରିବି, ଏ ବିଶ୍ୱାସ ତ ମୋର ନାହିଁ । କେତେବେଳେ କଣ ହେବ... ?

 

–ଛି ଛି, ତମେ ଏସବୁ କଣ କହୁଛ ? ନିଜ ମୁହଁରେ ନିଜର ଅମଙ୍ଗଳ କଥା କହିବାକୁ ଅଛି ? ସେସବୁ ତୁମେ କାହିଁକି ଚିନ୍ତା କରୁଛ ? ସବୁବେଳେ ଯଦି ଏଇ କଥା ଭାବ, ତୁମର ଅବସ୍ଥା କଣ ହେବ ଜାଣ ? ମୋ ସୁନାଟି ତମେ, ସେସବୁ କଥା ମନକୁ ଆଣନାହିଁ ।

 

ବିସ୍ଫାରିତ ହେଇଗଲା ବିନୟଙ୍କ ନେତ୍ରଯୁଗଳ, କମଳିନୀଙ୍କ ଭାଷାରେ ଯେଉଁ ଦରଦ ରହିଛି ତାହା ତାଙ୍କ ମନକୁ ଅତୀତ ସ୍ମୃତିର ଗହ୍ୱର ଭିତରକୁ ନେଇଗଲା । ଏ ଭାଷା କଣ କମଳିନୀଙ୍କର ? ବାର୍ଦ୍ଧକ୍ୟର ପାଦଦେଶରେ ପହଞ୍ଚି ଜଣେ ନାରୀ କଣ ନିଜକୁ ଏତେ କୋମଳ କରି ପାରେ ? ତାର ଭାଷାରେ କଣ ଏମିତିକା ସାବଲୀଳ ଭାବ ଫୁଟି ପାରେ ?

 

କମଳିନୀ ପୁଣି କହିଲେ—ଦୁଶ୍ଚିନ୍ତାପରା ମଣିଷକୁ ସାରିଦିଏ । ତମେ ବରଂ ବହିପଢ଼ । ମୋ କଥା ମାନ । ଡାକ୍ତରମାନେ ତ ପଇସାଖୋର । ରୋଗ ଭଲହେଲା ବା ନହେଲା ସେ ବିଷୟରେ ଚିନ୍ତା କରନ୍ତି ନାହିଁ । ଶହେ ଜଣ ରୋଗୀଙ୍କର ଅମଙ୍ଗଳ ଘଟିଲେ ସେମାନଙ୍କର କିଛି ଯାଏ ଆସେନା । ନିତିଦିନ ସେମାନେ କେତେ ଦୁର୍ଘଟଣା ଘଟଉଛନ୍ତି । ମଣିଷ ଜୀବନ ପ୍ରତି ସେମାନଙ୍କର ପରବାୟ ନାହିଁ ।

 

ବିନୟ କିଛି କହିଲେ ନାହିଁ । କମଳିନୀଙ୍କର ଏଇ ଉପଦେଶ ଅତ୍ୟଧିକ ସ୍ନେହର ନିଦର୍ଶନ । ଗୋଟାଏ ଜନ୍ମର ପରିଚୟ, ଘନିଷ୍ଠତା ଦୁଇଟି ପ୍ରାଣକୁ ଏକ କରି ଦେଇଛି । ଜଣକର ଚିନ୍ତାର ଛାପ ଅନ୍ୟର ମନଉପରେ ପଡ଼େ । ବାସ୍ତବିକ ସ୍ୱାମୀ ସ୍ତ୍ରୀର ବନ୍ଧନ ରଜ୍ଜୁ କେଡ଼େ ଶକ୍ତ ।

 

ବିନୟ ତାଙ୍କର ଥରିଲା ଛାତି ଭିତରେ ନୂଆ ଏକ ଅନୁଭୂତିର ସ୍ପର୍ଶ ପାଉଥିଲେ । ବିବାହର ପ୍ରଥମ ଲଗ୍ନରେ ଏଇ କମଳିନୀଙ୍କ କମଳିନୀ ମୁହଁ ଖଣ୍ଡିକ ଥିଲା କି ସୁନ୍ଦର—କୁଞ୍ଚିତ କେଶ ଗୁଚ୍ଛରେ ରଜନୀଗନ୍ଧା ଫୁଲର ବିକାଶ ଭାରି ଚମତ୍କାର ଦିଶୁଥିଲା । କପାଳର ମଧ୍ୟଦେଶରେ ଚିକ୍‌ ଚିକ୍‌ କରୁଥିଲା ରକ୍ତ ରଂଗ ସିନ୍ଦୂର । କାନରେ ଝରା ବକୁଳ—ଆଖିରେ ସବୁ କଜ୍ଜ୍ୱଳର ଗାର । ତାଙ୍କର ସୁନା ରଙ୍ଗର ପତଳା ଦେହକୁ ଆକାଶୀ ରଙ୍ଗର ଶାଢ଼ୀ ବେଶ୍‌ ମାନୁଥିଲା । ମାନସରୋବରର କଳ୍ପିତ ଦେବକନ୍ୟାର ସୁଷମା ନେଇ ନିସ୍ତବ୍‌ଧ ରାତ୍ରିର ଅନ୍ଧାର ପକ୍ଷତଳେ ସେ ଯେତେବେଳେ ଶୟନ କକ୍ଷରେ ପ୍ରବେଶ କରୁଥିଲେ ସେତେବେଳେ ତରୁଣ ବିନୟଙ୍କର ସମସ୍ତ ଅବୟତ ଶିହରି ଉଠୁଥିଲା-ଭାଷା ସ୍ଫୁରୁ ନ ଥିଲା ମୁଖରୁ । ନିଜକୁ ସେ ଦୁର୍ବଳ ମନେ କରୁ ଥିଲେ । ଯୁବତୀ ସ୍ତ୍ରୀର ସଲାଜ ବଦନରେ ଦୀପ୍ତ ହସ୍ୟରେଖା ଆଜି ହୁଏତ ସ୍ୱପ୍ନ—

 

ସେଦିନ କଣ ଆଉ ଥରେ ଫେରିବ ? ସେ ଆଉ ଫେରି ପାରେନା । ତଟିନୀର ଯେଉଁ ଜଳ ନିମ୍ନଗାମୀ ହେଇ ମହାସିନ୍ଧୁ ସଂଗରେ ନିଜକୁ ମିଶେଇ ଦେଇ ସାରିଛି, ସେ ଜଳ ଆଉ କେବେ ତଟିନୀର ବକ୍ଷକୁ ଲେଉଟି ଆସେ ନାହିଁ । ବିଗତ ହେଇ ଯାଇଚି ଯେଉଁ ଯୌବନ, ସେ ଆଉ ଲେଉଟି ଆସେନା ।

 

ମନ କିନ୍ତୁ ମରେନା ।

 

ବିନୟଙ୍କର ମନେ ହେଉଥିଲା ସେ ଯେମିତି ଆଜି କମଳିନୀଙ୍କ ସ୍ପର୍ଶରେ ନୂତନ ଜୀବନର ଗଂଧ ପାଉଛନ୍ତି । ଭାରି ଇଚ୍ଛା ହେଉଥିଲା ତାଙ୍କ କଣ୍ଠର ସଙ୍ଗୀତ ଗୋଟିଏ ଶୁଣିବାକୁ । ବୟସ ଯେତେବେଳେ ଥିଲା ସେ ସେତେବେଳେ କେତେ ସଂଗୀତ ଶୁଣାଇଛନ୍ତି । ସେହି ସଂଗୀତ ହିଁ ଥିଲା ଦୁହିଁଙ୍କ ମଧ୍ୟରେ ପ୍ରଧାନ ଆକର୍ଷଣ ।

 

ବିନୟ ଚିତ୍ରଶିଳ୍ପୀ—କବି ମଧ୍ୟ । କମଳିନୀ ତାଙ୍କର କବିତା । ଦୁହିଁଙ୍କର ମିଳନ ଯୁକ୍ତିଯୁକ୍ତ, ରୁଚିକର ।

 

ସେଇ ଅତୀତ ଚିନ୍ତାରେ ବିନୟଙ୍କ ପ୍ରାଣ ଆଜି ପୂରି ଉଠୁଛି । ଏମିତିକା ଶୀତଳ ରାତ୍ରିରେ କମଳିନୀଙ୍କ ପରଶ ବେଶ୍‌ ଭଲ ଲାଗୁଛି ।

 

ଦୁର୍ବଳ ହାତ ଦୁଇଟିକୁ ସେ କମଳିନୀଙ୍କ କଣ୍ଠ ଦେଶରେ ଛନ୍ଦି ଆଣିଲେ । କି ଶାନ୍ତି ସତେ ଏଇ ମିଳନରେ ।

 

ପର ମୁହୂର୍ତ୍ତରେ କିନ୍ତୁ ସେ ଚମକି ଉଠିଲେ । ସେ ଏକ ସାଂଘାତିକ ରୋଗରେ ଆକ୍ରାନ୍ତ–କମଳିନୀ ସୁସ୍ଥ । ସ୍ୱାମୀତ୍ୱର ଅଧୀକାର ଜାହିର କରି ସେ ଅନ୍ୟାୟ କରୁ ନାହାନ୍ତି ତ ?

 

କମଳିନୀ ବିନୟଙ୍କ ମୁଣ୍ଡରେ ହାତ ମାରୁ ମାରୁ କହିଲେ—ଭଗବାନ କେଡ଼େ ନିଷ୍ଟୁର । ନୁହେଁ କି ?

 

ବିନୟ କଥା ନକହି ମୁଣ୍ଡଟି ହଲାଇ ସମ୍ମତି ଜଣାଇଲେ । ନିଷ୍ଠୁର ନହୋଇଥିଲେ ଏଇ ଦମ୍ପତିର ଆଜି ଏ ଦୁର୍ଦ୍ଦଶା ହେଇଥାନ୍ତା କାହିଁକି ? କମଳିନୀ ପୁଣି କହିଲେ—ତମେ କହୁଥିଲ ନା ଗୋଟେ ଗୀତ ଶୁଣିବ ବୋଲି ? କିନ୍ତୁ... । ନୀରବ ରହିଲେ ସେ ।

 

ବିନୟ କହିଲେ—କମଳା ସୁନ୍ଦର ଯେ ସେ ସବୁଦିନେ ସୁନ୍ଦର । ତୁମର ଗୀତ ସବୁବେଳେ ମତେ ଭଲ ଲାଗେ । ତୁମେ ଗାଅ ।

 

ସ୍ୱାମୀଙ୍କ ମନ ଭାଙ୍ଗିଦବାର ଇଚ୍ଛା କମଳିନୀଙ୍କର ମୋଟେ ନଥିଲା । ଗୀତ ଗାଇବାର ସ୍ପୃହା ନାହିଁ । ଏ ବୟସରେ ବା ସେ କି ଗୀତ ଆଉ ଗାଆନ୍ତେ ? ତଥାପି ଗାଇଲେ । ହାରମୋନିୟମ ବହୁଦିନ ହେଲା ବ୍ୟବହୃତ ହୋଇନାହିଁ । ବେସୁରା ମଧ୍ୟ ହେଇଗଲାଣି । ତଥାପି ସେଇ ବେସୁରା ଯଂନ୍ତ୍ରଟିରେ ସ୍ୱର ସଂଯୋଗ କରିବାକୁ ପଡ଼ିଲା ।

 

ଗୀତ ଶେଷ ହେଲା । ସେହି ଚିର ପରିଚିତ ପ୍ରିୟ ଗୀତଟି । ଯୌବନର କେଉଁ ଜୁଆରିଆ ମୁହୂର୍ତ୍ତରେ ବିନୟ ନିଜେ ଏହି ଗୀତଟି ରଚନା କରିଥିଲେ । ଗୀତଟିର ଛତ୍ରେ ଛତ୍ରେ ଯୌବନର ଉଦ୍ଦାମ ଆକାଂକ୍ଷା—ବଞ୍ଚି ରହି ଉପଭୋଗ କରିବାର ପ୍ରବଳ ପିପାସା ।

ଜୀବନର ସନ୍ଧି କ୍ଷଣରେ ସେହି ଗୀତଟିକୁ ପୁଣି ଥରେ ଶୁଣି ସେ ଚିତ୍କାର କରି ଉଠିଲେ–କମଳା, ନା ନା ମୁଁ ମରିବାକୁ ଚାହେଁନା । ମୁଁ ବଂଚିବି । ତମର ଅମାନିଆ ଅଞ୍ଚଳ ତଳେ ମତେ ବାନ୍ଧିରଖ । ମୁଁ ପୁଣିଥରେ ଜୀବନକୁ ଉପଭୋଗ କରିବି କମଳା, ତୁମେ ମୋତେ ବଞ୍ଚେଇ ପାରିବ-?

ହଠାତ୍‌ ଏ କଣ ହେଲା ?

କମଳିନୀଙ୍କ ମୁହଁ ଶୁଖି ଯାଇଚି । ନୟନ କୋଣରେ ଢଳ ଢଳ କରୁଛି ଅଶ୍ରୁ । ସେ ମଧ୍ୟ ପାଟି କରି ଉଠିଲେ—ମୋତେ କ୍ଷମା କର ଗୋ । ମୋର ଭୁଲ ହେଇଚି । ଏଇପୁରୁଣା ଗୀତଟିକି ଗାଇ ତମ ମନରେ ପୁଣି ମୁଁ ପୂର୍ବର ସ୍ମୃତିକୁ ଜଗାଇ ଦେଇଚି । କ୍ଷମାକର ମୋତେ, ମୋର କୋଟି ଅପରାଧ ।

ତାଙ୍କ ଆଖିର ଅଶ୍ରୁ ଟୋପାଏ ଯାଇ ବିନୟଙ୍କ ଛାତି ଉପରେ ପଡ଼ିଲା ସେ କହିଲେ-କମଳା ତୁମେ କାନ୍ଦୁଛ ? ଛି ଛି.....

କମଳିନୀଙ୍କ ଛାତି ଫଟାଇ କୋହ ଆସୁଥିଲା । ସେ ଆତ୍ମସମ୍ବରଣ କରି ନପାରି ପଳାଇ ଆସିଲେ । ତାଙ୍କର ଯିବା ବାଟକୁ ଚାହିଁ ରହିଥିଲେ ବିନୟ । ଅତ୍ୟନ୍ତ କରୁଣ ଆଉ ଅର୍ଥପୂର୍ଣ୍ଣ ସେହି ଦୃଷ୍ଟି ।

କମଳିନୀ ଚାଲି ଆସିଲେ ତାଙ୍କ ଶୋଇବା ଘରକୁ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ସ୍ୱାମୀ ସ୍ତ୍ରୀଙ୍କର ଶୋଇବା ଘର ପୃଥକ ହୋଇ ଯାଇଛି । ପଲ୍ୟଙ୍କ ଉପରେ ପଡ଼ି ରହିଲେ ସେ । କାନ୍ଥରେ ଝୁଲୁଚି ବିନୟଙ୍କ ହାତ ତାଙ୍କର ଚିତ୍ରପଟ । ନିଜ ଚିତ୍ରପଟକୁ ଦେଖି ନିଜେ ସେ ଚମକି ପଡ଼ିଲେ ।

ସେ କଣ ସତରେ ଏଡ଼େ ସୁନ୍ଦରୀ ଥିଲେ ? ଆଜିର ଚେହେରା ସହିତ ପୂର୍ବର ସେଇ ଚେହେରାକୁ ଖାପ ଖୁଆଇ ପାରୁ ନଥିଲେ ସେ । ସେ ବୟସରେ ବାସ୍ତବିକ ସେ ଥିଲେ ରୂପ ଆଉ ଯୌବନର ଏକ ମଧୁମୟ ସଂମିଶ୍ରଣ ।

ଏଇ ଚିତ୍ରପଟ । ବିବାହର ପ୍ରଥମ ବର୍ଷରେ ବିନୟ ନିଜେ ହାତରେ ଆଙ୍କିଥିଲେ । ଆଜି ହୁଏତ ସେଇ ସବୁ ସ୍ମୃତି ତାଙ୍କର ମନେପଡ଼ୁଚି ।

—ଯୌବନ ଯାଇଚି । ସୁଖ ସଂଭୋଗବାସନା ସବୁ କିଛି ଲୁପ୍ତ । ଆଜି ଆଉ ଏ ଚିତ୍ରରେ ଆବଶ୍ୟକତା କଣ ? ମରୁଭୂମି ଭିତରେ ରହି ଜଳର ସ୍ୱପ୍ନ ଦେଖିବାରେ କେଉଁ ସାର୍ଥକତା ରହିଛି ।

ସେ ଆଉ ବିନୟଙ୍କୁ ପାଗଳ କରିବାକୁ ଚାହୁଁ ନଥିଲେ । ହଠାତ୍‌ ତାଙ୍କର ସ୍କୃତି ପଟରେ ଉଙ୍କି ମାରୁଥିଲା ଏଇ ରୂପ ତଳର କରୁଣ ଇତିହାସ ।

ସେତେବେଳେ ସେ ଷୋଡ଼ଶୀ—ଶାନ୍ତି ନିକେତନରେ ସଂଗୀତ ଅଧ୍ୟୟନ କରୁଥାନ୍ତି । କବି ରବୀନ୍ଦ୍ରଙ୍କ ନନ୍ଦନ କାନନରେ ମୁକ୍ତ ମନ ତାଙ୍କର ଘୂରି ବୁଲୁଥାଏ । ଫୁଲର ସ୍ୱପ୍ନ—ଜଗତଟାକୁ ସେ ଦେଖୁଥାନ୍ତି ରଙ୍ଗୀନ ଆଖିରେ ।

 

ତାଙ୍କରି ସହପାଠୀ—ଶ୍ରୀମନ୍ତ ଓ ବିନୟ ଉଭୟ । ଦୁହିଁଙ୍କ ସହିତ ତାଙ୍କର ବଂଧୁତା । ଶ୍ରୀମନ୍ତ କିନ୍ତୁ ଖୁବ୍‌ ବଡ଼ଲୋକ ଘରର ପିଲା, ଘରେ ଅମାପ ସଂପତ୍ତି । କାର୍ତ୍ତିକେୟ ପରି ଚେହେରା-। କମଳିନୀ ପ୍ରଥମ ଦେଖାରେହିଁ ତାଙ୍କ ପ୍ରେମରେ ପଡ଼ିଗଲେ । ଯୁବକ ଯୁବତୀ ଜୀବନର କଣ୍ଟକ ବିହୀନ ପଥରେ ପଦଚାରଣା କରୁ କରୁ ପ୍ରେମ ବଂଧନ ସ୍ୱାଭାବିକ ଭାବରେ ଘଟେ-। ଏତ ପୃଥିବୀର ଚିରନ୍ତନ ସତ୍ୟ । ଆଦି ପୁରୁଷ ଆଦିମାତାଙ୍କ ପ୍ରେମରେ ପଡ଼ି ନଥିଲେ ଏତେ ବଡ଼ ସୃଷ୍ଟି କଣ ସମ୍ଭବ ହେଇପାରିଥାନ୍ତା । ପ୍ରେମହିଁ ଜଗତର ମୂଳ ।

 

ଶାନ୍ତିନିକେତନର ମଂଜୂଳ ପରିବେଶରେ ଯୁବକ ଶ୍ରୀମନ୍ତ ଓ ଯୁବତୀ କମଳିନୀ ନିଜ ନିଜକୁ ହରାଇ ବସିଲେ ।

 

ଗୋଟିଏ ଦିନର କଥା—ସ୍ପଷ୍ଟ ମନେ ଅଛି ତାଙ୍କର । ସେ କେଉଁ ଏକ ପର୍ବ ଉପଲକ୍ଷେ ସମଗ୍ର ବିଦ୍ୟାମନ୍ଦିର ମୁଖର ହେଇ ଉଠିଥିଲା । ନାଚ ଗୀତର ଧୁମଧାମ ଭିତରେ ଜୀବନର ସତ୍ତା ଆହୁରି ସୁନ୍ଦର ହେଲା ।

 

ବକୁଳ କୁଞ୍ଜର ଛାୟାରେ ଶ୍ରୀମନ୍ତ କରିଥିଲେ ପ୍ରଥମେ ପ୍ରେମ ନିବେଦନ । ମନର ସ୍ୱର୍ଗୀୟ ଭାବ ଦେହ ସୁଖ ସ୍ତରକୁ ଓହ୍ଲାଇ ଆସିଥିଲା । ଷଷ୍ଠୀ ଚନ୍ଦ୍ରର ରାତି । ବହୁ ଫୁଲର ଗନ୍ଧରେ ବାୟୁମଣ୍ଡଳ ସୁରଭିତ । ସିମେଣ୍ଟେଡ ବେଞ୍ଚ ଉପରେ ବସି ରହିଥିଲେ କମଳିନୀ । କୃଷ୍ଣ କୁଂତଳ ଲମ୍ବି ଆସିଥିଲା ତଳକୁ । ନୀଳ ରଂଗର ଶାଢ଼ୀ ଚଞ୍ଚଳ ପବନରେ ଉଡ଼ି ବୁଲୁଥିଲା । ମନଯାଇ ଉଡ଼ିବୁଲୁଥିଲା ସ୍ୱପ୍ନ ରାଜ୍ୟରେ ।

 

ପାଖରେ ବସିଛନ୍ତି ଶ୍ରୀମନ୍ତ । ତାଙ୍କର ବଳିଷ୍ଠ ଚେହେରା ଦେଖିଲେ ଯେ କେହି ନାରୀ ତରଳିଯିବ । ନାରୀ ଦମ୍ଭହରା ରୂପ ସତେ ।

 

ଶ୍ରୀମନ୍ତ କହିଲେ—କମଳା ଆଜିର ଏ ରାତ୍ରିଟି ଜୀବନରେ ସ୍ମରଣୀୟ ହୋଇ ରହୁ । ରାତ୍ରିଚାରୀ ପକ୍ଷୀର କଳରବ ଶୁଭୁଚି । ଶ୍ରୀମନ୍ତ ଘୁଞ୍ଚି ଆସିଲେ ଆହୁରି ନିକଟକୁ । କମଳିନୀଙ୍କର ଦେହରେ କେମିତି ଏକ ଅନନୁଭୂତ ରୋମାଂଚ ।

 

ସେ କହିଲେ—ଦେଖୁ ନାହଁ, ଏଇ ଗଛ ଡାଳରେ ବସି କେଉଁ ପକ୍ଷୀଟିଏ ଚାହିଁ ରହିଛି ଆମ ଆଡ଼କୁ ।

 

ଶ୍ରୀମନ୍ତ ହସିଲେ । ଅନ୍ଧାରିଆ ଗଛ ଡାଳରେ ପକ୍ଷୀ ବସିଚି । ତା’ ବସିବା ସହିତ କଣ ସଂପର୍କ ବା ଅଛି ଏଇ ପରିବେଶର ।

 

ମଦନ ଦେବତା ଅନ୍ଧ । ସେହି ଦେବତାଙ୍କ ଉପାସକମାନେ ମଧ୍ୟ ମୁହୂର୍ତ୍ତକ ପାଇଁ ଅନ୍ଧ ହେଇଯାନ୍ତି ।

 

ଜଣେ କିଏ ସେମାନଙ୍କ ଆଡ଼କୁ ଆସୁଚି । ଉଭୟ ଶଂକିଗଲେ । ନା, ଆଉ କିଛି ଭୟ ନାହିଁ । ଆଗନ୍ତୁକ ଅନ୍ୟ ରାସ୍ତା ଧରିଛନ୍ତି ।

 

ଯୁବକ-ଯୁବତୀର ପ୍ରାଣ-ତନ୍ତ୍ରୀରେ ବାଜୁଥିଲା ପଞ୍ଚମ ରାଗିଣୀ । ରାତ୍ରି ହେଉଥିଲା ଗୀତମୟ ।

 

ଶ୍ରୀମନ୍ତ ଆଉ କମଳିନୀ । ବିଦ୍ୟାମନ୍ଦିରର ବହୁ-ଛାତ୍ର ଛାତ୍ରୀଙ୍କର ଆଲୋଚନାର ବିଷୟ ବସ୍ତୁ ଥିଲେ । ଉଦ୍ଦାମ ଯୌବନର ଅମାନିଆ ସ୍ରୋତ ଭିତରେ ଯୁବକ ଯୁବତୀ ବାହାରର ସବୁକିଛି ଯେମିତି ଭୁଲି ଯାଆନ୍ତି । ବାହାରର ପରିସ୍ଥିତି, ସମାଜର ଶାସନ ସବୁକୁ ସେମାନେ ମଣନ୍ତି ତୁଚ୍ଛ ।

 

ପୁଣି କିଛିଦିନ ପରର କଥା । ବିନୟ ବିଦ୍ୟାମନ୍ଦିରର ଚିତ୍ର ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଶ୍ରେଷ୍ଠ ଚିତ୍ରଶିଳ୍ପୀ ରୂପେ ପୁରସ୍କୃତ ହୋଇଥାନ୍ତି । ଓଡ଼ିଶାର ଛାତ୍ରଛାତ୍ରୀଗଣ ତାଙ୍କୁ ଅଭିନନ୍ଦନ ଦେବାପାଇଁ ଏକ ସଭାର ଆୟୋଜନ କରିଥିଲେ । ଏହି ସଭାର ପ୍ରାରମ୍ଭିକ ସଙ୍ଗୀତ ଗାଇଥିଲେ କମଳିନୀ । କୋକିଳଜୀଣା କଂଠରେ ତାଙ୍କର ସେ କି ଛନ୍ଦ ମଧୁର ରାଗିଣୀ । ସଭାସ୍ଥ ସମସ୍ତେ ଚମତ୍କୃତ ହେଇଥିଲେ ।

 

ସଭାପରେ । କମଳିନୀଙ୍କ ପ୍ରକୋଷ୍ଠକୁ ଯାଇ ତାଙ୍କୁ ଅଭିନନ୍ଦନ ଜଣେଇଲେ ବିନୟ । ତା’ପରର କଥା ଅତି ସହଜ । ଯେଉଁ ବାଘ ଥରେ ମଣିଷ ମାଂସ ଆସ୍ୱାଦନ କରିଛି ସେ ଆଉ ତା ଲୋଭ ସମ୍ଭାଳି ପାରେ ନାହିଁ । ଶିକାର ଆଶାରେ ଗୁଳି ମୁହଁକୁ ମଧ୍ୟ ସେ ଚାଲିଯାଏ । ପରିଣାମ କଥା ଭାବିବାର ବେଳ ନଥାଏ । କମଳିନୀ ଏଥର ବିନୟଙ୍କ ପାଖରେ ଆପେ ଆପେ ଧରା ଦେଇଥିଲେ । ବିନୟ କବି-ଶିଳ୍ପୀ । ଶିଳ୍ପୀ କେବେ ତାର ଶିଳ୍ପକୁ ଓ କବି କେବେ ତାର କବିତାକୁ ଅନାଦର କରି ପାରେନା ।

 

ବର୍ଷକ ପରର ଆଉ ଏକ ସନ୍ଧ୍ୟାର କଥା । ବକୁଳ କୁଂଜର ସାଂଧ୍ୟ ଚନ୍ଦ୍ରର ଛାୟାରେ ବସିଥିଲେ ଯୁବକ ବିନୟ ଓ ଯୁବତୀ କମଳିନୀ । କମଳିନୀଙ୍କ ହୃଦୟରେ ପ୍ରେମର କାଉଁରୀ ସ୍ପର୍ଶ । ବିନୟ କିନ୍ତୁ ପ୍ରେମ ନିବେଦନ କରିନଥିଲେ-ଅର୍ଥାତ୍‌ ଦେହର ମିଳନରେ ଯେଉଁ ସୁଖ ଆସେ ତା’ ସେ କେବେ ଚାହିଁ ନଥିଲେ । କବି କଳ୍ପନାରେହିଁ ପାଏ ଆନନ୍ଦ । ଯେଉଁମାନେ କବିଙ୍କୁ ଚରିତ୍ରହୀନତା ଦୋଷର ଦୋଷୀ କରନ୍ତି ସେମାନେ ଅନେକ ସମୟରେ ଅବିଚାର କରିଥାନ୍ତି । କବିର ଦିଗନ୍ତ ପ୍ରସାରୀ ସବୁକିଛି କଳ୍ପନା କରେ—ତା ନ କଲେ ସେ ବଞ୍ଚି ପାରିବ ନାହିଁ ।

 

କମଳିନୀଙ୍କର ଆଜି ମନେ ପଡ଼ୁଛି—ସେଦିନ ସଂଧ୍ୟାରେ ବିନୟ ଶାନ୍ତ ବିନମ୍ର କଣ୍ଠରେ କହିଥିଲେ—କମଳା, ତୁମେ କ’ଣ ଜୀବନର ଧାରା ବଦଳାଇ ପାରିବ ନାହିଁ ? ତମେ ଯେଉଁ ଅନିଶ୍ଚିତ ପଥରେ ପାଦ ଦେଇଛ ତାହା ବିପଜ୍ଜନନ । ବିଶୃଙ୍ଖଳ ଜୀବନ ସବୁଦିନ ପାଇଁ କ’ଣ ତମକୁ ଆନନ୍ଦ ଦେଇ ପାରିବ ?

 

କମଳିନୀଙ୍କ ଆଗରେ ଗୁରୁତର ପ୍ରଶ୍ନ । ଶୃଙ୍ଖଳିତ ଜୀବନ ସେ ଚାହାନ୍ତି, ନା ସେ ଚାହାନ୍ତି ମୁକ୍ତ ବିହଙ୍ଗୀ ଭଳି ବଂଧନ ବିହୀନ ଜୀବନ ?

 

ସେ ନୀରବ ରହିଥିଲେ । ପ୍ରେମର ନିଶ୍ଚିତ ପରିଣତି ଯଦି ବିବାହ, ସେ ପ୍ରେମ ଚାହୁଁ ନ ଥିଲେ । ତାଙ୍କର ଏଇ ନୀରବତାରେ ବିନୟ କହିଲେ-ବିଦାୟ କମଳା, ଆଜି ମୁଁ ଯାଉଛି । ଭାବିଚିନ୍ତି ମୋ ପ୍ରଶ୍ନର ଉତ୍ତର ଦେବ । ଯଦି ମୋ କଥାକୁ ଗ୍ରହଣ କରିପାର, ପରେ ସାକ୍ଷାତ କରିବ ।

 

କମଳିନୀ ସନ୍ଦିଗ୍‌ଧ ଦୃଷ୍ଟିରେ କ୍ଷଣକାଳ ଚାହିଁ ରହିଥିଲେ । ତାଙ୍କର ମନ କାହିଁକି କେଜାଣି ଜୀବନର କୌଣସି ବଂଧନକୁ ସମର୍ଥନ କରି ପାରୁ ନ ଥିଲା ।

 

ରୂପବତୀ ସେ । ପିଞ୍ଜରୀ ଭିତରେ ଆବଦ୍ଧ ରହି ନିଜକୁ ପ୍ରସ୍ଫୁଟିତ କରିବାକୁ ନ ଦେଇ ମଉଳିଯିବେ କାହିଁକି ?

 

ଚକ ପୁଣି ଘୂରିଗଲା । ବିନୟ ତାଙ୍କ ପଥରେ କଳାଚର୍ଚ୍ଚା କରି ଚାଲିଲେ । ଆଉ କମଳିନୀ ?

 

ହଠାତ୍‌ ତାଙ୍କର ଦେହ ଆଜି ଥରି ଉଠିଲା । ଇସ୍‌, କି ମାରାତ୍ମକ ଭୁଲ ସେ ନ କଲେ ଜୀବନରେ ? ଜୀବନର ବାରମାସ ଯଦି ମଧୁମାସ ହୋଇଥାନ୍ତା, ତହାହେଲେ କିଛି ଅନୁଶୋଚନା ନ ଥିଲା । ବସନ୍ତ ପରେ ଗ୍ରୀଷ୍ମର ଅସହ୍ୟ ଜ୍ୱାଳା ଯେ ସହିବାକୁ ପଡ଼ିବ, ଗ୍ରୀଷ୍ମ ନ ଆସିଲା ପର୍ଯ୍ୟନ୍ତ ଅନେକ ତାହା ଉପଲବ୍‌ଧି କରି ପାରନ୍ତି ନାହିଁ । କମଳିନୀଙ୍କ ଜୀବନରେ ତାହାହିଁ ଘଟିଥିଲା ।

 

ସେ ଆଉ ବିନୟଙ୍କୁ ସାକ୍ଷାତ କରି ନ ଥିଲେ । କାହିଁକି ବା କରନ୍ତେ ? ଜୀବନକୁ ଯେ ଜୀବନ ଭଳି ଉପଭୋଗ କରିବାକୁ ଚାହାଁନ୍ତି ନାହିଁ ସେ ଯେ କେମିତିକା ମଣିଷ କମଳିନୀ ତାହା ବେଶ୍‌ କଳ୍ପନା କରି ପାରୁଥିଲେ । ସେ ତାଙ୍କ ନିଜ ପଥ ବାଛି ନେଲେ । ଯାବତ୍‌ ଜୀବେତ୍‌ ସୁଖମ୍‌ ଜୀବେତ୍‌...ଭସ୍ମି–ଭୂତସ୍ୟ ଦେହସ୍ୟ ପୁନରାଗମନଂ କୁତଃ ?

 

ବାଧା ବଂଧ ନମାନି ସେ ଚାଲିଲେ । ଆଜି ସେ ନିଜେ ମଧ୍ୟ ବିଶ୍ୱାସ କରିପାରନ୍ତି ନାହିଁ, ଅତୀତରେ ଦିନେ ସେ ଏତେ କାମୁକା ଥିଲେ । ଅଥବା ସୌନ୍ଦର୍ଯ୍ୟ ସହିତ କାମନା ଓତଃପ୍ରୋତ ଭାବରେ ଜଡ଼ିତ । ବ୍ୟଭିଚାରୀ ରାତ୍ରିର ନିଃଶବ୍ଦ ଲଗନରେ ସେ ସାଜୁଥିଲେ ଅଭିସାରିକା ।

 

ଜୀବନ ମଧୁମାସରେ ପୁଣି ଦେଖା ଦେଇଥିଲେ ଶ୍ରୀମନ୍ତ । ବେଶ୍‌ ଆନନ୍ଦରେ କଟି ଯାଇଥିଲା ପୁଣି କିଛି ଦିନ ।

 

କିନ୍ତୁ ତା’ପରେ ଘୋଟି ଆସିଥିଲା ତମସାର ଝଡ଼ । ମିଳନ ଲଗ୍ନର ଅବ୍ୟବହିତ ପରେ କମଳିନୀ ଶୁଣିଲେ ଭାବୀ ଶିଶୁର ହୃତ୍‌ସ୍ପନ୍ଦନ । ସର୍ବନାଶ ! ନିଜକୁ କୁମାରୀ ବୋଲାଇ ସେ ଦେଖିଲେ ଜନନୀ ହେବାର ଦୁଃସ୍ୱପ୍ନ ।

 

ମୋହ ତାଙ୍କର କଟିଗଲା । ମାତ୍ର ଉପାୟ ? ?

 

ଉପାୟ ? ଉପାୟ, ଉପାୟ ?

 

କୌଣସି ଉପାୟ ନ ପାଇ ସେ ଧାଇଁଲେ ଶ୍ରୀମନ୍ତଙ୍କ ପାଖକୁ । ତାଙ୍କରି ମୁହଁରୁ ବହୁ ଆଶ୍ୱାସନା ସେ ପାଇଛନ୍ତି । ଏଥର ମଧ୍ୟ ପାଇବେ । ମନେ ପଡ଼ୁଥିଲା ବିନୟଙ୍କ କଥା । ଠିକ୍‌ କହି ନ ଥିଲେ କି ସେ ?

 

କିନ୍ତୁ ହାୟରେ ! ନିଷ୍ଠୁର ସତ୍ୟକୁ ବହୁତ ଡେରିରେ ସେ ଉପଲବ୍‌ଧ କଲେ, କମଳିନୀ ଯାଇ ପହଞ୍ଚିବା ବେଳକୁ ଶ୍ରୀମନ୍ତ ଏକ ସୁନ୍ଦରୀ ଅପ୍‌ସରାର ମୂର୍ତ୍ତି ଆଙ୍କି ବସିଥିଲେ । କମଳିନୀଙ୍କୁ ଦେଖି ସେ ପ୍ରେମଗଦଗଦ ହୋଇ ଅସ୍ଥିର ହାତ ଦୁଇଟିକୁ ପ୍ରସାରି ଦେଲେ । କିନ୍ତୁ ତାଙ୍କର ବାହୁବନ୍ଧନ ଭିତରେ ବନ୍ଦିନୀ ହେବା ପୂର୍ବରୁ କମଳିନୀ ହଠାତ୍‌କିନା ଠିଆ ହୋଇଗଲେ । ଶ୍ରୀମନ୍ତ କହିଲେ—କ’ଣ ହେଇଚି ? ପାଖକୁ ଆସ କମଳା । ଏତେଦିନ ପରେ ମଧ୍ୟ ତୁମର ଏପରି ବ୍ୟବହାର ବଡ଼ ଅସହ୍ୟ ହୋଇ ଉଠୁଚି । ମୁଁ ଯେ ଦିନରାତି ତୁମରି କଥା ସ୍ୱପ୍ନ ଦେଖୁଚି । ଆସ ।

 

କମଳିନୀ କିନ୍ତୁ ଆଉ ଆଗେଇ ପାରିଲେନାହିଁ । ଅନାଗତ ଦିନର ଭୟରେ ଅନ୍ତର ସାରା ଦୋହଲି ଗଲା ।

 

ଶ୍ରୀମନ୍ତ ଉଠି ଆସିଲେ—ରାଣୀଟି ପରା । ଆସ ।

 

କମଳିନୀଙ୍କର ହାତ ଧରି ସେ ତାଙ୍କୁ ନେଇ ଖଟ ଉପରେ ବସାଇ ଦେଲେ । ଏ କ’ଣ ? ଲଜ୍ଜା ଆଉ ସଂକୋଚରେ ସାରା ପ୍ରାଣପୁର ଯେମିତି ଦୋହଲିଗଲା ଏଇ ତରୁଣୀଙ୍କର । ବହୁତ କଷ୍ଟର ଚୁପି ଚୁପି ଶ୍ରୀମନ୍ତଙ୍କ କାନପାଖରେ କହିଲେ ତାଙ୍କ ଦୁର୍ଦ୍ଦଶାର କରୁଣ କଥା । ପୂର୍ଣ୍ଣମୀ ଚାନ୍ଦକୁ ରାହୁ ଗ୍ରାସ କଲେ ସାରା ପୃଥିବୀ ଯେମିତି ଅନ୍ଧକାର ହୋଇଯାଏ ତାଙ୍କ କଥା ଶୁଣି ଶ୍ରୀମନ୍ତଙ୍କ ମୁଖଚନ୍ଦ୍ର ସେମିତି ବିମର୍ଷ ଅନ୍ଧକାରରେ କଳା ହୋଇଗଲା ।

 

ତଥାପି ଆଶା ଅଛି । ସେ ସାହସ ମଧ୍ୟ ଦେଲେ—କହିଲେ ଆଚ୍ଛା, ତୁମେ କାଲି କମଳିନୀ, ମୁଁ ସବୁ ବନ୍ଦୋବସ୍ତ କରିଦେବି ।

 

କମଳିନୀ କହିଲେ–ଆଉ ଅନ୍ୟ କିଛି ପନ୍ଥା ନାହିଁ । ତମକୁ ମତେ ବିବାହ କରିବାକୁ ପଡ଼ିବ ।

 

ଶ୍ରୀମନ୍ତ ଉତ୍ତର ଦେଲେ—ଆଜି ଦିନଟି ମତେ ସମୟ ଦିଅ । ମୁଁ ସବୁ କଥା ଧୀର ସ୍ଥିର ଭାବରେ ଭାବିନିଏ । ତା’ପରେ ଆଗାମୀର କର୍ମପନ୍ଥା ଠିକ କରିବା ।

 

କମଳିନୀ ଅଶ୍ରୁଳ ମୁହଁରେ ଫେରି ଆସିଲେ । ଏ ଆଘାତ ତ କମ ନୁହେଁ । ସାରା ପୃଥିବୀ ଯେମିତି ତାଙ୍କୁ ଉପହାସ କରି ଉଠୁଛି । ଗଛ ପତ୍ର ଲତା ହସ ବିବର୍ଜିତ ହୋଇ ପଡ଼ିଛନ୍ତି—କୋଇଲି ହରାଇ ବସିଛି ଛନ୍ଦ—ବସନ୍ତ ତାର ନିଜସ୍ୱ ତ୍ୟାଗ କରିଛି ।

 

ପରଦିନ । ନିର୍ଦ୍ଧାରିତ ମୁହୂର୍ତ୍ତରେ ଶ୍ରୀମନ୍ତଙ୍କ ପାଖକୁ ଗଲେ ସେ । କିନ୍ତୁ ଯାଇ ଯାହା ଶୁଣିଲେ ମୁଣ୍ଡରେ ତାଙ୍କର ବଜ୍ରାଘାତ ହେଲା । ଶ୍ରୀମନ୍ତ ସେହିଦିନ ସକାଳେ ଗାଁକୁ ଚାଲି ଯାଇଛନ୍ତି ।

 

ପର ମୁହୂର୍ତ୍ତରେ କମଳିନୀ ଭାବିଲେ—ଶ୍ରୀମନ୍ତ ବୋଧହୁଏ ଘରକୁ ଯାଇଛନ୍ତି ଏ ବିଷୟରେ ଗୋଟାଏ ସ୍ଥାୟୀ ବ୍ୟବସ୍ଥା କରିବାକୁ; ସବୁ ଠିକ୍‌ କରି ସେ ନିଶ୍ଚୟ ଫେରି ଆସିବେ ।

 

ଦିନ ପରେ ଦିନ ଚାଲିଗଲା । ଶ୍ରୀମନ୍ତ ଆଉ ଫେରିଲେ ନାହିଁ । ଅସ୍ଥିର ହେଇ ପଡ଼ିଲେ କମଳିନୀ । ଆଉ କିଛି ଦିନ ଗଲେ ତାଙ୍କ ଅପକୀର୍ତ୍ତିରେ ସାରା ବିଦ୍ୟାମନ୍ଦିର ଦୋହଲି ଉଠିବ । ସାଙ୍ଗସାଥୀ ବନ୍ଧୁବାନ୍ଧବମାନେ ଶୁଣିବେ ଏ କଥା । ଆଉ ବିନୟ ? ତାଙ୍କୁ ସେ ମୁହଁ ଦେଖାଇବେ କେମିତି ?

 

ବିନୟ ସାଧନାରତ । ଜଣେ ଦକ୍ଷ ଶିଳ୍ପୀ ହିସାବରେ ସେ ପରିଚିତ । ସେଦିନ ଥାଏ ଛୁଟୀ । କମଳିନୀ ସ୍ଥିର କଲେ ଏଥର ସେ ଆଉ ଅପେକ୍ଷା କରି ପାରିବେ ନାହିଁ । ବିନୟଙ୍କ ପାଖକୁ ଯାଇ ସେ ସବୁ କଥା କହିବେ । ଉଦ୍ଧାର ପାଇବାର ପଥ ପଚାରିବେ । ଯଦି ସାହାଯ୍ୟ ମିଳେ ରକ୍ଷା-। ଯଦି ନ ମିଳେ ଏ କଳଙ୍କିତ ମୁହଁକୁ ଦେଖେଇ ବଞ୍ଚି ରହିବା ଅସମ୍ଭବ । ସେ କରିବେ ଆତ୍ମହତ୍ୟା-

 

ଗୋଧୂଳି ଲଗ୍ନ । ଛାତ୍ର ଛାତ୍ରୀ ଗଣ କ୍ରୀଡ଼ାରତ । କମଳିନୀ ଯାଇ ପହଞ୍ଚିଲେ ବିନୟଙ୍କ ପାଖରେ । ବିନୟ ସେତେବେଳକୁ କବିତା ଲେଖୁଛନ୍ତି । କମଳିନୀଙ୍କୁ ଦେଖି ପ୍ରଥମେ ସେ ବିଶ୍ୱାସ କରି ପାରିଲେ ନାହିଁ । ଯେଉଁ ସୁନ୍ଦରୀ ତରୁଣୀଙ୍କ ପରିକଳ୍ପନାରେ କିଛି ସମୟ ତାଙ୍କର କଟି ଯାଇଛି, ସେ ଆସି ସମ୍ମୁଖରେ । ବିନୟ ହସି ହସି ସ୍ୱାଗତ ସମ୍ଭାଷଣ ଜଣାଇଲେ ।

କମଳିନୀ କହିଲେ-ଶିଳ୍ପୀ, ଆପଣହିଁ ଜିତିଲେ, ମୁଁ ହାରିଗଲି ।

ବିନୟ ମୃଦୁ ହସି କହିଲେ-ଜିତିବା ହାରିବାତ ଜଗତର ଦୈନନ୍ଦିନ ନିୟମ । ସେଥିରେ ଗୋଟାଏ ଆଉ ବଡ଼ କଥା କ’ଣ ?

କମଳିନୀ ଉତ୍ତର ଦେଲେ-ମୋ ଜୀବନରେ ଆଜି ତାର ଗୁରୁତ୍ୱ ଖୁବ୍‌ ବେଶୀ । ଲୁଚେଇ ଆଉ ଲାଭ ନାହିଁ.....

ସ୍ୱାଭାବିକ ଗତିରେ ସବୁ କଥା ସେ କହିଗଲେ, ଆଉ ରକ୍ଷା ପାଇବାର ଉପାୟ ପଚାରିଲେ ।

ତାଙ୍କ କଥା ଶୁଣି ବିନୟ ନୀରବ ରହିଲେ ।

କମଳିନୀ ଚାହିଁ ରହିଲେ ଉତ୍ତର ଆଶାରେ । ସେ ଚାହାନ୍ତି ଏକ ନିର୍ଭୀକ ଉତ୍ତର । ସେ ପୁଣି କହିଲେ-ଶ୍ରୀମନ୍ତବାବୁଙ୍କ ପରି ଆପଣ ମଧ୍ୟ ନିରୁପାୟ । କଣ କହୁଛନ୍ତି ?

ବିନୟ ଭଦ୍ର । ଏଇ ରୂପସୀର ଅସନ୍ନ ବିପଦରେ ନିଜେ ଥରି ଉଠୁଥିଲେ । କିଛିକାଳ ନୀରବତା ରକ୍ଷା କରି ସେ କହିଲେ—ତୁମକୁ ଆସନ୍ନ ବିପଦରୁ ମୁଁ ଆଗେ ରକ୍ଷା କରି ସାରେ–ତା’ପରେ ଯାଇ ଅନ୍ୟ କଥା ।

 

କମଳିନୀଙ୍କ ମସ୍ତକ ଉପରୁ ଖୁବ୍‌ ଗୋଟାଏ ଭାରି ଜିନିଷ ଖସିଗଲା ଯେମିତି । ସେ ଆଶ୍ୱସ୍ତିର ନିଃଶ୍ୱାସଟିଏ ମାରିଲେ । ବିନୟଙ୍କ ପ୍ରଶାନ୍ତ ମୁହଁରେ ଆଶ୍ୱାସନାର ମୃଦୁ ସଙ୍ଗୀତ । କମଳିନୀ କୃତଜ୍ଞତାରେ ଝରି ପଡ଼ିଲେ ।

 

କମଳିନୀଙ୍କୁ ନେଇ ବିନୟ କଲିକତା ଆସିଲେ । କୌଣସି ଏକ ନର୍ସିଂ ହୋମରେ ଅସ୍ତ୍ରୋପଚାର କରାଗଲା ।

 

ଏ ପାପ କାହାର ? କମଳିନୀଙ୍କର ନା ବିନୟଙ୍କର ?

 

କାହାର ଏ ପାପ, ଭାବନା ବିନୟଙ୍କର ନଥିଲା । କାରଣ ସେ ଭଲ ରୂପେ ଜାଣିଥିଲେ ଆଉ ଯାହା କିଛି ହେଉ ତାଙ୍କର କର୍ତ୍ତବ୍ୟ ସେ କରିଛନ୍ତି ।

 

ନର୍ସିଂ ହୋମରେ ରୁଗ୍‌ଣ କମଳିନୀ । ବିନୟ ତାଙ୍କର ପାଖେ ପାଖେ ଥାନ୍ତି । ଅତ୍ୟନ୍ତ ଆତ୍ମୀୟ ପାଖରେ ଥିଲେ ମନ ଭିତରେ ଯେମିତି ସାହସ ଥାଏ, ବିନୟ ପାଖରେ ଥିବାରୁ କମଳିନୀ ସେମିତି ଆଶ୍ୱସ୍ତ ।

 

ସେଦିନ ବିନୟଙ୍କ ପାଦ ଛୁଇଁ ସେ ଶପଥ କଲେ—ବିନୟ ବାବୁ, ଜୀବନରେ ଆଉ ଏସବୁ ନୁହେଁ । ଆପଣଙ୍କ କଥାରେ ମୁଁ ରାଜି । ଆପଣ ମତେ ଗ୍ରହଣ କରନ୍ତୁ । ଝରାଫୁଲ ପରି ମତେ ଯଦି ଫିଙ୍ଗି ଦିଅନ୍ତି ଭାବୁଚନ୍ତି ତ ମୋ ଅବସ୍ଥା କଣ ହେବ ? ରାସ୍ତାର ଆବର୍ଜନା ସହିତ ମିଶିଯାଇ ମୁଁ ସିନା ମୋ ନିଜତ୍ୱ ହଜାଇ ବସିବି !

 

ନା, ଏହା କଦାପି ହେଇ ପାରେନା । କମଳିନୀଙ୍କ ଚାରୁ ଦେହର ଶୋଭାକୁ ସେ ବ୍ୟର୍ଥ ହେବାକୁ ଦେବେ ନାହିଁ । ମଣିଷ ଜୀବନରେ ଅନେକ କିଛି ଭୁଲ କରି ବସେ । ସେ ଭୁଲର ଯଦି ସଂଶୋଧନ ନହୁଏ ତେବେ ସଂସାର ତିଷ୍ଠି ପାରିବ ନାହିଁ ।

ବିନୟ କମଳିନୀଙ୍କ ମୁହଁ ତଳେ ବେଶ ଆନ୍ତରିକତାର ପରଶ ପାଉଥିଲେ । କ୍ଷତି କଣ-? କବି ଯଦି ତାର ଲୁପ୍ତ କବିତାକୁ ଫେରିପାଏ ସେ ତ ଅଗୌରବର କଥା ନୁହେଁ-

ବିନୟ କଥା ଦେଇଥିଲେ ସେ ନିଶ୍ଚୟ କମଳିନୀଙ୍କୁ ଗ୍ରହଣ କରିବେ । ସେ ତାଙ୍କ କଥା ରକ୍ଷା କରିଛନ୍ତି । ଆଉ କମଳିନୀ, ସେ ମଧ୍ୟ ପ୍ରାଣ ପର୍ଯ୍ୟନ୍ତ ଚେଷ୍ଟା କରିଛନ୍ତି ତାଙ୍କୁ ସନ୍ତୁଷ୍ଟ କରିବାକୁ-

ଉଭୟ ଉଭୟଙ୍କୁ ବିବାହ କରି ଶାନ୍ତିନିକେତନରୁ ଫେରି ଆସିଲେ । ତା’ପରେ ଆରମ୍ଭ ହେଲା ବିନୟଙ୍କ କର୍ମ ଜୀବନ । କମଳିନୀ ହେଲେ ଗୃହିଣୀ । ବିସ୍ମୃତି ଗର୍ଭରେ ଶ୍ରୀମନ୍ତଙ୍କ ସ୍ମୃତି ଲୁଚି ଗଲା ।

ଜୀବନର ପ୍ରଥମ ମଧୁ ଲଗ୍ନ ବେଶ କଟିଗଲା । ଶୟନ କକ୍ଷରେ ଯେଉଁ ଛବି ଖଣ୍ଡିକୁ ଦେଖି ସେ ଆଜି କଇଁ କଇଁ ହେଇ କାନ୍ଦି ଉଠୁଥିଲେ, ସେଇଟିକୁ ବଡ଼ ଯତ୍ନରେ ଆଙ୍କି ବିନୟ ଏକ ସ୍ମରଣୀୟ ମୁହୂର୍ତ୍ତରେ ତାଙ୍କୁ ଉପହାର ଦେଇ ଥିଲେ ।

କମଳିନୀ ବସି ଏକ ସଂଗୀତର ସୁର ଛୁଟାଇ ଦେଇଥାନ୍ତି । କଣ୍ଠର ଲହରରେ ସାରା ବାୟୁମଣ୍ଡଳ ଗୀତ ମୁଖରିତ ହୋଇ ଉଠୁଥାଏ । ଗୀତଟି ବିନୟଙ୍କ ରଚନା । କମଳିନୀଙ୍କ କଣ୍ଠରେ ଜୀବନର ସଂଗୀତ—ସେ ଗୀତ-ବିଭୋରା ।

 

ତାଙ୍କ ଅଜ୍ଞାତରେ ଛପି ଛପି ଆସି ଯୁବକ ବିନୟ କେତେବେଳେ ଗୀତ ଶୁଣୁଛନ୍ତି ତାହା ତାଙ୍କୁ ଜଣା ନାହିଁ । ଗୀତ ଶେଷହେବା ପର୍ଯ୍ୟନ୍ତ ବିନୟ ଆଉ ଅପେକ୍ଷା କରି ପାରିଲେ ନାହିଁ । ଆବେଗରେ କମଳିନୀଙ୍କ ପାଖରେ ଯାଇ ବସି ପଡ଼ିଲେ—କମଳିନୀ ଚମକି ଉଠିଲେ । ଦୁଷ୍ଟ ତୁମେ-। ଲୁଚି ଲୁଚି ଆସି ଡରାଇବାର ଚେଷ୍ଟା କରୁଛ ?

 

ବିନୟ ତାଙ୍କ କାନ୍ଧ ଦେଶରେ ହାତ ଥୋଇ କହିଲେ–କମଳୀ, ମାଇଁ ହନି, ଦେଖିଲ ଏ ଛବିଟି କେମିତି ହେଇଛି ?

 

କମଳିନୀ ବାସ୍ତବିକ ନିଜ ଆଖିକି ବିଶ୍ୱାସ କରି ପାରିଲେ ନାହିଁ । ଶିଳ୍ପୀ ଜୀବନ୍ତ ମୂର୍ତ୍ତିର ନିଖୁଣ ଚିତ୍ର ଯେ ଆଙ୍କି ପାରେ ଆଉ ସେଇ ନିର୍ଜୀବ ଚିତ୍ରରେ ଜୀବନ୍ତ ପରିକଳ୍ପନା ଫୁଟି ଉଠିଥାଏ, ଏହା ତାଙ୍କର କଳ୍ପନାର ବାହାରେ ଥିଲା । ଏକଦମ୍‌ ନିଖୁଣ—ବାସ୍ତବ ମୂର୍ତ୍ତିଠୁଁ ଆହୁରି ସୁନ୍ଦର । ସରୁ ସରୁ ଭ୍ରୂଯୁଗଳରେ ପ୍ରାଣ ଭରା ପ୍ରେମର ନିବେଦନ ।

 

ଏଇ ଚିତ୍ର । ତାଙ୍କ ଯୁବତୀ ଦିନର ଅଭୁଲା ପ୍ରତୀକ । ଆଜି ସେଇ ଛବିଟିକୁ ଦେଖି ସେ କାହିଁକି କେଜାଣି ସହି ପାରୁ ନଥିଲେ ।

 

କାହାନ୍ତି ସେ କମଳିନୀ ? କାହିଁ ତାଙ୍କର ସେହି ଯତି-ମନୋହରା-ରୂପ ଲାବଣ୍ୟ ? ସେଇ କଟାକ୍ଷ, ଭ୍ରୂବିଳାସ, ଅଧର କୋଣର ସ୍ମିତହାସ୍ୟ ? ସବୁ ଆଜି ମରିଯାଇଚି । ସମୟର ପ୍ରଭାବରେ ସବୁ ଏମିତି ମରିଯାଏ ।

 

—ମା ।

 

କମଳିନୀ ଶଯ୍ୟା ଉପରୁ ଗ୍ରୀବା ଭାଙ୍ଗି ଚାହିଁଲେ ।

 

—କଣ ହେଇଚି ରତନା ? ମନରେ ପୁଣି ଭୟର ସଂଚାର ହେଉଥିଲା ।

 

ରତନା କହିଲା—ମା, ବାବୁ ଡାକୁଛନ୍ତି ।

 

ଯାଉଛନ୍ତି କହି ରତନାକୁ ବିଦାୟ କରି ଦେଲେ ସେ । ପଣତରେ ମୁହଁର ଲୋତକ ପୋଛି ଆଣିଲେ । ବଡ଼ ଦୁର୍ବଳ ଲାଗୁଛି । ସୃଷ୍ଟି-କର୍ତ୍ତା ! ତମେ ଯଦି ମଣିଷକୁ ସ୍ମୃତି ଶକ୍ତିରୁ ବଂଚିତ କରିଥାନ୍ତି, ଏକ ପକ୍ଷରେ ଭଲ ହେଇଥାନ୍ତା । ପଶୁ ପକ୍ଷୀ ଇତର ପ୍ରାଣୀ କୌଣସି କଥା ମନେ ରଖି ପାରନ୍ତି ନାହିଁ, ତେଣୁ ଦୁଃଖର ମାତ୍ରା ତାଙ୍କର କମ । ସ୍ମୃତି ସର୍ବନାଶୀ । ଯାହା ସମୟର ପଦ୍ମ ପତ୍ର ତଳେ ଲୁଚି ଯାଇଛି, ତାର ସ୍ମୃତି ମନତଳେ ପୁଣି ଖେଳେ କାହିଁକି ? ବ୍ୟର୍ଥତା, ନୈରାଶ୍ୟ, ଦୁଃଖ ଆସେ ଯାହା ଖାଲି ତାର ପ୍ରତିବଦଳରେ ।

 

କମଳିନୀ ଶେଯ ଛାଡ଼ି ଉଠି ପଡ଼ିଲେ । ବିନୟଙ୍କ ଘରକୁ ଯାଇ ଦେଖିଲେ ସେ ଗୁଣୁ ଗୁଣୁ ହେଇ କଣ ଆଉଡ଼ାଉଛନ୍ତି । ସେ ନିଃଶବ୍ଦରେ ଆହୁରି ନିକଟକୁ ଗଲେ । ଏ କଣ ? କମଳିନୀଙ୍କର ପୁରୁଣା ଦିନର ଛବିଟିଏ ଧରି ସେ କହୁଛନ୍ତି—ସୁନ୍ଦର ତୃପ୍ତିର ଅବସାଦ ନାହିଁ—ଯେତେ ଦେଖୁଥିଲେ ନୂଆ ଦିଶୁଥାଇ । କମଳା, ତୁମେ ରାଗ କଲ ନା ? ମତେ ଆଉ ଥରେ ତମକୁ ସ୍ପର୍ଶ କରିବାକୁ ଦିଅ । ସେଇ ରୂପରେ ମୁଁ ତୁମକୁ ଚାହେଁ ଯେଉଁ ରୂପ ନେଇ ତୁମେ ଶାନ୍ତିନିକେତନରେ ମୋ ପାଖକୁ ଯାଇଥିଲ, ସେଇ ଆଗାମୀର ଜନନୀ ବେଶରେ ଆଉଥରେ ଆସ-। ଏଥର କିନ୍ତୁ ତମକୁ ଆଉ କଲିକତା ଯିବାକୁ ପଡ଼ିବ ନାହିଁ । ପେଟରେ ଅସ୍ତ୍ରୋପଚାର କରିବା ପାଇଁ ଉପକାରୀ ଡାକ୍ତରଙ୍କୁ ଅର୍ଥର ଲୋଭ ଦେଖେଇବାକୁ ପଡ଼ିବ ନାହିଁ । ଯାହାକୁ ଦିନେ ତମେ କଳଙ୍କ ବୋଲି ଭାବୁଥିଲ, ଆଜି ସେ ହେବ ତୁମର ଗୌରବ...

 

କମଳିନୀ ନିର୍ବାକ ହୋଇ ଲେଉଟି ଆସିଲେ । ଏ ଖାଲି ପ୍ରଳାପ । ସେ ଆଉ ଜନନୀ ହେବେ ଏକଥା ସ୍ୱପ୍ନାତୀତ । ନିଷ୍ଠୁର ଭାବରେ ଦିନେ ମାତୃତ୍ୱକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ । ଆଜି ତାର ପରିଣତ ତାଙ୍କୁ ଭୋଗିବାକୁ ପଡ଼ୁଚି । ସେଇ କାମରେ ଅକୁଣ୍ଠିତ ଚିତ୍ତରେ ସାହାଯ୍ୟ କରିଥିଲେ ବିନୟ । ଜଣେ ଯୁବତୀର ସମ୍ମାନ ଆଉ ଇଜ୍ଜତ ରକ୍ଷାପାଇଁ ଗୋଟାଏ ଭ୍ରୂଣକୁ ଶାଣିତ ଛୁରୀରେ କାଟି ଟିକି ଟିକି କରି ଫିଙ୍ଗି ଦେବାକୁ ସେ ଅନାୟାସରେ ଆଦେଶ ଦେଇଥିଲେ । ସେଦିନ ରାତ୍ରିର ସେଇ ରକ୍ତ ବଲବଲ ଦୃଶ୍ୟ ଆଜି ସତେଜ ହେଇ ଉଠୁଚି ମନରେ । ବିନୟ କଣ ସେଦିନର ପାପ ପାଇଁ ଦାୟୀ ନୁହନ୍ତି ?

 

କାହିଁକି ?

 

ସେ ଯଦି ଏଇ କାର୍ଯ୍ୟରେ ଭାର ନିଜ ହାତକୁ ନେଇ ନଥାନ୍ତେ କମଳିନୀ ନିଶ୍ଚୟ ଆତ୍ମହତ୍ୟା କରିଥାନ୍ତେ । ବିଶ୍ୱ ଉପବନରେ ଗୋଟିଏ ପ୍ରସ୍ଫୁଟିତ ଫୁଲର ମୂଲ୍ୟ ଯଥେଷ୍ଟ ବେଶୀ । କମଳିନୀଙ୍କୁ ରକ୍ଷା କରିବା ତାଙ୍କର ପ୍ରଥମ କର୍ତ୍ତବ୍ୟ ବୋଲି ସେ ଧରି ନେଇଥିଲେ ।

 

ସାରାଜୀବନ ଆକାଂକ୍ଷାର ଅନଳରେ ଦଗ୍‌ଧ ହୋଇଚନ୍ତି ସେ । କମଳିନୀ ମାତୃତ୍ଵ କାମନା କରି ବହୁ ଦେବ ଦେବୀଙ୍କ ପୂଜାର୍ଚ୍ଚନା କରିଛନ୍ତି । କିନ୍ତୁ ନିଷ୍ଫଳ ହେଇଛି ସବୁ । ବସ୍ତୁ ଜଗତରେ ଗୋଟାଏ ଆକସ୍ମିକ ବିସ୍ଫୋରଣ ଫଳରେ ପ୍ରାଣର ସୃଷ୍ଟି ହୋଇଥିଲା ବୋଲି ଅନେକ ବୈଜ୍ଞାନିକ କହିଥାନ୍ତି । ତା ଯଦି ସତ୍ୟ ହୋଇଥାଏ କମଳିନୀଙ୍କ ପୂଜାର୍ଚ୍ଚନା ବ୍ୟର୍ଥ ହେବାରେ ବିସ୍ମିତ ହେବାର କିଛି ନାହିଁ ।

 

ରାତ୍ରି ପରେ ରାତ୍ରି ବିତି ଯାଇଛି । ଗ୍ରୀଷ୍ମ ବର୍ଷା ଶୀତ ବସନ୍ତର ଆଗମନରେ ନୂତନ ଦିନର ସ୍ୱପ୍ନ ଖେଳି ଯାଇଛି ମନରେ । କେତେ କାମନା ଆକାଂକ୍ଷା ବିତି ଯାଇଛି । ନିଷ୍କ୍ରିୟ ଜରାୟୁରେ ଜୀବନର ସଂଚାର ତଥାପି ହୋଇ ନାହିଁ । ବହୁ ଡାକ୍ତର କବିରାଜ ଗୁଣୀ ସନ୍ନ୍ୟାସୀ ଚେଷ୍ଟା କରି ବିଫଳ ହୋଇଛନ୍ତି । କମଳିନୀ ଆଉ ମାଆ ହେଇ ପାରି ନାହାନ୍ତି ।

 

ବିନୟ କର ଲେଉଟାଇଲେ । ତାଙ୍କ କଣ୍ଠରୁ ଅସ୍ପଷ୍ଟ ଭାଷାରେ ଶୁଭୁଥାଏ–ହୁ ଇଜ୍‌ ଆଫଟେର ମି ? ଶେଷ ହୋଇଯିବ ସବୁ । ତାଙ୍କର ଦିନ ଗଣି ହେଇ ଯାଉଛି । ତାପରେ ବଂଶର ପ୍ରଦୀପ ଚିରଦିନ ପାଇଁ ନିର୍ବାପିତ ହେବ । କମଳା, କମଳା । ପୁଣି କ୍ଷୀଣ କଣ୍ଠରେ ଡାକିଲେ ସେ । କମଳିନୀ ସେତେବେଳକୁ ତାଙ୍କ ତରୁଣୀ ଦିନର ଚିତ୍ରପଟ ସବୁକୁ ନଷ୍ଟ କରିଦେବା ଉଦ୍ଦେଶ୍ୟରେ ଏକାଠି କରୁଥାନ୍ତି ।

 

ବିନୟଙ୍କ ଡାକ ତାଙ୍କ କାନରେ ବାଜିଲା । ସେ ଆଉ ଯିବାକୁ ଚାହୁଁ ନ ଥିଲେ । ପୁଣି ବାହାରିବ ସେଇ ପାଗଳାମି । ଡାକ୍ତର କହିଚନ୍ତି—

 

ଏ ସବୁ ଲକ୍ଷଣ ଭଲ ନୁହେଁ । ଉତ୍ତେଜିତ ହେବା ତାଙ୍କ ସ୍ୱାସ୍ଥ୍ୟ ପକ୍ଷରେ ଅତ୍ୟନ୍ତ କ୍ଷତିକାରକ । ଦୀପ ଲିଭିଯିବା ଆଗରୁ ଜଳିଉଠେ । ଚିରଦିନ ପାଇଁ ବାସନାର ସମାପ୍ତି ହେବା ପୂର୍ବରୁ ସେ ପୁଣି ଉଗ୍ର ଭାବରେ ଜାଗି ଉଠେ ।

 

ଉଃ—କେମିତି ଏକ ଅସ୍ଫୁଟ ଚିତ୍କାର କରି ଉଠିଲେ ବିନୟ । ଯା’ ହବାର ପଛେ ହବ, କମଳିନୀ ଆଉ ଥୟ ଧରି ପାରିଲେ ନାହିଁ । ଏକ ନିଃଶ୍ୱାସକେ ସେ ଯାଇ ଶେଯ ପାଖରେ ଉପସ୍ଥିତ ହେଲେ ।

 

କାନ୍ଥରେ ଝୁଲୁଥିବା ଚିତ୍ରଟି ଆଡ଼େ ଏକ ଦୃଷ୍ଟିରେ ଚାହିଁ ରହିଛନ୍ତି ବିନୟ–ବାଁ ହାତରେ ଛାତି ଉପରଟାକୁ ଜାକି ଧରିଛନ୍ତି । ଆଖି କୋଣରେ ମୁକ୍ତା ଭଳି ଚିକ୍‌ ଚିକ୍‌ କରୁଛି ଅଶ୍ରୁ ।

 

ପୁଣି ସେଇ ଚିତ୍ର ! ସେଇ କାମନା ! କମଳିନୀ ଯାଇ କାନ୍ଥରେ ଝୁଲୁଥିବା ଚିତ୍ରଟିକୁ ଓଲଟାଇ ଦେଲେ । ବିନୟଙ୍କ ଦୃଷ୍ଟି ଚିତ୍ର ଉପରୁ ଅପସରି ଆସିଲା । ସେ କହିଲେ—ଲକ୍ଷ୍ମୀ, ଭାରି କଷ୍ଟ, ପାଣି ଟିକିଏ ।

 

କମଳିନୀ ପରିଷ୍କାର କାଚ ଗ୍ଲାସରେ ପାଣି ଢାଳି ଧୀରେ ଧୀରେ ପିଆଇ ଦେଲେ । ପାଣି ପିଇ ଟିକିଏ ଆଶ୍ୱସ୍ତିର ନିଃଶ୍ୱାସ ମାରିଲେ ବିନୟ । ତାପରେ କହିଲେ–ତମର ଧାରଣା ଅମୂଳକ । ଯେଉଁ ଛବିକୁ ନେଇ ତମେ ଆଶଂକା କରୁଚ ତାର ମଡ଼େଲ ଆଉ ବର୍ତ୍ତମାନ ଜୀବିତ ନାହିଁ । ସେ ମରି ଯାଇଚି । ଜୀଇ ରହିଚି ଖାଲି ସ୍ମୃତି । କମଳା, ତମର ସେ ଦିନର ରୂପ ମନଗହନରେ ବ୍ୟଥାର ସ୍ୱର ତୋଳୁଛି । ମତେ କଣ ଆଉ ଥରେ ତୁମେ ପାଗଳ କରିପାରିବ ନାହିଁ-? ତା’ ନହେଲେ ମୁଁ ବଂଚିବି କେମିତି ? ମୋର ଶିଳ୍ପୀ ପ୍ରାଣ ବଂଚିବ କେମିତି ? କମଳିନୀ ଚିତ୍କାର କରି ଉଠିଲେ—ଥାଉ, ଥାଉ ଗୋ, ତୁମେ ଏସବୁ ବନ୍ଦ କର । ଦିନକୁ ଦିନ ତୁମର କଣ ହେଉଚି-? ପିଲା ହେଇ ଯାଉଚ ନା କଣ ?

 

ବାଳବୃଦ୍ଧ ସମାନ—ଯେଉଁ ଶାସ୍ତ୍ରକାର ଏହି ଉକ୍ତି କରିଥିଲେ ସେ ଏକ ନିରାଟ ସତ୍ୟକୁ ସେଦିନ ପ୍ରକାଶ କରିଥିଲେ । ବିନୟ କହିଲେ—କବିତ୍ୱ ମୋର ମରିଯାଇଚି—କିନ୍ତୁ ତୁମେ କବିତା ରୁପରେ ଆଉଥରେ କଣ ସେଇ ମୃତ ଶକ୍ତିକୁ ଜାଗ୍ରତ କରାଇ ପାରିବ ନାହିଁ ? କବିତା ଚିରଯୌବନା, କିନ୍ତୁ ତୁମ ପାଖରେ ଆଜି ଏ ବ୍ୟତିକ୍ରମ ସମ୍ଭବ ହେଲା କେମିତି ?

 

କମଳିନୀ ଆଜି କିନ୍ତୁ ଏଇ ସବୁ ଭାବନାଠୁ ବିନୟଙ୍କୁ ଦୂରରେ ରଖିବାକୁ ଚାହୁଁଥିଲେ । ସେ କହିଲେ—କଥା କହିବା ପରା ଖରାପ । ତୁମେ କଥା କୁହ ନାହିଁ ।

 

ବିନୟ ଦୀର୍ଘନିଃଶ୍ୱାସ ତୋଳିଲେ । କିଛି ସମୟ ନୀରବ ରହି ପୁଣି କହିଲେ—ଭଜନା ଆଜି ଆସିନାହିଁ ? ତା’ମାର କଣ ହେଲା କେଜାଣି ?

 

ଭଜନା ପ୍ରତିଦିନ ଆସେ । ତେର ଚଉଦ ବର୍ଷର ପିଲାଟିଏ । ସଂସାରରେ ମା ବ୍ୟତୀତ ତାର ଆଉ କେହି ନାହିଁ । ସେମାନେ ବଡ଼ ଦରିଦ୍ର । ବିନୟଙ୍କ ପଡ଼ିଶା ସେମାନେ । ଭଜନା ପିଲାଟି ଖୁବ୍‌ ଭଲ । ଦରିଦ୍ର ଘରେ ଜନ୍ମ ନେଇ ଥିଲେ କଣ ହେବ, ବେଶ୍‌ ଶାନ୍ତ ଆଉ ସୁଧୀର ।

 

ସେମାନଙ୍କ ପରିବାରର ସମସ୍ତ ସୁବିଧା ଅସୁବିଧା କଥା ବିନୟଙ୍କୁ ବୁଝିବାକୁ ପଡ଼େ । କମଳିନୀ ଖୁବ୍‌ ଦୟାଶୀଳା । ସେମାନଙ୍କର ଅଭାବ ତୁରନ୍ତ ପୂରଣ ହୋଇଯାଏ ।

 

ତିନିଦିନ ହେଲା ଭଜନାର ମା’କୁ ହେଇଚି ଜ୍ୱର । ରତନା ଯାଇ ବେଳେ ବେଳେ ତା’ କଥା ବୁଝିଆସେ । କିନ୍ତୁ ଏଇ କେଇଦିନ ହେଲା ବିନୟଙ୍କ ଦେହ ଖରାପ ଆଡ଼କୁ ଯାଉଥିବାରୁ ସେ ଆଉ ଘରଛାଡ଼ି ବାହାରକୁ ଯାଉନାହିଁ ।

 

ଭଜନା ମଧ୍ୟ ଆସିନାହିଁ ।

 

ପରଦିନ ସକାଳେ ଭଜନା ଆସି କମଳିନୀଙ୍କ ପାଖରେ ହାଜର ହେଲା । ତାର ମୁହଁ ଶୁଖି ଯାଇଛି । ତାର ଶୁଖିଲା ମୁହଁ ଦେଖି ସେ ପଚାରିଲେ–ଭଜ, ତୋ ମା କେମିତି ଅଛି ?

 

ହଠାତ୍‌ ଭଜନା ଛାତିରେ କ୍ରନ୍ଦନରେ ବିସ୍ଫୋରଣ ହେଲା । ସେ କହିଲା–ମା, ମା ଆଜି ଭୋର ମରି ଯାଇଛି ।

 

ତାର କ୍ରନ୍ଦନର ସ୍ୱର ଖୁବ୍‌ ଉଚ୍ଚକୁ ଉଠି ଯାଇଛି । ଘରେ ରୋଗୀ—କମଳିନୀ ତାକୁ ଆଦର କରି ନିଜ ଛାତି ଭିତରକୁ ଆଉଜାଇ ଆଣିଲେ ।—କାନ୍ଦିଲେ କଣ ମା ଫେରି ଆସିବରେ ଭଜ ? ଯେ ଯିବାର କଥା ତାକୁ ତ ଆଉ ଅଟକେଇ ହେବ ନାହିଁ ।

 

ବିନୟ ଶୁଣିଲେ ଭଜର ମା ମରି ଯାଇଛି । ସେ ଉଠି ତାର ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କଲେ ।

 

ଅନ୍ତ୍ୟେଷ୍ଟି କ୍ରିୟାର ଯାବତୀୟ ଖର୍ଚ୍ଚ ବିନୟଙ୍କୁ କରିବାକୁ ପଡ଼ିଲା ।

 

କିଛିଦିନ ପରର କଥା । ଖରା ତେଜ ପ୍ରଖର ହୋଇଯାଏ । ବିନୟଙ୍କର ଖିଆଲ ହେଲା ସଂଧ୍ୟାରେ ସେ ଗାଆଁ ଆଡ଼େ ଯିବେ । ଚାକିରୀ ଜୀବନର ଅବ୍ୟବହିତ ପରେ ସେ ଏଇ ଗାଁମାଟିକୁ ଅତି ଆପଣାର କରିନେବେ ବୋଲି ଭାବିଥିଲେ । ଚାକିରୀ ଜୀବନ ସମାପ୍ତ ହେବା ପୂର୍ବରୁ ତାଙ୍କୁ ବାଧ୍ୟ ହୋଇ ଦାସତ୍ୱକୁ ବିଦାୟ ଦେବାକୁ ହେଲା ।

 

ସେ ଥିଲେ ସାମାନ୍ୟ ବେତନଭୋଗୀ ଜଣେ ଡ୍ରଇଂ ଶିକ୍ଷକ । ପିତାଙ୍କ ଅନ୍ତେ ଯାହା ଜମିବାଡ଼ି ଥିଲା ତାହା ତାଙ୍କ ପାଇଁ ଯଥେଷ୍ଟ । ସେଇଥିରୁ କେତେ ମାଣ ଜମି ବିକ୍ରୀ କରିଦେଇ ପୁରାତନ ଘର ଡିହ ଉପରେ ନୂତନ ଧରଣର ଏଇ ଘରଟି ତିଆରି କରିଛନ୍ତି । ବାଡ଼ିରେ ଛୋଟ ପୋଖରୀଟିଏ କାଟି ପହଣା ମାଛ ଛାଡ଼ିଛନ୍ତି । କଦଳୀ, ଆମ୍ୱ, ପଣସ, ଲିଚୁ ପ୍ରଭୃତି ନାନା ପ୍ରକାର ଗଛ ଲଗେଇଛନ୍ତି । ଆର୍ଟିଷ୍ଟ ସେ—ନାନା ରଂଗର ଫୁଲ ଗଛରେ ସଜେଇ ଦେଇଛନ୍ତି ଘରର ଚତୁର୍ଦ୍ଦିଗକୁ ।

 

ବେଳେବେଳେ ଭବିଷ୍ୟତ ନେଇ ସେ ବ୍ୟସ୍ତ ହୋଇ ପଡ଼ନ୍ତି । ଉତ୍ତରାଧିକାରୀ କେହିନାହିଁ—ନିଜେ ଯକ୍ଷ୍ମାକ୍ରାନ୍ତ । ତାଙ୍କ ଅନ୍ତେ ? କମଳିନୀ ଆଉରି ଦୀର୍ଘାୟ ହେଉନ୍ତୁ—ତାଙ୍କର ପରମାୟୂ ଶହେ ବର୍ଷ ହେଉ । ସେ ଏ ବଂଶର ଶେଷ ସଂତକ ।

 

ସଂଧ୍ୟାବେଳ । ଚଉତରା ମୂଳରେ ରତନା ସଂଜବତୀ ଲଗେଇ ଦେଇଛି । ଅଳ୍ପଦୂରରେ କମଳିନୀ ବସି ମନାସୁଛନ୍ତି ନିଜର ଆଶୁ ମରଣ । ସେ ମରି ଯାଆନ୍ତେ କି ?

 

କିନ୍ତୁ ସେ ମରିଗଲେ ରୁଗ୍‌ଣ ବିନୟଙ୍କ ଶୁଶ୍ରୂଷା କରିବ କିଏ ? ଭବିଷ୍ୟତ ?

 

ବିନୟ ପ୍ରସ୍ତାବ କଲେ—କମଳା, ଆମ ଦୁଇଜଣଙ୍କ ସ୍ମୃତିରକ୍ଷା ପାଇଁ ଆମର ସମସ୍ତ ସଂପତ୍ତିକୁ କୌଣସି ଏକ ମହତ୍ତର ଅନୁଷ୍ଠାନକୁ ଦାନ କରିଦେଇ ଗଲେ କେମିତି ହୁଅନ୍ତା ? କମଳିନୀଙ୍କର ମନେ ପଡ଼ୁଥିଲା ଭଜନା କଥା । ସେ ପିଲାଟି କେମିତି ଚଳିବ ? ମାତୃବିୟୋଗ ପରେ ସେ ଆସି ତାଙ୍କରି ଘରେ ଆଶ୍ରୟ ନେଇଛି । ସନ୍ତାନ–ପାଗଳ କମଳିନୀ ତାହାରି ପାଇଁ ବ୍ୟସ୍ତ ହେଉଛନ୍ତି । ପିଲାଟିକୁ ଥୟ କରିଗଲେ ସବୁ ଦିନକୁ ନାଁ ରହନ୍ତା ।

 

ସେତିକିରେ କଥା ଶେଷ ହେଲା ।

 

ବିନୟ ଧୀରେ ଗାଁକୁ ବାହାରିଲେ । ଗ୍ରୀଷ୍ମସଂଧ୍ୟା—ପବନ ବେଶ୍‌ ଶାନ୍ତିପ୍ରଦ । କମଳିନୀ ମନା କରୁଥିଲେ—ଅତି ମାତ୍ରାରେ ଦୁର୍ବଳ, ଗୋଡ଼ ଥରୁଛି । ମାତ୍ର ସେ ମନା ମାନିଲେ ନାହିଁ । ଏଇ ଗାଁର ପ୍ରତ୍ୟେକ ପଦାର୍ଥ ତାଙ୍କ ନିକଟରେ ଅତିପ୍ରିୟ । ସେହି ସବୁ ପ୍ରିୟ ପଦାର୍ଥକୁ ଆଉଥରେ ଭଲକରି ଦେଖିବା ପାଇଁ ତାଙ୍କର ମନ ବଳିଛି । ପଡ଼ିଶା ଲୋକଙ୍କ ସହିତ ବହୁତ ଦିନରୁ ସେ ଆଳାପ କରିନାହାନ୍ତି । ସେ ଏହି ଶକ୍ତ ସଂକ୍ରାମକ ବ୍ୟାଧିରେ ଜଡ଼ିତ ହେଇ ପଡ଼ିଛନ୍ତି ଜାଣି ଅତି ଆପଣାର ପଡ଼ିଶା ଲୋକେ ମଧ୍ୟ ତାଙ୍କ ପାଖକୁ ଆଉ ଆସୁ ନାହାନ୍ତି ।

 

ହାୟରେ ଜୀବନ । ଏ ମର ଦେହର କି ଭୟାନକ ପରିଣାମ । ‘ଛୁଇଁବେ ନାହିଁ ତୋତେ ବୋଲିବେ ମଡ଼ା, ଛ ଖଣ୍ଡି କାଠ ହେବ ତୋ ପାଇଁ ଲୋଡ଼ା’–ବିନୟଙ୍କ ଅଙ୍ଗପ୍ରତ୍ୟଙ୍ଗ ଥରୁଛି । ଧଇଁ ସଇଁ ହେଇ ପଡ଼ୁଛନ୍ତି । ନା ନିଷ୍ଫଳ ଚେଷ୍ଟା । ଏ ଜୀବନରେ ହୁଏତ ମୁକ୍ତ ପ୍ରକୃତିକୁ ଆଉ ଉପଭୋଗ କରିବା ସମ୍ଭବ ନୁହେଁ ।

 

ସେ ଫେରି ଆସିଲେ ।

 

ସେହି ଦିନ ରାତ୍ରିରେ ସେ ଭୀଷଣ ଅସୁସ୍ଥ ହେଇ ପଡ଼ିଲେ । ଭଜନା ଓ ରତନା ଉଭୟ ମିଳି ଡାକ୍ତରଙ୍କୁ ଡାକିବାକୁ ଯାଇଥିଲେ ।

 

ଡାକ୍ତରଖାନା ସେଠାରୁ ଏକ ମାଇଲ ଦୂର । ସରକାରୀ ଡାକ୍ତଖାନା । ପୂର୍ବରୁ ଯେଉଁ ଡାକ୍ତର ଜଣକ ସେଠାରେ ଥିଲେ, ସେ ୟା ଭିତରେ ବଦଳି ଗଲେଣି । ତାଙ୍କ ସ୍ଥାନରେ ଜଣେ ନୂଆ ଡାକ୍ତର ଆସିଛନ୍ତି । ଯୁବକ । ଅଳ୍ପ ଦିନ ଭିତରେ ଜଣେ ଭଲ ଡାକ୍ତର ହିସାବରେ ତାଙ୍କ ନାମ ଚାରିଆଡ଼େ ପ୍ରସାରି ଗଲାଣି ।

 

ଭଜନା ଆଉ ରତନା ସାଙ୍ଗରେ ଏଇ ନୂଆ ଡାକ୍ତର ଜଣକ ଆସିଲେ । କମଳିନୀ ଏଇ ଡାକ୍ତରଙ୍କୁ ଦେଖି ଚମକି ପଡ଼ିଲେ । ଠିକ୍‌ ଶ୍ରୀମନ୍ତଙ୍କ ଭଳି ଚେହେରା । ସେଇ ଆଖି, ସେଇ ନାକ, ଭ୍ରୂଲତା, ମୁହଁ ସବୁ କିଛି ।

 

ପୁଣି ଥରେ ଲୁପ୍ତ ସ୍ମୃତି ତାଙ୍କ ମନପଟରେ ଜାଗ୍ରତ ହେଲା ଏ କଣ ଶ୍ରୀମନ୍ତଙ୍କ ପୁଅ ?

 

ଡାକ୍ତର ଆସି ଚିକିତ୍ସା ଆରମ୍ଭ କରି ଦେଲେ ।

 

—ବହୁ ଦିନ ଧରି ନିୟମିତ ଚିକିତ୍ସା ଆବଶ୍ୟକ । ଡାକ୍ତର କହିଲେ ।

 

କମଳିନୀ ଆଶାୟୀ କଂଠରେ ପଚାରିଲେ—ନିୟମିତ ଚିକିତ୍ସା କଲେ, ରୋଗ କଣ ଭଲ ହେବ ?

 

ଡାକ୍ତର ହସିଲେ । ଇସ୍‌, ଶ୍ରୀମନ୍ତଙ୍କ ହସର ଅବିକଳ ନକଲ । କମଳିନୀଙ୍କ ଛାତିରେ ଛୁରୀ ଚାଲିଗଲା ଯେମିତି । ମନେ ପଡ଼ିଲା ତାଙ୍କର ଜୀବନ ଯୌବନର ପ୍ରଥମ ଅଙ୍କରେ ଶାନ୍ତିନିକେତନର ଅଭିନୟ । ସେ ଆଖି ବନ୍ଦ କରିଦେଲେ ।

 

ଡାକ୍ତର ପୁଣି କହିଲେ—ଆଜିକାଲି ଯକ୍ଷ୍ମା ଆଉ କଣ ଦୁଃସାଧ୍ୟ ହେଇ ରହିଛି ?

 

କଣ କହିଲେ ? କମଳିନୀ ଏ କଥାକୁ ବିଶ୍ୱାସ କରିପାରିଲେ ନାହିଁ ଯେମିତି ।

 

ଯଦି କହନ୍ତି, ମୁଁ ଚେଷ୍ଟା କରିବି । ୟା’ ଭିତରେ ଯକ୍ଷ୍ମା ପାଇଁ ବହୁ ଔଷଧ, ଇଞ୍ଜେକ୍‌ସନ ବାହାରିଲାଣି । ଚେଷ୍ଟା କଲେ ହୁଏତ ସଫଳ ହେଇପାରେ । ଡାକ୍ତର କହିଲେ

 

ଯକ୍ଷ୍ମା ଭଲ ହେବ ? ଯଦି ଭଲ ହୁଏ ସବୁ କିଛିର ବିନିମୟରେ କମଳିନୀ ଚେଷ୍ଟା କରିବାକୁ ପ୍ରସ୍ତୁତ ।

 

ପୁଣି ଆସିବେ କହି ଡାକ୍ତର ଚାଲିଗଲେ । ଯିବାବେଳେ ଭଜନା ଦଉଡ଼ିଯାଇ ପଚାରିଥିଲା ତାଙ୍କ ନାମ ।

 

ସେ ହସିଥିଲେ—ମୋ ନାଁରୁ କଣ ପାଇବ ? ମୁଁ ତ ଡାକ୍ତର, ମତେ ଡାକ୍ତର ବୋଲି ଡାକିବ ।

 

ଭଜନା କହିଲା—ନା, ମା ପଚାରି ପଠେଇଲେ ଆପଣଙ୍କ ନାଁ ।

 

ମା ? ଗତ ପାଞ୍ଚ ବର୍ଷର ଚାକିରୀ ଜୀବନରେ କୌଣସି ମା’ର ସଂସ୍ପର୍ଶରେ ସେ ଆସି ନାହାନ୍ତି । ନିଜର ବାରବର୍ଷ ବେଳୁ ମା’କୁ ହରାଇ ମାତୃ ସ୍ନେହରୁ ସେ ବଞ୍ଚିତ ହେଇଛନ୍ତି । ଆଜି କାହିଁକି କମଳିନୀଙ୍କୁ ଦେଖି ତାଙ୍କର ଭାବାନ୍ତର ହେଉଛି !

 

କମଳିନୀ ସନ୍ତାନ ସ୍ନେହରୁ ବଞ୍ଚିତ ଆଉ ଡାକ୍ତର ମାତୃ ସ୍ନେହରୁ ବଞ୍ଚିତ । ଡାକ୍ତର କହିଲେ—ମୋ ନା ଶ୍ରୀକାନ୍ତ ପଟ୍ଟନାୟକ ।

 

ତା’ପରେ ଚାଲିଗଲେ ସେ ।

 

ଶ୍ରୀକାନ୍ତ ପଟ୍ଟନାୟକ ! ସେ ଥିଲେ ଶ୍ରୀମନ୍ତ ପଟ୍ଟନାୟକ । ଆଜି ଯଦି ସେ ବଞ୍ଚିଥିବେ ନିଶ୍ଚୟ ବୃଦ୍ଧ ହେଇଯିବେଣି କିନ୍ତୁ ସେତେବେଳେ ସେ ଠିକ୍‌ ଏମିତି ଥିଲେ । ଏ ଯେ, ତାଙ୍କରି ପୁଅ କମଳିନୀଙ୍କର ଏ ବିଶ୍ୱାସ ଦୃଢ଼ ହେଇଗଲା ।

 

ବିନୟ ଡାକିଲେ—କମଳା, କମଳା ।

 

—କଣ କହୁଛ ? ଶୁଣିଲ, ଏ ଡାକ୍ତର କଣ କହିଗଲେ ?

 

ଉତ୍କଣ୍ଠିତ ହେଇ ବିନୟ ପଚାରିଲେ—କଣ କହିଗଲେ ? ଆଉ କେତେଦିନ ?

 

ନା ଗୋ ନା, ସେ କହିଗଲେ ତୁମର ରୋଗ ଭଲ ହେଇଯିବ ।

 

ଏଇ ଆଶାର ବାଣୀ ଶୁଣି ତାଙ୍କ ମୁଖମଣ୍ଡଳ ଉଜ୍ଜ୍ୱଳ ହେଇ ଉଠିଲା । ସେ ଆତ୍ମସମ୍ୱରଣ କରି ନ ପାରି ପାଟି କରି ଉଠିଲେ—କାହିଁ ? କାହିଁ ସେ ଡାକ୍ତର ? ତାକୁ ଆଉ ଥରେ ମୋ ପାଖକୁ ଡାକିଦିଅ ।

 

ସେ କାଲି ପୁଣି ଆସିବେ ।

 

ତା’ପରେ ଏକ ଶାନ୍ତ ଶୀତଳ ପରିବେଶ । ବାୟୁମଣ୍ଡଳ ନିସ୍ତବ୍‌ଧ ।

 

ପରଦିନଠାରୁ ଡାକ୍ତର ଶ୍ରୀକାନ୍ତଙ୍କ ପରାମର୍ଶରେ ନିୟମିତ ଚିକିତ୍ସା ଚାଲିଲା । ସ୍ୱୟଂ ମୃତ୍ୟୁ ଦେବତାଙ୍କ ସହିତ ରୀତିମତ ଯୁଦ୍ଧ । ଭବିଷ୍ୟତହିଁ କେବଳ କହିବ ମଣିଷର ଐକାନ୍ତିକ ଚେଷ୍ଟା, ଏକନିଷ୍ଠ ଏକାଗ୍ରତା ଜୟୀ ହେବ ନା ହିଂସ୍ରକ ମୃତ୍ୟୁ ଦେବତାର ଇଚ୍ଛାହିଁ ପୂର୍ଣ୍ଣ ହେବ ।

 

କମଳିନୀ ବିନୟଙ୍କର ଆରୋଗ୍ୟ ପାଇଁ ସେବା ପୂଜା ଆରମ୍ଭ କରି ଦେଇଛନ୍ତି । ମନୁଷ୍ୟ ଅବସ୍ଥାର ଦାସ । ଶାନ୍ତିନିକେତନରେ ଛାତ୍ରୀ ଥିବାବେଳେ ସେ ହୁଏତ ଭାଗ୍ୟ ଆଉ ଦେବତା ବିଶ୍ୱାସ କରୁ ନଥିଲେ । ବସ୍ତୁବାଦୀ ଦୁନିଆରେ ବସ୍ତୁରହିଁ ମୂଲ୍ୟ ଥିଲା ତାଙ୍କ ନିକଟରେ ଚରମ ସତ୍ୟ । କାଳଚକ୍ରର ଆବର୍ତ୍ତନରେ ସବୁ ଯେମିତି ବଦଳିଗଲା । ଥରେ ସନ୍ତାନପ୍ରାପ୍ତି ଆଶାରେ ସେ ଏମିତି ସେବାପୂଜା ଆରମ୍ଭ କରି ଦେଇଥିଲେ କିନ୍ତୁ ସେ ହେଇଥିଲା ନିଷ୍ଫଳ, ଏଥର ଦେଖାଯାଉ କଣ ହେଉଛି ?

 

ଡାକ୍ତର ଶ୍ରୀକାନ୍ତ । ଦିନୁଦିନ ଏଇ ଯୁବକଟି ପ୍ରତି କମଳିନୀଙ୍କର ମାତୃ ହୃଦୟ ଆକୃଷ୍ଟ ହେଉଛି । ସେ ଏମିତି ଜଣେ ସନ୍ତାନର ଜନନୀ ହେଇପାରି ଥାନ୍ତେ କି ?

 

ସେଦିନ ଏଇ ଚିନ୍ତାରେହିଁ ବସି ବସି ସେ ଲୁହ ଝରାଉଥିଲେ । ଭଜନା ଆସି ସମ୍ୱାଦ ଦେଲା—ଡାକ୍ତର ଆସିଛନ୍ତି ।

 

ଲୁହଧାର ବନ୍ଦ କରି ସେ ଉଠିଗଲେ । ବିନୟ ବେଶ ଆରାମରେ ଶୋଇଛନ୍ତି । ରୋଗ ଯାହାହେଉ ଏ କେଇଦିନ ହେଲା ସେ ବେଶ୍‌ ଶାନ୍ତିରେ ଶୋଉଛନ୍ତି । ଡାକ୍ତର ଗୋଟାଏ ଚେୟାର ଟାଣି ନେଇ ରୋଗୀ ଶେଯ ପାଖରେ ବସିଲେ ।

 

କମଳିନୀ ମୃଦୁ କଣ୍ଠରେ ପଚାରିଲେ—କଣ ଦେଖୁଛ ବାପ ?

 

—ଏତେ ଶୀଘ୍ର ମୁଁ କିଛି ଦେଖିବାକୁ ପାଇଁନାହିଁ । ତେବେ ଶୋଇବାଟା ଖୁବ୍‌ ଭଲ ଲକ୍ଷଣ ।

 

—ଭଲ ହେବାର ଆଶା ଦେଖୁଛ ?

 

—ଡାକ୍ତରମାନେ ତ ସବୁବେଳେ ଆଶାୟୀ ମା ! ମୁଁ ଖୁବ୍‌ ଭଲ ଆଶା ଦେଖୁଚି । ଶ୍ରୀକାନ୍ତଙ୍କ ମୁହଁରେ ନିର୍ଲିପ୍ତଭାବ । ଡାକ୍ତରଙ୍କ କର୍ତ୍ତବ୍ୟ ସେବାକରିବା । ଫଳାଫଳ ଉପରେ ତାଙ୍କର ହାତନାହିଁ । ନିଶ୍ଚିତ ମୃତ୍ୟୁ ଜାଣିମଧ୍ୟ ଡାକ୍ତର ରୋଗୀକୁ ସାନ୍ତ୍ୱନା ଦିଅନ୍ତି, ଆଶା ଦିଅନ୍ତି । ତଥାପି ଏହି ଆଶା ଅନେକ ସମୟରେ ନିରର୍ଥକ ଯାଏନା । ରୋଗୀର ମନ ବଳ ବଢ଼ିଲେ ରୋଗବଳ ହଟିଯାଏ ।

 

କମଳିନୀ ଏଯାଏ ଶ୍ରୀକାନ୍ତଙ୍କ ପରିଚୟ ପଚାରି ନଥିଲେ । ହଠାତ୍‌ ସେ ପଚାରି ବସିଲେ ସେଇସବୁ କଥା ।

 

ଶ୍ରୀକାନ୍ତ ଶ୍ରୀମନ୍ତଙ୍କ ଜ୍ୟେଷ୍ଠ ପୁତ୍ର । ଶ୍ରୀମନ୍ତ ବର୍ତ୍ତମାନ ସୁଦ୍ଧା ଜୀବିତ—କଳା ଚର୍ଚ୍ଚାରେ ରତ ।

 

ଏହାଠୁ ଆଉ ବେଶୀ ଜାଣିବାକୁ କମଳିନୀ ଚାହୁଁ ନଥିଲେ । ଚାହିଁ ବା ଲାଭ କଣ ? ସେ ସବୁ ସ୍ମୃତି ଚିରଦିନ ପାଇଁ ଖତଗଦା ତଳେ ଲୁଚିଯାଉ । ଏ ବୟସରେ ସେ ସବୁ କଥା ମନ ଭିତରକୁ ନବା ପାପ, ମହାପାପ ।

 

ତଥାପି—ସେଇ ଅତୀତ ସ୍ମୃତି ତାଙ୍କୁ ମହାବ୍ୟସ୍ତ କରୁଛି । ତାଙ୍କ ଜୀବନ କାନନରେ ଝଡ଼ ଭଳି ପ୍ରବେଶ କରିଥିଲେ । ଶ୍ରୀମନ୍ତ । ପରାଜୟର ମାଳା ପିନ୍ଧାଇ ଦେଇ ପୁଣି ଅନ୍ତର୍ଦ୍ଧାନ ହେଇଗଲେ-। ତାପରେ ଭ୍ରୂଣହତ୍ୟା—ଯାହାର ପରିଣାମ ଗୋଟିଏ ଜନ୍ମ ପାଇଁ ସେ ଭୋଗ କରୁଛନ୍ତି-

 

ମନେ ପଡ଼ୁଛି ତାଙ୍କର ଆଜି—କଲିକତା ଡାକ୍ତର ତାଙ୍କୁ ପରୀକ୍ଷା କରି ପିଲା ନ ହେବାର କାରଣ ସ୍ୱରୂପ କହିଥିଲା ଏକ ନିର୍ମମ ସତ୍ୟ । ଗର୍ଭରେ ଅସ୍ତ୍ରୋପଚାର ହେବା ଫଳରେ ସବୁଦିନ ପାଇଁ ତାଙ୍କର ଜନନଶକ୍ତି ନଷ୍ଟ ହେଇ ଯାଇଛି । ସେ ଆଉ ଫେରି ଆସି ପାରେନା ।

 

ଏଥିପାଇଁ ଦାୟୀ ଶ୍ରୀମନ୍ତ । ତାଙ୍କରି ପୁଅ ଆଜି ପିତୃଋଣ ପରିଶୋଧ କରୁଛି, କରୁ । ଯଦି ବିନୟ ଭଲ ହେଇଯାନ୍ତି, ତେବେ ଶ୍ରୀମନ୍ତଙ୍କର ସବୁ ପାପ ନିଶ୍ଚୟ ଖଣ୍ଡନ ହେଇଯିବ ।

 

ବିନୟଙ୍କର ନିଦ ଭାଙ୍ଗିଗଲା । ସେ ପାଟିକରି ଉଠିଲେ—କମଳା, କୁଆଡ଼େ ଗଲ କମଳା ? ଓଃ ଭୟଙ୍କର ଦୁଃସ୍ୱପ୍ନ ଦେଖିଲି । ନା, ଦିନକୁ ଦିନ ମୋ ଅବସ୍ଥା ଖରାପ ହେଉଛି । ଡାକ୍ତର ତୁମେ କିଛି ଲକ୍ଷ୍ୟ କରି ପାରୁଛ ?

 

—ଭୁଲ, ଭୁଲ ଆପଣ କହୁଛନ୍ତି, ଆଗଠାରୁ ଆପଣ ଆଉ ଟିକିଏ ଭଲ ଆଡ଼କୁ ଆସିଛନ୍ତି । ଡାକ୍ତର କହିଲେ ।

 

—ବୋଗସ୍‌, ରବିସ୍‌ । ଏଇ ସବୁ ଡାକ୍ତରୀ ବହି କି ତମେ ନଈ ଗର୍ଭରେ ଝାସ ଦେଇଆସ । ବିନୟଙ୍କ କଣ୍ଠରେ ନୈରାଶ୍ୟର ଭାବ ।

 

—ଆପଣ ନିଶ୍ଚିନ୍ତ ରହନ୍ତୁ ।

 

—ନିଶ୍ଚିନ୍ତ ମୁଁ କି ରହିପାରେ ଡାକ୍ତର ? କେହି କ’ଣ ରହିପାରେ ? ଗୋଟିଏ ପାଦକୁ ସମାଧି ଉପରକୁ ଟେକିଦେଇ ମୁଁ ନିଶ୍ଚିନ୍ତ ରହିବି କେମିତି ? ମୋ ପାଇଁ ଆଉ କଷ୍ଟ କର ନା । ଲାଭ କ’ଣ ମିଳିବ ସେଥିରୁ ? ବରଂ ମତେ ଛାଡ଼ି ଦିଅ ମୋ ଭାଗ୍ୟ ଭୋଗିବାକୁ ।

 

ଆଉରି କ’ଣ କହିଥାନ୍ତେ ବିନୟ କିନ୍ତୁ କମଳିନୀ ବାଧା ଦେଇ କହିଲେ ତମେ ବେଶୀ କଥା କୁହ ନାହିଁ । ଆମ କାମ ଆମକୁ କରିବାକୁ ଦିଅ ।

 

ଡାକ୍ତର ଇଞ୍ଜେକ୍‌ସନ ଦେଲେ । ସବୁଦିନେ ଦିଅନ୍ତି । ବାଧା ଦେଲେ ନାହିଁ ବିନୟ । କମକିନୀଙ୍କ ଇଚ୍ଛା ପୂର୍ଣ୍ଣ ହେଉ ।

 

କାନ୍ଥ ଘଡ଼ିରେ ବାଜିଲା ଛ । ନୀଡ଼ ଫେରନ୍ତା ପକ୍ଷୀ ଦଳର କଳରବ ଯେମିତି ଏକ ଅଶାନ୍ତ ବାୟୁମଣ୍ଡଳ ସୃଷ୍ଟି କରିଚି । ଡାକ୍ତର ତାଙ୍କ କାମ ଶେଷ କରି ଚାଲିଗଲେ । କମଳିନୀ ବସି ରହିଥିଲେ ବିନୟଙ୍କ ଶେଯ ପାଖରେ ।

 

ସାମାନ୍ୟ ନିରବତା । ତା’ପରେ ବିନୟ କହିଲେ—କମଳା, ଆଜି କାହିଁକି ପୂନର୍ବାର ବଞ୍ଚିବାର ଆଶା ମରି ଯାଉଛି । ଆଉ ବଞ୍ଚିରହି ଲାଭ କ’ଣ ? ତୁମେହିଁ କୁହ । ଡାକ୍ତର ମୁହଁରୁତ ଶୁଣିଛ—ଯଦିବା ମୁଁ ଭଲ ହୁଏଁ, ସବୁଦିନ ପାଇଁ ଅକର୍ମଣ୍ୟ ହୋଇଯିବି । ପରିଶ୍ରମ ଯିବନାହିଁ ଦେହରେ । କି ଲାଭ ମିଳିବ ସେ ଜୀବନରୁ ?

 

କମଳିନୀଙ୍କ କପାଳ ସିନ୍ଦୂର ଦାଉଦାଉ ଜଳୁଥିଲା । ସେ ଭାବୁଥିଲେ ସେଇ ସିନ୍ଦୂରର ମହତ୍ୱ । ସେତକ ଥିଲା ପର୍ଯ୍ୟନ୍ତ ନାରୀ ସର୍ବ-ସୁଲକ୍ଷଣା ଥାଏ । ସେତକ ଚାଲିଗଲେ ସେ ହୁଏ ଅଭାଗିନୀ ଅପବିତ୍ରା । ସ୍ୱାମୀ ପଙ୍ଗୁ ହେଉ, ଅନ୍ଧ ହେଉ, ଅକର୍ମଣ୍ୟ ପଛେ ହେଉ, ସ୍ୱାମୀ ଥିବାରେ ଗୌରବ । ସେହି ଗୌରବ ଟିକକ ଯଦି ରହେ, ସେତିକି ଯଥେଷ୍ଟ ! ତା’ ବ୍ୟତୀତ ଆଉ ତ କିଛି କାମନା ବର୍ତ୍ତମାନ ତାଙ୍କର ନାହିଁ ।

 

ବିନୟଙ୍କ ଦେହ ରକ୍ତଶୂନ୍ୟ ହୋଇଯାଇଛି । ଡାକ୍ତର ଶ୍ରୀକାନ୍ତ କହୁଥିଲେ ରକ୍ତ ଦେବାକୁ-। କିଏ ଦେବ ତାଙ୍କ ପାଇଁ ରକ୍ତ ? କମଳିନୀ ଦୁର୍ବଳ ହେଇ ପଡ଼ିଛନ୍ତି—ପୁତ୍ର କନ୍ୟା ନାହାନ୍ତି । କିଏ ଦେବ ରକ୍ତ ?

 

କମଳିନୀ ବସି ବସି ସେହି କଥାହିଁ ଭାବୁଥିଲେ । ଭଜନା ସହିତ ଡାକ୍ତର ଆସି ପହଞ୍ଚିଲେ । ସାମନାରେ କମଳିନୀଙ୍କୁ ଦେଖି ପଚାରିଲେ—କ’ଣ ହେଲା ମା ? ତୁରନ୍ତ ରକ୍ତ ଦେବା ଦରକାର । ନୋହିଲେ ...

 

କମଳିନୀ ବିମର୍ଷ ମୁଖରେ କ୍ଷଣକାଳ ଚାହିଁ ଦୀର୍ଘ ନିଃଶ୍ୱାସ ଛାଡ଼ିଲେ । ଆଖିରେ ନୈରାଶ୍ୟର ଭାବ । ସେ ଯେମିତି କାହାର ସାହାଯ୍ୟ ଚାହୁଁଛନ୍ତି । ମାତ୍ର କିଏ ଦେବ ସାହାଯ୍ୟ ? କିଏ ଅଛି ତାଙ୍କର ?

 

ବିନୟ ଆର୍ତ୍ତନାଦ କରୁଛନ୍ତି । ତାଙ୍କ ଛାତିର କୋମଳ ମାଂସକୁ ପଳେ ପଳେ ଦଂଶନ କରୁଚି ଯକ୍ଷ୍ମା କୀଟ ।

 

କମଳିନୀଙ୍କ ମୁହକୁ ଚାହିଁ ଡାକ୍ତର କି ସଂକେତ ପାଇଲେ କେଜାଣି ସେ ସ୍ୱତଃପ୍ରବୃତ୍ତି ହେଇ କହିଲେ–ଆଚ୍ଛା ମା, ମୁଁ ରକ୍ତ ଦେବି ।

 

କମଳିନୀ ନିର୍ବାକ ।

 

ଯଥା ସମୟରେ ବିନୟଙ୍କ ଦେହରେ ରକ୍ତ ଦିଆଗଲା । କମଳିନୀ ସେ ଦିନ ଡାକ୍ତରଙ୍କୁ କହିଥିଲେ—ବାବା, ଆର ଜନ୍ମରେ ତମେ ମୋର ପୁଅ ଥିଲ ନିଶ୍ଚୟ । ତମର ଏ ଉପକାର ଆମେ ସୁଝି ପାରିବୁନି ।

 

ପ୍ରତି ଉତ୍ତରରେ ଡାକ୍ତର ହସି ହସି କହିଥିଲେ—ଆପଣଙ୍କ ଭଳି ମା ଭାଗ୍ୟରେ ଥିଲେ ମିଳେ ।

 

ୟା ଭିତରେ ଛଅଟି ମାସ ବିତି ଯାଇଛି । ସଂସାରର ଇତିହାସ ପାଞ୍ଜିରେ ବହୁ ନୂଆ କଥା ଘଟି ଯାଇଛି, ପୁରାତନ ଧ୍ୱଂସ ପାଇଛି । କେତେ ମଣିଷ ସଂସାରର ବନ୍ଧନ ତୁଟାଇ ଆରପୁରର ଯାତ୍ରୀ ହେଇଛନ୍ତି–କେତେ ନବାଗତ ଶିଶୁର ଅବୋଧ୍ୟ କ୍ରନ୍ଦନରେ ଧରଣୀର ଛାତି ମୁଖର ହେଇଛି । କେତେ ନୈରାଶ୍ୟ-ରଜନୀ ବିତି ଯାଇଛି, ଆଶା ସକାଳର ଆଗମନରେ ପଥଘାଟ ଦୀପ୍ତ ହେଇ ଉଠିଛି । ଫୁଲି ଫୁଟିଛି ଅମାପ, ଝରି ଯାଇଛି ବି ଅମାପ ।

 

କମଳିନୀଙ୍କ ପରିବାରରେ ଈଷତ୍‌ ଆଶା ସଞ୍ଚରି ଯାଇଛି । ବିନୟଙ୍କ ଦେହ ଅପେକ୍ଷାକୃତ ଭଲ ହେଇ ଆସିଛି । ଡାକ୍ତର ଶ୍ରୀକାନ୍ତ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି—ବେଳେ ବେଳେ ସାରା ରାତ୍ରି ରୋଗୀ ଶଯ୍ୟା ପାଖରେ ବସି କଟାଇ ଦେଇଛନ୍ତି ।

 

ଏଇ ତରୁଣ ଡାକ୍ତରଙ୍କ ପ୍ରତି କମଳିନୀଙ୍କ ହୃଦୟ ଏକାଧାରରେ ସ୍ନେହ ଆଉ କୃତଜ୍ଞତାରେ ଭରି ଯାଇଛି ।

 

ବିନୟ ଟିକିଏ ଟିକିଏ ଚାଲି ବୁଲି ପାରିଲେଣି । ଉଦ୍ୟାନରେ ନୂଆ ଫୁଲ ଫୁଟିବାର ଦେଖିଲେ ତାଙ୍କ ପ୍ରାଣ ଆନନ୍ଦରେ ଭରି ଉଠୁଚି ।

 

ପାଖରେ ଅଛନ୍ତି କମଳିନୀ । ସଞ୍ଜ ପବନ ଦେହକୁ ବେଶ୍‌ ଭଲ ଲାଗୁଛି । ସେ ଧୀରେ ଧୀରେ ବୁଲୁଛନ୍ତି ।

 

ପୂର୍ବାକାଶରେ ସାଦା ମେଘଖଣ୍ଡେ ଖେଳି ବୁଲୁଛି । ଶିଳ୍ପୀ ପ୍ରାଣରେ ତାର ପ୍ରତିଛବି ।

 

ଘାସ ଉପରେ ଯାଇ ସେ ବସିଲେ । ପ୍ରାଣରେ ଶାନ୍ତି । ସେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲେ ମୁକ୍ତ ପ୍ରକୃତିର ଶୋଭା ପୁଣି ଥରେ ଜୀବନରେ ଉପଭୋଗ କରି ପାରିବେ ବୋଲି ।

 

ସେ କହିଲେ—କମଳା, ଯୌବନର ରଙ୍ଗିମା ଥିଲେ ଆଜି ରାତି କେଡ଼େ ମଧୁମୟ ହୋଇ ନ ଥାନ୍ତା ?

 

ତାଙ୍କର ଏଇ କଥା ଶୁଣି କମଳିନୀ ହସିଲେ—ଆଉ ଥରେ କ’ଣ ଫେରି ଯାଇହବ ପଛକୁ ?

 

ତୁମ ପାଖରେ ମୁଁ ହାରି ଯାଇଛି କମଳା । ବିନୟ କହିଲେ ।

 

ହାରି ଯାଇଛନ୍ତି ? କମଳିନୀଙ୍କ ପ୍ରାଣତନ୍ତ୍ରୀରେ ଆଘାତ କରୁଥିଲା ଯବନିକା ତଳର ଇତିବୃତ୍ତ ।

 

ପୁଣି ସେଇ ଶ୍ରୀମନ୍ତ—ଠିକ୍‌ ଏମିତିକା ଏକ ସନ୍ଧ୍ୟାରେ ସେ ଏହି କଥା କହିଥିଲେ । ମାତ୍ର ପର ମୁହୂର୍ତ୍ତରେ ବାସ୍ତବ ଜୀବନରେ ତା’ର ବିପରୀତ ଘଟିଲା । ଶ୍ରୀମନ୍ତ ଜିତିଗଲେ, ହାରିଗଲେ କମଳିନୀ ।

 

ଆଜି ପୁଣି ବିନୟ ସେହି କଥା କହୁଛନ୍ତି । ଶ୍ରୀମନ୍ତଙ୍କ ପ୍ରତିଛବି ପୁଣି ଆଖି ଆଗରେ ନାଚୁଛି । ତାଙ୍କର ସବୁ ଚିନ୍ତାଧାରା ଗୋଳମାଳ ହୋଇଗଲା । ସେ କହିଲେ—ସନ୍ଧ୍ୟା ହେଲାଣି ଏବେ ଘରକୁ ଚାଲ ।

 

-ମୁଁ ଆଉ ଘରର ଚାରିକାନ୍ଥ ଭିତରେ ବନ୍ଦୀ ହେବାକୁ ଚାହେଁନା କମଳା । ସେଠିକି ଯିବା ମୋ ପାଖରେ ଯମଯନ୍ତ୍ରଣା । ମୁଁ ଏଇଠି ବସିବି ।

 

ଯେଉଁ ବିହଙ୍ଗ ବନ୍ଦିତ୍ୱରୁ କ୍ଷଣକ ପାଇଁ ମୁକ୍ତି ପାଏ, ସେ ଆଉ ଚାହେଁନା ଫେରିଯିବାକୁ ସୁବର୍ଣ୍ଣ ପିଞ୍ଜରାକୁ । ବହୁଦିନ ଘର ଭିତରେ ବନ୍ଦୀ ହେଇ ଯେ ବାହାରର ଆଲୋକକୁ ଆସିଛି ତାକୁ ଆଉ ଘରର ଅନ୍ଧକାର ଭଲ ଲାଗେନା ।

 

ଆକାଶରୁ ସାଦା ମେଘ ଖଣ୍ଡେ ଅନ୍ତର୍ଦ୍ଧାନ ହେଇଗଲେଣି । ତା’ ସ୍ଥାନରେ ଦେଖା ଦେଇଚି କଳା ବଉଦ । ଚତୁର୍ଦ୍ଦିଗରେ ମେଘ ହେବା ଭାବ ।

 

ଚାଲ । ମେଘ ଆସିଲାଣି ଦେଖୁ ନାହଁ । କମଳିନୀ ପୁଣି କହିଲେ ।

 

ବିନୟ ଉତ୍ତର ଦେଲେ—ମୁଁ ସେଇୟା ଚାହୁଁଛି । ପ୍ରକୃତିକୁ ଉପଭୋଗ କରିବାକୁ ପ୍ରବଳ ଇଚ୍ଛା । ମତେ ବାଧା ଦିଅନା କମଳା ।

 

ମେଘ ପକେଇବାକୁ ଆରମ୍ଭ କରିଛି । କମଳିନୀ ବ୍ୟସ୍ତ ହେଇ ପଡ଼ିଲେ—ଉଠ, ଭିଜିଗଲେ ଥଣ୍ଡା ଲାଗିବ । ଯକ୍ଷ୍ମା ରୋଗୀ ତମେ, ଥଣ୍ଡା ତମର ଚିର ଶତ୍ରୁ ।

 

—ମୋର ସବୁଠୁଁ ବଡ଼ ଶତ୍ରୁକୁ ମୁଁ ଆଜି ମିତ୍ରଭାବରେ ଦେଖିବାକୁ ଚାହେଁ । ତମେ ବାଧା ଦିଅନା ।

 

କମଳିନୀ ଏଥର ବିନୟଙ୍କର ଗୋଟାଏ ହାତ ଧରି ଟାଣିଲେ—ପାଗଳ ଭଳି ହେଉଛ କାହିଁକି ? ଉଠିଆସ ଚଞ୍ଚଳ ।

 

ବିନୟ ବାଧ୍ୟ ହେଇ ଉଠିଲେ । ତାଙ୍କର ଅନ୍ତରଟାକୁ ବାହାରେ ଛାଡ଼ି ଦେଇ ଘରର ଅନ୍ଧକୂପ ଭିତରେ ନିଜକୁ ମିଶେଇ ଦେଲେ ।

 

ବିନୟ ଭଲ ହେଇ ଆସିଛନ୍ତି । ଡାକ୍ତର ଶ୍ରୀକାନ୍ତଙ୍କ ମୁହଁରେ ସଫଳତାର ହସ । ଗୋଟିଏ ପରିବାର ଭୁଷୁଡ଼ି ପଡ଼ିଥାନ୍ତା, ଗୋଟିଏ ଜୀବନକୁ ରକ୍ଷା କରିପାରିଛନ୍ତି ସେ । ଡାକ୍ତରଙ୍କ ପକ୍ଷରେ ଏହା କମ ବଡ଼ ଗୌରବର କଥା ନୁହେଁ ।

 

ବିନୟଙ୍କ ପରିବାର ସହିତ ସେ ବର୍ତ୍ତମାନ ଖୁବ୍ ଘନିଷ୍ଠ ଭାବରେ ଜଡ଼ିତ । କମଳିନୀ ତାଙ୍କର ସଂଚିତ ମାତୃସ୍ନେହ ତାଙ୍କରି ଉପରେ ଅଜାଡ଼ି ଦେଇଛନ୍ତି । ନାରୀର ହୃଦୟ ଏମିତି ଯେ ଯେଉଁଠି ସେ ସ୍ନେହ ଢାଳିଦିଏ ସେଠି ଅନ୍ୟ କିଛି ବିଚାର ତାର ନ ଥାଏ ।

 

ସେଦିନ ତିନିଜଣ ଯାକ ଘର ସାମନାରେ ବସିଥାନ୍ତି । ବିନୟ ରୋଗରୁ ଉଠି ଗୋଟାଏ ଚିତ୍ରପଟ ଆଙ୍କି ତାକୁ ସମାପ୍ତ କରୁଥାନ୍ତି । ଶ୍ରୀକାନ୍ତ ଏହି ଚିତ୍ରପଟକୁ ଦେଖି ତାଙ୍କର ଅସାମାନ୍ୟ କଳା ପ୍ରତିଭାର ଭୂରି ଭୂରି ପ୍ରସଂଶା କରୁଛନ୍ତି ।

 

ବିନୟ କହିଲେ—ତମେ ଦେଖିନାହଁ ଡାକ୍ତର, ମୋ ଜୀବନର ଶ୍ରେଷ୍ଠ ଚିତ୍ରଟିକୁ । ସେହି ଚିତ୍ରଟିକୁ ଦେଖିଲେ ଆଜିବି ମୋର ମନେ ହୁଏ ମୁଁ ଯେମିତି ତରୁଣ—ବାର୍ଦ୍ଧକ୍ୟର ସମସ୍ତ କଳ୍ପନା ଅନ୍ତର୍ଦ୍ଧାନ ହେଇଯାଏ ମନରୁ । ତମର ଆଜିକାଲିକାର ମିସ୍‌ ଇଣ୍ଡିଆଙ୍କର ରୂପ ସେହି ଛବି ଆଗରେ ନିଷ୍ପ୍ରଭ ହେଇଯିବ ।

 

ଆହୁରି ସେ କହିଥାନ୍ତେ । ମାତ୍ର ଏହି ସମୟରେ ଡାକ୍ତରଙ୍କୁ ଖୋଜି ଖୋଜି ଜଣେ ଆସି ପହଞ୍ଚିଲା । ତାର ବାପ ବେମାର—ଦି’ଦିନ ହେଲା ଅଚେତ । ଡାକ୍ତର ସେହି ଲୋକଟି ସାଙ୍ଗରେ ଚାଲିଗଲେ ।

 

ବିନୟ କହିଲେ—ମୁଁ ଯେଉଁ ଚିତ୍ରଟି କଥା କହୁଥିଲି ତମେ ଜାଣ କମଳା ? ତୁମରି ସେଇ ଚିତ୍ରଟି... । ମୋ ଜୀବନର ସେଇ ବୋଧହୁଏ ସର୍ବଶ୍ରେଷ୍ଠ ଚିତ୍ର । ତାକୁ ଆଙ୍କିବାବେଳେ କୌଣସି ଐଶ୍ୱରିକ ଶକ୍ତି ମୋ ଭିତରେ କାମ କରୁଥିଲା ।

 

କମଳିନୀ ଅନ୍ୟମନସ୍କା ଥିଲେ । ବିନୟ ପୁନର୍ବାର କହିଲେ—ଯାଅ କମଳା, ସେ ଚିତ୍ରଟିକୁ ଆଣ । ମୁଁ ତାକୁ ଆଉଥରେ ଭଲକରି ଦେଖେ । ଅତୀତକୁ ଫେରିଯିବାକୁ ଅନେକ ସମୟରେ ଭାରି ଭଲଲାଗେ ।

 

କମଳିନୀଙ୍କ ମୁହଁ ଫିକା ପଡ଼ିଗଲା ହଠାତ୍‌ । ତାଙ୍କର ଯୁବତୀ ଦିନର କୌଣସି ଚିତ୍ର ବା ଫଟୋ ସେ ରଖି ନାହାନ୍ତି । ସେଦିନ ସବୁଗୁଡ଼ିକୁ ସେ ଟିକିଟିକି କରି ନଷ୍ଟକରି ଦେଇଛନ୍ତି ।

 

ବିନୟ ବ୍ୟସ୍ତ ହେଇପଡ଼ୁଥିଲେ—ଯାଅ । ମୋର ସେଇ ରୂପରାଣୀ କମଳାକୁ ଥରେ ମୋତେ ଦେଖଇବାକୁ ଦିଅ ।

 

କମଳିନୀ ଭାବୁଥିଲେ—ରୂପରାଣୀ କମଳା ସବୁଦିନ ପାଇଁ ହଜିଯାଇଛି । ଉଷର ମରୁଭୂମିର ନଦୀଭଳି କୌଣସି ଚିହ୍ନ ସେ ରଖି ଯାଇନାହିଁ । କି ପ୍ରୟୋଜନ ଥିଲା ଆଉ ଏଇ ନିର୍ଜୀବ ଛବିରେ ! ରୋଗଗ୍ରସ୍ତ, ଉନ୍ମାଦ ବିନୟଙ୍କୁ ରକ୍ଷା କରିବାକୁ ଯାଇ ସେଦିନ ସେ ସବୁକୁ ସେ ନଷ୍ଟକରି ଦେଇଛନ୍ତି ।

 

ରତନାକୁ ଡାକି ସେହି ଛବିଟିକୁ ଆଣିବା ପାଇଁ ବିନୟ ନିର୍ଦ୍ଦେଶ ଦେଲେ । ମାତ୍ର ସେ ମଧ୍ୟ ନୀରବରେ ରହିଲା । ଛବି ତ ନାହିଁ । ଆଣିଦେବ କୁଆଡ଼ୁ ସେ ? ବିନୟ ଆଶ୍ଚର୍ଯ୍ୟ ହେଲେ । କମଳିନୀଙ୍କ ଆଖି ତଳୁ ସରୁ ସରୁ ଲୁହଧାର ଝରି ଆସୁଥିଲା । କଣ ହେଇଚି କମଳା କୁହ । ତୁମେ ହଠାତ୍‌ କାନ୍ଦୁଛ କାହିଁକି ? କୁହ ।

 

ତଥାପି ସେ ନିର୍ବାକ । ଶିଳ୍ପୀ ଯେତେବେଳେ ଜାଣିବେ ତାଙ୍କର ସର୍ବଶ୍ରେଷ୍ଠ ଚିତ୍ରଟିକୁ ନଷ୍ଟକରି ଦିଆ ଯାଇଛି ସେ ସେତେବେଳେ ତାଙ୍କୁ କ୍ଷମା କରି ପାରିବେ ତ ?

 

ପାରିବେ ? କମଳିନୀ ଆକାଶ ପାତାଳ ଭାବି ଯାଉଥିଲେ । ମନରେ ପୁଣି ଆଶାର ସଂଚାର ହେଉଥିଲା । ଯେଉଁ ଶିଳ୍ପୀ ଦିନେ ଏକ ଅକ୍ଷମଣୀୟ ଅପରାଧକୁ କ୍ଷମା ଦେଇ ପାରିଥିଲେ, ସେ ଆଜି ଏଥିପାଇଁ କଣ କ୍ଷମା ଦେବେନାହିଁ ?

 

ବିନୟ ପୁଣି ପଚାରିଲେ–କଣ ହେଇଚି ? ତମେ ସବୁ ଚୁପ ରହିଛ କାହିଁକି ?

 

ଅଶ୍ରୁଳ କଣ୍ଠରେ କମଳିନୀ କହିଲେ—ତମକୁ ଆଜି ମତେ କ୍ଷମା କରିବାକୁ ପଡ଼ିବ । ସେଇ ଚିତ୍ରଟିକୁ ମୁଁ ନଷ୍ଟ କରିଦେଇଛି ।

 

—ନଷ୍ଟକରି ଦେଇଛ ? ଚିତ୍କାର କରି ଉଠିଲେ ବିନୟ । ତମେ କଣ କରିଛ କମଳିନୀ-? ଶିଳ୍ପୀର ସବୁଠୁଁ ଆଦରର ଚିତ୍ରଟିକି ତମେ ନଷ୍ଟକରି ଦେଇଛ ? ଶିଳ୍ପୀର ଶିଳ୍ପକୁ ତୁମେ ହତ୍ୟା କରିଛ ?

 

—ମତେ କ୍ଷମା କର ଗୋ, ତମରି ଭଲ ପାଇଁ ମୁଁ ଏୟା କରିଛି ।

 

—ନା, ନା, ତମର ଏକଥା ଶୁଣି ମୋ ମୁଣ୍ଡ କଣ ହେଇଯାଉଛି । ତମେ ତ ଜାଣିଛ, ମୋର କେତେ ପ୍ରିୟଥିଲା ସେ ଚିତ୍ରଟି । ବିନୟ କହିଲେ ।

 

—ସବୁ ମୁଁ ଜାଣିଛି, ତଥାପି ତମରି ଭଲ ପାଇଁ ...

 

—ମୋରି ଭଲପାଇଁ ନା ମୋରି ମରଣପାଇଁ ତମେ ଏମିତି କରିଛ ? କହି ପାରିବ ପାଷାଣୀ, ସେଇ ଚିତ୍ରଟିକୁ ନଷ୍ଟକରି କେଉଁ କାମନା ତମେ ଚିରତାର୍ଥ କଲ ? ତମ ପାଖରେ ମୁଁ କି ଅପରାଧ କରିଥିଲି କମଳା, ଏ ବୟସରେ ତମେ ମତେ ଏ ଶାସ୍ତି ଦେଲ ? ତମକୁ ନର୍କରୁ ଉଦ୍ଧାରକରି ଦେବୀର ସମ୍ମାନ ମୁଁ ଦେଇଥିଲି, ତମେ ମୋ କଳାର ଆଦର କରିବ ବୋଲି । ମାତ୍ର ....

 

ଆଉ କହି ପାରିଲେ ନାହିଁ । ତାଙ୍କର କଣ୍ଠ ରୁଦ୍ଧ ହେଇଗଲା । ଦିନେ ସେ ଯାହାର ହିମାଳୟପରି ଅପରାଧକୁ ହସି ହସି କ୍ଷମା ଦେଇଥିଲେ; ସେ ଆଜି କମଳିନୀଙ୍କର ଏଇ କାମ ତାଙ୍କୁ କ୍ଷମା ଦେବାକୁ ନାରାଜ ।

 

ସଙ୍ଗେ ସଙ୍ଗେ ଯେମିତି ଘୋଟିଗଲା ଅମାବାସ୍ୟାର ଅନ୍ଧକାର । ବିନୟଙ୍କ ମୁଖମଣ୍ଡଳ କଳା ପଡ଼ିଗଲା । ସାରା ଦେହ ଥରି ଉଠିଲା । ସେ ପାଟିକରି ଉଠିଲେ—ଅବିଶ୍ୱାସୀ ଦୁନିଆରେ ମୁଁ ଆଉ ବଞ୍ଚି ରହିବାକୁ ଚାହେଁନା । କମଳା, ତୁମକୁ ମୁଁ ଆଜି ଅଭିଶାପ ଦେବି ।

 

କମଳିନୀ ଧୀର କଣ୍ଠରେ କହିଲେ—ତମେ ତ ଅବୁଝା ନୁହଁ । ଯାହାର ଚିତ୍ରପଟ ପାଇଁ ତମେ ଏତେ ବ୍ୟାକୁଳ, ସେ ତ ରକ୍ତ ମାଂସର ଶରୀର ନେଇ ତୁମ ସାମନାରେ ରହିଛି । ଜୀବନ୍ତ କମଳିନୀ ଥାଉ ଥାଉ ନିର୍ଜୀବ ଛବି ପାଇଁ ଏତେ ଅନୁଶୋଚନା କାହିଁକି ?

 

ବିନୟଙ୍କ ମୁହଁରେ ବିଦ୍ରୂପର ହସ । ସେ କହିଲେ–କାହିଁ ସେ କମଳିନୀ ? ଯେଉଁ କମଳିନୀର ଛବିକୁ ତୁମେ ନଷ୍ଟ କରିଛ, ତାର ତ ତୁମେ ପ୍ରତିନିଧି ନୁହଁ ।

 

—ନୁହେଁ ? ମୁଁ କଣ ସେଇ କମଳିନୀ ନୁହେଁ ? ରୋଗରୁ ଉଠି କଣ ହେଇଯାଇଚି ତୁମ ମୁଣ୍ଡ ?

 

—ଠିକ୍‌ ଅଛି ମୋ ମୁଣ୍ଡ । ବରଂ ତୁମର ମୁଣ୍ଡ ବିଗିଡ଼ି ଯାଇଛି । ଯେଉଁ କଳ୍ପନା ରାଜ୍ୟର ଅପରୂପା ସୁନ୍ଦରୀ କମଳିନୀର ଛବି ମୁଁ ଆଙ୍କିଥିଲି ସେ କମଳିନୀ କେବେ ହେଲେ ରକ୍ତ ମାଂସର କମଳିନୀ ହେଇ ପାରେନା । ସେ କମଳିନୀ ଜରାଗ୍ରସ୍ତ ହେଇ ତାର ସମସ୍ତ ସୌନ୍ଦର୍ଯ୍ୟ ହରାଇ ପାରେନା । ସେ ଚିର ସୁନ୍ଦରୀ, ଚିର ଯୌବନା, ଚିର ଶୋଭନା....ଶିଳ୍ପୀ କଳ୍ପନା କରେ ଅକ୍ଷତ ଯୌବନା ସୁନ୍ଦରୀ ମୂର୍ତ୍ତିର । ଶିଳ୍ପୀର ଚକ୍ଷୁରେ ଜରାଗ୍ରସ୍ତ ରୋଗ ବିକଳାଙ୍ଗ ଛବିର ମୂଲ୍ୟ ନାହିଁ । ତୁମେ ଭ୍ରାନ୍ତ-ଶିଳ୍ପୀ ହିସାବରେ ତୁମର ସେଇ ତରୁଣୀ ମୂର୍ତ୍ତି ଥିଲା ମୋର ଆରାଧ୍ୟ—ତୁମର ଏଇ ରକ୍ତ ମାଂସର ଶରୀର ମୋ ଆଗରେ ତୁଚ୍ଛ । —ୟାର ଦାମ......

 

ବନ୍ଦ କର, ବନ୍ଦ କର ଗୋ ତମର ଏ ବକ୍ତୃତା । ଏ ସବୁ ଶୁଣିବା ଆଗରୁ ମତେ ମରିବାକୁ ଦିଅ ।

 

ତମକୁ ଶୁଣିବାକୁ ହବ କମଳା, ତୁମେ ଶୁଣିବାକୁ ବାଧ୍ୟ । ଶିଳ୍ପୀ ଆଗରେ ସୌନ୍ଦର୍ଯ୍ୟର ମହତ୍ୱ କେବଳ ଫୁଟି ଉଠେ । କହି ପାରିବ ବର୍ତ୍ତମାନ ତୁମ ପାଖରେ ସେ ସୌନ୍ଦର୍ଯ୍ୟ ଅଛି କି ?

 

କିଛି ନାହିଁ, କିଛି ନାହିଁ । ତମ ଆଖିରେ ମୁଁ ମୂଲ୍ୟହୀନ ଝରାଫୁଲ ।

 

—ଶିଳ୍ପୀ ଆଖି ଚିର ସବୁଜ । ତାହା ବିକାଶର ସ୍ୱପ୍ନ ଦେଖେ–ଧଂଷର ଦୃଶ୍ୟ ତା ପାଖରେ ଅସହ୍ୟ ।

 

ତାହା ହେଲେ ?

 

କମଳିନୀ କରୁଣ ଦୃଷ୍ଟିରେ ଚାହିଁଲେ । ସାମନାରୁ ଜଣେ କିଏ ଭଦ୍ରଲୋକ ଆସୁଛନ୍ତି । ନିକଟେଇ ଆସିବାରୁ ଜଣାଗଲା ସେ ଡାକ୍ତର ଶ୍ରୀକାନ୍ତଙ୍କ ପିତା ଶ୍ରୀମନ୍ତ । ଏ ଦୁଃସମୟରେ ସେ ପୁଣି କାହିଁକି ? ହାୟ ଭଗବାନ ! ଧ୍ୱଂସମୁଖୀ ସ୍ମୃତିକୁ ବହନ କରି କାଳପୁରୁଷ ପରି ସେ କାହିଁକି ଆସୁଛନ୍ତି ? କମଳିନୀ ଅସ୍ତବ୍ୟସ୍ତ ହେଇ ଘର ଭିତରକୁ ଧାଇଁଗଲେ । ତାଙ୍କର ଅନ୍ତର ଭିତରୁ କିଏ ଯେମିତି ଚିତ୍କାର କରୁଥାଏ—ଫେରିଯାଅ ଶ୍ରୀମନ୍ତ ! ଫେରିଯାଅ ଦସ୍ୟୁ !

 

ଶିଳ୍ପୀ କଣ ଚିରଦିନ ମରୀଚିକାରେ ସ୍ୱପ୍ନ ଦେଖେ ? ଅକ୍ଷତ ଯୌବନର କଳ୍ପନା ପାଗଳ ବ୍ୟତୀତ ଆଉ କିଏ କରେ ? ତେବେ ଶିଳ୍ପୀ ମାତ୍ରେଇ କଣ ପାଗଳ ?

 

ଶ୍ରୀମନ୍ତଙ୍କୁ ଦେଖି ବିନୟ ଉଠି ପଡ଼ିଲେ ।

 

ଶ୍ରୀମନ୍ତ କହିଲେ—ଭାଇ, ମୋ ପୁଅଠୁ ଶୁଣିଲି ତୋ ଦୁରାବସ୍ଥା କଥା । ଭଗବାନଙ୍କ ଦୟାରୁ ଯା’ହଉ ଭଲ ହେଇ ଆସିଛୁ । ଶୁଣିଥିଲି ତୁ କୁଆଡ଼େ କମଳିନୀକୁ ବିବାହ କରିଛୁ । ମୋର ସବୁ ଦୋଷ ଭାଇ, ତୁମ ଦୁହିଁଙ୍କ ପାଖରୁ ମୁଁ କ୍ଷମା ନବାକୁ ଆସିଛି ।

 

ବିନୟ ମାର୍ବଲର ଏକ ପ୍ରତିମୂର୍ତ୍ତି ଭଳି ଛିଡ଼ା ହେଇଥିଲେ । ନିରୀକ୍ଷଣ କରି ନ ଚାହିଁଲେ ଆଖିପତା ତାଙ୍କର ପଡ଼ୁଥିଲା କି ନା କହିହେବ ନାହିଁ ।

 

ଶ୍ରୀମନ୍ତ ପୁଣି ପଚାରିଲେ—ତୁ କଥା କହୁନୁ କାହିଁକି ବିନୟ ? କମଳିନୀ କାହିଁ ?

 

ତନ୍ଦ୍ରା ଯେମିତି ତୁଟିଗଲା । ବିନୟ ବଡ଼ ରୂକ୍ଷ କଣ୍ଠରେ କହିଲେ—କମଳିନୀ ନାହିଁ । ସେ ମରିଯାଇଛି ।

 

ମରିଯାଇଛି ? କେବେ ? କେତେବେଳେ ?

 

ରତନା ଧାଇଁ ଆସି ଖବର ଦେଲା—ବାବୁ, ମା ବିଷ ଖାଇ ଦେଇଛନ୍ତି ।

 

ବିନୟଙ୍କର ସବୁ ମୋହ ଯେମିତି କଟିଗଲା । ସେ ପାଗଳଙ୍କ ଭଳି ଘର ଭିତରକୁ ଧାଇଁଗଲେ—ଶ୍ରୀମନ୍ତ ମଧ୍ୟ ତାଙ୍କର ଅନୁଗମନ କଲେ ।

 

କମଳିନୀ ବିଷ ଖାଇ ଦେଇଛନ୍ତି । ସର୍ବାଙ୍ଗ ତାଙ୍କର ଜଳୁଛି—ବିଷ ଜ୍ୱାଳାରେ ସେ ଛଟପଟ ହେଉଛନ୍ତି । ଭଜନା ଧାଇଁ ଯାଇଛି ଡାକ୍ତର ଡାକିବାକୁ ।

 

ଶ୍ରୀମନ୍ତ କିଛି ହେଲେ ବୁଝିପାରୁ ନଥିଲେ । ସବୁ ଯେମିତ ନାଟକୀୟ ମନେ ହେଉଥିଲା-। ଏଇ ଦୁରନ୍ତ ପରିଣତି ପାଇଁ ଦାୟୀ କିଏ ?

 

କମଳିନୀଙ୍କ ମୁଖର ଜ୍ୟୋତି ନିଷ୍ପ୍ରଭ ହେଇ ଆସୁଛି । କରୁଣ ସେ ଦୃଶ୍ୟପଟ । ଶ୍ରୀମନ୍ତ ତରୁଣୀ କମଳିନୀଙ୍କ ସହିତ ଆଜିର କମଳିନୀଙ୍କର ତୁଳନା କରୁଥିଲେ । ବୟସ ମଣିଷକୁ କଣ ନ କରିଦିଏ ? ତାଙ୍କର ମନେ ହେଉଥିଲା ପୂର୍ବର ସେଇ କମଳିନୀ ଯେମିତି ବହୁଦିନ ଆଗରୁ ମରି ଯାଇଛନ୍ତି । ସେ ଯାହାଙ୍କୁ ଦେଖୁଛନ୍ତି ସେ କମଳିନୀଙ୍କର ପ୍ରେତାତ୍ମା ।

 

କମଳିନୀଙ୍କ ମୁହଁରେ ଅସ୍ପଷ୍ଟ ଭାଷା—ତମେ ଫେରିଯାଅ । ମତେ ମୁକ୍ତି ଦିଅ ।

 

ଆଖିପତା ତାଙ୍କର ବୁଜି ଆସୁଛି । ଶ୍ରୀମନ୍ତଙ୍କ ପ୍ରାଣରେ ଉଠୁଚି ଭୟାବହ ସ୍ମୃତିର ଝଂକାର । କି ଅନ୍ୟାୟ ସେ ନ କରିଛନ୍ତି ? ତାଙ୍କ ଚକ୍ଷୁରେ ମଧ୍ୟ ଅଶ୍ରୁ ଜମି ଆସୁଛି ।

 

ଡାକ୍ତର ଶ୍ରୀକାନ୍ତ ପ୍ରବେଶ କଲେ । ସାମନାରେ ପଡ଼ିଛନ୍ତି କମଳିନୀ । ନିଷ୍ପ୍ରଭ ଚେହେରା-। ସେ ମା ମା ଡାକି ଦଉଡ଼ି ଗଲେ । କମଳିନୀଙ୍କର ଆଖିପତା ଟିକିଏ ଖୋଲିଯାଇ ସବୁଦିନ ପାଇଁ ବନ୍ଦ ହେଇଗଲା । ସେ ଦେଖିଲେ ଶେଷଥର ପାଇଁ ଗୋଟିଏ ପୁଅର ଚେହେରା ।

 

ଶ୍ରୀକାନ୍ତ ଦେଖିଲେ ବିନୟ ଆଉ ଶ୍ରୀମନ୍ତ ଦୁଇ ପାଖରେ ଠିଆ ହେଇ ଅଶ୍ରୁ ଝରାଉଛନ୍ତି-। ସେ ନିଃଶବ୍ଦରେ ଘର ଭିତରୁ ବାହାରି ଆସିଲେ ।

 

ଦେହରେ ଆବେଷ୍ଟନୀରୁ ଏଇ ମୁକ୍ତି ପାଇ ଯେଉଁ ବିହଙ୍ଗୀଟି ସୁଦୂରକୁ ଚାଲି ଯାଇଛି ତା ପାଇଁ ଆକୁଳ ପ୍ରାର୍ଥନା ଜଣେଇଲା ଦୁଇଟି ହୃଦୟ ।

 

ହଠାତ୍‌ କଣ ହେଲା କେଜାଣି ବିନୟଙ୍କର ପୁଣି କାଶ ଉଠିଲା । କାଶି କାଶି ସେ ବେଦମ ହେଇ ତଳେ ପଡ଼ିଗଲେ । କାଶ ସଙ୍ଗରେ ପୁଳାଏ ରକ୍ତ ଦୂରକୁ ଛିଟିକି ପଡ଼ି କମଳିନୀଙ୍କ ସୀମନ୍ତ ସିନ୍ଦୂରକୁ ଢାଙ୍କି ପକେଇଲା ।

Image